ସୁପ୍ରିମ କୋର୍ଟ ରାୟ କାଲି, ହୋଟେଲ ଗ୍ରାଣ୍ଡ୍ ହାୟାତରେ ଉଦ୍ଧବ-ପାୱାର ଦେଖାଇଲେ ୧୬୨ର ଶକ୍ତି


ପ୍ରସାଦ ରାଓ
୨୫ ନଭେମ୍ବର
ମହାରାଷ୍ଟ୍ରରେ ବିଜେପି ଗଳି ପଶି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାର ବିଜେପି ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପରେ ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ରରେ ତରବରିଆ ଭାବେ ବିଜେପିର ସରକାର ଗଠନକୁ ରାଜ୍ୟପାଳ ସୁଯୋଗ ଦେଇଥିବାରୁ ତାହାକୁ ଚ୍ୟାଲେଂଜ କରି ଶିବସେନା, ଏନସିପି ଓ କଂଗ୍ରେସ ଦାଖଲ ହୋଇଥିବା ଏକ ପିଟିସନ୍ ଉପରେ ଆଜି ଶୁଣାଣୀ ଶେଷ କରି ମଙ୍ଗଳବାର ସକାଳ ସାଢେ ୧୦ ଜଣ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିବା ବେଳେ ଏହି ତିନି ଦଳ ନିକଟରେ ସରକାର ଗଠନ ପାଇଁ ଥିବା ୧୬୨ ବିଧାୟକଙ୍କ ସମର୍ଥନ ମିଡ଼ିଆ ସମ୍ମୁଖରେ ଉପସ୍ଥାପନ କରି ବିଜେପି ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି । ମୁମ୍ବାଇର ହୋଟେଲ ଗ୍ରାଣ୍ଡ୍ ହାୟାତରେ ସନ୍ଧ୍ୟାରେ ପ୍ରାୟ ୧ ଘଂଟାରୁ ଅଧିକ ସମୟ ଏହି ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଆଇନଗତ ଦୃଷ୍ଟିରୁ ଏହା ମୂଲ୍ୟହୀନ ହୋଇଥିଲେ ମଧ୍ୟ ଦେଶବାସୀଙ୍କୁ ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇବା ପାଇଁ ଶିବସେନା, ଏନସିପି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ‘ଆମେ ସବୁ ଏକାଠି, ଆମ ଏକତାକୁ କେହି ଭାଂଗି ପାରିବ ନାହିଁ’ ଏହା ଥିଲା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର ଓ ଦେଶର ବରିଷ୍ଠ କଂଗ୍ରେସ ନେତାଙ୍କ ବାର୍ତର୍ା ।
ହୋଟେଲ ଗ୍ରାଣ୍ଡ୍ ହାୟାତରେ ଦୀର୍ଘ ୧ ଘଂଟାରୁ ଅଧିକ ସମୟ ଏହି ଶକ୍ତି ପ୍ରଦର୍ଶନ କରାଯିବା ପରେ ସମସ୍ତ ବିଧାୟକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କୁ ରଖା ଯାଇଥିବା ହୋଟେଲଗୁଡିକୁ ପଠାଇ ଦିଆଯାଇଛି । ତିନି ଦଳର ୧୫୪ ବିଧାୟକଙ୍କ ସହ ଶିବସେନା, ଏନସିପି ଓ କଂଗ୍ରେସର ପ୍ରସ୍ତାବିତ ମେଂଟ ସରକାରକୁ ସମର୍ଥନ କରୁଥିବା ବିଧାୟକ ମିଶି ମୋଟ ୧୬୨ ବିଧାୟକ ଏହି ଶକ୍ତି ପ୍ରଦର୍ଶନରେ ସାମିଲ ଥିଲେ । ତିନି ଦଳର ନେତୃତ୍ୱ ଗ୍ରାଣ୍ଡ୍ ହୋଟେଲ ହାୟାତ୍ ରେ ଉପସ୍ଥିତ ରହି ନିଜ ନିଜ ଦଳର ବିଧାୟକମାନଙ୍କ ଗଣତି କରି ଗଣମାଧ୍ୟମ ସାମନାରେ ଉପସ୍ଥାପନ କରିଥିଲେ । ଏହି ବିଧାୟକମାନେ ସଂବିଧାନକୁ ବଂଚାଇ ରଖିବାକୁ ଶପଥ ନେଇଥିଲେ । ‘ଆମେ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ୧୪୫ରୁ ଯଥେଷ୍ଟ ଅଧିକ ଥିବାରୁ ରାଜ୍ୟପାଳ ଆଜିର ଏହି ଶକ୍ତି ପ୍ରଦର୍ଶନ ଦେଖି ଆମକୁ ସରକାର ଗଠନ ପାଇଁ ତୁରନ୍ତ ନିମନ୍ତ୍ରଣ କରନ୍ତୁ’ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାର ଆହ୍ୱାନ ଦେଇଥିଲେ । କୌଣସି ପରିସ୍ଥିତିରେ ମଧ୍ୟ ବିଜେପିର ଚାପରେ ଏହି ବିଧାୟକମାନେ ଭାଂଗି ନ ପଡି ଏକତ୍ରିତ ରହିବାକୁ ସବୁ ବିଧାୟକଙ୍କୁ ପରାମର୍ଶ ଦିଆଯାଇଥିଲା।
ଆଜି ଏହି ଶକ୍ତି ପ୍ରଦର୍ଶନ ବ୍ୟତୀତ ଆଉ ଏକ ବଡ ଖବର ମୁମ୍ବାଇରୁ ଆସିଛି । ଶନିବାର ଭୋରରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାୱାରଙ୍କ ବିରୋଧରେ ଚାଲିଥିବା ଜଳସେଚନ ଘୋଟାଲା ସଂପର୍କିତ ମାମଲାଗୁଡିକର ତଦନ୍ତ କରୁଥିବା ଦୁର୍ନୀତି ବିରୋଧୀ ତଦନ୍ତକାରୀ ସଂସ୍ଥା (ଆଂଟି କରପସନ୍ ବ୍ୟାରୋ) ଅଜିତଙ୍କୁ କ୍ଲିନ୍ ଚିଟ୍ ଦେଇ ତଦନ୍ତ ବନ୍ଦ କରି ଦେଇଛି । ଅଜିତ ପାୱାରଙ୍କୁ ଏନସିପି ବିଧାୟକ ଦଳର ନେତା ପଦରୁ ଶରଦ ପାୱାର ହଟାଇ ଦେଇ ବିଧାୟକ ଜୟନ୍ତ ପାଟିଲଙ୍କୁ ବିଦାୟକ ଦଳ ନେତା କରିଛନ୍ତି । ଅଜିତଙ୍କ ହାତରୁ ଦଳ ପାଇଁ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା କାଢି ନିଆ ଯାଇଛି । ତେବେ, ତାଙ୍କୁ ଦଳରୁ ବିଦା କରାଯାଇ ନ ଥିବାରୁ ସେ ଏବେ ବି ଏନସିପିରେ ଥିବା ଦାବି କରୁଛନ୍ତି । ସେ ଏନସିପିର ମୋଟ ୫୪ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି ବୋଲି ରାଜ୍ୟପାଳଙ୍କୁ ସମର୍ଥନପତ୍ର ଦେଇ ମହାରାଷ୍ଟ୍ରରେ ବିଜେପି ସରକାର ଗଠନର ବାଟ ସଫା କରିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ସଲାସୁତୁରା ଉଦ୍ୟମ ଜାରି ରଖି ଥିବାରୁ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଉଛି । ତେବେ, ଏହା ପାୱରଙ୍କ ପାରିବାରିକ ମାମଲା ହୋଇ ଥିବାରୁ ଅଜିତଙ୍କୁ ବୁଝାଶୁଝା କରି ପୁନର୍ବାର ଶରଦଙ୍କ ପାଖକୁ ଫେରାଇ ଆଣିବା ଉଦ୍ୟମ ଚାଲିଛି ବୋଲି ଏନସିପିର ବରିଷ୍ଠ ନେତାମାନେ କହିଛନ୍ତି । ଅନ୍ୟପକ୍ଷରେ, ବିଜେପି ତାହାର ‘ଅପରେସନ୍ ଲୋଟସ୍’ ଯୋଜନାକୁ ଶାନ୍ତିର ସହ ଆଗକୁ ବଢାଉ ଥିବାରୁ ମହାରାଷ୍ଟ୍ର ବିଧାନସଭାରେ ଫଡ଼ନାଭିସ ସରକାର ‘ଫ୍ଲୋର୍ ଟେଷ୍ଟ୍’ର ସମ୍ମୁଖିନ ହେବା ବେଳେ ଶିବସେନା, ଏନସିପି ଓ କଂଗ୍ରେସ ଆଜି ଦେଖାଇ ଥିବା ଶକ୍ତି ସେତେବେଳକୁ ରହିବ କି ନାହିଁ, ସେ ନେଇ ସନ୍ଦେହ ପ୍ରକାଶ ପାଉଛି ।
ଉଲ୍ଲେଖନୀୟ ଘଟଣା ହୋଉଛି, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରି ରହସ୍ୟମୟ ଢଂଗରେ ଗଲା ଶୁକ୍ରବାର ବିଳମ୍ବ ରାତ୍ରୀରେ ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ରାତି ପାହିଲା ବେଳକୁ ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଦେଇଥିଲେ । ଏହା ଏକ ଆଶ୍ଚର୍ଯ୍ୟଜନକ ଓ ଅଗଣତାନ୍ତ୍ରିକ ପ୍ରକ୍ରିୟା ଥିଲା ବୋଲି ସମ୍ବିଧାନ ବିଶେଷଜ୍ଞମାନେ କହୁଛନ୍ତି । ରାଜ୍ୟପାଳଙ୍କ ଦ୍ୱାରା ହୋଇଥିବା ଏଭଳି ଅଗଣତାନ୍ତ୍ରିକ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରି ସରକାରଙ୍କୁ ବିଧାନ ସଭାରେ ତୁରନ୍ତ ଶକ୍ତି ପରୀକ୍ଷା ପାଇଁ ନିର୍ଦେଶ ଦେବାକୁ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଶନିବାର ସନ୍ଧ୍ୟାରେ ଏକ ପିଟିସନ୍ ମାଧ୍ୟମରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସୁପ୍ରମି କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ରବିବାର ଛୁଟି ଦିନ ହୋଇଥିବା ସତ୍ୱେ ଏହି ଆବେଦନର ଶୁଣାଣୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ । ଆଜି ଏହା ଉପରେ ଶୁଣାଣୀ ସରିଛି । ଆସନ୍ତା କାଲି ସକାଳ ସାଢେ ୧୦ଟାରେ ତିନି ଜଣିଆ ଖଣ୍ଡପୀଠ ବିଜେପି ସରକାର ବିରୋଧରେ ହୋଇଥିବା ଆବେଦନ ଉପରେ ରାୟ ଦେବେ । ସୁପ୍ରିମ କୋର୍ଟଙ୍କ ରାୟ ଉପରେ ଶିବସେନା, ଏନସିପି ଓ କଂଗ୍ରେସ ମେଂଟର ଭବିଷ୍ୟତ ନିର୍ଭର କରୁଛି । କୋର୍ଟ ଫଡ଼ନାଭିସ ସରକାରଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ କେତେ ସମୟ ଦେବେ, ତାହା ଉପରେ ସବୁ କିଛି ନିର୍ଭର କରୁଛି ।
ଶିବସେନା, ଏନସିପି ଓ କଂଗ୍ରେସ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ପିଟିସନ୍ ରେ ଦର୍ଶାଇଛନ୍ତି ଯେ, ତିନି ଦଳ ମିଶି ଏକ ନୂଆ ମେଂଟ ଗଠନ ମାଧ୍ୟମରେ ରାଜ୍ୟରେ ସରକାର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚଳାଇ ଥିବା ବେଳେ କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକ ନ ଡାକି ରାତିଅଧିଆ ମହାରାଷ୍ଟ୍ରରୁ ନଭେମ୍ବ ୧୨ରୁ ଜାରି ଥିବା ରାଷ୍ଟ୍ରପତି ଶାସନ ହଟାଇ ଦେଲେ ଏବଂ ରାଜ୍ୟପାଳ ତୁରନ୍ତ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ଶନିବାର ସକାଳ ସୁଦ୍ଧା ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ପାଠ କରାଇ ଦେଲେ । ଉଭୟ କେନ୍ଦ୍ର ଓ ମହାରାଷ୍ଟ୍ର ସରକାର ଏଭଳି ଏକ ଅନିୟମିତତାରେ ସଂଶ୍ଲିଷ୍ଟ ଥିବାରୁ ସୁପ୍ରିମ କୋର୍ଟ ଏହାର ବିଚାର କରି ରାଜ୍ୟପାଳଙ୍କ ଦ୍ୱାରା ତରବରିଆ ଭାବେ ନିଯୁକ୍ତ ସରକାରଙ୍କୁ ଅସିଦ୍ଧ ଘୋଷଣା କରନ୍ତୁ ଏବଂ ବିଧାନସଭାରେ ତୁରନ୍ତ ଫ୍ଲୋର୍ ଟେଷ୍ଟ୍ ପାଇଁ ଫଡ଼ନାଭିସଙ୍କୁ ନିର୍ଦେଶ ଦିଆଯାଉ । ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠ ରବିବାର ପୂର୍ବାହ୍ନରେ ଏହି ଆବେଦନ ଉପରେ ଶୁଣାଣୀ କରିବା ପରେ କେନ୍ଦ୍ର ଓ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ସମେତ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଥିଲେ । କେନ୍ଦ୍ର ସରକାର ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇ ନେବା ଓ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବା ଚିଠି ଖଣ୍ଡପୀଠ ନିକଟରେ ଉପସ୍ଥାପନ କରିବାକୁ ଖଣ୍ଡପୀଠର ବିଚାରପତି ଜଷ୍ଟିସ ଏନ.ଭି.ରାମଣା, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜୀବ ଖାନ୍ନା କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ନିର୍ଦେଶ ଦେଇଥିଲେ ।
ତେବେ, ଏହି ତିନି ଦଳ ସରକାର ଗଠନ ପାଇଁ ସାମ୍ବିଧାନିକ ଅଧିକାର ରଖି ନାହାନ୍ତି, ତେଣୁ ରାଜ୍ୟରେ ପ୍ରତିଷ୍ଠିତ ସରକାରଙ୍କୁ ନେଇ ସେମାନଙ୍କ ଆବେଦନକୁ ରଦ୍ଦ କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଗତକାଲି ଯୁକ୍ତି ଉପସ୍ଥାପନ କରିଥିବା ବେଳେ ବିଜେପିର ଓକିଲ ମୁକୁଲ ରୋହିତଗି ଆବେଦନକାରୀ ମୁମ୍ବାଇ ହାଇକୋର୍ଟକୁ ନ ଯାଇ ସୁପ୍ରିମ କୋର୍ଟକୁ ଆସିବାର ଔଚିତ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ, ଖଣ୍ଡପୀଠ ପିଟିସନ୍ ଉପରେ ବିଚାର କରି ସୋମବାର ସକାଳ ସାଢେ ୧୦ଟାରେ ପରବର୍ତୀ ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ କରିଥିଲେ । ଆଜି ସକାଳେ ସୁପ୍ରିମ କୋର୍ଟ ଖଣ୍ଡପୀଠ ୮୦ ମିନିଟ କାଳ ଉଭୟ ପକ୍ଷର ଯୁକ୍ତି ଶୁଣାିବା ପରେ ମଙ୍ଗଳବାର ସକାଳ ସାଢେ ୧୦ ପର୍ଯ୍ୟନ୍ତ ରାୟ ସ୍ଥଗିତ ରଖିଛନ୍ତି । ଏହି ରାୟ ଉପରେ ସମଗ୍ର ଦେଶର ନଜର ରହିଛି ।
ରାଜ୍ୟପାଳ ବିଜେପିକୁ ‘ଫ୍ଲୋର୍ ଟେଷ୍ଟ୍’ ପାଇଁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିବା ବେଳେ ଆସନ୍ତା କାଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କେତେ ସମୟ ଦେବେ ତାହା ଉପରେ ଅନେକ କିଛି ନିର୍ଭର କରୁଛି । ବିଜେପି ଏମିତି ଯଥେଷ୍ଟ ସମୟ ପାଇଛି ଏବଂ କଳେ, ବଳେ କୌଶଳେ ବିରୋଧୀ ବିଧାୟକଙ୍କୁ ପ୍ରଲୋଭିତ କରି ବା ଧମକାଇ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ବିଜେପିର ଏଭଳି ଆତଙ୍କରାଜରୁ ନିଜ ନିଜ ଦଳର ବିଧାୟକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ତିନି ଦଳ ଭିନ୍ନ ଭିନ୍ନ ଭାବେ ମୁମ୍ବାଇର ବିଭିନ୍ନ ତାରକା ହୋଟେଲରେ ସେମାନଙ୍କୁ ନଜରବନ୍ଦୀ ରଖିଛନ୍ତି । ଶରଦ ପାୱାରଙ୍କ ଏନସିପି ପ୍ରଥମରୁ ବିବାଦ ଘେରକୁ ଚାଲି ଆସି ଥିବାରୁ ସେ ଅଧିକ ସତର୍କ । ବିଧାନସଭାରେ ଏନସିପି ବିଧାୟକଙ୍କ ସଂଖ୍ୟା ହେଉଛି୫୪ । ମହାରାଷ୍ଟ୍ରରେ ଶିବସେନା, ଏନସିପି, କଂଗ୍ରେସର ମିଳିତ ସରକାର ପ୍ରତିଷ୍ଠା ହେବ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶରଦ ପାୱାର ଶୁକ୍ରବାର ରାତିରେ ଘୋଷଣା କରିଥିବା ବେଳେ ତାଙ୍କରି ପୁତୁରା ଅଜିତ ପାୱାର ଏନସିପି ବିଧାୟକ ଦଳ ନେତା ଥିବାର ସୁଯୋଗ ନେଇ ଏନସିପିର ୫୪ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନପତ୍ର ରାଜ୍ୟପାଳଙ୍କୁ ବିଜେପି ସପକ୍ଷରେ ଦେଇ ଫଡ଼ନାଭିସ ସରକାର ଗଠନର ବାଟ ଖୋଲି ଦେଲେ । ରାଜ୍ୟରେ ବିଜେପି ସରକାର ଗଠନ ପାଇ ଏନସିପିର ୫୪ ବିଧାୟକଙ୍କ ସମର୍ଥନ ସହ ମୋଟ ୧୭୦ ବିଧାୟକଙ୍କ ସମର୍ଥନ ଥିବା ରାଜ୍ୟପାଳଙ୍କୁ ଭରସା ଦିଆଯାଇ ଫଡ଼ନାଭିସଙ୍କୁ ଶନିବାର ଭୋର୍ ସୁଦ୍ଧା ମୁଖ୍ୟମନ୍ତ୍ରୀ କରିଦିଆଗଲା । ନିଜେ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଗଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାର ସକାଳୁ ଉଠୁ ଉଠୁ ଅଜିତଙ୍କ ଏହି ପିଠି ଆଡୁ ଛୁରୀ ମରା କାର୍ଯ୍ୟ ଦେଖି ଅବାକ୍ । ଶରଦ ପାୱାର ନିଜକୁ ସନ୍ଦେହମୁକ୍ତ କରିବା ପାଇଁ ବିଜେପି ସରକାର ପ୍ରତି ଏନସିପିର ସମର୍ଥନ ନାହିଁ, ଅଜିତ ପାୱାରା ଯେଉଁ କାର୍ଯ୍ୟ କରିଛନ୍ତି ତାହା ବ୍ୟକ୍ତଗତ ଭାବେ କରିଛନ୍ତି, ତାହା ଦଳର ନିଷ୍ପତ୍ତି ନ ଥିଲା ବୋଲି ଏନସିପି ମୁଖ୍ୟ ଶରଦ ପାୱାର ସଫେଇ ଦେବାକୁ ବାଧ୍ୟ ହୋଇଥିଲେ । ପରେ, ଶନିବାର ସନ୍ଧ୍ୟାରେ ତିନି ଦଳ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ।
ପରେ ଜଣାପଡିଲା ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଢିବା ପାଇଁ ଏନସିପି ଦଳର ୫୪ ବିଧାୟକଙ୍କ ଦସ୍ତଖି ସମ୍ବଳିତ ଯେଉଁ ସମର୍ଥନପତ୍ର ପ୍ରସ୍ତୁତ କରିଥିଲା ତାହାକୁ ସେତେବେଳେ ଏନସିପି ବିଧାୟକ ଦଳ ମୁଖ୍ୟ ଥିବା ଅଜିତ ପାୱାର ହତେଇ ମହାରାଷ୍ଟ୍ରରେ ବିଜେପି ସରକାର ପ୍ରତିଷ୍ଠା ପାଇଁ ଅପବ୍ୟବହାର କରିଛନ୍ତି । ଆଜି ଶିବସେନା, ଏନସିପି ଓ କଂଗ୍ରେସ ସେମାନଙ୍କ ସପକ୍ଷରେ ୧୬୨ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇ ହୋଟେଲ ଗ୍ରାଣ୍ଡ୍ ହାୟାତ୍ ରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ସକାଳେ ସେମାନେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ୧୬୨ ବିଧାୟକଙ୍କଦସ୍ତଖତ ଥିବା ସମର୍ଥନପତ୍ର ଦେଇଥିଲେ । ବିଧାନସଭାର ଶକ୍ତି ପରୀକ୍ଷା ହେଲେ ଫଡ଼ନାଭିସ ସରକାର ହାରିବେ ଏବଂ ଶିବସେନା, ଏନସିପି, କଂଗ୍ରେସ ମେଂଟ ସରକାର ଗଠନ କରିବାକୁ ସକ୍ଷମ ହେବ ବୋଲି ତିନି ଦଳର ବିଶ୍ୱାସ ରହିଛି । ତେବେ, ଫ୍ଲୋର୍ ଟେଷ୍ଟ୍ ସମୟରେ ଅଜିତ ପାୱାର ଓ ଏନସିପି ବିଧାୟକଙ୍କ ବିଧାନସଭାରେ ଭୂମିକା କଣ ହେବ (?), ସେ ନେଇ ସନ୍ଦେହ ଏଯାବତ୍ ଦୂର ହୋଇ ନାହିଁ । ଅପରପକ୍ଷରେ, ଶକ୍ତି ପରୀକ୍ଷାରେ ବିଧାନସଭାରେ ପରାଜିତ ହେଲେ ବିଜେପି ରାଜ୍ୟ ବିଧାନସଭାକୁ ଭାଂଗି ଦେବ ବୋଲି ଏବେ ଯେଉଁ ପ୍ରଚାର ଚାଲିଛି ତାହା ବିରୋଧୀ ବିଧାୟକମାନଙ୍କୁ ଭୟଭିତ କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ଅଧିକାଂଶ ବିଧାୟକ ପୁଣି ଏକ ନିର୍ବାଚନ ହେବା ସପକ୍ଷରେ ନୁହନ୍ତି । ତେଣୁ, ସେମାନେ ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ ହେଲେ ବାଧ୍ୟବାଧକତାରେ କୁଆଡକୁ ଢଳିବେ, ତାହା ବଡ଼ ପ୍ରଶ୍ନ ହୋଇଛି ।
ଆଜି ମହାରାଷ୍ଟ୍ର ରାଜନୀତି କେବଳ ସୁପ୍ରିମ କୋର୍ଟ ବା ହୋଟେଲ୍ ଗ୍ରାଣ୍ଡ୍ ହାୟାତ୍ ରେ ସୀମିତ ନ ଥିଲା, ସଂସଦରେ ମଧ୍ୟ ଏହାର ଯୋରଦାର ସ୍ୱର ଉଠିଥିଲା । ମହାରାଷ୍ଟ୍ରରେ ସରକାର ପ୍ରତିଷ୍ଠାରେ କେନ୍ଦ୍ର ସରକାର ଓ ରାଜ୍ୟପାଳ ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି ଏବଂ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲିି ଲୋକସଭାରେ କଂଗ୍ରେସ ସାଂସଦମାନେ ଅଭିଯୋଗ କରି ଗୃହର ମଧ୍ୟ ଭାଗକୁ ଯାଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ, ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ପରେ, କଂଗ୍ରେସ ସାଂସଦମାନ ସଂସଦ ବାହାରେ ଧାରଣା ଦେଇଥିଲେ । ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ପ୍ରଶ୍ନୋତ୍ତର କାର୍ଯ୍ୟରେ ଭାଗ ନେଇ ନ ଥିଲେ । ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ମଧ୍ୟ ଆଜି ସଂସଦରେ କଂଗ୍ରେସ ସଂସଦଙ୍କ ସହ ମିଶି ଯୋରଦାର ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । ପ୍ରତିବାଦ ବେଳେ ଗୃହରେ ଦୁଇ ଜଣ ମହିଳା ସାଂସଦଙ୍କୁ ମାର୍ଶାଲ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ମହାରାଷ୍ଟ୍ର ମହାନାଟକକୁ ନେଇ ଆଜି ଦେଶବ୍ୟାପୀ ସରଗରମ ବିତର୍କ ଚାଲିଛି । ତେବେ, ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ମାମଲାର ରାୟ ମଙ୍ଗଳବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ସ୍ଥଗିତ ରଖି ଥିବାରୁ ସମସ୍ତଙ୍କ ନଜର ଖଣ୍ଡପୀଠ ଉପରେ ହିଁ ରହିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS