ଓଡ଼ିଶାରେ ବେକାରୀ ହାର ବଢୁଛି !


ମୋଅନୁଭବ.କମ୍
୨୫ ନଭେମ୍ବର
ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ସରକାରୀ ଓ ଘରୋଇ ଉଦ୍ୟୋଗରେ ବ୍ୟାପକ କର୍ମଚାରୀ ଛଟେଇ ଚାଲି ଥିବା ବେଳେ ୨୦୧୯ ବର୍ଷର ପ୍ରଥମ ତିନି ମାସରେ ଦେଶର ସହରାଂଚଳ ବେକାରୀ ହାର ୯.୩ ପ୍ରତିଶତକୁ କମି ଥିବା ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନଏସଓ) ରିପୋର୍ଟ କହୁଛି । ଏନଏସଓ ରିପୋର୍ଟ ମୁତାବକ ଦେଶର ବେକାରୀ ହାର ପୂର୍ବ ତିନି ମାସରେ ୯.୯ ପ୍ରତିଶତ ଥିଲା । ସଂସ୍ଥା ପକ୍ଷରୁ ପ୍ରତି ତିନି ମାସର ଶ୍ରମ ଶକ୍ତି ସର୍ଭେ ରିପୋର୍ଟ ପ୍ରକାଶ ପାଇ ଥାଏ । ଏହି କ୍ରମରେ ସଂସ୍ଥାର ୨୦୧୮ ଏପ୍ରିଲରୁ ଜୁନ୍ ପୂର୍ବବର୍ତୀ ତିନି ମାସର ସର୍ଭେ ରିପୋର୍ଟ ପ୍ରକାଶ ପାଇ ନାହିଁ । ତେବେ, ଗତ ଚାରିଟି କ୍ୱାଟର୍ ମଧ୍ୟରେ ୨୧୦୯ ଜାନୁୟାରୀରୁ ମାର୍ଚ୍ଚ କ୍ୱାଟର୍ରେ ବେକାରୀ ହାର କମ୍ ରହିଥିବା ପରିସଂଖ୍ୟାନ ସଂସ୍ଥା କହିଛି ।
କେନ୍ଦ୍ର ସରକାରଙ୍କ ଏହି ଜାତୀୟ ପରିସଂଖ୍ୟାନ ସଂସ୍ଥା ‘କରେଂଟ ୱିକ୍ଲି ଷ୍ଟାଟସ୍’ ପଦ୍ଧତିରେ ଏହି ପରିସଂଖ୍ୟାନ ରିପୋର୍ଟ ପ୍ରସ୍ତୁତ କରିଥାଏ । ଜଣେ ବ୍ୟକ୍ତି ସପ୍ତାହରେ ମାତ୍ର ଗୋଟିଏ ଘଂଟା କାମ କରିବାକୁ ପାଇ ଥିଲେ ସେ ବେକାର ନୁହେଁ ବୋଲି ବିବେଚନା କରାଯାଇଥାଏ । ଏହି ଭିତ୍ତିରେ ଦେଶରେ ୧୫ରୁ ୨୯ ବର୍ଷ ବୟସର ଯୁବକଙ୍କ ମଧ୍ୟରେ ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ବେକାରୀ ହାର ୨୨.୫ ପ୍ରତିଶତ ଥିବା କୁହାଯାଇଛି । ପୂର୍ବ ବର୍ଷର ସେହି ତିନି ମାସରେ ଏହି ହାର ଥିଲା ୨୩.୭ ପ୍ରତିଶତ । ଭରତର ୧.୩ ନିୟୁତ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେଉଛନ୍ତି ଏହି ବୟସର ଯୁବକ ।
୨୦୧୭-୧୮ ବର୍ଷରେ ଦେଶରେ ବେକାରୀ ହାର ଥିଲା ୬.୧ ପ୍ରତିଶତ । ଯାହାକି, ବିଗତ ୪୫ ବର୍ଷ ମଧ୍ୟରେ ଥିଲା ସର୍ବାଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ବେକାରୀ ହାର ସଂପର୍କରେ ପରିସଂଖ୍ୟାନ ନିୟମିତ ଭାବେ ପ୍ରକାଶ କରୁ ନ ଥିବାରୁ ସମାଲୋଚନାର ଶରବ୍ୟ ହେଉଛନ୍ତି । ଜାତୀୟ ପରିସଂଖ୍ୟାନ ସଂସ୍ଥାର ସର୍ଭେ ରିପୋର୍ଟକୁ ସରକାର ପ୍ରକାଶ ନ କରି ଚପାଇ ଦେଉଥିବା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଅଭିଯୋଗ କରି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲେ ।
ଦେଶର ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପରେ ଯେଉଁ ଶ୍ରମ ଶକ୍ତି ବିନିଯୋଗ ହେଉଛି ତାହାର ପରିମାଣ ଗତ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଥିଲା ମାତ୍ର ୩୬ ପ୍ରତିଶତ । ଏହା ଦେଶର ଅର୍ଥନୈତିକ ମାନ୍ଦାବସ୍ଥାକୁ ସ୍ପଷ୍ଟ କରୁଛି । ଏହି ତିନି ମାସରେ ଦେଶର ଅର୍ଥନୈତିକ ପ୍ରଗତିର ହାର ମଧ୍ୟ ୫.୮ ପ୍ରତିଶତକୁ ଖସି ଯାଇଥିଲା, ଯାହକି ପୂର୍ବ ୪ ବର୍ଷ ତୁଳନାରେ କମ୍ । ପରବର୍ତୀ ତିନି ମାସରେ ଏହା ୫ ପ୍ରତିଶତକୁ କମି ଯାଇଛି ।
ଏହି ସର୍ଭେରୁ ଜଣାପଡିଛି, ଦେଶର ମୋଟ ଶ୍ରମ ଶକ୍ତିର ୩୭.୭ ପ୍ରତିଶତ ବାଣିଜ୍ୟ,ବ୍ୟବସାୟ ଓ ଅନ୍ୟ ବାଟରେ ନିଜ ରୋଜଗାରର ରାସ୍ତା ତିଆରି କରିଥିବା ବେଳେ ୫୦ ପ୍ରତିଶତ ହେଉଛନ୍ତି ଦରମାପ୍ରାପ୍ତ ବା ସ୍ଥାୟୀ କର୍ମଚାରୀ । ୧୨.୪ ପ୍ରତିଶତ ଅସ୍ଥାୟୀ ଶ୍ରମିକ । ସେମାନେ ସାମୟିକ ଭାବେ ନିଯୁକ୍ତି ପାଇ ନିଜ ଗୁଜୁରାଣ ମେଂଟାଇ ଥାଆନ୍ତି । ଏନଏସଓ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ୧୫ବର୍ଷରୁ ଉଦ୍ଧ୍ୱର୍ ବୟସର ବେକାରୀ ବର୍ଗରେ ଓଡ଼ିଶା ଶୀର୍ଷରେ ରହିଛି । ୨୦୧୯ ଜାନୁୟାରୀରୁ ମାର୍ଚ୍ଚ କ୍ୱାଟରରେ ଓଡ଼ିଶାରେ ବେକାରୀ ହାର ୧୫.୭ ପ୍ରତିଶତ ରହିଛି । ରାଜ୍ୟରେ ୨୦୧୮ ଏପ୍ରିଲ ପରଠାରୁ ପ୍ରତି ତ୍ରୟମାସରେ ବେକାରୀ ହାର ବଢିବା ଚିନ୍ତାର ବିଷୟ । ୨୦୧୮ ଏପ୍ରିଲ-ଜୁନ୍ କ୍ୱାଟରରେ ଓଡ଼ିଶାର ବେକାରୀ ହାର ୯.୯ ପ୍ରତିଶତ ଥିଲା ବେଳେ ଜୁଲାଇରୁ ସେପ୍ଟେମ୍ବର କ୍ୱାଟରରେ ତାହା ୧୩.୬ ପ୍ରତିଶତ, ଅକ୍ଟୋବରରୁ ଡ଼ିସେମ୍ବର କ୍ୱାଟରରେ ୧୪.୨ ପ୍ରତିଶତ ଥିଲା । ୨୦୧୯ ଜାନୁୟାରୀରୁ ମାର୍ଚ୍ଚ କ୍ୱାଟରରେ ତାହା ୧୫.୭ ପ୍ରତିଶତରେ ପହଂଚିଛି । ୧୫ରୁ ୨୯ ବର୍ଷ ବୟସ ସୀମାରେ ଓଡ଼ିଶାରେ ବେକାରୀ ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି । ୨୦୧୯ ଜାନୁୟାରୀରୁ ମାର୍ଚ୍ଚ କ୍ୱାଟରରେ ଏହା ୩୩.୮ ପ୍ରତିଶତ ଅଛି । ତେବେ, ୨୦୧୮ ଅକ୍ଟୋବରରୁ ଡ଼ିସେମ୍ବର କ୍ୱାଟରରେ ଏହି ବୟସ ସୀମାର ବେକାରୀ ହାର ୩୫.୭ ଥିଲା । ତେଣୁ ରାଜ୍ୟ ସରକାର କିଛିଟା ଆଶ୍ୱସ୍ତ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS