ବେକରେ ପିଆଜ ମାଳ, ବିଧାୟକ ପହଂଚିଲେ ବିଧାନସଭାରେ !


ପ୍ରସାଦ ରାଓ
୨୭ ନଭେମ୍ବର
ଘଟଣାଟି ଘଟି ନାହିଁ ଓଡ଼ିଶା ବିଧାନସଭାରେ । ଘଟିଛି ବିହାରରେ । ଦେଶବ୍ୟାପୀ ପିଆଜର ଆକାଶ ଛୁଆଁ ଦରବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବଜାରରେ ଭଲ ପିଆଜ ମିଳୁ ନାହିଁ । ଯେଉଁ ଛୋଟ ନାଲି ପିଆଜ ମିଳୁଛି ତାହାର ମୂଲ୍ୟ କିଲୋ ପିଛା ୮୦ ଟଙ୍କା । ଯୋଉଠି ଟିକେ ଭଲ ପିଆଜ ଅଛି, ତାହା କିଲୋ ୧୦୦ରୁ କମ୍ ନୁହେଁ । ଓଡ଼ିଶା ବିଧାନସଭାରେ ଶାସକ ଓ ବିରୋଧୀ ପିଆଜର ଆକାଶଛୁଆଁ ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସତ, କିନ୍ତୁ ସର୍ବସାଧାରଣଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବା ବ୍ୟବସ୍ଥା କରି ନାହାନ୍ତି । ଯଦିବା କେଉଁଠି କରି ଥିବେ ତାହା ଯୋଗାଣ ମନ୍ତ୍ରଣାଳୟ ହିଁ ଜାଣି ଥିବ । ସେଭଳି କିଛି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆମ ଆଖିକୁ ଆସି ନାହିଁ । ସରକାର ଇଜିପ୍ଟରୁ ପିଆଜ ଆମଦାନୀ କରୁଛନ୍ତି, ତାହା ଆସିଲେ ପିଆଜ ଦର ଖସି ଯିବ ବୋଲି ନିକଟରେ ଓଡ଼ିଶା ସରକାର କହିଥିଲେ । କିନ୍ତୁ, ୨୭ ତାରିଖ ସୁଦ୍ଧା ବଜାରରେ ସେହି ନାଲି ଗୁଣ୍ଡି ପିଆଜ ହିଁ ଦେଖିବାକୁ ମିଳିଛି, ଯାହାର କିଲୋ ୮୦ ଟଙ୍କା ।
ତେବେ, ଓଡ଼ିଶା ବିଧାୟକମାନେ ବିଧାନସଭାରେ ଯାହା କରି ଦେଖାଇ ନାହାନ୍ତି ତାହା କରି ଦେଖାଇଛନ୍ତି ବିହାରର ଜଣେ ବିରୋଧୀ ବିଧାୟକ । ରାଜା ପାକାରର ଆରଜେଡ଼ି ବିଧାୟକ ଶିବ ଚନ୍ଦ୍ର ରାମ ଆଜି ପିଆଜରେ ଗୁନ୍ଥା ଗୋଟିଏ ମାଳ ବେକରେ ଗଳାଇ ବିଧାନସଭାରେ ପହଂଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସରକାରୀ ଭାବେ ବିକ୍ରୟ କେନ୍ଦ୍ର ଖୋଲାଯିବ ବୋଲି ମଧ୍ୟ କହିଥିଲେ । ତେବେ, ସେହି ପ୍ରତିଶ୍ରୁତି ରକ୍ଷା ହୋଇ ନାହିଁ । ତେଣୁ, ସେ ଏହି ଅଭିନବ ପ୍ରତିବାଦ ଜଣାଇଛନ୍ତି ବୋଲି ଶିବ ଚନ୍ଦ୍ର ରାମ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ସେ ପିନ୍ଧି ଥିବା ପିଆଜ ମାଳକୁ ଦେଖିଲେ ଅନ୍ତତଃ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କଥା ମନେ ପଡି ଯିବ ବୋଲି ଆରଜେଡ଼ି ବିଧାୟକ ଜଣକ କଟାକ୍ଷ କଲା ବେଳେ ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନ ଥିଲେ । ତଥାପି, ବିଧାୟକ ରାମଙ୍କ ଏହି ଷ୍ଟଂଟ୍ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ସକାଳେ ବିଧାନସଭାରେ ଉପସ୍ଥିତ ଗଣମାଧ୍ୟମ ଫଟୋଗ୍ରାଫରମାନେ ପିଆଜ ମାଳ ପିନ୍ଧି ଥିବା ବିଧାୟକଙ୍କ ଚିତ୍ର ଉତ୍ତୋଳନ କରିବାକୁ ଉମୁଡ଼ି ପଡି ଥିଲେ । ଖୋଲା ବଜାରରେ ପିଆଜ ଦର ୫୦ ଟଙ୍କା ଥିଲା । ଏବେ ୮୦/୧୦୦କୁ ଡ଼େଇଁଲାଣି । ସେ ଯେଉଁ ମାଳ ପିନ୍ଧିଛନ୍ତି ସେଥିରେ ଗୁନ୍ଥା ଯାଇଥିବା ପିଆଜ କିଲୋ ୧୦୦ଟଙ୍କାରେ କିଣିଛନ୍ତି ବୋଲି ବିଧାୟକ ରାମ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅନ୍ତତଃ କିଲୋ ୫୦ ଟଙ୍କା ଦରରେ ଖାଉଟୀଙ୍କୁ ପିଆଜ ଯୋଗାଇ ଦେବାକୁ ସେ ଦାବି ଉପସ୍ଥାପନ କରିଛନ୍ତି ।
ଆମେ ଯେତେବେଳେ ପିଆଜକୁ ନେଇ ଆଲୋଚନା କରୁ, କହୁ ‘ପିଆଜ’ ହେଉଛି ଗରୀବ ଲୋକଙ୍କ ପଖାଳ କଂସାର ଅଭନ୍ନ ଅଂଗ । ଏବେ ଗରୀବ ଲୋକଙ୍କ ପଖାଳ କଂସା କଣ, ମଧ୍ୟବିତ୍ତଙ୍କ ହାଣ୍ଡିଶାଳରୁ ମଧ୍ୟ ପିଆଜ ଉଭାନ ହୋଇଛି । ନିକଟରେ ଜଣେ ବନ୍ଧୁ ‘ହ୍ୱାଟସ୍ ଆପ୍’ରେ ଏକ ରୋଚକ କଟାକ୍ଷ ପଠାଇ ଥିଲେ । ସେଥିରେ କମେଂଟ୍ ଥିଲା – ‘ଆପଣ ନିଶ୍ଚିତ ଭାବେ ଜଣେ ଧନୀ ବ୍ୟକ୍ତି ହୋଇଥିବେ, କାରଣ ଆପଣଙ୍କ ପାଟିରୁ ପିଆଜ ଗନ୍ଧ ଆସୁଛି’- ଜଣେ ପ୍ରେମିକକୁ ତାହାର ପ୍ରେମିକାଙ୍କ କଟାକ୍ଷର ଚିତ୍ର । ପିଆଜ ପାଇଁ ଅତୀତରେ କେନ୍ଦ୍ରରେ ସରକାର ଦୋହଲିଛି । କିନ୍ତୁ, ୨୦୧୯ କଥା ଭିନ୍ନ । ବିଧାନସଭା ଓ ସଂସଦରେ ଆଉ ସାଧାରଣ ଲୋକ ନାହାନ୍ତି । ଜନପ୍ରତିନିଧିଙ୍କ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ବଢି ଚାଲିଛି । ଏହି ନେତାମାନଙ୍କ ସହନଶୀଳତା ଅଧିକ ଏବଂ ଆଘ୍ରାଣ ଶକ୍ତି କମ୍ । ତେଣୁ, ଗରୀବ, ମଧ୍ୟବିତ୍ତଙ୍କ ହାଣ୍ଡିଶାଳର ପୋଡି ଯାଉଥିବା ବେଳେ ତାହା ଗନ୍ଧ ସେମାନଙ୍କ ନାକରେ ପହଂଚୁ ନାହିଁ । ବିହାରର ଶିବ ଚନ୍ଦ୍ର ରାମଙ୍କ ଭଳି ଜଣେ ଅଧେ ବିଧାୟକ ପ୍ରତିବାଦସୂଚକ ପିଆଜ ମାଳ ପିନ୍ଧି ବିଧାନସଭାକୁ ଗଲେ କାହାକୁ କଣ ଫରକ ପଡ଼ିବ ?

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS