ବାଲାସାହବ ଠାକରେ ବଂଚି ଥିଲେ…!
ପ୍ରସାଦ ରାଓ
୨୭ ନଭେମ୍ବର
ଶିବସେନା ମୁଖ୍ୟ ତଥା ନବଗଠିତ ‘ମହାରାଷ୍ଟ୍ର ମହାବିକାଶ ଅଘାଡି’ର ନେତା ଉଦ୍ଧବ ଠାକରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେଂଟ୍ରାଲ ମୁମ୍ବାଇର ଦାଦରରେ ଥିବା ଶିବାଜୀ ପାର୍କରେ ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ଆୟୋଜନ ଚାଲିଛି । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ନୂତନ ମନ୍ତ୍ରୀ ପରିଷଦ ଶପଥ ନେଲେ ଲକ୍ଷାଧିକ ଜନ ସମାଗମ ହେବ । ତେଣୁ, ମୁମ୍ବାଇ ହାଇକୋର୍ଟ କାଲିର ଶପଥ ଗ୍ରହଣ ଉତ୍ସବ ଉପରେ କୌଣସି ରୋକ୍ ଲଗାଇ ନ ଥିଲେ ମଧ୍ୟ ଏଭଳି ଉତ୍ସବ ଆୟୋଜନ କେତେଦୂର ନିରାପଦ (?) ବୋଲି ପ୍ରଶ୍ନ ଉଠାଇଛି । ହାଇକୋର୍ଟର ଏକ ଡ଼ିଭିଜନ ବେଂଚ୍ ଆଜି ଏହା ଉପରେ ଶୁଣାଣୀ କରି, କାଲିର ଶପଥ ଗ୍ରହଣ ଉତ୍ସବ ପରେ ଶିବାଜୀ ପାର୍କରେ ଏଭଳି ଉତ୍ସବ ଆୟୋଜନ ଏକ ପରଂପରା ହୋଇଯିବ ବୋଲି ମନ୍ତବ୍ୟ ଦେଇଛନ୍ତି । ଜଷ୍ଟିସ ଏସ୍.ସି.ଧର୍ମାଧିକାରୀ ଓ ଜଷ୍ଟିସ ଆର.ଆଇ.ଚଗଲାଙ୍କୁ ନେଇ ଗଠିତ ହାଇକୋର୍ଟ ଡ଼ିଭିଜନ ବଂଚେ କହିଛନ୍ତି – ‘ଆମେ କାଲି ହେବାକୁ ଥିବା ଶପଥ ପାଠ ଉତ୍ସବ ଉପରେ କିଛି ମତ ଦେବାକୁ ଚାହୁଁ ନାହୁଁ, କେବଳ ଏତିକି ପ୍ରାର୍ଥନା କରୁଛୁ କାଲିର ଉତ୍ସବରେ କିଛି ଅଘଟଣ ନ ଘଟୁ’ ।
କାଲିର ଶପଥ ଗ୍ରହଣ ଉତ୍ସବ ପରେ ମହାରାଷ୍ଟ୍ରରେ ମାସେ ହେଲା ଚାଲି ଥିବା ମହାନାଟକର ଅବସାନ ଘଟିବା ଆଶା କରାଯାଉଛି । କାଲି ସନ୍ଧ୍ୟାରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ବାଲା ସାହେବ ଥୋରାଟ ଓ ଏନସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ତେବେ, ମହାରାଷ୍ଟ୍ର ରାଜନୀତିରେ ଯେମିତି ଘଡିକେ ଘୋଡା ଛୁଟୁଛି ଓ ଏନସିପି ଲଗାତର ଦେଶବାସୀଙ୍କୁ ଚକିତ କରି ଆସୁଛି ସେଥିରେ କୌଣସି ପ୍ରକାର ପରିବର୍ତନ ସମ୍ଭାବନା ବା ଆଶଙ୍କାକୁ ଆଖୁବୁଜି ହେବ ନାହିଁ । ତିନି ଦିନିଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଏଠି ଉଦାହରଣ ଭାବେ ନିଆ ଯାଇ ପାରେ । ଦଳରେ ବିଭାଜନ ସୃଷ୍ଟି କରି ବିଜେପି ହାତରେ କ୍ଷମତା ଟେକି ଦେବାକୁ ଚକ୍ରାନ୍ତ କରିଥିବା ଅଜିତ ପାୱାର ହେଉଛନ୍ତି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା । ସୁପ୍ରିମ କୋର୍ଟ ‘ଫ୍ଲେର୍ ଟେଷ୍ଟ୍’ ବେଳେ ‘ଗୁପ୍ତ ଭୋଟ’ ନ ହୋଇ ‘ଖୋଲା ଭୋଟିଂ’ କରାଯିବାକୁ ରାଜ୍ୟପାଳଙ୍କ ନିଦେ୍ର୍ଦଶ ଦେବା ପରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ପ୍ରଥମେ ଇସ୍ତଫା ଦେଇ ବିଜେପିର ତିନି ଦିନିଆ ସରକାରର ପତନ ଘଟାଇଲେ । ସେ ଏବେ ଏନସିପି ଶିବିରକୁ ଫେରି କ୍ଷମତା ଆଶାୟୀ । ଏନସିପି ମୁଖ୍ୟ ତାଙ୍କ ପୁତୁରାଙ୍କ ଏହି ‘ଦଳ ବିଭାଜନ ଉଦ୍ୟମ’କୁ ମାଫ୍ କରି ‘କାଲି ରାସ୍ତା ଭୁଲି ଯାଇଥିବା ପୁଅ ଆଜି ଘରକୁ ଫେରିଛି’ କହି ସହର୍ଷରେ ତାଙ୍କୁ ସ୍ୱାଗତ କରିବା ଅଜିତ ପାୱାରଙ୍କ ଏନସିପିରେ ଥିବା ପ୍ରଭାବକୁ ସ୍ପଷ୍ଟ କରୁଛି । ସେ ପୁଣି ଥରେ ଆଘାଡିରେ ପଦପଦବୀ ଦଖଲ ପାଇଁ ଗୋଟିଚାଳନା କରିବା ସମ୍ଭାବନାକୁ କେହି ଅସ୍ୱୀକାର କରି ପାରୁ ନାହାନ୍ତି ।
ଅଜିତ ପାୱାର ଗତ ଶୁକ୍ରବାର ରାତିରେ ଏନସିପିର ୫୪ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନପତ୍ରକୁ ଅପହରଣ କରି ନେଇ ବିଜେପି ହାତରେ ସମର୍ପି ଦେଇଥିଲେ ଏବଂ ବିଜେପି ତାହା ରାଜ୍ୟପାଳଙ୍କୁ ଦେଖାଇ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପଛରେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇ ଥିଲା । ସେହି ଭିତ୍ତିରେ ରାଜ୍ୟପାଳ ଶନିବାର ଭୋର୍ ସୁଦ୍ଧା ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ସମସ୍ତଙ୍କୁ ଚକିତ କରିଥିଲେ । ଶନିବାର ସକାଳେ ଟେଲିଭିଜନରେ ଏହି ଦୃଶ୍ୟ ଦେଖିବା ପରେ ହତବାକ୍ ଏନସିପି ମୁଖ୍ୟ ଶରଦ ପାୱାର, ‘ଏହା ଏନସିପିର ନିଷ୍ପତ୍ତି ନୁହେଁ, ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି’ କହି ସଫେଇ ଦେବାକୁ ବାଧ୍ୟ ହେଇଥିଲେ । ମଧ୍ୟାହ୍ନରେ ଶିବସେନା ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଅଜିତ ପାୱାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟାଇବା ଘୋଷଣା କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ପରିସ୍ଥିତି ସମ୍ଭାଳି ଥିଲେ ।
ଏହାପରେ, ଏନସିପି ସହ ଶିବସେନା ଓ କଂଗ୍ରେସ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କେନ୍ଦ୍ର ସରକାର ବେନିୟମ ଭାବେ ରାତିଅଧିଆ ରାଜ୍ୟରେ ଜାରି ଥିବା ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରି ନେବା, ରାଜ୍ୟପାଳ ଏନସିପିର ସମର୍ଥନପତ୍ରକୁ ଆଧାର କରି ସକାଳ ହେବା ପୂର୍ବରୁ ବିଜେପି ବିଧାୟକ ଦଳ ନେତା ତଥା କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ ଭାବ ଶପଥ ଦେବା, ଏନସିପିର ସମର୍ଥନପତ୍ରର ଦୁର୍ବ୍ୟବହାର କରିଥିବା ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ଏବଂ ଅଜିତ ପାୱାର ବିଜେପି ସହ ହାତ ମିଳାଇବା ପରେ ତାଙ୍କ ବିରୋଧରେ ଚାଲି ଥିବା ହଜାର ହଜାର କୋର୍ଟ ଟଙ୍କାର ୯ଟି ଜଳସେଚନ ଦୁର୍ନୀତି ମାମଲାରେ ତାନˆ୍ିନ୍ ଚିଟ୍ ଦିଆଯାଇ ମାମଲାର ତଦନ୍ତ ବନ୍ଦ ହେଲା ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା (ଅବଶ୍ୟ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ସୂଚନା ଦେଇଛନ୍ତି ଅଜିତ ପାୱାରଙ୍କ ବିରୋଧରେ ଚାଲିଥିବା କୌଣସି ମାମଲାର ତଦନ୍ତ ବନ୍ଦ ହୋଇ ନାହିଁ) ଏବଂ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ରାଜ୍ୟପାଳ ଅଗଣତାନ୍ତ୍ରିକ ପଦ୍ଧତିରେ ବିଜେପିକୁ ଏଭଳି ଏକ ସୁଯୋଗ ଦେବା ଘଟଣାବଳୀକୁ ଚ୍ୟାଲେଂଜ କରି ସେମାନେ କୋର୍ଟର ଦ୍ୱାରସ୍ଥ ହେବା ସହ ଫଡ଼ନାଭିସ ସରକାରଙ୍କୁ ତୁରନ୍ତ ବରଖାସ୍ତ କରାଯାଇ ବିଧାନସଭାରେ ଅବିଲମ୍ବେ ‘ଫ୍ଲୋର୍ ଟେଷ୍ଟ୍’ କରାଯିବାକୁ ଦାବି କରିଥିଲେ । ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଦୁଇ ଦିନ କାଳ ଉଭୟ ପକ୍ଷଙ୍କୁ ଶୁଣିବା ପରେ ମଙ୍ଗଳବାର ଅପରାହ୍ନରେ ରାୟ ଦେଇ ବୁଧବାର ସନ୍ଧ୍ୟା ୫ଟାସୁଦ୍ଧା ମହାରାଷ୍ଟ୍ର ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ କରାଯିବାକୁ ଏବଂ ତାହା ମଧ୍ୟ ‘ଓପନ୍ ବ୍ୟାଲଟ’ରେ ହେବାକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯାହାକି ବିଜେପିର ଗଣିତ ବିଗାଡି ଦେଲା ଓ ଆବଶ୍ୟକ ସଂଖ୍ୟା ନଥିବା ଫଡ଼ନାଭିସ୍ ସରକାର ଇସ୍ତଫା ଦେବାକୁ ବାଧ୍ୟ ହେଲେ ।
ଏନସିପିର ସବୁ ବିଧାୟକ ମଂଗଳବାର ସୁଦ୍ଧା ଦଳର ନେତା ଶରଦ ପାୱାରଙ୍କ ନିକଟକୁ ଫେରି ଆସୁଥିବା ଦେଖି ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳକୁ ଫେରିଛନ୍ତି । ଅଜିତ ପ୍ରଥମେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବିଜେପି-ଅଜିତ ମେଂଟର ଏହି ବିକଳ ଅବସ୍ଥା ପାଇଁ ମୁମ୍ବାଇର ହୋଟେଲ ‘ଗ୍ରାଣ୍ଡ୍ ହାୟାତ୍’ରେ ସୋମବାର ସନ୍ଧ୍ୟାରେ ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ହୋଇଥିବା ମିଳିତ ଶକ୍ତି ପ୍ରଦର୍ଶନ (୧୬୨ ବିଧାୟକଙ୍କ) ଅନେକାଂଶରେ ଦାୟି । ଫଡ଼ନାଭିସ ଓ ଅଜିତ ପାୱାରଙ୍କ ଇସ୍ତଫା ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାର ସନ୍ଧ୍ୟାରେ ‘ହୋଟେଲ ଟ୍ରାଇଡେଂଟ’ରେ ‘ମହାରାଷ୍ଟ୍ର ମହାବିକାଶ ଆଘାଡି’ର ବୈଠକ ହୋଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏହାର ନେତା ଭାବେ ନିର୍ବାଚନ କରାଯାଇଛି । ତିନି ଦଳ ମିଳିତ ଭାବେ ନୂଆ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିବା ଦ୍ୱାରା ମହାରାଷ୍ଟ୍ରରେ ଗତ ଏକ ମାସ ହେଲା ଚାଲି ଥିବା ରାଜନୈତିକ ଅସ୍ଥିରତାର ଅବସାନ ଘଟିଛି । ତେବେ, ଦେଶରେ ଗଣତନ୍ତ୍ର କିଭଳି ଭାବେ ରାଜନେତାଙ୍କ ହାତରେ ବିପନ୍ନ ଏବଂ ଏଭଳି ପରିସ୍ଥିତି ଆସିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କିଭଳି ଭାବେ ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷକ ହୋଇ ଠିଆ ହେଉଛି, ତାହା ମହାରାଷ୍ଟ୍ର ମହାନାଟକର ଅଭିଜ୍ଞତାରୁ ସ୍ପଷ୍ଟ ହେଉଛି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ‘ମହାରାଷ୍ଟ୍ର ମହାବିକାଶ ଆଘାଡି’ର ନେତା ନିର୍ବାଚିତ ହେବା ପରେ ଗତକାଲି ଏଆଇସିସିର ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପ୍ରତି ଯେଭଳି ବିନମ୍ରତା ପକାଶ କରି ସେମାନଙ୍କ ଆଶୀର୍ବାଦ ନେଇଛନ୍ତି ଏବଂ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ବୋଲି ଯେଉଁ ସ୍ୱୀକାରୋକ୍ତି ଦେଇଛନ୍ତି ତାହା ତାଙ୍କ ଉଦାର ରୂପକୁ ପ୍ରତିଫଳିତ କରିଛି । ଭବିଷ୍ୟତରେ ‘ମହାରାଷ୍ଟ୍ର ମହାବିକାଶ ଆଘାଡି’କୁ ଏକାଠି ରଖି ଆଗେଇ ନେବାରେ ଯଦି ଏଭଳି ଉଦାରତାର ପ୍ରତିଫଳନ ହେବ, ତେବେ ଉଦ୍ଧବଙ୍କ ନେତୃତ୍ୱ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉତ୍ସର୍ଗ ଏବଂ ବିଳମ୍ବରେ ହେଲେ ମଧ୍ୟ ସୋନିଆଙ୍କ ଜ୍ଞାନୋଦୟ ଭାରତୀୟ ରାଜନୀତିରେ ଏକ ମିଶାଲ ହୋଇଯିବ ।
କାଲି ଶପଥ ନେବାକୁ ଥିବା ମହାରାଷ୍ଟ୍ର ମହାବିକାଶ ଆଘାଡି ସରକାରରେ ଶିବସେନା ୧୬, ଏନସିପି ୧୫ ଓ କଂଗ୍ରେସ ୧୨ଟି ମନ୍ତ୍ରଣାଳୟ ପାଉଥିବା ସୂଚନା ମିଳୁଛି । ତେବେ, ବିଭାଗ ବଂଟନ ନେଇ ଆଜି ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ତିନି ଦଳରେ ଆଲୋଚନା ଜାରି ରହିଛି । କାଲି ସନ୍ଧ୍ୟା ୬ଟାରେ ଏହି ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସୂଚନା ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏଆଇସିସି ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଦେଶର ବହୁ ନେତାଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଉଥିବା ଭାବି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି । ତେବେ, ବିଜେପିକୁ ଏହା ଅସହ୍ୟ ହେଉଛି । ‘ମହାବିକାଶ ଆଘାଡି’ରେ ଥିବା ତିନି ରାଜନୈତିକ ଦଳର ଚରିତ୍ର ଓ ବିଚାରଧାରା ଭିନ୍ନ । ତେଣୁ, ଏହି ସରକାରର ଆୟୁଷ ମଧ୍ୟ କମ୍ ବୋଲି ବିଜେପିର ବରିଷ୍ଠ ନେତାମାନେ କଟାକ୍ଷ କରୁଥିବା ବୋଲି ଏହା ବିଜେପିର ‘ନିରାଶବାଦ’ ବୋଲି ମହାବିକାଶ ଆଘାଡି ନେତାମାନେ କହୁଛନ୍ତି ।
ଉଦ୍ଧବ ହେଉଛନ୍ତି ଠାକରେ ପରିବାରର ପ୍ରଥମ ନେତା ଯିଏକି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବାକୁ ଯାଉଛନ୍ତି । ପୂର୍ବରୁ ୧୯୯୫ରେ ଶିବସେନା ନେତା ମନୋହର ଯୋଷୀ ଏବଂ ତିନି ବର୍ଷ ପରେ ଅନ୍ୟତମ ନେତା ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ, ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଆଶୀର୍ବାଦ ସେମାନେ ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ପାଇଥିଲେ । ପରିବାରରୁ କେହି ମୁଖ୍ୟମନ୍ତ୍ରୀ ହେବା ଏହା ପ୍ରଥମ । ଉଦ୍ଧବ କେବେ ନିର୍ବାଚନ ଲଢି ନାହାନ୍ତି । ବାଲା ସାହେବ ଠାକରେଙ୍କ ଭଳି ‘ମାତୋଶ୍ରୀ’ ଥିଲା ଉଦ୍ଧବଙ୍କ ଶକ୍ତି କେନ୍ଦ୍ର । ଆଜି ବାଲା ସାହେବ ଜୀବିତ ଥିଲେ ବହୁତ ଖୁସି ହୋଇଥା’ନ୍ତେ ବୋଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଟିପ୍ପଣୀକୁ ଏକ ଛଳନାହୀନ ସତ୍ୟ କହିବା ଭୁଲ ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS