ବାବୁମାନେ ଖୁସି, ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱ କପ୍
ପ୍ରସାଦ ରାଓ
୨୮ ନଭେମ୍ବର
ଓଡ଼ିଶା ଦ୍ୱିତୀୟ ଥର ପାଇଁ ୨୦୨୩ ଜାନୁୟାରୀରେ ରାଜ୍ୟରେ ପୁରୁଷ ହକି ବିଶ୍ୱ କପ୍ ର ଆୟୋଜନ କରିବାକୁ ଯାଉଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବଡବଡିଆ ସରକାରୀ ବାବୁମାନେ ବେଶ୍ ଖୁସି । ୨୦୧୮ ନଭେମ୍ବର ୨୮ ରୁ ଡ଼ିସେମ୍ବର ୧୬ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱ କପ୍ ଅୟୋଜନ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବେଶ୍ ପ୍ରଶଂସିତ ହୋଇଥିଲେ । ରାଜ୍ୟ ସରକାରଙ୍କ ଖେଳ ପରିଚାଳନା ଓ ଆତିଥ୍ୟକୁ ଉଭୟ ଆନ୍ତର୍ଜାତିକ ଓ ଜାତୀୟ ହକି ଫେଡେରେସନ୍ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇ ଥିଲେ । ବିଶ୍ୱ କପ୍ ହକି ବାହାନାରେ ୨୦୧୮ ବର୍ଷର ଶେଷ ଭାଗରେ ରାଜ୍ୟକୁ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଉତ୍ସାହଜନକ ଭାବେ ବଢି ଥିଲା । ବହୁ ସଂଖ୍ୟାରେ ଦେଶୀ, ବିଦେଶୀ ପର୍ଯ୍ୟଟକ-ବିଶେଷକରି ହକି ପ୍ରୋମୀ ଓ ବିଶ୍ୱ କପ୍ ରେ ଭାଗ ନେଇ ଥିବା ବିଦେଶୀ ଖେଳାଳୀଙ୍କ ପରିବାର ଓଡ଼ିଶା ଆସି ଖେଳକୁ ଉପଭୋଗ କରିବା ସହ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାବୁଲି କରିବାରୁ ରାଜ୍ୟରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସମେତ ଅନ୍ୟାନ୍ୟ ଉଦ୍ୟୋଗ ମଧ୍ୟ ଲାଭାନ୍ୱିତ ହୋଇଥିଲେ । କଳିଙ୍ଗ ଷ୍ଟାଡିୟମ୍ ପାଇଁ ରାଜଧାନୀ ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀର ‘ମାନ୍ୟତା’ ମଧ୍ୟ ପାଇଥିଲା ।
୨୦୨୩ ପୁରୁଷ ହକି ବିଶ୍ୱ କପ୍ ପୁଣି ଥରେ ଓଡ଼ିଶାକୁ ଖୁସି ଆଣିଛି । ତେବେ, ଏହି ବିଶ୍ୱ କପ୍ ପ୍ରତିଯୋଗିତାର ଖେଳଗୁଡ଼ିକ କେବଳ ଭୁବନେଶ୍ୱରରେ ସୀମିତ ନ ରହି ଭାରତୀୟ ହକିର ଅନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ କରାଯିବ ବୋଲି ଚୂଡାନ୍ତ ହୋଇଛି । ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ଏଥିପାଇଁ ପ୍ରସ୍ତୁତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଅନୁଷ୍ଠିତ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି । ଏହି ଉତ୍ସବରେ ଆନ୍ତର୍ଜାତିକ ହକି ଫେଡେରେସନ୍ ସଭାପତି ନରିନ୍ଦର ବାତ୍ରା ଉପସ୍ଥିତି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଷ୍ଟାଡିୟମରେ ଥିବା ଦର୍ଶକ କରତାଳି ଦେଇ ସ୍ୱାଗତ କରି ଥିଲେ । ୨୦୨୩ ପୁରୁଷ ବିଶ୍ୱ କପ୍ ହକି ପ୍ରତିଯୋଗିତା ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ୨୯ରେ ସରିବ । ୧୬ଟି ଦେଶର ହକି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଉଲ୍ଲେଖନୀୟ ଯେ, ୨୦୨୩ ପୁରୁଷ ବିଶ୍ୱ କପ୍ ହକିର ଅୟୋଜନ ପାଇଁ ଭାରତ ସହ ମାଲେସିୟା ଓ ବେଲଜିୟମ ମଧ୍ୟ ଦୌଡରେ ଥିଲେ । ତେବେ, ଏଫଆଇଏଚ୍ ବା ଆନ୍ତର୍ଜାତିକ ହକି ଫେଡେରେସନ୍ ଭାରତକୁ ଏଥିସକାଶେ ବାଛିଚି ।
୨୦୧୮ ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱ କପ୍ ପ୍ରତିଯୋଗିତାର ବର୍ଷ ପୂର୍ତି ଉପଲକ୍ଷେ ବୁଧବାର ଏହି ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଫଆଇଏଚ ସଭାପତି ବାତ୍ରା ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ୨୦୨୩ ପୁରୁଷ ହକି ବିଶ୍ୱ କପ୍ ରାୟପୁର ବା ନୂଆଦିଲ୍ଲୀରେ କରାଯିବାକୁ ପ୍ରଥମ ଚିନ୍ତା କରାଯାଇଥିଲା । ତେବେ, ୨୦୧୮ରେ ଓଡ଼ିଶା ସରକାର ଯେଭଳି ଅଭୂତପୂର୍ବ ଆୟୋଜନ କରିଥିଲେ ତାହାକୁ ନଜରରେ ରଖି ୨୦୨୩ ହକି ବିଶ୍ୱ କପ୍ ମଧ୍ୟ ଓଡ଼ିଶାରେ କରାଯିବା ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ସବୁ ହେବ । ଏହି ରଂଗାରଂଗ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ହକିର ବିକାଶ ଲାଗି ‘ହକିର ତୃଣମୂଳ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ସିନ୍ଥେଟିକ୍ ଟର୍ଫ ବିଛା ଯିବା ସକାଶେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସିନ୍ଥେଟିକ୍ ଟର୍ଫଗୁଡିକ ବାଲି-ଭିତ୍ତିକ ହେବ ଏବଂ ଏବାବଦରେ ୨ରୁ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବ କହିଛନ୍ତି । ମୁଖମନ୍ତ୍ରୀ ୨୭ ତାରିଖ କଳିଙ୍ଗ ଷ୍ଟାଡିୟମରେ ସ୍ଥାପନ ହେବାକୁ ଥିବା ହକି ହାଇ-ପର୍ଫର୍ମାନସ କେନ୍ଦ୍ର କୋଠାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
୨୦୧୮ ପୁରୁଷ ହକି ବିଶ୍ୱ କପ୍ ରେ ଖର୍ଚ୍ଚ ହୋଇଥିଲା ୬୭ କୋଟି
ରାଜ୍ୟ ସରକାର ୨୦୧୮ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଯେଉଁ ପୁରୁଷ ହକି ବିଶ୍ୱ କପ୍ ର ଆୟୋଜନ କରିଥିଲେ ସେଥିରେ ୬୭ କୋଟି ଟଙ୍କ ଖର୍ଚ୍ଚ ହୋଇଥିବା ଜଣାପଡିଛି । ସରକାର ଏହି ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ୨୦୧୮-୧୯ ଆର୍ଥିକ ବଜେଟରେ ୮୨.୫ କେଟି ଟଙ୍କା ବ୍ୟୟବରାଦ କରି ଥିଲେ ମଧ୍ୟ ଖର୍ଚ୍ଚ ୬୬.୯୮ କୋଟି ଟଙ୍କାରେ ସୀମିତ ଥିଲା । ପୁରୁଷ ହକି ବିଶ୍ୱ କପ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବ ଦିନ ଏହାର ଉଦଘାଟନୀ ଉତ୍ସବ ଜାକଜମକ ଭାବେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଉଦଘାଟନ ଉତ୍ସବର ଆୟୋଜନ ପାଇଁ ଆନ୍ତର୍ଜାତିକ ହକି ଫେଡେରେସନ୍ କୁ ୨୫ କୋଟି ଟଙ୍କା ଦେଇଥିଲେ । ଏହାଛଡା, ଖେଳର ପ୍ରଚାର ଓ ଗଣମାଧ୍ୟମରେ ବିଜ୍ଞାପନ ବାବଦରେ ୯.୨୩ କୋଟି ଟଙ୍କା, ଖେଳ ପରିଚାଳନାରେ ୧୮.୮୯ କୋଟି ଟଙ୍କା, ଖେଳ ପଡିଆକୁ ଖେଳାଳୀଙ୍କୁ ନେବା ଆଣିବା କରିବା ବାବଦରେ ୩.୮୩ କୋଟି ଟଙ୍କା, ଦେଶ, ବିଦେଶରେ ଏହି ପ୍ରତିଯୋଗିତାର ପ୍ରଚାର ବାବଦରେ ୧.୯୦ କୋଟି ଟଙ୍କା, ଖେଳାଳୀ ଓ ଅନ୍ୟ ଅତିଥିମାନଙ୍କୁ ଆତିଥ୍ୟ ଦେବାରେ ୧.୪୧ କୋଟି ଟଙ୍କା, ଷ୍ଟାଚୁଟାରୀ ଏକ୍ସପେନ୍ସେସ୍ ବା ବିଭିନ୍ନ ବୈଧାନିକ ଖର୍ଚ୍ଚ ବାବଦରେ ୮୪.୯୬ ଲକ୍ଷ ଟଙ୍କା ଏବଂ ଖେଳ ଆୟୋଜନରେ ମିସିଲନିୟସ୍ ଖର୍ଚ୍ଚ (ଅନ୍ୟାନ୍ୟ ବାବଦରେ) ୫.୯୬ କୋଟି ଟଙ୍କା ବ୍ୟୟ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ସୂଚନା ଅଧିକାର ଆଇନ ବଳରେ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏହି ତଥ୍ୟ ଦେଇଥିବା ବେଳେ ହକି ବିଶ୍ୱ କପ୍ ପାଇଁ ଟିକଟ ବିକ୍ରି ଓ ଅନ୍ୟାନ୍ୟ ବାବଦରୁ କେତେ ଆୟ ହୋଇଛି ତାହା ପ୍ରକାଶ କରି ନାହାନ୍ତି । ଏବେ, ୨୦୨୩ ବିଶ୍ୱ କପ୍ ପାଇଁ ମଧ୍ୟ ଏଭଳି ଏକ ମୋଟା ବଜେଟ୍ ପ୍ରସ୍ତୁତ ହେବ ଏବଂ ସରକାରୀ ବାବୁମାନେ ଏହା ଖର୍ଚ୍ଚ କରିବେ । ଗଣମାଧ୍ୟମ ମଧ୍ୟ ସେଥିରୁ ଏକ ସିଂହଭାଗ ପାଇବ । ତେଣୁ, ମୁଖ୍ୟମନ୍ତ୍ରୀ ଘୋଷଣାରେ ସମସ୍ତେ ଖୁସି ହେବା ସ୍ୱାଭାବିକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS