ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସୋନିଆଙ୍କ କଟୁ ସମାଲୋଚନା
ମୋଅନୁଭବ.କମ୍
୨୮ ନଭେମ୍ବର
ଏଆଇସିସି ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଆଜି ଦଳର ରାଜ୍ୟସଭା ଓ ଲୋକସଭା ସଦସ୍ୟମାନଙ୍କ ବୈଠକରେ ଉଦବୋଧନ ଦେଇ ମହାରାଷ୍ଟ୍ର ଘଟଣାବଳୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ କଟୁ ସମାଲୋଚନା କରିଛନ୍ତି । ସଂସଦ ଭବନରେ କଂଗ୍ରେସ ସଂସଦୀୟ ଦଳର ଏହି ବୈଠକ ହୋଇଥିଲା । ଶ୍ରୀମତୀ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ, ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ଗଠନ ଉଦ୍ୟମକୁ କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଭାବେ ପ୍ରତିହତ କରିବା ସକାଶେ ଉଦ୍ୟମ କରିଥିଲେ । ଯାହାକି ଅତ୍ୟନ୍ତ ଲଜ୍ୟାଜନକ । ପ୍ରଧାନମନ୍ତ୍ରୀଙ୍କ ଇଂଗିତରେ ହିଁ ମହାରାଷ୍ଟ୍ର ରାଜ୍ୟପାଳ କୋଶିଆରୀ ଯାହା କିଛି ଅଗଣତାନ୍ତ୍ରିକ କାର୍ଯ୍ୟ କରିଥିବା ସ୍ପଷ୍ଟ ହେଉଛି । ତେବେ, କଂଗ୍ରେସ ଦଳ ସୁପ୍ରିମ କୋର୍ଟର ଆଶ୍ରୟ ନେବାରୁ ହିଁ ବିଜେପିର ଏହି ଲଜ୍ୟାଜନକ ଉଦ୍ୟମ ବିଫଳ ହୋଇଛିି ।
ବିଜେପି ନିଜର ଅହଂକାର ଓ ମାତ୍ରାଧିକ-ବିଶ୍ୱାସ ଯୋଗୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପରେ ଶିବସେନା ସହ ତାହାର ମେଂଟ ବଜାଏ ରଖିବାରେ ବିଫଳ ହୋଇଛି । ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମେଂଟ ଥିଲା । ଫଳାଫଳ ପ୍ରକାଶ ପାଇବା ପରେ ତାହା ଭାଂଗି ଯାଇଛି ଏବଂ ଶିବସେନା, ଏନସିପି ଓ କଂଗ୍ରେସ ଏକାଠି ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରୁଛନ୍ତି । ଏହି ନୂତନ ମେଂଟ ଗଠନ ଉଦ୍ୟମ ବେଳେ ବିଜେପି ସେଥିରେ ଫାଟ ସୃଷ୍ଟି କରି ଅଗଣତାନ୍ତ୍ରିକ ଉପାୟରେ ସରକାର ଗଠନ କରିଥିଲା । କିନ୍ତୁ, ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ ୮୦ ଘଂଟା ମଧ୍ୟରେ ବିଜେପି ସରକାରର ପତନ ଘଟାଇ ମୋଦୀ-ଶାହାଙ୍କ ମନ୍ଦ ଉଦେ୍ଦଶ୍ୟକୁ ପଦାରେ ପକାଇଛି । ବିଜେପିର ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟକୁ ପ୍ରତିହତ କରିବା ସକାଶେ ନୂଆ ମେଂଟ ହୋଇଛି ।
କେନ୍ଦ୍ର ସରକାର ଅର୍ଥନୀତି କ୍ଷେତ୍ରରେ ଦେବାଳିଆ ଅବସ୍ଥାରେ ପହଂଚି ଥିବା ବେଳେ ତାହାକୁ କେମିତି ଠିକ୍ ବାଟକୁ ଆଣିବେ ଜାଣିପାରୁ ନାହାନ୍ତି । ଦେଶରେ ଅର୍ଥନୈତିକ ସଂକଟ ଦିନକୁ ଦିନ ଗମ୍ଭୀର ହେଉଛି, ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟୁ ନାହିଁ । ବେକାରୀ ବଢି ଚାଲିଛି । ଉଦ୍ୟୋଗ କ୍ଷେତ୍ରରେ ପୁଂଜି ଲଗାଣ ହେଉ ନାହିଁ । ଚାଷୀ, ବ୍ୟବସାୟୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସବୁ ଶୋଚନୀୟ ଅବସ୍ଥାରେ ଅଛନ୍ତି । ଜନସାଧାରଣରେ, ବିଶେଷକରି ଗ୍ରାମାଂଚଳରେ କ୍ରୟଶକ୍ତି ଯଥେଷ୍ଟ କମିଛି । ରପ୍ତାନୀ କମିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ମାତ୍ରାଧିକ ଦରବୃଦ୍ଧି ସାଧାରଣ ଜନତାକୁ ବ୍ୟତିବ୍ୟସ୍ତ କରିଛି ବୋଲି ଅଭିଯେଗ କରି ସେ ଆରସିଇପି ଓ ଏନଆରସିରେ ସରକାରଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି । ୩୭୦ ଧାରାର ଉଚ୍ଛେଦକୁ ମଧ୍ୟ ସେ ସମାଲୋଚନା କରିଥିଲେ । ଏହି ସରକାର ସବୁ କଥାରେ ଆମକୁ ଚୁପ୍ କରାଇ ଦେଉଥିଲେ । ତେବେ, ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ବଂଚାଇ ରଖିବା ସହ ଜନମତର ସୁରକ୍ଷା ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ । ତାହା ହିଁ ପରିସ୍ଥିତିର ମୋଡ ବଦଳାଇବ ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS