ସ୍ପର୍ଶକାତର କ୍ଷେତ୍ରରେ ବିଦେଶୀଙ୍କ ବ୍ୟବସାୟ ଉପରେ କଟକଣା ଲାଗିବ ?
ପ୍ରସାଦ ରାଓ
୧୨ ଡ଼ିସେମ୍ବର
ଭାରତରେ ଟେଲିକମ୍ କ୍ଷେତ୍ର ଭଳି ବିଭିନ୍ନ ସ୍ପର୍ଶକାତର କ୍ଷେତ୍ରରେ ବିଦେଶୀ ବ୍ୟବସାୟିକ ସଂସ୍ଥାଙ୍କ ପ୍ରବେଶକୁ ରୋକିବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ସୂଚନା ମିଳିଛି । ଚୀନୀ ଟେଲିକମ୍ ଯନ୍ତ୍ରାଂଶ ଭେଣ୍ଡର ‘ହୁୱାଇ’ ଭାରତକୁ ୫-ଜି ଟେଲିକମ୍ ବୈଷୟିକ ଜ୍ଞାନ ଯୋଗାଇବାକୁ ଚାହିଁ ରହି ଥିବା ବେଳେ କେନ୍ଦ୍ର ସରକାର ସ୍ପର୍ଶକାତର ଉଦ୍ୟୋଗ ଓ ଅଂଚଳରେ ବିଦେଶୀ ବ୍ୟବସାୟିକ ସଂସ୍ଥାଙ୍କ ପ୍ରବେଶ ରୋକିବାକୁ ବିଚାର କରୁଥିବା ଖବର ‘ହୁୱାଇ’ ପାଇଁ ଚଡକ ସଦୃଶ ହୋଇଛି । ଏହି ଚୀନୀ ସଂସ୍ଥାର ଅତ୍ୟାଧୁନିକ ଟେଲିକମ୍ ଟେକ୍ନୋଲୋଜି ପଡୋଶୀ ଚୀନ ପାଇଁ ଗୁଇନ୍ଦାଗିରି କରିବାରେ ବ୍ୟବହୃତ ହେଉଛି ବୋଲି ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ଅଭିଯୋଗ କରିବା ସହ ଭାରତକୁ ମଧ୍ୟ ସତର୍କ କରାଇଛନ୍ତି । ଏମିତି ବି ଦେଶର ଉତ୍ତର ପୂର୍ବାଂଚଳ ରାଜ୍ୟରେ ଚୀନ୍ ଆଡୁ ସର୍ବଦା ବିପଦ ରହି ଆସିଛି । ‘ହୁୱାଇ’ ସଂସ୍ଥାର ଅତ୍ୟାଧୁନିକ ୫-ଜି ଟେକ୍ନୋଲୋଜି ଟେଲିକମ୍ ଯନ୍ତ୍ରାଂଶ ଭାରତରେ ଖଂଜା ଗଲେ ଚୀନ୍ ତାହାର ଉପଯୋଗ କରି ଗୁଇନ୍ଦାଗିରି କରିବା ଏବଂ ଭାରତର ନିରାପତ୍ତା ପ୍ରତି ତାହା ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନ ମଧ୍ୟ କହୁଛନ୍ତି । କେବଳ ଚୀନ୍ ନୁହେଁ, ଅନ୍ୟ ବିଦେଶୀ ବ୍ୟବସାୟିକ ସଂସ୍ଥାଙ୍କ ଅବାଧ ପ୍ରବେଶ ମଧ୍ୟ ଭାରତ ପାଇଁ ଅନୁରୂପ ବିପଦ ସୃଷ୍ଟି କରିପାରେ । ତେଣୁ, ଟେଲିକମ ଭଳି ବିଭିନ୍ନ ସ୍ପର୍ଶକାତର କ୍ଷେତ୍ରରେ ବିଦେଶୀ ପୁଂଜି ବିନିଯୋଗ ବା ବିଦେଶୀ ସଂସ୍ଥାଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟରେ ଯାନ୍ତ୍ରିକ ସହାୟତା ଆଣିବା ଉପରେ କେନ୍ଦ୍ର ସରକାର କଟକଣା ଜାରି କରିବାକୁ ବିଚାର କରୁଥିବା ଏବଂ ଏନେଇ ଦେଶର ବିଭିନ୍ନ ସୁରକ୍ଷା ସଂସ୍ଥା ଓ ସରକାରୀ ମନ୍ତ୍ରଣାଳୟରେ ବିଚାରବିମର୍ଷ ଚାଲି ଥିବା ସୂଚନା ମିଳିଛି । କେବଳ ଟେଲିକମ୍ ଭିତ୍ତିଭୂମି କ୍ଷେତ୍ର ନୁହେଁ, ଅନ୍ୟାନ୍ୟ ସ୍ପର୍ଶକାତର କ୍ଷେତ୍ର ଓ ଅଂଚଳରେ ମଧ୍ୟ ଏଭଳି ରୋକ୍ ଲଗାଯିବା ପାଇଁ ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି । କେଉଁ କେଉଁ କ୍ଷେତ୍ର ବା ଅଂଚଳରେ ଏହି ରୋକ୍ ଲାଗିବ ତାହା ଉପରେ ଅଧିକ ବିଚାର ବିମର୍ଷ ଚାଲିଛି । ସବିଶେଷ ଆଲୋଚନା ପରେ ସରକାର ଯାହା କିଛି ନିଷ୍ପତ୍ତି ନେବେ ବୋଲି ନିକଟରେ ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଜାତୀୟ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି । ଉଲ୍ଲେଖନୀୟ ଯେ, ଆମେରିକା ସମେତ କିଛି ୟୁରୋପ ରାଷ୍ଟ୍ର ବହୁ ଆଗରୁ ବିଦେଶୀ ବ୍ୟବସାୟିକ ସଂସ୍ଥାଙ୍କ ଉପରେ ଏଭଳି କଟକଣା ଲଗାଇ ସାରିଛନ୍ତି । ଭାରତ ତା’ର ନିରାପତ୍ତା ଦୃଷ୍ଟିରୁ ‘ହୁୱାଇ’ ଟେଲିକମ୍ ଯନ୍ତ୍ରାଂଶ ଭେଣ୍ଡରଠାରୁ ୫-ଜି ଯନ୍ତ୍ରାଂଶ କିଣିବାରୁ ନିବୃତ୍ତ ରହିବାକୁ ଆମେରିକା ମଧ୍ୟ ସତର୍କ କରାଇଛି । ଦେଶ ଭିତରେ ମଧ୍ୟ ବିଭିନ୍ନ ସୁରକ୍ଷା ସଂସ୍ଥା ଏକା ଭଳି ଆଶଙ୍କା ପ୍ରକାଶ କରିଛନ୍ତି । ‘ହୁୱାଇ’ର ଶକ୍ତିଶାଳୀ ତଥା ଅତ୍ୟାଧୁନିକ ଟେଲିକମ୍ ଯନ୍ତ୍ରାଂଶ ବ୍ୟବହାର କରି ଚୀନ୍ ଅନ୍ୟ ରାଷ୍ଟ୍ରରେ ଗୁଇନ୍ଦାଗିରି ଚଳାଇ ଥିବା ଅଭିଯୋଗକୁ ‘ହୁୱାଇ’ ସଂସ୍ଥା ଖଣ୍ଡନ କରିଛି । ତଥାପି, ଆମେରିକା ଏହି ସଂସ୍ଥାରୁ ଟେଲିକମ୍ ଯନ୍ତ୍ରାଂଶ କ୍ରୟ ଉପରେ ନିଷେଧାଦେଶ ଜାରି କରିଛି । ଭାରତରେ ମଧ୍ୟ ସମାନ ପଦକ୍ଷେପ ନେବା ଆମେରିକା ଚାହୁଁଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କଣ ହେବ (?) ଜାଣିବା ସକାଶେ ସବୁ ମହଲରେ ଉକ୍ରଂଠା ରହିଛି । ଦେଶକୁ ବିଭିନ୍ନ ମାଧ୍ୟମ ବା ସୂତ୍ରରୁ ଆସୁଥିବା ବିଦେଶୀ ପୁଂଜି ବା ଏଫଡ଼ିଆଇକୁ ନେଇ ଅଧିକ ସ୍କୃଟିନିର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର ଅନୁଭବ କରିବା ପରେ ଆରବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) ଓ ଅନ୍ୟ ସରକାରୀ ମନ୍ତ୍ରଣାଳୟ ଭିନ୍ନ ଭିନ୍ନ ଭାବେ ତାହାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି । ସରକାର କୌଣସି ସଂସ୍ଥାଙ୍କ ରିପୋର୍ଟକୁ ଆଖିବୁଜି ବିଶ୍ୱାସ ନ କରି ଦେଶର ନିରାପତ୍ତାକୁ ପ୍ରାଥମିକତା ଦେଇ ଯାହା କିଛି ନିଷ୍ପତ୍ତି ନେବେ ବୋଲି ସରକାରୀ ଭାବେ କୁହାଯାଇଥିବା ଏହି ଖବରରୁ ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS