ହେଗଡ଼େଙ୍କ ପାଗଳାମୀ, ଅଡୁଆରେ ମୋଦୀ
ପ୍ରସାଦ ରାଓ
୦୩ ଫେବୃୟାରୀ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡ଼େଙ୍କ ପାଗଳାମୀ ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଡୁଆରେ ପକାଇଛି । ବିଜେପି ‘ଗାନ୍ଧୀଙ୍କ ନୀତି’ରେ ବିଶ୍ୱାସ କରେ ବୋଲି ସରକାର ବାରଂବାର କହି ଆସୁଥିବା ବେଳେ ଦଳର କିଛି ନେତା ବିଭିନ୍ନ ସମୟରେ ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କଲା ଭଳି ମନ୍ତବ୍ୟ ଦେଉ ଥିବାରୁ ମହାତ୍ମାଙ୍କୁ ନେଇ ବିଜେପିର ଅଭିମୁଖ୍ୟ ସ୍ପଷ୍ଟ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସରକାରୀ ପ୍ରୋତ୍ସାହନରେ ଦେଶବ୍ୟାପୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ ଚାଲି ଥିବା ସମୟରେ ଉତ୍ତର କନ୍ନଡ଼ର ଏମପି ଅନନ୍ତ କୁମାର ଶନିବାର ବେଙ୍ଗାଲୁରୁରେ ଏକ ସଭାରେ ଭାଷଣ ଦେଇ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମ ଥିଲା ଏକ ‘ନାଟକ’ ବୋଲି ମନ୍ତବ୍ୟ ଦେବା ସହ ବ୍ରିଟିଶ ଶାସନର ସହଯୋଗରେ ଗାନ୍ଧୀ ଏହି ଆନ୍ଦୋଳନ ଲଢି ଥିବା ବେଳେ ତାଙ୍କୁ କିଏ ‘ମହାତ୍ମା’ ଉପାଧୀ ଦେଲା ବୋଲି ପ୍ରଶ୍ନ ଉଠାଇ ଥିଲେ । ଏହି ଖବର ସମଗ୍ର ଦେଶକୁ ବିସ୍ମିତ କରିଛି । ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନ ବ୍ରିଟିଶ ପ୍ରୟୋଜିତ ଥିଲା ଏବଂ କୌଣସି ଜଣେ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ପୁଲିସ ଠାରୁ ଲାଠି ମାଡ଼ ଖାଇ ନାହାନ୍ତି ବୋଲି ହେଗଡ଼େ ଅଭିଯୋଗ କରିବା ସହ ଗାନ୍ଧୀଙ୍କ ଅହିଂସା ନୀତି ଓ ସତ୍ୟାଗ୍ରହକୁ ‘ପ୍ରହସନ’ ବୋଲି ସମାଲୋଚନା କରିବା ଖବର ସମଗ୍ର ଦେଶକୁ ସ୍ତବ୍ଧ କରିଛି । ଶାସକ ବିଜେପି ନେତୃତ୍ୱ, ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନନ୍ତ ହେଗଡ଼େଙ୍କ ଏହି ମନ୍ତବ୍ୟକୁ ନେଇ କ୍ଷୁବ୍ଧ ଥିବା ଦଳ ପକ୍ଷରୁ କୁହାଯାଇଛି । ତେବେ, କଂଗ୍ରେସ ନେତୃତ୍ୱ ବିଜେପି ଏମପି ହେଗେଡ଼ଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ‘ମାହାତ୍ମା’ଙ୍କୁ କୌଣସି ନେତାଙ୍କ ସାର୍ଟିଫିକେଟର ଆବଶ୍ୟକତା ନାହିଁ ବୋଲି ପାଲଟା ମନ୍ତବ୍ୟ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଗଡ଼େଙ୍କ ଏଭଳି ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗିବାକୁ ମଧ୍ୟ କଂଗ୍ରେସ ନେତାମାନେ ଦାବି କରିଛନ୍ତି । ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ସମୟରେ ବିଜେପି ଏମପି ହେଗଡ଼େ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଏଭଳି ଅରୁଚିକର ମନ୍ତବ୍ୟ ଦେଇ ଦଳକୁ ଅଡୁଆରେ ପକାଇବା ଯୋଗୁ ବିଜେପି ନେତୃତ୍ୱ କ୍ଷୁବ୍ଧ ହୋଇ ହେଗଡ଼େଙ୍କୁ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗ ଦେବାରୁ ଦୂରେଇ ରଖି ଥିଲେ । ଏଭଳି ମନ୍ତବ୍ୟ ପାଇଁ ହେଗଡ଼େ ନିଃସର୍ତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ବିଜେପି ନେତୃତ୍ୱ ନିର୍ଦେଶ ଦେଇଥିବା ଜଣାପଡିଛି ।
ସାହିନବାଗ୍ ରେ ପୁଣି ଗୁଳି ଫୁଟିଲା
ଦିଲ୍ଲୀର ସାହିନବାଗ୍ ରେ ୫୧ ଦିନ ଧରି ଚାଲିଥିବା ସିଏଏ, ଏନଆରସି ଓ ଏନପିଆର ବିରୋଧୀ ବିକ୍ଷୋଭ, ଅବରୋଧ ଦିଲ୍ଲୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଏକ ନିର୍ବାଚନ ସଭାରେ ଭାଷଣ ଦେଇ ଏହି ବିରୋଧର ଦୃଢ ନିନ୍ଦା କରିଥିବା ବେଳେ ବିଜେପିର ଆଉ କିଛି ନେତା ସାହିନବାଗ୍ କୁ ‘ମିନି ପାକିସ୍ତାନ’ କହି ସେଠାରେ ଚାଲିଥିବା ଆନ୍ଦୋଳନ ପଛରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଏପିପି)ର ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିର୍ବାଚନ ସଭାରେ ଭାଷଣ ଦେଇ କଥାବାର୍ତା ମାଧ୍ୟମରେ ଆନ୍ଦୋଳନର ପରିସମାପ୍ତି ନ ଘଟିଲେ ଗୁଳିରେ ତାହାର ଉତ୍ତର ଦିଆଯିବ ବୋଲି କହିବା ମଧ୍ୟ ବିରୋଧୀଙ୍କୁ କ୍ଷୁବ୍ଧ କରିଛି । ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ବିଜେପିର ଏଭଳି ଆଭିମୁଖ୍ୟ ନିନ୍ଦନୀୟ ବୋଲି ଉଭୟ କଂଗ୍ରେସ ଓ ଏଏପି ଭିନ୍ନ ଭିନ୍ନ ବିବୃତିରେ କହିଛନ୍ତି । ମୁସଲିମ୍ ଅଧ୍ୟୁଷିତ ‘ସାହିନବାଗ୍’ ୮ ତାରିଖ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ରବିବାର ବିଳମ୍ବ ରାତ୍ରୀରେ ଧାରଣ ସ୍ଥଳରେ ଗୁଳି ଫୁଟି ଥିବା ଅଭିଯୋଗ ରାଜନୀତିକୁ ଅଧିକ ଗରମ କରିଛି । ରବିବାର ରାତିରେ ହଜାର ହଜାର ସଂଖ୍ୟାରେ ସାହିନବାଗ୍ ବାସିନ୍ଦା ଥାନାକୁ ଯାଇ ଏହି ଗୁଳିକାଣ୍ଡ ଘଟଣାର ଏତଲା ଦେଇଥିଲେ । ପୁଲିସ ଏତଲା ଗ୍ରହଣ କରି ଏକ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ, ସେଠାରୁ ବ୍ୟବହୃତ ଗୁଳିର ଗୋଟିଏ ହେଲା ଖୋକା ମିଳି ନାହିଁ ବୋଲି ପୁଲିସ କହିଛି । ସାହିନବାଗ୍ ରେ ଦୃଢ ପୁଲିସ ବନେ୍ଦାବସ୍ତ ଥିବା ସତ୍ୱେ ଦୁଇ ଜଣ ଦୁର୍ବୁତ୍ତ ରବିବାର (୩ ତାରିଖ) ରାତିରେ ଦୁଇ ଚକିଆ ଯାନରେ ଆସି କେମିତି ଗୁଳି ଫୁଟାଇ ଚାଲି ଗଲେ ତାହା ମୁଖ୍ୟ ପ୍ରଶ୍ନ ହୋଇଛି । ପୂର୍ବରୁ ନିଜକୁ ହିନ୍ଦୁତ୍ୱବାଦୀ ବୋଲି ଦାବି କରୁଥିବା ଜଣେ ନାବାଳକ ସିଏଏ ବିରୋଧୀ ଶୋଭାଯାତ୍ରାରେ ବାହାରୁ ଥିବା ଜାମିଆ ମିଲିଆ ଇସଲାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇ ଜଣକୁ ଆହତ କରିଥିବା ବେଳେ ଶୁକ୍ରବାର ସାହିନବାଗ୍ ଆନ୍ଦୋଳନକାରୀଙ୍କ ଉପରକୁ ଦ୍ୱିତୀୟ ଥର ଗୁଳି ମାଡ଼ ହୋଇଥିଲା । ଏଥିରେ କେହି ଆହତ ହୋଇ ନ ଥିଲେ । ଉପସ୍ଥିତ ପୁଲିସ ଦେଶୀ ପିସ୍ତଲ ସହ ଗୁଳି ଚଳାଇ ଥିବା ବ୍ୟକ୍ତିକୁ କାବୁ କରି ନେଇ ଥିଲେ । ଏହି ଯୁବକ ମଧ୍ୟ ସିଏଏ ବିରୋଧୀ ଆନ୍ଦୋଳନ ପ୍ରତି ଅସୂୟା ସୂଚକ ମନ୍ତବ୍ୟ ଦେଇ ଥିବାରୁ ଶାସକ ଦଳର କିଛି ନେତା ନିକଟରେ ଦେଇଥିବା ଅସୂୟା ସୂଚକ ମନ୍ତବ୍ୟର ଏହା ପ୍ରଭାବ ବୋଲି ଅଭିଯୋଗ ହେଉଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଏମପି ପରବେଶ୍ ବର୍ମାଙ୍କୁ ଏଥି ପାଇଁ ଦାୟୀ କରାଯାଉଛି । ଏଭଳି ଅସୂୟାସୂଚକ ମନ୍ତବ୍ୟ ପାଇଁ ଠାକୁର ଓ ବର୍ମା ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ବିଜେପି ନିର୍ବାଚନ ପ୍ରଚାରକଙ୍କ ଅଫିସିଆଲ ତାଲିକାରୁ ବାଦ୍ ପଡ଼ି ଥିଲେ। ଜାମିଆ ମିଲିଆ ଓ ସାହିନବାଗ୍ ରେ ୪ ଦିନରେ ତିନିଟି ଗୁଳି ଫୁଟିବା ଘଟଣା ଘଟି ଥିବାରୁ ନିର୍ବାଚନ କମିସନ ସେହି ଅଂଚଳ ଦାୟିତ୍ୱରେ ଥିବା ପୁଲିସ ଡ଼ିସିପିଙ୍କୁ ବଦଳାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାମାଜିକ କାର୍ଯ୍ୟକର୍ତା
୧୭୫ ଜଣ ସାମାଜିକ କାର୍ଯ୍ୟକର୍ତା ଓ ବିଭିନ୍ନ ମହିଳା ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀରେ ନିର୍ବାଚନ ପ୍ରଚାର ଆଳରେ କିଛି ବିଜେପିର ନେତା ଶସ୍ତା ଭାଷଣ ଦେବା ସହ ମହିଳାଙ୍କ ପ୍ରତି ‘ଦୁର୍ଷ୍କର୍ମର ଭୟ’ ଭଳ ଭୟ ଉଦ୍ରେକ କରୁଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଏମପି ପରବେଶ ବର୍ମାଙ୍କ ବୟାନବାଜୀକୁ ଉଲ୍ଲେଖ କରି ସେମାନଙ୍କ ଭାଷଣ ଦିଲ୍ଲୀରେ ସିଏଏ, ଏନସିଆର ଓ ଏନପିଏ ବିରୋଧରେ ଆନ୍ଦୋଲନ ଚଳାଇ ଥିବା ମହିଳାଙ୍କ ମନରେ ହିଂସାତ୍ମକ ଆକ୍ରମଣର ଭୟ ସୃଷ୍ଟି କରିଛି ବୋଲି କହିଛନ୍ତି । ନିର୍ବାଚନ ଜିତିବା ପାଇଁ ବିଜେପି ନେତାମାନେ ଶସ୍ତା ଭାଷଣ ମାଧ୍ୟମରେ ମହିଳାଙ୍କ ପ୍ରତି ହିଂସାକୁ ଉସୁକାଉଛନ୍ତି ବୋଲି ଅଭିଯୋଗ କରିଥିବା ସାମାଜିକ କର୍ମୀ ଓ ମହିଳା ଗୋଷ୍ଠୀ ମଧ୍ୟରେ ଅଛନ୍ତି ଅର୍ଥନୀତିଜ୍ଞ ଦେବକୀ ଜୈନ, ସାମାଜିକ କାର୍ଯ୍ୟକର୍ତା ଲୈଲା ତୟାବଜୀ, ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ମଧୁ ଭାଦୁରୀ, ସାମାଜିକ କାର୍ଯ୍ୟକର୍ତା କମଳା ଭାଷିନ ଏବଂ ଅଲ୍ ଇଂଡ଼ିଆ ପ୍ରୋଗ୍ରେସିଭ୍ ଓମେନ୍ସ ଆସୋସିଏସନ୍ ଓ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଇଂଡ଼ିଆନ୍ ଓମେନ୍ ଭଳି ସଂଗଠନ ।
ଦୁଷ୍କର୍ମ ଅଭିଯୁକ୍ତ ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ
ଜଣେ ଆଇନ ଛାତ୍ରୀଙ୍କୁ ବେଆଇନ ଅଟକ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ଯାଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ (ବିଜେପି) ଚିନ୍ମୟାନନ୍ଦଙ୍କୁ ଆଜି ଆଲହାବାଦ ହାଇକୋର୍ଟରୁ ଜାମିନ ମିଳିଛି । ଗତ ସେପ୍ଟେମ୍ବର ମାସରୁ ସେ ଜେଲରେ ଥିଲେ । ଚିନ୍ମୟାନନ୍ଦଙ୍କ ଟ୍ରଷ୍ଟ୍ ଦ୍ୱାରା ପରିଚାଳିତ ଏକ ଆଇନ ମହାବିଦ୍ୟାଳୟର ଏହି ଆଇନ ଛାତ୍ରୀ ଜଣକ ଅଧ୍ୟୟନ କରୁଥିବା ସମୟରେ ଚିନ୍ମୟାନନ୍ଦ ତାଙ୍କୁ ଜବରଦସ୍ତ ଅଟକ ରଖି ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । ୨୩ ବର୍ଷିୟା ଆଇନ ଛାତ୍ରୀ ଜଣକ ୨୦୧୯ ଅଗଷ୍ଟ ୨୪ ତାରିଖରେ ଏକ ଫେସ୍ ବୁକ୍ ପୋଷ୍ଟ୍ରେ ତାଙ୍କ ପ୍ରତି ଅସଦାଚରଣ ହୋଇଥିବା ଅଭିଯୋଗ କରିଥିଲେ ମଧ୍ୟ କୌଣସି ରାଜନେତାଙ୍କ ନାମ ନ ନେଇ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଅପରପକ୍ଷରେ, ଆଇନ ଛାତ୍ରୀ ଜଣକ ତାଙ୍କ ବନ୍ଧୁଙ୍କ ସହ ମିଶି କିଛି ଭିଡ଼ିଓ କ୍ଲିପ୍ ଭାଇରାଲ କରିଦେବା ଭୟ ଦେଖାଇ ୫ କୋଟି ଟଙ୍କା ଦାବି କରିଥିବା କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ଲିଗାଲ୍ ଟିମ୍ ଅଭିଯୋଗ କରିବା ପରେ ୟୁପି ପୁଲିସ ଛାତ୍ରୀଙ୍କୁ ଖୋଜି ବାହାର କରି ଜେଲ ପଠାଇ ଥିଲେ । ସୁପ୍ରିମ କୋର୍ଟ ଛାତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ତାହାର ତଦନ୍ତ ପାଇଁ ଏସଆଇଟି ଗଠନ ପାଇଁ ନିର୍ଦେଶ ଦେଇଥିଲେ । ଛାତ୍ରୀ ଜଣକ ଦୁଇ ମାସ ଜେଲରେ ରହିବା ଗଲା ଡ଼ିସେମ୍ବର ମାସରେ ଜାମିନରେ ମୁକୁଳିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS