‘କରୋନା’ ଆତଙ୍କ, ଓଡ଼ିଶାରେ ‘ୱେଟ୍ ମାର୍କେଟ୍’ କେବେ ବନ୍ଦ ହେବ ?
ପ୍ରସାଦ ରାଓ
ଭୁବନେଶ୍ୱର
୦୪ ଫେବୃୟାରୀ
ଚୀନର ହୁଆନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ୍ ଓଡ଼ିଶାକୁ ମଧ୍ୟ ଛାଡି ନାହିଁ । ରାଜ୍ୟର ୧୪ ଜଣ ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ୨ ଜଣଙ୍କୁ କଟକ ଏସସିବି ମେଡ଼ିକାଲରେ ଅବଜରଭେସନରେ ରଖା ଯାଇଥିବା ବେଳେ ୧୨ ଜଣଙ୍କୁ ହାଉସ ସର୍ଭେଲାନ୍ସରେ ରଖା ଯାଇଥିବା ସୂଚନା ମିଳିଛି । ଏହି ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ଚୀନରୁ ଫେରନ୍ତା ଥିବା ସମୟରେ ଜଣେ ଥାଇଲାଣ୍ଡରୁ ଫେରିଛନ୍ତି । କରୋନା ଭାଇରସ୍ରେ ଆକ୍ରାନ୍ତଙ୍କ ବିଶେଷ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲ କଲେଜର ସ୍ୱତନ୍ତ୍ର ବିଭାଗରେ ବେଡ୍ ସଂଖ୍ୟା ୮୪ରୁ ୧୫୦କୁ ବୃଦ୍ଧି କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ମଧ୍ୟ କରୋଇ ଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ଟି ଲେଖାଏଁ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ରଖା ଯିବାକୁ ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦେଶ ଦିଆଯାଇଛି ।
ରାଜ୍ୟ ସରକାର କରୋନା ଭାଇରସ୍ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ବ୍ୟାପକ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି ରୋଗର ଲକ୍ଷ୍ୟଣ ସଂପର୍କରେ ଜନତାକୁ ସୂଚନା ଦିଆଯାଇ କିଭଳି ନିଜକୁ ସୁରକ୍ଷିତ ରଖାବେ ତାହାର ଟିପସ୍ ମଧ୍ୟ ଦିଆଯାଉଛି । ହୁଆନର ‘ୱେଟ୍ ମାର୍କେଟ୍’ରୁ ଏହି ଘାତକ ଭାଇରସ୍ ସଂକ୍ରମିତ ହୋଇ ସମଗ୍ର ବିଶ୍ୱକୁ ବ୍ୟାପିଥିବା ସମସ୍ତେ ଜାଣନ୍ତି । ‘ୱେଟ୍ ମାର୍କେଟ୍’ ହେଉଛି – ଯେଉଁଠି ବିଭିନ୍ନ ପଶୁ, ପକ୍ଷୀଙ୍କୁ ଜବ୍ନ୍ ବା ମୃତ ଅବସ୍ଥାରେ ରଖା ଯାଇ ଗ୍ରାହକଙ୍କ ସାମନାରେ କାଟି ବିକ୍ରି କରା ଯାଉଥିବା ସ୍ଥାନ । ଚୀନ କରୋନା ଭାଇରସ୍ ବ୍ୟାପିବା ପରେ ଏଭଳି ‘ୱେଟ୍ ମାର୍କେଟ୍’ ସବୁକୁ ବନ୍ଦ କରି ଦେଇଛି । କରୋନା ଭାଇରସ୍ ନ ବ୍ୟାପିବା ଦିଗରେ ମଧ୍ୟ ବ୍ୟାପକ ପଦକ୍ଷେପ ନେଇଛି । ତେବେ, ଓଡ଼ିଶାରେ ‘ୱେଟ୍ ମାର୍କେଟ୍’ ଅବାଧରେ ଚାଲିଛି । ରାସ୍ତା କଡରେ ମାଂସ କଟା ନିର୍ବିରୋଧରେ ହେଉଛି । ମାଂସ ବିକ୍ରେତାମାନେ କୁକୁଡ଼ା, ଛେଳି ରାସ୍ତା କଡରେ କାଟି ବିକୁଛନ୍ତି । ମୃତ ଜୀବଙ୍କ ଅନ୍ତଃବୁଜୁଳା ବିକ୍ରି ସ୍ଥଳରେ ହିଁ ପଡ଼ି ରହୁଛି । ପଶୁଙ୍କ ରକ୍ତ ରାସ୍ତାରେ ଭାସୁଛି । ମହାନଗର ନିଗମ ଓ ପୌର ପ୍ରଶାସନ ଏଭଳି ବିକ୍ରି ପାଇଁ ଅନୁମତି ଦେଇ ବିକ୍ରେତାଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ମାଂସ କଟାଳୀ ଓ ବିକ୍ରେତା ନିର୍ବିଘ୍ନରେ ରାସ୍ତା କଡରେ ଏଭଳି ଜଘଣ୍ୟ କାର୍ଯ୍ୟ କରୁବାକୁ ସାହାସ କରିବାର କାରଣ ସ୍ୱାସ୍ଥ୍ୟ ପ୍ରଶାସନର ଶିଥିଳତା ବୋଲି କୁହାଯାଉଛି । ଚୀନର ହୁଆନ ସହର ୱେଟ୍ ମାର୍କେଟରୁ ଏହି ଭାଇରସ୍ ବ୍ୟାପି ଥିବା ଜାଣିବା ପରେ ମଧ୍ୟ ପୌର ପ୍ରଶାସନ ସଜାଗ ନ ହେବା ଭବିଷ୍ୟତରେ ରାଜ୍ୟରେ ଏଭଳି ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଦୃଢ କରୁଛି।
କରୋନା ଭାଇରସ୍ ର ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଏଲୋପାଥି ଔଷଧ ବଜାରକୁ ଆସି ନାହିଁ । ଏହି ରୋଗର ପ୍ରତିଷେଧକ ଏପର୍ଯ୍ୟନ୍ତ ଉଦ୍ଭାବନ ହୋଇ ନାହିଁ ବୋଲି କୁହାଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଅଭିନ୍ନଚନ୍ଦ୍ର ହୋମିଓପାଥିକ୍ ମେଡ଼ିକାଲ କଲେଜ ଓ ହସପିଟାଲ ଚମକାଇ ଦେଲା ଭଳି କରୋନା ଭାଇରସ୍ ର ପ୍ରତିଷେଧକ ହୋମିଓପାଥିରେ ରହିଥିବା କହୁଛନ୍ତି । ହସପିଟାଲ ପକ୍ଷରୁ ‘ଆରସେନ୍ସିଅମ୍ ଆଲବୁମ୍-୩୦’ ନାମକ ଏକ ହୋମିଓପାଥିକ୍ ଔଷଧ ଏହାର ପ୍ରତିଷେଧକ କହି ସାଧାରଣରେ ବିତରଣ କରାଯାଉଛି । ବାସ୍ତବରେ ଏହି ଔଷଧ କାମ କରୁଛି କି ନାହିଁ ସ୍ପଷ୍ଟ ନଥିଲେ ମଧ୍ୟ ଆତଙ୍କିତ ରାଜଧାନୀ ବାସିନ୍ଦା ଔଷଧ ପାଇବା ସକାଶେ ହୋମିଓପାଥିକ୍ ହସପିଟାଲରେ ଲମ୍ବା ଧାଡି ଲଗାଉ ଥିବା କୁହାଯାଉଛି । ଏହି ହୋମିଓପାଥିକ୍ ହସପିଟାଲରେ ଏକ ସ୍ୱତନ୍ତ୍ର ଓପିଡ଼ି ଖୋଲା ଯାଇ ପ୍ରତିଷେଧକ ଔଷଧ ବିତରଣ କରାଯାଉଥିବା ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ହୋମିଓପାଥିକ ଔଷଧର ବ୍ୟାପକ ପ୍ରଚାର ଚାଲିଛି । ‘ହ୍ୱାଟସ୍ ଅପ୍’ରେ ‘ଆରସେନ୍ସିଅମ୍ ଆଲବୁମ୍-୩୦’ ନାମକ ହୋମିଓପାଥିକ୍ ଔଷଧ କରୋନା ଭାଇରସ୍ ର ଫଳପ୍ରଦ ପ୍ରତିଷେଧକ ବୋଲି ବାର୍ତା ଯିବା ସହ ସେହି ବାର୍ତା ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପଠା ଯିବାକୁ ଅନୁରୋଧ କରାଯାଉଛି । ଅନ୍ୟ କିଛି ବିକଳ୍ପ ନ ଥିବାରୁ ଭୟଭୀତ ରାଜଧାନୀ ବାସିନ୍ଦା ‘ଆରସେନ୍ସିଅମ୍ ଆଲବୁମ୍-୩୦’ ସଂଗ୍ରହ କରିବାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା କହୁଛନ୍ତି । ଇତିମଧ୍ୟରେ, ପୁନେ ସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’କୁ ପଠା ଯାଇଥିବା ଓଡ଼ିଶାର ୭ ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୂନାରୁ ୬ଟି ‘ନେଗେଟିଭ୍’ ବାହାରି ଥିବାରୁ ରାଜ୍ୟ ପ୍ରଶାସନ ଆଶ୍ୱସ୍ତ । ଚୀନରୁ ଫେରି ଥିବା କନ୍ଧମାଳର ଜଣେ ମେଡ଼ିକାଲ ଛାତ୍ର ଏଥିରେ ଅନ୍ତର୍ଭୁକ୍ତ ।
କେନ୍ଦ୍ରୀୟ ଚୀନର ହୁଆନ ସହରରୁ ଆରମ୍ଭ ହୋଇଥିବା ଏହି ଭୟଙ୍କର କରୋନା ଭାଇରସ୍ ସଂକ୍ରମଣ ଚୀନରେ ଅନ୍ୟୁନ ୪୨୫ ଜଣଙ୍କ ଜୀବନ ନେଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ‘ଗ୍ଲାବାଲ ହେଲ୍ଥ ଏମର୍ଜେନ୍ସି’ ଘୋଷଣା କରି ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମାରାତ୍ମକ ଭାଇରସ୍ ଯେପରି ନିଜ ଦେଶ ସମେତ ଅନ୍ୟ ଦେଶକୁ ନ ବ୍ୟାପିବ ସେ ଦିଗରେ ଚୀନ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଭାରତ ସମେତ ଅଧିକାଂଶ ଦେଶରେ ଚୀନରୁ ଆସୁଥିବା ଦେଶୀ, ବିଦେଶୀଙ୍କ ଉପରେ କଡା ନଜର ରଖା ଯାଇଛି । ୨୦୧୯ ଡ଼ିସେମ୍ବର ୩୧ରେ ପ୍ରଥମ କରୋନା ଭାଇରସ୍ କେଶ୍ ଚୀନରେ ରିପୋର୍ଟ ହୋଇଥିଲା । ଏଯାବତ୍ ବିଶ୍ୱବ୍ୟାପୀ ୨୦,୪୩୮ କେଶ୍ ରିପୋର୍ଟ ହୋଇଥିବା ସଦ୍ୟ ମିଳି ଥିବା ତଥ୍ୟରୁ ଜଣାପଡିଛି । ଭାରତରେ ୩ ଜଣ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ହଙ୍ଗ୍ କଙ୍ଗ୍, ଅଷ୍ଟ୍ରେଲିଆ, ଥାଇଲାଣ୍ଡ୍, ଫ୍ରାନ୍ସ, ଜାପାନ, ତାଇୱାନ, ଭିଏତନାମ, ସିଂଗାପୁର, ଦକ୍ଷିଣ କୋରିଆ, ମାକାଓ ଓ ନେପାଳରେ ଏହାର ବ୍ୟାପକତା ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି । ଭାରତରେ ଚିହ୍ନଟ ହୋଇଥିବା ୩ କରୋନା ଭାଇରସ୍ ଆକ୍ରାନ୍ତ ହେଉଛନ୍ତି କେରଳର । ସେମାନେ ନିକଟରେ ଚୀନ ଯାଇ ଫେରିଥିଲେ । ଆକ୍ରାନ୍ତ ତିନି ଜଣଙ୍କ ବୟସ ୨୪ରୁ ୨୮ ବର୍ଷ ମଧ୍ୟରେ । ସେମାନଙ୍କୁ ରାମ ମନୋହର ଲୋହିଆ ହସପିଟାଲର ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । କେରଳ ସରକାର ଏହାକୁ ‘ରାଜ୍ୟ କାଲାମିଟି’ ଘୋଷଣା କରି ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି ।
କରୋନା ଭାଇରସ୍ ମଣିଷରୁ ମଣିଷକୁ ସଂକ୍ରମିତ ହେଉଛି । ଏହି ରୋଗରେ ଆକ୍ରାନ୍ତଙ୍କୁ ଥଣ୍ଡା, ନାକରୁ ପାଣି ବୋହିବା, ଛିଂକ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଭଳି ଲକ୍ଷ୍ୟଣ ମାନ ଦେଖିବାକୁ ମିଳି ଥାଏ । ପ୍ରାଥମିକ ସ୍ତରରେ ଏସବୁ ଲକ୍ଷ୍ୟଣ ବାହାରକୁ ଜଣା ପଡୁ ନ ଥିଲେ ମଧ୍ୟ ରୋଗର ସଂକ୍ରମଣ ହେବାର ଆଶଙ୍କା ଥାଏ ବୋଲି ଚିକିତ୍ସା ବିଶେଷଜ୍ଞମାନେ କହିଛନ୍ତି । ଖାଦ୍ୟ ଖାଇବା ସମୟରେ ହାତ, ଗୋଡ ସାବୁନରେ ଭଲ ଭାବେ ଧୋଇବାକୁ ଏବଂ ଖାଦ୍ୟକୁ ଭଲ ଭାବେ ଫୁଟାଇ ଖାଇବା ଏବଂ ଥାଣ୍ଡା, ଛିଂକ ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାଇ ନେବାକୁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି । ଏଭଳି ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଅଭିନ୍ନଚନ୍ଦ୍ର ହୋମିଓପାଥିକ କଲେଜ ଓ ହସପିଟାଲର ‘ଆରସେନ୍ସିଅମ୍ ଆଲବୁମ୍-୩୦’ ଔଷଧ ରାଜ୍ୟବାସୀଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛି । ତେବେ, ଏହା ଭାଇରସ୍ ସଂକ୍ରମଣ ରୋକିବାରେ କେତେଦୂର ସହାୟକ ସାବ୍ୟସ୍ତ ହେବ, ତାହା ଆଗାମୀ ଦିନରେ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS