ରାମଲାଲା ମନ୍ଦିର ପାଇଁ ଟ୍ରଷ୍ଟ୍ ଘୋଷଣା, ୨୫ କିମି ଦୂର ଧନିପୁରରେ ମସଜିଦ୍ ପାଇଁ ଜମି
ପ୍ରସାଦ ରାଓ
୦୫ ଫେବୃୟାରୀ
ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳେ ଲୋକସଭାରେ ଘୋଷଣା କରିଥିବା ବେଳେ ଉତ୍ତର ପ୍ରଦେଶର ଯୋଗୀ ସରକାର ସୁନ୍ନି ସେଂଟ୍ରାଲ ୱାକଫ୍ ବୋର୍ଡକୁ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାର ମନ୍ଦିର-ମସଜିଦଠାରୁ ୨୫ କିମି ଦୂର ଧନିପୁର ଗ୍ରାମରେ ୫ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ କ୍ୟାବିନେଟ୍ ରେ ନିଷ୍ପତ୍ତି ନେଇ ଥିବା ଆଜି ଲକ୍ଷ୍ନୌ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି । ରାମଲାଲା-ବାବରୀ ମସଜିଦ୍ ବିବାଦର ସମାଧାନ କରି ସୁପ୍ରିମ କୋର୍ଟଙ୍କ ଗତ ବର୍ଷ ନଭେମ୍ବର ମାସରେ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପଦକ୍ଷେପ ନେଇ ଥିବା ଘୋଷଣା କରିଛନ୍ତି । ମସଜିଦ୍ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଚିହ୍ନଟ ହୋଇଥିବା ଧନିପୁର ଗ୍ରାମ ଅଯୋଧ୍ୟା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୮ କିମି ଦୂରରେ । ରାଜ୍ୟ ସରକାର ମସଜିଦ୍ ପାଇଁ ଜମି ଦେବାକୁ ତିନିଟି ପ୍ରମୁଖ ସ୍ଥାନ ଚିହ୍ନଟ କରିଥିଲେ ତାହାର ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇ ଥିଲେ । କେନ୍ଦ୍ର ସରକାର ଧନିପୁରକୁ ଚୟନ କରିଛନ୍ତି ବୋଲି ୟୁପି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଗଣମାଧ୍ୟମକୁ କହିଛନ୍ତି ।
ଅଯୋଧ୍ୟାରେ ରାମଲାଲା ମନ୍ଦିରରେ ବର୍ଷର ବିଭିନ୍ନ ସମୟରେ ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନକୁ ଦୃଷ୍ଟିରେ ରଖି ମନ୍ଦିରଠାରୁ ‘୧୪ କୋଶ ପରିକ୍ରମା’ ବା ଅଯୋଧ୍ୟା ସହରର ୪୨ କିମି ବ୍ୟାସାର୍ଦ୍ଧ ବାହାରେ ହିଁ ମସଜିଦ୍ ନିର୍ମାଣ ପାଇଁ ସୁନ୍ନି ସେଂଟ୍ରାଲ୍ ୱାକଫ୍ ବୋର୍ଡକୁ ଜମି ଯୋଗାଇ ଦିଆଯିବାକୁ ଅଯୋଧ୍ୟାର ସାଧୁ ସନ୍ଥମାନେ ପରାମର୍ଶ ଦେଇଥିଲେ । ସେହି ଭିତ୍ତିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ମସଜିଦ୍ ନିର୍ମାଣ ପାଇଁ ଧନିପୁରକୁ ଚିହ୍ନଟ କରି କେନ୍ଦ୍ରର ଅନୁମୋଦନ ପାଇବା ପରେ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ କରାଇଛନ୍ତି । ୨୦୧୯ ନଭେମ୍ବର ୯ ତାରିଖରେ ରାମଲାଲା-ବାବରୀ ମସଜିଦ୍ ଜମି ବିବାଦର ଐତିହାସିକ ରାୟ ପ୍ରକାଶ ପାଇ ଥିଲା । ସୁପ୍ରିମ କୋର୍ଟର ତକ୍ରାଳୀନ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇ ବିବାଦୀୟ ଜମି ରାମଲାଲାଙ୍କର ବୋଲି ସ୍ପଷ୍ଟ କରି ଦେବା ସହ ଏହି ଜମି ଉପରେ ବର୍ଷ ବର୍ଷ ଧରି ନିଜର ହକ୍ ସାବ୍ୟସ୍ତ କରି ଆସୁଥିବା ମୁସଲମାନ୍ ସଂପ୍ରଦାୟକୁ ଅଯୋଧ୍ୟା ସହର ନିକଟରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ଏବଂ ନିର୍ମାଣ କ୍ଷେତ୍ରରେ ସମସ୍ତ ସହଯୋଗ କରିବାକୁ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ ।
ବାବରୀ ମସଜିଦର ଧ୍ୱଂସାବଶେଷ ତଳୁ ଏକ ହିନ୍ଦୁ ମନ୍ଦିର (ସମ୍ଭବତଃ ରାମଲାଲାଙ୍କ ମନ୍ଦିର)ର ଭଗ୍ନ ଢାଂଚା ମିଳି ଥିଲା । କୌଣସି ଏକ ମନ୍ଦିରକୁ ଭାଂଗି ସେଠାରେ ବାବରୀ ମସଜିଦ୍ ନିର୍ମାଣ ହୋଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏଥିରୁ ସିଦ୍ଧାନ୍ତରେ ପହଂଚି ଥିଲେ । ସୁପ୍ରିମ କୋର୍ଟରେ ବିଭାଗ ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ କରାଯିବା ପରେ କୋର୍ଟ ରାୟ ପ୍ରକାଶ କରି ବିବାଦୀୟ ଜମିର ମାଲିକାନା ସତ୍ୱ ରାମଲାଲାଙ୍କୁ ହସ୍ତାନ୍ତର କରିବା ସହ ସୁନ୍ନି ୱାକଫ୍ ବୋର୍ଡକୁ ସନ୍ତୁଷ୍ଟ କରିବା ପାଇଁ ଅଯୋଧ୍ୟା ନିକଟରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ କହି ଥିଲେ । ୧୯୯୨ ଡ଼ିସେମ୍ବର ୬ ତାରିଖରେ ହିନ୍ଦୁ କରସେବକମାନ ବାବରୀ ମସଜିଦ୍ ଭାଂଗି ଧ୍ୱଂସସ୍ତୁପରେ ପରିଣତ କରିଥିଲେ । ସେହି ଧ୍ୱଂସାବଶେଷ ଉପରେ ଭବ୍ୟ ରାମଲାଲା ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ସହ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସକାଶେ ତିନି ମାସ ମଧ୍ୟରେ ଏକ ଟ୍ରଷ୍ଟ୍ ଗଠନ କରିବାକୁ ମଧ୍ୟ କହି ଥିଲେ । ତେବେ, ଟ୍ରଷ୍ଟ୍ ଗଠନରେ ସରକାର ବିଳମ୍ବ କରୁଥିବା ଦେଖି ସାଧୁସନ୍ଥ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସାଧୁସନ୍ଥଙ୍କ ଅସନ୍ତୋଷ ଦୂର କରିବା ସହ ଚଳିତ ମାସ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନକୁ ଆଖିରେ ରଖି (?) ଆଜି ଲୋକସଭାରେ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ୍ ଗଠନ କଥା ଘୋଷଣା କରି ଥିବା ବିରୋଧୀ ଅନୁମାନ କରୁଛନ୍ତି । ତେବେ, ଦିଲ୍ଲୀ ନିର୍ବାଚନକୁ ଆଖିରେ ରଖି ନୁହେଁ, ସୁପ୍ରିମ କୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଯାଇ ଆଜି ଏହି ଟ୍ରଷ୍ଟ୍ ଗଠନ କଥା ଘୋଷଣା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୫ ଜଣିଆ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ୍ ରେ ଜଣେ ଦଳିତ ସଦସ୍ୟ ରହିବେ, କିନ୍ତୁ କୌଣସି ରାଜନୈତିକ ବ୍ୟକ୍ତି ଏଥିରେ ସ୍ଥାନ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୁନ୍ନି ସେଂଟ୍ରାଲ ୱାକଫ୍ ବୋର୍ଡକୁ ମସଜିଦ୍ ନିର୍ମାଣ ପାଇଁ ଧନିପୁରରେ ଜମି ଯୋଗାଇ ଦିଆଯିବା ପ୍ରସ୍ତାବକୁ ୟୁପି ସରକାର କ୍ୟାବିନେଟରେ ଗୃହୀତ କରାଇ ନେଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ଓ ଗମନାଗମନ ଦୃଷ୍ଟିରୁ ମସଜିଦ୍ ପାଇଁ ଏହା ଉପଯୁକ୍ତ ସ୍ଥାନ ହେବ ବୋଲି ୟୁପି ମନ୍ତ୍ରୀ ଆଜି ତଥ୍ୟ ରଖିଛନ୍ତି । ସୁନ୍ନି ସେଂଟ୍ରାଲ୍ ୱାକଫ୍ ବୋର୍ଡକୁ ଯେଉଁ ୫ ଏକର ଜମି ଦିଆଯାଇଛି ତାହା ସିହା ସେଂଟ୍ରାଲ୍ ୱାକଫ୍ ବୋର୍ଡକୁ ମିଳି ଥିଲେ ସେଠାରେ ଆଉ ଏକ ଭବ୍ୟ ରାମ ମନ୍ଦିର କରାଯାଇଥା’ନ୍ତା ବୋଲି ୟୁପି ସିହା ସେଂଟ୍ରାଲ୍ ୱାକଫ୍ ବୋର୍ଡର ଅଧ୍ୟକ୍ଷ ୱାସିମ୍ ରିଜଭି ଆଜି ଲକ୍ଷ୍ନୌ ଠାରେ ଏକ ମନ୍ତବ୍ୟ ଦେଇଥିବା ମଧ୍ୟ ସୂଚନା ମିଳିଛି । ରିଜଭି ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରିଥିବା ଏହି ରିପୋର୍ଟରେ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS