ଦିଲ୍ଲୀରେ କେଜରୀୱାଲଙ୍କ ହାଟ୍ରିକ୍ : ‘ବିକାଶ’ ରଥ ଗଡିଲା, ‘ଘୃଣା’ ରାଜନୀତି ଫେଲ୍
ପ୍ରସାଦ ରାଓ
୧୧ ଫେବୃୟାରୀ
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ସାମନାକୁ ଆସିଛି । ଦିଲ୍ଲୀ ଭୋଟର ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ପୂର୍ଣ୍ଣ ବହୁମତ ଦେଇ ଆଗାମୀ ପାଂଚ ବର୍ଷ ପାଇଁ ‘ଆମ୍ ଆଦମୀ ପାର୍ଟି’କୁ କ୍ଷମତାକୁ ଆଣିଛନ୍ତି । ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍’ ହାଟ୍ରିକ୍ କରିବ ବୋଲି ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥା ଆକଳନ କରିଥିଲେ । ତାହା ହିଁ ହୋଇଛି । ବିଜେପି ଏସବୁ ଏକଜିଟ୍ ପୋଲ୍ ଆକଳନକୁ ନକାରି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମିଳିତ ନେତୃତ୍ୱ ଉପରେ ଗଭୀର ଆସ୍ଥା ରଖି ଥିଲା । ଏହି ଦୁଇ ତୁଂଗ ନେତାଙ୍କ ଭୋଟ ପ୍ରଚାର ନିର୍ବାଚନର ମୋଡ ବଦଳାଇ ଦେବ ବୋଲି ଦଳର ଦ୍ୱିତୀୟ ଧାଡିର ନେତାମାନେ ବିଶ୍ୱାସ କରି ପ୍ରଚାର କରିଥିଲେ । ତେବେ, ସେମାନଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଛି । ଦିଲ୍ଲୀବାସୀ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱର ସଫଳତାର କାହାଣୀ ଓ ଘୃଣାର ପ୍ରଚାରକୁ ନକାରି ଦେଇ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାରର ବିଗତ ପାଂଚ ବର୍ଷର ବିକାଶମୂଳକ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବିପୁଳ ଜନମତ ଦେଇଛନ୍ତି । ଆଗାମୀ ଦିନରେ ଏହି ଅର୍ଦ୍ଧ-ରାଜ୍ୟରେ ଅଧିକ ବିକାଶମୂଳକ କାର୍ଯ୍ୟ ହେବ ବୋଲି ଭୋଟର ଆଶାବ୍ୟକ୍ତ କରିଥିବା ଭୋଟ ଫଳାଫଳରୁ ସୂଚନା ମିଳିଛି ।
ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରେ ରହିଥିଲା । ତେବେ, ନିର୍ବାଚନରେ ‘ଆପ୍’ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ଥିଲା ବିଜେପି । ନିର୍ବାଚନ ପ୍ରଚାର ଦୈଡ଼ରେ କଂଗ୍ରେସ ବହୁ ପଛରେ ପଡି ଥିବା ବେଳେ ବିଜେପିର ନକାରାତ୍ମକ ପ୍ରଚାରକୁ ଦିଲ୍ଲୀ ନିର୍ବାଚନକୁ ସରଗରମ କରି ରଖି ଥିଲା । ତେବେ, ଦିଲ୍ଲୀବାସୀ ନକାରାତ୍ମକ ରାଜନୀତିକୁ ନକାରି ଦେଇ ‘ବିକାଶ’କୁ ମାନ୍ୟତା ଦେଇଛନ୍ତି । ନିର୍ବାଚନରେ ‘ଆପ୍’ର ଭୋଟ ପ୍ରତିଶତ କେତେ କମିଛି ଓ ବିଜେପିର କେତେ ବଢିଛି, ତାହା ଗଣମାଧ୍ୟମରେ ବିକର୍ତର ବିଷୟବସ୍ତୁ ରହିଛି ସତ, କିନ୍ତୁ ବାସ୍ତବିକତା ହେଉଛି – ଦିଲ୍ଲୀବାସୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ତାଙ୍କ ରାଜନୈତିକ ଦଳ ‘ଆମ ଆଦମୀ ପାର୍ଟି’କୁ ଦୃଢ ସମର୍ଥନ ଦେଇ ଭାରତୀୟ ଭୋଟର ବୋକି ନୁହନ୍ତି, ପରିପକ୍ୱ ହେଲେଣି ବୋଲି ଏକ ବାର୍ତା ଦେଇଛନ୍ତି । ବିଜେପିର ‘ଘୃଣା’ ରାଜନୀତି ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି ।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବୃୟାରୀ ୮ରେ ଭୋଟ ହୋଇଥିଲା । ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ରୁ ୬୭ ଆସନରେ ବିଜୟୀ ହୋଇ ଏକ ରାଜନୈତିକ ରେକର୍ଡ଼ ସୃଷ୍ଠି କରିଥିବା ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ତାଙ୍କ ଦଳ ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍’ ଗଲା ପାଂଚ ବର୍ଷ ଧରି ରାଜ୍ୟରେ କରି ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ୨୦୨୦ ନିର୍ବାଚନ ଲଢି ଥିଲା । ନିର୍ବାଚନରେ ‘ଆପ୍’କୁ ୬୨ ବିଧାନସଭା ଆସନ ମିଳି ଥିବା ବେଳେ ବିଜେପିକୁ ୮ଟି ଆସନ ମିଳିଛି । ୨୦୧୫ରେ ବିଜେପି ୩ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ୨୦୧୫ ବିଧାନସଭା ନିର୍ବାଚନ ଭଳି ଏଥର (୨୦୨୦) ମଧ୍ୟ ଖାତା ଖୋଲି ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ କେଜରୀୱାଲ ୨୦୨୦ ନିର୍ବାଚନରେ ୭୦ ଆସନରେ ପ୍ରାର୍ଥୀ ଦେଇଥିଲେ । ବିଜେପି ନିଜ ଆଡୁ ୬୭ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ତାହାର ସହଯୋଗୀ ଜନତା ଦଳ (ୟୁ) ଦୁଇଟି ଆସନରେ ଓ ଅନ୍ୟତମ ସହଯୋଗୀ ଏଲଜେପି ୫ଟି ଆସନରେ ପ୍ରାର୍ଥୀ ଦେଇ ଥିଲେ । ଏହି ନିର୍ବାଚନରେ କଂଗ୍ରେସ ନିଜ ଆଡୁ ୬୬ ପ୍ରାର୍ଥୀ ଦେଇ ଥିବା ବେଳେ ସହଯୋଗୀ ଆରଜେଡ଼ି ୪ଟି ଆସନରୁ ନିର୍ବାଚନ ଲଢି ଥିଲା । ଦିଲ୍ଲୀର ମୋଟ ୧ କୋଟି ୪୭ ଲକ୍ଷ ୦୩ ହଜାର (୧,୪୭,୦୩, ୬୯୨) ଭୋଟରଙ୍କ ମଧ୍ୟରୁ ୬୨.୫୯ ପ୍ରତିଶତ ୮ ତାରିଖ ଭୋଟ ଦେଇ ଥିଲେ ।
ଦିଲ୍ଲୀ ନିର୍ବାଚନରେ ‘ଆମ୍ ଆଦମୀ ପାଟି’ର୍ ଗତ ପାଂଚ ବର୍ଷ ମଧ୍ୟରେ ଯାହା ବିକାଶ କାର୍ଯ୍ୟ କରିଛି ଭୋଟରଙ୍କ ସାମନାରେ ରଖି ସରକାର ଯଦି କିଛି ଭଲ କାମ କରିଛନ୍ତି ତେବେ ‘ଆପ୍’କୁ ଭୋଟ ଦିଅନ୍ତୁ ବୋଲି ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଇଥିବା ବେଳେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି କୌଣସି ‘ବିକାଶ’ ପ୍ରସଙ୍ଗ ଆଗକୁ ନ ଆଣି ‘ରାଷ୍ଟ୍ରବାଦ’, ସାହିନବାଗ୍’, ସିଏଏ, ରାମ ମନ୍ଦିର ନିର୍ମାଣ, ହିନ୍ଦୁ-ମୁସଲମାନ ପ୍ରସଙ୍ଗ ଏବଂ ପାକିସ୍ତାନକୁ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ କରି ଥିଲା । କଂଗ୍ରେସ ନିକଟରେ ଉପଯୁକ୍ତ ନେତୃତ୍ୱ ନ ଥିଲା କି ନିର୍ବାଚନ ଲଢିବା ପାଇଁ ସାଧନ, କାର୍ଯ୍ୟକ୍ରମ ବା ପ୍ରସଙ୍ଗ ନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରଚାରକ ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱ ଉଭୟ ବିଜେପି ଓ ‘ଆପ୍’ ବିରୋଧରେ ଭୋଟ ଲଢି ଥିଲେ । ଏହି ଦୁଇ ନେତାଙ୍କ ସହ ମୁହାଁମୁହିଁ ହେବାରେ ଦଳର ନିର୍ବାଚନ ପ୍ରଚାର ସାରି ଥିଲା । ତିନି ଦଳ ନିଜ ନିଜ ନିର୍ବାଚନ ରଣନୀତିକୁ ନେଇ ଦିଲ୍ଲୀ ଭୋଟରଙ୍କ ପାଖକୁ ଯାଇ ଥିଲେ । ତେବେ, ନିର୍ବାଚନ ଯୁଦ୍ଧ ସୀମିତ ଥିଲା ‘ଆପ୍’ ଓ ବିଜେପି ମଧ୍ୟରେ । ଗତ ପାଂଚ ବର୍ଷ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ପସନ୍ଦ କରି ଦିଲ୍ଲୀ ଭୋଟର ‘ଆପ୍’କୁ ପୁନଃ କ୍ଷମତାସୀନ କରିଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳର ପୁନରାବୃତ୍ତି ଆଶା ରଖି ‘ଦିଲ୍ଲୀ ଲଡ୍ଡୁ’ ଖାଉ ଥିବା ବିଜେପି ଘାଟାରେ ପଡି ଯାଇଛି । ଦିଲ୍ଲୀ ଭୋଟର ମୂଳରୁ ସ୍ପଷ୍ଟ କରି ସାରି ଥିଲେ, ଏହା ରାଷ୍ଟ୍ରୀୟ ନିର୍ବାଚନ ନ ଥିବାରୁ ବିଧାନସଭା ନିର୍ବାଚନରେ ସେମାନେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ତାଙ୍କ ଦଳକୁ ହିଁ ଭୋଟ ଦେବେ । ତାହା ହିଁ କରିଛନ୍ତି ।
ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ସମେତ ବିଜେପି ମନ୍ତ୍ରୀ, ସାଂସଦ ଓ ବଡ଼ ନେତାମାନେ ଶେଷ ପର୍ଯ୍ୟନ୍ତ ଭୋଟରଙ୍କ ମନ ବଦଳାଇବାକୁ ଉଦ୍ୟମ କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଅନ୍ୟ କିଛି ବାହାର ନେତା ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ଆସି ଥିଲେ । ଦିଲ୍ଲୀର ସଂଖ୍ୟାଲଘୁ ସଂପ୍ରଦାୟ ବହୁଳ ଅଂଚଳ (ସାହିନବାଗ୍ ଭଳି) ସବୁକୁ ‘ମିନି ପାକିସ୍ତାନ’ ବୋଲି ଆକ୍ଷେପ କରାଯାଇ ସିଏଏ (ନାଗରିକତା ସଂଶୋଧନ ଆଇନ)କୁ ବିରୋଧ କରୁଥିବା ସମସ୍ତେ ‘ଦେଶଦ୍ରୋହୀ’ ବୋଲି ବିଜେପି କହିଥିଲା । ‘ଦେଶଦ୍ରୋହୀଙ୍କୁ ଗୁଳି ମାର’…ବୋଲି କିଛି ନେତାଙ୍କ ବୟାନ ପରେ ସାହିନବାଗ୍ ଓ ଜାମିଆ ମିଲିଆରେ ଘଟି ଥିବା ଗୁଳିକାଣ୍ଡ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ସାହିନବାଗରେ ୬୦ ଧରି ସିଏଏ ବିରୋଧୀ ଆନ୍ଦୋଳନ ଚାଲିଛି । ସିଏଏ ବିରୋଧୀମାନେ ‘ଦେଶଦ୍ରୋହୀ’ କହି ସେମାନଙ୍କ ଉପରେ ଆକ୍ରମଣ ପାଇଁ କିଛି ବିଜେପି ନେତା ଦଳର କର୍ମୀ ଓ ସମର୍ଥକଙ୍କୁ ଉସୁକାଇବା ଦଳ ପାଇଁ ବୁମେରାଂ ହୋଇଥିବା ଅନୁମାନ କରାଯାଉଛି।
ବିଜେପି ପୂର୍ବତନ ମନ୍ତ୍ରୀ ତଥା ଉତ୍ତର କନ୍ନଡ଼ ସାଂସଦ ଅନନ୍ତ ହେଗଡେ ଏକ ସଭାରେ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନକୁ ସମାଲୋଚନା କରିବାକୁ ଯାଇ ଏହା ବ୍ରିଟିଶ ପ୍ରୟୋଜିତ ଥିଲା ଏବଂ ଏହା ଏକ ପ୍ରହସନ ଥିଲା ବୋଲି ମନ୍ତବ୍ୟ ଦେବା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଜେପିର ଆଭିମୁଖ୍ୟ ସଂପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିଲ୍ଲୀ ବିଦାନସଭା ଭୋଟକୁ ବିଜେପି ‘ରାଷ୍ଟ୍ରବାଦ’ ବନାମ ‘ଦେଶଦ୍ରୋହ’ରେ ପରିଣତ କରିବାକୁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରି ବିଫଳ ହୋଇଛି । ସିଏଏକୁ ବିରୋଧ କରିବାରୁ ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଓ ଦକ୍ଷିଣପନ୍ଥୀ ସମର୍ଥକ ଗୁଣ୍ଡାଙ୍କ ଆକ୍ରମଣ, ହଷ୍ଟେଲରେ ପଶି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମରାଯିବା ସହ ବ୍ୟାପକ ଭଂଗାରୁଜା କରାଯିବା, ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀ ଛାତ୍ରଙ୍କ ମୃତ୍ୟୁ ଘଟିବା, ପ୍ରତିବାଦରେ ଜେଏନୟୁ (ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ) ଛାତ୍ରଛାତ୍ରୀ ରାସ୍ତାକୁ ଆସିବାରୁ ସେମାନଙ୍କ ପ୍ରତି ମଧ୍ୟ ଏକାଭଳି ଆକ୍ରମଣ ହେବା, ଭୋଟ ପ୍ରଚାର ସମୟରେ ସାହିନବାଗରେ ଧାରଣାରତ ଜନତା ଓ ଜାମିଆ ମିଲିଆ ଛାତ୍ରଙ୍କ ଉପରେ ଗୁଳି ମାଡ ଭୋଟରଙ୍କୁ ଭୟଭୀତ କରିବା ପ୍ରୟାସ ଥିଲା ବୋଲି ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ବିଜେପି ‘ଆତଙ୍କବାଦୀ’ ବୋଲି ଆକ୍ଷେପ କରି ସାହିନବାଗ୍ରେ ଆନ୍ଦୋଳନରତ ସିଏଏ-ବିରୋଧୀଙ୍କୁ ସେ ‘ବିରିୟାନୀ’ ଖୁଆଉଛନ୍ତି ବୋଲି ଅଭିଯୋଗ କରିବା ଏବଂ ଦିଲ୍ଲୀ ନିର୍ବାଚନରେ ବିରୋଧୀ ଜିତିଲେ ‘ପାକିସ୍ତାନର ବିଜୟ’ ହେବ ବୋଲି ବିଜେପି ବରିଷ୍ଠ ନେତାମାନେ ମନ୍ତବ୍ୟ ଦେବା ଥିଲା ପୁଲୱାମା ଭଳି ଭୋଟରଙ୍କ ମନରେ ଆଉ ଏକ ‘ରାଷ୍ଟ୍ରବାଦ’ର ଉଦ୍ରେକ କରିବା । ବିଜେପିର ଏହି ପ୍ରୟାସ ମଧ୍ୟ ବିଫଳ ହୋଇଛି । ଦିଲ୍ଲୀବାସୀ ନିଜର ପରିପକ୍ୱତା ଦେଖାଇ ବିଜେପିର ଅପପ୍ରଚାରକୁ ପରାହତ କରିବା ସହ ‘ବିକାଶ’କୁ ଆପଣାଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି ।
ଦିଲ୍ଲୀ ନିର୍ବାଚନରେ ବିଜେପିର ଆଉ ଏକ ରଣକୌଶଳ ଥିଲା – ଦିଲ୍ଲୀରେ ଦଳ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କିଏ ହେବ – ସେହି ପ୍ରଶ୍ନକୁ ଏଡାଇ ଯିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଥିଲେ ନିର୍ବାଚନରେ ବିଜେପିର ‘ମୁହଁ’ । ଏହି କୌଶଳ ମାଧ୍ୟମରେ ଦିଲ୍ଲୀର ନେତାମାନଙ୍କୁ ଦଳର ନେତୃତ୍ୱ ଝୁଲାଇ ରଖି ଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାମନାରେ ରଖି ବିଜେପି ୨୦୧୯ ଲୋକସଭା ନିର୍ବାଚନର ସଫଳତାକୁ ଦୋହରାଇ ପାରିବ ବୋଲି ଆଶା ରଖି ଥିଲା । କିନ୍ତୁ ତାହା ହେଲା ନାହିଁ । ‘ବିକାଶ’ ପ୍ରସଙ୍ଗରେ କେଜରୀୱାଲ ବିଜେପି କୌଶଳକୁ ମାତ୍ ଦେଇଛନ୍ତି । ଦିଲ୍ଲୀବାସୀଙ୍କୁ ମାଗଣାରେ ପାଣି, ସ୍ୱାସ୍ଥ୍ୟସେବା, ସ୍ୱଳ୍ପ ମୂଲ୍ୟରେ ବିଜୁଳି ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ମାଧ୍ୟମରେ ସେ ନିର୍ବାଚନ ଜିତି ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇଛନ୍ତି । କେଜରୀୱାଲ ୨୦୧୩ ଓ ୨୦୧୫ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୫ରେ ସେ ୬୭ ଆସନ ପାଇଥିଲେ ମଧ୍ୟ କେନ୍ଦ୍ର ସରକାର ବିଭିନ୍ନ ଭାବରେ ତାଙ୍କୁ ହଇରାଣ କରି ତିନି ବର୍ଷ କାଳ କୌଣସି କାମ କରାଇ ଦେଇ ନ ଥିଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ ମାତ୍ର ୨ ବର୍ଷ ହେଲା ଯାହା କିଚି ଉନ୍ନୟନ କାର୍ଯ୍ୟ କରିଛନ୍ତି । ଦିଲ୍ଲୀବାସୀ ସେଥିରେ ସନ୍ତୁଷ୍ଟ । ଆଗାମୀ ୫ ବର୍ଷରେ ସେ ଦିଲ୍ଲୀର ଅଧିକ ବିକାଶ କାର୍ଯ୍ୟ କରିବେ ବୋଲି ଭୋଟର ଆଶା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ଏହି ବିଜୟ ପାଇଁ (ମଂଗଳବାରରେ) ବଜରଂଗବଲୀ ହନୁମାନଙ୍କୁ ଶ୍ରେୟ ଦେଇ ଆଜି ଫଳାଫଳ ପ୍ରକାଶ ପାଇବା ପରେ ପତ୍ନୀ ଓ ସହଯୋଗୀଙ୍କ ସହ ହନୁମାନ ମନ୍ଦିର ଯାଇ ଥିଲେ । ଏହା ବିଜେପିକୁ ଚୁମୁଟିଲା ଭଳି ହୋଇଛି । ତଥାପି, କେଜରୀୱାଲଙ୍କ ‘ବିକାଶ’ ଫର୍ମୁଲା ଆଗାମୀ ଦିନରେ ସମଗ୍ର ଦେଶ ପାଇଁ ନିର୍ବାଚନ-ବିଜୟର ମାପକାଠି ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ବିଶ୍ୱାସ କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS