କେଜରୀୱାଲ ସରକାର-ତିନି : ସବୁ ପୁରୁଣା ମନ୍ତ୍ରୀ ରହିବେ, ନୂଆ ଚେହେରାକୁ ନା’


ପ୍ରସାଦ ରାଓ
୧୨ ଫେବୃୟାରୀ
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ପୁନଃ କ୍ଷମତାସୀନ ହୋଇଥିବା ଅରବିନ୍ଦ କେଜରୀୱାଲଙ୍କ ତୃତୀୟ ପାଳି ସରକାର ରବିବାର, ଅର୍ଥାତ ୧୬ ଫେବୃୟାରୀରେ ଶପଥ ନେବେ । ଦିଲ୍ଲୀ ରାମଲୀଳା ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ବିଦାୟୀ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ‘ଆପ୍’ ନେତା ମନିଷ ସିସୋଦିଆ ଆଜି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । କେଜରୀୱାଲ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ନୂଆ ମନ୍ତ୍ରୀ ପରିଷଦରେ ସବୁ ପୁରୁଣା ମୁହଁ ରହିବେ, ନୂଆ କାହାରିକୁ ନିଆଯିବ ନାହିଁ ବୋଲି ଆଜି ସନ୍ଧ୍ୟାରେ ହୋଇଥିବା ବୈଠକରୁ ସୂଚନା ମିଳିଛି । ବିଜୟରେ ସବୁ ମନ୍ତ୍ରୀଙ୍କ ଭାଗିଦାରୀ ଥିବାରୁ ଓ ସବୁ ମନ୍ତ୍ରୀ ନିଜ ନିଜ କ୍ଷେତ୍ରରେ ଭଲ କାମ କରି ଥିବାରୁ କାହାରିକୁ ମନ୍ତ୍ରୀ ପରିଷଦରୁ ହଟାଇଲେ ‘ଆପ୍’ କର୍ମୀଙ୍କୁ ତାହାର ଉତ୍ତର ଦେବାକୁ ପଡିବ । ତେଣୁ, ସବୁ ପୁରୁଣା ମନ୍ତ୍ରୀ ରହିବେ, ନୂଆ କାହାକୁ ନିଆଯିବ ନାହିଁ ବୋଲି ଦଳ ସନ୍ଧ୍ୟାରେ ସ୍ଥିର କରିଥିବା ସୂଚନା ମିଳିଛି ।
ଅରବିନ୍ଦ କେଜରୀୱାଲଙ୍କ ହାଟ୍ରିକ୍ ବିଜେପି ଓ କଂଗ୍ରେସକୁ ସ୍ତବ୍ଧ କରିଛି । ୨୦୧୩ରେ ସେ କଂଗ୍ରେସ ସମର୍ଥନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇ ଥିଲେ । ତେବେ, ‘ଆପ୍’ ସରକାରକୁ କଂଗ୍ରେସ ମଝି ଦରିଆରେ ଛାଡି ସମର୍ଥନ ପ୍ରତ୍ୟାହାର କରି ନେବାରୁ ସରକାରର ପତନ ଘଟି ଥିଲା । ପରେ, ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦିଲ୍ଲୀ ଭୋଟର କଂଗ୍ରେସକୁ ମୂଳପୋଛ କରି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍’କୁ ୬୭ ଆସନରେ ବିଜୟୀ କରାଇ ଥିଲେ । କେଜରୀୱାଲ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଥିଲେ । ବିଜେପି ମାତ୍ର ୩ଟି ଆସନରେ ସୀମିତ ରହି ଯିବାର କେନ୍ଦ୍ର ସରକାରଙ୍କ ‘ଆପ୍’କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ବିଭିନ୍ନ ଉପାୟରେ ହାରାଶ କରି ଥିଲେ । କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଦିଲ୍ଲୀର ଏଲ.ଜି. ଓ ଦିଲ୍ଲୀ ପୁଲିସ ରାଜ୍ୟ ସରକାରଙ୍କ ପ୍ରତିଟି କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କାମ କରାଇ ଦେଉ ନ ଥିଲେ । ତେବେ, ମୁଖ୍ୟମନ୍ତ୍ରୀ କେଜରୀୱାଲ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଆଶ୍ରୟ ନେଇ ଶେଷ ଦୁଇ ବର୍ଷ ଦିଲ୍ଲୀରେ କିଛି ଉନ୍ନୟନ କାର୍ଯ୍ୟ ସହ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣି ଥିଲେ । ଯାହାକି, ଉଦାହରଣ ସୃଷ୍ଟିକାରୀ ହୋଇଛି ।
ଦିଲ୍ଲୀବାସୀ ‘ଆପ୍’ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ୨୦୨୦ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ନିର୍ବାଚନରେ କେଜରୀୱାଲ୍ ଓ ତାଙ୍କ ଦଳ ବିଜେପିର ତୀକ୍ତ ନିର୍ବାଚନ ପ୍ରଚାର ସତ୍ୱେ ୭୦ରୁ ୬୨ ବିଧାନସଭା ଆସନରେ ବିଜୟୀ ହୋଇ ମିସାଲ୍ ସୃଷ୍ଟି କରିଛନ୍ତି । ‘ବିକାଶ’ ସପକ୍ଷରେ ଦିଲ୍ଲୀ ଭୋଟରଙ୍କ ମତଦାନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ହାଟ୍ରିକ କରିବାର ସୁଯୋଗ ଦେଇଛି । ଏହି ନିର୍ବାଚନରେ ବିଜେପିର ଭୋଟ ହାର ବଢିଛି ସତ, କିନ୍ତୁ ଦଳ ୮ଟି ଆସନରେ ସୀମିତ ରହିଛି । ସେହିଭଳି, କଂଗ୍ରେସର ‘ଶୂନ’ ଘରରେ କୌଣସି ପରିବର୍ତନ ହୋଇ ନାହିଁ । କଂଗ୍ରେସର ଭୋଟ ହାର ମଧ୍ୟ ୫ ପ୍ରତିଶତ କମି ଥିବା ଜଣାପଡିଛି । ତେଣୁ, ନିର୍ବାଚନ ବିପର୍ଯ୍ୟୟ ପରେ ଦିଲ୍ଲୀ କଂଗ୍ରେସରେ ଥିବା ବିବାଦ ପଦାକୁ ଆସିଛି । ଦିଲ୍ଲୀ କଂଗ୍ରେସର ମୁଖ୍ୟ ଥିବା ପିସି ଚାକୋ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କୁ ଦାୟି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ ଦିଲ୍ଲୀ ନିର୍ବାଚନରେ ବିଜେପିକୁ ପରାଜିତ କରିଥିବା ‘ଆପ୍’କୁ ବଧେଇ ଜଣାଇ ଦଳ ଭିତରେ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଶୀଲା ଦୀକ୍ଷିତ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କୁ ଦିଲ୍ଲୀରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ଦାୟି କରାଯିବା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ ନେତା ମିଳିନ୍ଦ ଦେୱରା ମନ୍ତବ୍ୟ ଦେଇ ଦିଲ୍ଲୀରେ କଂଗ୍ରେସକୁ ସୁଦୃଢ କରିବାରେ ଶୀଲାଙ୍କ ଭୂମିକା ସଂପର୍କରେ ଚାକୋଙ୍କୁ ମନେ ପକାଇ ଦେଇଛନ୍ତି ।
ସେହିପରି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଦିଲ୍ଲୀ ମହିଳା କଂଗ୍ରେସ ସଭାନେତ୍ରୀ ଶର୍ମିଷ୍ଠା ମୁଖ୍ୟାର୍ଜୀ (ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କନ୍ୟା) କଡ଼ା ସମାଲୋଚନା କରି ଚିଦମ୍ବରମ୍ ‘ଆପ୍’କୁ ବଧାଇ ଜଣାଇବା ଦିଲ୍ଲୀରେ ‘କଂଗ୍ରେସ ଦୋକାନ’ ବନ୍ଦ କରିବା ଭଳି ହୋଇଛି ବୋଲି କହିଛନ୍ତି । ଚିଦମ୍ବରମ ଏହା ଚାହାଁନ୍ତି କି (?) ବୋଲି ମଧ୍ୟ ଶର୍ମିଷ୍ଠା ପ୍ରଶ୍ନ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କ ମଧ୍ୟରେ ଏଭଳି କାଦୁଅ ଫିଙ୍ଗା ଦଳରେ ଥିବା ମତଭେଦକୁ ଅଧିକ ସ୍ପଷ୍ଟ କରିଛି । ଅପରପକ୍ଷରେ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଦିଲ୍ଲୀ ବିଜେପି ମୁଖ୍ୟ ଥିବା ମନୋଜ ତିୱାରୀ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଏବଂ ପରବର୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସେ ପଦରେ ରହିବାକୁ ଦଳ ତାଙ୍କୁ କହିଥିବା ଖବର ମିଳିଛି । ନିର୍ବାଚନ ପରାଜୟ ଉପରେ ଆଲୋଚନା ପାଇଁ ଦଳ ଆଜି ବୈଠକ ଡ଼ାକିଛି । ଦିଲ୍ଲୀରେ ବିଜେପିର ପରାଜୟ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ବିରୋଧୀ ସମାନ ପରିମାଣରେ ଦାୟି କରୁଥିବା ବେଳେ ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନାର ମୁଖପତ୍ର ‘ସାମନା’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏଥିପାଇଁ ଅଧିକ ମାତ୍ରାରେ ଦାୟି ବୋଲି ଲେଖା ପ୍ରକାଶ କରି ଶାହାଙ୍କୁ ଟାର୍ଗେଟ୍ କରିଛି । ଏହା ଭାରତୀୟ ରାଜନୀତିର ପରିବର୍ତିତ ଚେହେରାକୁ ସାମନାକୁ ଆଣିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS