ନିର୍ବାଚନ ସରିଲା, ଏଲପିଜି ଦର ବଢିଲା
ନୂଆଦିଲ୍ଲୀ, ଫେବୃୟାରୀ ୧୨ ତାରିଖ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦେଶରେ ସବ୍ସିଡ-ରହିତ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢାଇ ଦିଆଯାଇଛି । ତୈଳ କଂପାନୀ ସବୁ ଆଜି ଠାରୁ ଏହି ଦର ବୃଦ୍ଧି କରିଛନ୍ତି । ଇଣ୍ଡିଆନ ଅଏଲ୍ ୱେବ୍ ସାଇଟ୍ ରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଦରବୃଦ୍ଧି ପରେ ସବ୍ସିଡି-ରହିତ ଏଲପିଜି ସିଲିଣ୍ଡର (୧୪.୨ କେଜି)ର ଦର ନୂଆଦିଲ୍ଲୀରେ ୮୫୮ ଟଙ୍କା ୫୦ ପଇସାରେ ପହଂଚିଛି । ଗତ ଜାନୁୟାରୀ ମାସରେ ଏଲପିଜି ଦର ବଢି ଥିଲା । ୧୨ ତାରିଖରୁ ସିଲିଣ୍ଡର ପିଛା ଦର ଅଧିକ ୧୪୪ ଟଙ୍କା ୫୦ ପଇସା ହୋଇଛି । ୨୦୧୪ରେ ଏଲପିଜିର ସିଲିଣ୍ଡର ପିଛା ଦର ସର୍ବାଧିକ ୨୨୦ ଟଙ୍କା ବୃଦ୍ଧି ପାଇ ଥିଲା। ଆଜିର ଦରବୃଦ୍ଧି (ସିଲିଣ୍ଡର ପିଛା ୧୪୫ ଟଙ୍କା) ୨୦୧୪ ପରେ ସର୍ବାଧିକ କୁହାଯାଉଛି । ଇଣ୍ଡିଆନ ଅଏଲ୍ ସମଗ୍ର ଦେଶରେ ଦୈନିକ ୩୦ଲକ୍ଷ ଗ୍ରାହକଙ୍କୁ ଇଣ୍ଡେନ୍ ଗ୍ୟାସ୍ ଯୋଗାଇଥାଏ ।
ଆଜିଠାରୁ ଏଲପିଜି ବଢିବା ପରେ କୋଲକାତାରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୮୯୬ ଟଙ୍କା (୧୪୯ ଟଙ୍କା ବୃଦ୍ଧି) ହୋଇଥିବା ବେଳେ ମୁମ୍ବାଇରେ ୮୨୯ ଟଙ୍କା ୫୦ ପଇସା (୧୪୫ ଟଙ୍କା ବୃଦ୍ଧି) ଓ ଚେନ୍ନାଇରେ ୮୮୧ ଟଙ୍କା (୧୪୭ ଟଙ୍କା ବୃଦ୍ଧି) ହୋଇଛି । ଦେଶର ୧୧ କୋଟି ଘରକୁ ଇଣ୍ଡେନ୍ ଗ୍ୟାସ ଯୋଗାଣ ହେଉଛି । ଆନ୍ତର୍ଜାତିକ ବଜାରରେ ଏଲପିଜିର ବେଂଚମାର୍କ ଦର ଏବଂ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନେଇ ତୈଳ କଂପାନୀମାନେ ପ୍ରତି ମାସରେ ଏଲପିଜି ଦରର ସମୀକ୍ଷା କରି ଦର ନିୟନ୍ତ୍ରଣ କରିଥା’ନ୍ତି । ଏଲପିଜି ଗ୍ୟାସ୍ ରିଟେଲରମାନେ ସାଧାରଣତଃ ମାର୍କେଟ ଦରରେ ଲପିଜି ଗ୍ୟାସ୍ ସିଲିଣ୍ଡର ବିକ୍ରି କରନ୍ତି । ତେବେ, କେନ୍ଦ୍ର ସରକାର ଏଲପିଜି ଗ୍ରାହକଙ୍କୁ ବର୍ଷକୁ ୧୨ଟି ଏଲପିଜି ସିଲିଣ୍ଡର ରିହାତି ଦରରେ ଯୋଗାଉ ଥିବାରୁ ଗ୍ରାହକ ଏହି କୋଟା ସରିବା ପରେ ହିଁ ସବ୍ସିଡି-ରିହାତି ସିଲିଣ୍ଡର ମାର୍କେଟରୁ କିଣିବାକୁ ବାଧ୍ୟ ହୋଇଥା’ନ୍ତି ।
ସରକାର ଇତିମଧ୍ୟରେ ଗ୍ରାହକଙ୍କୁ ଦେଉଥିବା ସିଲିଣ୍ଡର ପିଛା ରିହାତି ପରିମାଣ ଦ୍ୱିଗୁଣିତ କରି ୧୫୩ ଟଙ୍କା ୮୬ ପଇସାରୁ ୨୯୧ ଟଙ୍କା ୪୮ ପଇସାକୁ ବୃଦ୍ଧି କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏଲପିଜି ଓ କିରୋସିନୀ ଉପରେ ରିହାତ ୬ ପ୍ରତିଶତ ବୃଦ୍ଧି କରାଯାଇ ୪୦,୯୧୫.୨୧ କୋଟି ଟଙ୍କା ଏଥିପାଇଁ ବ୍ୟୟବରାଦ ହୋଇଛି । ଚଳିତ ଆର୍ଥିକ ବର୍ଷର ସଂଶୋଧିତ ଅଟକଳରେ ସରକାର ଏଲପିଜି ସବ୍ସିଡି ବାବଦରେ ୩୪,୦୮୫.୮୬ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ୩୭,୨୫୬.୨୧ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ତୈଳ ସବ୍ସିଡି ବାବଦରେ ଚଳିତ ଆର୍ଥିକ ବର୍ଷରେ ମୋଟ ୩୮,୫୬୮.୮୬ କୋଟି ଟଙ୍କା ବ୍ୟୟବରାଦ ରହିଛି । ତେବେ, ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବ୍ୟୟବରାଦରେ କିରୋସିନୀ ସବ୍ସିଡ ୪,୪୮୩ କୋଟି ଟଙ୍କା ଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟରେ ତାହା ୩, ୬୫୯ କୋଟି ଟଙ୍କାକୁ କମାଇ ଦିଆ ଯାଇଥିବା ବଜେଟରୁ ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS