ଚବିଶି ଘଂଟିଆ ନ୍ୟୁଜ୍ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’ ଲୋକାର୍ପିତ
ପ୍ରସାଦ ରାଓ
୧୩ ଫେବୃୟାରୀ
ଭୁବନେଶ୍ୱର: ଓଡ଼ିଶାର ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି । ଆଜି ମଧ୍ୟାହ୍ନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସ୍ଥାନୀୟ ମେ’ ଫେୟାର କନଭେନସନ୍ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆ କରି ଆତ୍ମପ୍ରକାଶ କରିଥିବା ୨୪ ଘଂଟିଆ ନ୍ୟୁଜ୍ ଚ୍ୟାନେଲ୍ ‘ନନ୍ଦିଘୋଷ ଟିଭି’କୁ ଲୋକାର୍ପଣ କରିଛନ୍ତି । ଗଣମାଧ୍ୟମ କୌଣସି ଭାବେ ପକ୍ଷଭୁକ୍ତ ନ ହୋଇ ମାନବବାଦ ଓ ବିଶ୍ୱ ଭାତୃଭାବର ବାର୍ତାବହ ହେଉ ଏବଂ ବାସ୍ତବ ସମସ୍ୟାକୁ ନିରପେକ୍ଷ ଭାବରେ ଉପସ୍ଥାପନ କରି ସାଧାରଣ ମଣିଷ ମୁହଁରେ ହସ ଫୁଟାଇବାରେ ବ୍ରତି ବୋଲି ପରାମର୍ଶ ଦେଇଥିଲେ । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ସାମ୍ବାଦିକତାର ନିରପେକ୍ଷତା ଉପରେ ଗୁରୁତ୍ୱ ଦେଇତିଲେ । ଓଡ଼ିଶା ଗରୀବ ନୁହେଁ । ରାଜ୍ୟରେ ବିପୁଳ ସଂପଦ ରହିଛି । ତାହାର ସଠିକ ବିନିଯୋଗ ହେଲେ ଓଡ଼ିଶା ସମୃଦ୍ଧ ହେବ । ତେବେ, ତାହା କାହିଁକି ହୋଇପାରୁନି, ବଡ ପ୍ରଶ୍ନବାଚୀ ବୋଲି ବରିଷ୍ଠ କଂଗ୍ରେସ ନେତା ମିଶ୍ର ମତବ୍ୟକ୍ତ କରିଥିଲେ । ଗଣମାଧ୍ୟମ କୌଣସି ରାଜନୈତିକ ଦଳର ଗୋଡାଣିଆ ନ ହେବା ବା ବିଜ୍ଞାପନ ପାଇବା ଆଶାରେ କର୍ପୋରେଟ୍ ହାଉସ୍ଂକ ବଚସ୍କର ନ ହେବା ଆବଶ୍ୟକ ବୋଲି ମତ ଦେଇ ମିଶ୍ର କହିଲେ ନିରପେକ୍ଷ ଭାବେ ଜନତାର ସେବା କଲେ ଗଣମାଧ୍ୟମ ଜନସାଧାରଣରେ ଗ୍ରହଣୀୟ ହୋଇପାରିବ । ରାଜନେତାଙ୍କ ଭଳି ସାମ୍ବାଦିକଙ୍କୁ ମଧ୍ୟ ସାଧାରଣ ଜନତା ଭଲ ଦୃଷ୍ଟିରେ ଦେଖୁ ନାହାନ୍ତି । ତେଣୁ, ଗଣମାଧ୍ୟମ ତାହାର ଚରିତ୍ର ସୁଧାରି ଜନତାର ବିଶ୍ୱାସଭାଜନ ହେବା ଆବଶ୍ୟକ ବୋଲି ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମତ ଦେଇଥିବା ବେଳେ ମନ୍ତ୍ରୀ ନିରଂଜନ ପୂଜାରୀ ଗଣମାଧ୍ୟମ ଆଜି ସମସ୍ତଙ୍କ ଟିପ ଅଗରେ ପହଂଚି ଯାଇଥିବା କହି ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟପାଳଙ୍କ ସମେତ ସମସ୍ତ ଅତିଥି ‘ନନ୍ଦିଘୋଷ ଟିଭି’ର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଚ୍ୟାନେଲର ସଂପାଦକ ଶିଶିର କୁମାର ଭଟ୍ଟମିଶ୍ର ‘ନନ୍ଦିଘୋଷ ଟିଭି’ ଓଡ଼ିଶାବାସୀଙ୍କ ପାଇଁ ଏକ ଭିନ୍ନ ଅନୁଭବର ସ୍ୱାକ୍ଷର ହେବ ବୋଲି କହିଥିଲେ । ସଂସ୍ଥା କୌଣସି ରାଜନୈତିକ ଦଳର ବା କର୍ପୋରେଟ୍ ହାଉସର ଗୋଡାଣିଆ ନ ହୋଇ ନିର୍ଭୀକ, ନିରପେକ୍ଷ ଓ ସତ୍ୟଦର୍ଶୀ ସମ୍ବାଦ ପରିବେଷଣ କରିବ ଏବଂ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସେ ଦୃଢତାର ସହ କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଂଗରାଜ ଏହି ଲୋକାର୍ପଣ ଉତ୍ସବର ସଂଯୋଜନା କରିଥିବା ବେଳେ ଦଳମତ ନିର୍ବିଶେଷରେ ବହୁ ରାଜନେତା, ବୁଦ୍ଧିଜୀବୀ, ମନ୍ତ୍ରୀ, ସାଂସଦ ବିଧାୟକ ଓ ବରିଷ୍ଠ ସାମ୍ବାଦିକ ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ । ସଂସ୍ଥାର ସିଇଓ ଶ୍ରୀଯୁକ୍ତ ଚହର ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ମୁମ୍ବାଇର ପ୍ରସିଦ୍ଧ ଗଜଲ ଗାୟକ କୁମାର ସତ୍ୟମ ଓ ସାଥୀମାନେ ଗଜଲ ପରିବେଷଣ କରି ଉତ୍ସବକୁ ଅଧିକ ରୁଚିବନ୍ତ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS