ଭାରତରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍
ପ୍ରସାଦ ରାଓ
୨୪ ଫେବୃୟାରୀ
ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଆଜି ସପତ୍ନିକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପୂର୍ବାହ୍ନରେ ଗୁଜରାତର ଅହମ୍ମଦାବାଦ ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତି ଟ୍ରମ୍ପ୍, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍, କନ୍ୟା ଇଭାଙ୍କାଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ପରେ, ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାବରମତି ଆଶ୍ରମକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ୍, ତାଙ୍କ ପତ୍ନୀ ମେଲାନିଆ କିଛି ସମୟ ସାବରମତି ଆଶ୍ରମରେ ବିତାଇବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ‘ରୋଡ଼ ସୋ’ରେ ୯ କିମି ଦୂର ବିଶ୍ୱର ସର୍ବ ବୃହତ୍ତ ମୋଟେରୋ ଷ୍ଟ୍ରାଡିୟମ (ନିର୍ମାଣାଧିନ ଥିବା)କୁ ଯାଇ ସେଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାସ୍ତା ସାରା ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଆୟୋଜିତ ନୃତ୍ୟ, ସଂଗୀତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆଙ୍କ ମନୋରଂଜନ କରିଥିଲା । ଲକ୍ଷାଧିକ ଲୋକ ରାସ୍ତା ଦୁଇ ପାଖରେ ଜମା ହୋଇ ସେମାନଙ୍କୁ ସ୍ୱାଗତ କରିଥିଲେ । ମୋଟେରୋ ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷ ୨୫ ହଜାର ଜନସମାଗମ ହୋଇଥିଲା । ‘ନମସ୍ତେ ଟ୍ରମ୍ପ୍’ ଭଳି ଏକ ବିରାଟ ଜନସଭାରେ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ଭାବବିହ୍ୱଳ ହୋଇ ପଡିଥିଲେ । ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ମୋଦୀ ଏହି ସଭାରେ ପରସ୍ପରକୁ ପ୍ରଶଂସାରେ ପୋତି ପକାଇବା ସହ ଦୁଇ ଦେଶ ମଧ୍ୟରେ ବଂଧୁତ୍ୱପୂର୍ଣ୍ଣ ସଂପର୍କ ଏକ ନୂତନ ଦିଗନ୍ତ ଆରମ୍ଭ ହୋଇ ଥିବାର ବାର୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ଭାରତରେ ୨୭ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ଏବଂ ୭ କୋଟି ଲୋକ ରନ୍ଧନ ଗ୍ୟାସ୍ ପାଇଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ଭାଷଣରେ କହିବା ସହ ଆଗାମୀ ୧୦ ବର୍ଷରେ ଭାରତ ସଂପୂର୍ଣ୍ଣ ଦାରିଦ୍ର୍ୟମୁକ୍ତ ହେବ ବୋଲି ଆଶାବ୍ୟକ୍ତ କରିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଏକ ବଡ ‘କଂପ୍ଲିମେଂଟ୍’ ବୋଲି ଚର୍ଚ୍ଚା ହେଉଛି । ସିଏଏ ଓ ଏନଆରସିକୁ ନେଇ ମୋଦୀ ସରକାର ଦେଶ ଭିତରେ ଆଭ୍ୟନ୍ତରୀଣ ଚାପ ମଧ୍ୟରେ ରହିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍ଂକ ପ୍ରଶସ୍ତି ଗାନ ଭାରତବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି ସରକାର ଆଶା କରୁଛନ୍ତି । ଗୁଜରାତ ମୋଟେରୋ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଗୁଜରାତ ସରକାରଙ୍କ ତତ୍ୱାବଧାନରେ ବିପୁଳ ଅର୍ଥ ବ୍ୟୟରେ ଏହି ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଜନସଭାର ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ସହ ବାଣିଜ୍ୟିକ ସଂପର୍କ ବଢାଇବା ସୂନା ଦେଇଛନ୍ତି । ଉଭୟ ରାଷ୍ଟ୍ର ନିଜ ନିଜ ଦେଶର ନାଗରିକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା ରାଷ୍ଟ୍ରପତି ଟ୍ରମ୍ପ୍ ସ୍ୱୀକାର କରିବା ସହ ପରସ୍ପରର ସ୍ୱାର୍ଥକୁ ଆଖିରେ ରଖି ବ୍ୟବସାୟିକ ବୁଝାମଣା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭାରତୀୟ ସେନା ବାହିନୀକୁ ସୁଦୃଢ କରିବା ସକାଶେ ଆମେରିକା ଯୁଦ୍ଧ ବିମାନ ସମେତ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ଭାରତକୁ ଯୋାଗାଇବ । ଦୁଇ ଦେଶ ମଧ୍ୟରେ କାଲି ଏସଂପର୍କରେ ଏକ ବାଣିଜି୍ୟକ ଚୁକ୍ତି ହୋଇପାରେ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ଂକ ଭାଷଣରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ-ଅମେରିକା ସଂପର୍କ ସୁଦୃଢ ହୋଇଥିବା ଏବଂ ଆଗାମୀ ଦିନରେ ତାହା ଅଧିକ ସୁଦୃଢ ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ଟ୍ରାମ୍ପ୍ କହିଛନ୍ତି । ଭାରତୀୟ ଗଣତନ୍ତ୍ରକୁ ଟ୍ରମ୍ପ୍ ପ୍ରଶଂସ କରିଛନ୍ତି । ଦେଶର ସର୍ବାଧିକ ଜନସମର୍ଥନରେ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ତାଙ୍କର ଜଣେ ଉତ୍ତମ ବଂଧୁ ବୋଲି ସେ କହିଛନ୍ତି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ରମ୍ପ୍ଂକ ପ୍ରଶଂସା ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ଥୋପରେ ପକାଇବାକୁ ଉଦ୍ଦିଷ୍ଟ ବୋଲି ବିରୋଧୀ ସମାଲୋଚନା କରୁଛନ୍ତି । ତେବେ, ମୋଦୀ-ଟ୍ରମ୍ପ୍ଂକ ଏହା ପ୍ରଥମ ଉଦ୍ୟମ ନୁହେଁ, ପୂର୍ବରୁ ଆମେରିକାର ହଷ୍ଟନ୍ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରୁ ଏହାର ମୂଳଦୁଆ ପଡ଼ି ସାରିଛି । ଆଜିର ଜନସଭା ଏହାକୁ ଅଧିକ ଦୃଢ କରିଛି । ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମ ଦୁଇ ଦେଶର ନେତୃତ୍ୱ ମଧ୍ୟରେ ଥିବା ବିଶ୍ୱାସଭାବର ପ୍ରତିଫଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ମୋଟେରୋ ଷ୍ଟ୍ରାଡିୟମ ସଭା ପରେ ସପତ୍ନିକ ଆଗ୍ରା ଗସ୍ତରେ ଯାଇଥିଲେ । ସେଠାରେ ସେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ‘ତାଜମହଲ’ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ୍ ଦିଲ୍ଲୀରେ ରାତ୍ରୀଯାପନ କରି ୨୫ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା କାର୍ଯ୍ୟକ୍ରମ ରଖିଛନ୍ତି । ଅପରାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ସେଠାରେ ନୈଶ୍ୟ ଭୋଜିରେ ଯୋଗଦେବା ପରେ ଭାରତରୁ ଜର୍ମାନ ଅଭିମୁଖେ ଯାତ୍ରା କରିବେ ବୋଲି କାର୍ଯ୍ୟସୂଚୀରୁ ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS