ଟ୍ରମ୍ପ୍ଂକ ‘କ୍ଲିନ୍ ଚିଟ୍’- ଆତିଥି ଧର୍ମର ନିଆରା ପ୍ରଦର୍ଶନ !
ପ୍ରସାଦ ରାଓ
୨୭ ଫେବୃୟାରୀ
ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଯେଭଳି ଭାବେ ସ୍ୱଚ୍ଛତାର ସାର୍ଟିଫିକେଟ୍ ଦେଇଛନ୍ତି, ତାହା ଅତିଥି ଧର୍ମର ନିଆରା ପ୍ରଦର୍ଶନ କହିବା ଅନୁଚିତ ହେବ ନାହିଁ । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ଭାରତରେ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି । ଭାରତରେ ଧାର୍ମିକ ସ୍ୱାଧୀନତା ଅବ୍ୟାହତ ରହିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସ୍ୱଦେଶ ଫେରିବା ପୂର୍ବରୁ ଦିଲ୍ଲୀରେ ଗଣମାଧ୍ୟମକୁ କହି ଥିବା ବେଳେ ଭାରତ-ପାକିସ୍ତାନ ମଧ୍ୟରେ କଶ୍ମୀରକୁ ନେଇ ଥିବା ତୀକ୍ତତାର ସମାଧାନ ପାଇଁ ଦୁଇ ଦେଶ ଚାହିଁଲେ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ଇଂଗିତ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକେ ଚିମୁଟିବାକୁ ପଛାଇ ନାହାନ୍ତି । ଅନ୍ୟ କୌଣସି ସମୟ ହୋଇଥିଲେ ଟ୍ରମ୍ପ୍ଂକ ଏହି ‘ମଧ୍ୟସ୍ଥତା’ ମନ୍ତବ୍ୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କଷ୍ଟ ଦେଇଥା’ନ୍ତା । କଶ୍ମୀର ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆମେରିକା ରାଷ୍ଟ୍ରପତି ଏଥିରେ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ବୋଲି ଭାରତ ସରକାର ତୁମ୍ବିତୋଫାନ କରିଥା’ନ୍ତେ । କିନ୍ତୁ, ଦିଲ୍ଲୀ ପରିସ୍ଥିତି ସରକାରଙ୍କ ମୁହଁ ବନ୍ଦ କରିଦେଇଛି । ୨୩ରୁ ୨୬ – ଚାରି ଦିନର ଦଙ୍ଗାରେ ଦିଲ୍ଲୀରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୨୫୦ରୁ ଅଧିକ ଆହତ ହୋଇ ଚିକିତ୍ସାଧୀନ । ଟ୍ରମ୍ପ୍୍ ଭାରତରୁ ଫେରିବା ପରେ ଭାରତୀୟ ଗଣମାଧ୍ୟମ ମୋଦୀ ସରକାରଙ୍କୁ ମିଳି ଥିବା ଟ୍ରମ୍ପ୍ଂକ ପ୍ରଶଂସାପତ୍ରକୁ ନେଇ କମ୍ ଆଲୋଚନା କରୁଥିବା ବେଳେ ଗଣମାଧ୍ୟମରେ ଦିଲ୍ଲୀ ଦଙ୍ଗା ପ୍ରମୁଖ ଖବର ହୋଇଛି ।
ଆମେ ରାଷ୍ଟ୍ରପତି ଟ୍ରମ୍ପ୍ଂକ ପ୍ରଶଂସାପତ୍ରକୁ ନେଇ ଯଦି ଆଲୋଚନା କରିବା, କଶ୍ମୀର ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ଭାରତ-ପାକିସ୍ତାନର ଦ୍ୱିପାକ୍ଷୀକ ମାମଲା । ତେବେ, ପାକିସ୍ତାନ ସମୟ ଦେଖି କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ସ୍ତରକୁ ନେଇ ଥାଏ । ପାକିସ୍ତାନର ଏଭଳି ଉଦ୍ୟମକୁ ଭାରତ ସର୍ବଦା ବିରୋଧ କରି ଆସିଛି । ଏହି ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ଯେତେବେଳେ ମୁହାଁମୁହିଁ ହୋଇଛନ୍ତି ଆମେରିକା ବଡ ଭାଇର ଭୂମିକା ନେବାକୁ ଯାଇ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛି । ସାଧାରଣ ସମୟ ହୋଇଥିଲେ ଭାରତ ରାଷ୍ଟ୍ରପତି ଟ୍ରମ୍ପ୍ଂକ ଚିମୁଟାର ଉତ୍ତର ଦେଇଥା’ନ୍ତା । କିନ୍ତୁ, ନିକଟରେ ଟ୍ରମ୍ପ୍ ଦେଇଥିବା ମଧ୍ୟସ୍ଥତା ପ୍ରସ୍ତାବକୁ ନେଇ ସରକାରଙ୍କ ଆଡୁ ସେଭଳି କିଛି କଠୋର ବୟାନ ଆସି ନାହିଁ । ଭାରତ, ପାକିସ୍ତାନ ଓ ଆମେରିକାର ଏଭଳି ରାଜନୈତିକ ଖେଳ ଭାରତୀୟଙ୍କ ପାଇଁ ନୂଆ ନୁହେଁ । ସ୍ୱାଧୀନତା ପରବର୍ତୀ ସମୟରୁ ଭାରତବାସୀ ତାହା ଦେଖି ଆସୁଛନ୍ତି । ବର୍ତମାନର ସରକାରଙ୍କ କଥା ଭିନ୍ନ । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଦକ୍ଷିଣପନ୍ଥୀଙ୍କ ବହୁ ଦିନର ସ୍ୱପ୍ନ ଥିଲା । ଦେଶର ପ୍ରତିଟି ନିର୍ବାଚନରେ ଦକ୍ଷିଣପନ୍ଥ୍ୀ ଦଳ ନିର୍ବାଚନ ଇସ୍ତାହାରରେ ୩୭୦ ଧାରା ଉଚ୍ଛେଦକୁ ପ୍ରାଥମିକତା ଦେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଦ୍ୱିତୀୟ ପାଳିରେ ଏହି ସ୍ୱପ୍ନକୁ ସାକାର ହୋଇଛି । ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ରାଜ୍ୟକୁ ଦୀର୍ଘ ୭୦ ବର୍ଷ ହେଲା ମିଳି ଆସୁଥିବା ସ୍ୱତନ୍ତ୍ର କ୍ଷମତାକୁ କାଢି ନେଇଛନ୍ତି । ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରି ସରକାର ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ଦେଇଛନ୍ତି । ସେଥିରେ ଲଦାଖବାସୀ ଖୁସି । ଜମ୍ମୁ-କଶ୍ମୀର ମଧ୍ୟ କେନ୍ଦ୍ର ଶାସିତ ରାଜ୍ୟ ହେବା ଦ୍ୱାରା ସିଧାସଳଖ କେନ୍ଦ୍ରର ନିୟନ୍ତ୍ରଣକୁ ରହିବ ଏବଂ ସେଠାରେ ବର୍ଷ ବର୍ଷ ଧରି ଚାଲି ଆସି ଥିବା ‘ସୀମାପାର୍ ଆତଙ୍କବାଦ’ର ଅବସାନ ଘଟିବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ‘ଆଜାଦ୍ କଶ୍ମୀର’ (ପାକିସ୍ତାନ ଅଧିକାରରେ ଥିବା କଶ୍ମୀର) ଭାରତକୁ ଫେରିବ ନେଇ ଭାରତବାସୀ ଆଶାବାଦୀ । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ‘କଶ୍ମୀର ନୀତି’କୁ ପ୍ରବଳ ଜନ ସମର୍ଥନ ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀ ‘ବାଲାକୋଟ୍’ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଦୃଢ ଆସ୍ଥା ଭାବ ପ୍ରକଟ କରିଥିଲେ । ଜମ୍ମୁ-କଶ୍ମୀରରୁ ୩୭୦ ଧାର ଉଚ୍ଛେଦ ସେହି ଆସ୍ଥାକୁ ଅଧିକ ସୁଦୃଢ କରିଛି ।
ତେବେ, ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ନେଇ ଥିବା କିଛି ପଦକ୍ଷେପକୁ ନେଇ ଦେଶରେ ଦ୍ୱିମତ ରହିଥିବା ଦେଖିବାକୁ ମିଳୁଛି । ୩୭୦ ଧାରା ଉଚ୍ଛେଦ ପରେ ସୀମାପାର୍ ଆତଙ୍କବାଦ ଅଧିକ ତୀବ୍ର ହେବା ଆଶଙ୍କାରେ କେନ୍ଦ୍ର ସରକାର କଠୋର ନୀତି ଅବଲମ୍ବନ କରି ଥିଲେ । ସମଗ୍ର ଉପତ୍ୟକାରେ ବ୍ୟାପକ ସଶସ୍ତ୍ର ବଳ ମୁତୟନ କରାଯିବା ସହ ଇଂଟରନେଟ୍ କୁ ଠପ୍ କରି ଦିଆଯାଇଥିଲା । ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ କଶ୍ମୀରର ବହୁ ବିରୋଧୀ ନେତାଙ୍କୁ ଗୃହବନ୍ଦୀ କରା ଗଲା । ଏସବୁ ଜରୁରୀ ଥିଲା । ତେବେ, ଜମ୍ମୁ-କଶ୍ମୀର ଭାରତୀୟ ରାଜନେତା ଓ ଗଣମାଧ୍ୟମ ପାଇଁ ଅପହଂଚ ଇଲାକା ରହି ଥିବା ବେଳେ ବିଦେଶୀ ଗଣମାଧ୍ୟମ ଓ ରାଜନେତା କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣକ୍ରମେ କଶ୍ମୀର ଆସି ବୁଲିଲେ । ଏହା ଦେଶୀ ଗଣମାଧ୍ୟମକୁ ଅସନ୍ତୁଷ୍ଟ କଲା ସିନା ବିଦେଶୀ ରାଜନେତା ଓ ଗଣମାଧ୍ୟମ ଭାରତ ସରକାରଙ୍କୁ ପ୍ରଶଂସାରେ ପୋତି ପକାିଲା ଭଳି ଖବର ପ୍ରସାରିତ କରି ଆନ୍ତର୍ଜାତିକ ସ୍ତରରେ ସରକାରଙ୍କ ଭାବମୂର୍ତୀ ବଢାଇଲେ । ସରକାରଙ୍କୁ ସମର୍ଥନ ଦେଉଥିବା ଦେଶୀ ଗଣମାଧ୍ୟମ ମୋଦୀ ସରକାରଙ୍କୁ ଖୁସି ରଖିବାର କୌଣସି ସୁଯୋଗ ହାତଛଡା କରି ନାହାନ୍ତି ।
ତେବେ, ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ ଏହି କୌଶଳ ସଫଳ ହୋଇ ନାହିଁ । ଭାରତୀୟ ନାଗରିକ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ସିଏଏ ଦ୍ୱାରା କୌଣସି ପ୍ରକାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ସରକାର ବିଭିନ୍ନ ଉପାୟରେ ସେମାନଙ୍କୁ ଆଶ୍ୱସ୍ତ କରୁଥିଲେ ମଧ୍ୟ ବର୍ଷ ବର୍ଷ ଧରି ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ତାହା ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି । ଏହି ଅବିଶ୍ୱାସର କାରଣ ହେଉଛି, ମୁସଲମାନ ସଂପ୍ରଦାୟକୁ ନେଇ ଦକ୍ଷିଣପନ୍ଥୀ ରାଜନେତାଙ୍କ ମଧ୍ୟରେ ଥିବା ଘୃଣା ଭାବ (?) । ସିଏଏରେ ପାକିସ୍ତାନ, ଆଫଗାନିସ୍ଥାନ ଓ ବାଂଲାଦେଶରେ ଅତ୍ୟାଚାର ପୀଡ଼ିତ ସଂଖ୍ୟାଲଘୁଙ୍କୁ (୬ଟି ଧର୍ମର) ଭାରତର ନାଗରିକତା ଦେବା କଥା ଉଲ୍ଲେଖ ଥିବା ବେଳେ ‘ମୁସଲମାନ’ ସଂପ୍ରଦାୟ ସେଥିରୁ ବାଦ ପଡିଛି । କେନ୍ଦ୍ର ସରକାରଙ୍କ ଏଭଳି ଏକ ସନ୍ଦିଗ୍ଧ ଆଇନ ଭାରତୀୟ ମୁସଲମାନଙ୍କୁ କେବଳ ନୁହେଁ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଆନ୍ଦୋଳିତ କରିଛି । କେନ୍ଦ୍ର ସରକାର ଦେଶରେ ସିଏଏ ଲାଗୁ କରିବା ଦିନରୁ ଏହାର ବିରୋଧ ଆରମ୍ଭ ହୋଇ ଯାଇଛି ।
ସିଏଏ ସମର୍ଥକ ଓ ବିରୋଧୀ ସମାନ୍ତରାଳ ଭାବେ ପକ୍ଷ ଓ ବିପକ୍ଷରେ ପ୍ରଚାର ଚଳାଇଛନ୍ତି । ଏହି ଆଇନକୁ ନେଇ ଗତ ଡ଼ିସେମ୍ବରରୁ ହିଂସାତ୍ମକ ବିରୋଧ ଆରମ୍ଭ ହୋଇଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦୋଗଲା ନୀତି ଦିଲ୍ଲୀ-ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିଛି । ନୂଆଦିଲ୍ଲୀର ସାହିନବାଗ୍ ଅଂଚଳ ସିଏଏ-ବିରୋଧୀ ଆନ୍ଦୋଳନର ବଡ ମିସାଲ୍ ହୋଇଛି । ସେହି ଅଂଚଳର ବୟସ୍କ ମହିଳାମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି । କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ଆଲୋଚନାର ବାଟ ନ ଆପଣାଇ ହିଂସାକୁ ପ୍ରୋତ୍ସାହିତ କରିବାକୁ କୁଂଠାବୋଧ କରୁ ନାହାନ୍ତି । ଏକ୍ଷେତ୍ରରେ ଦିଲ୍ଲୀ ପୁଲିସର ଭୂମିକା ସନ୍ଦେହରେ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓ ସହିନବାଗ୍ ରାସ୍ତା ଅବରୋଧ ସ୍ଥଳରେ ଘଟି ଥିବା ଏକାଧିକ ଗୁଳିକାଣ୍ଡ ଘଟଣା, ଘଟଣା ସ୍ଥଳରେ ପୁଲିସ ଥାଇ ମଧ୍ୟ ନିଷ୍କ୍ରିୟ ରହିବା, ଦିଲ୍ଲୀ ବିଧାନସଭା ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ସାଂସଦ, କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶାସକ ଦଳ ନେତା ସାହିନବାଗ୍ କୁ ‘ମିନି ପାକିସ୍ତାନ’ କହି ଧାର୍ମିକ ଭେଦଭାବ ସୃଷ୍ଟି କରିବା ଏବଂ ସିଏଏ ବିରୋଧୀଙ୍କୁ ‘ଗୋଲି ମାରୋ..’ ଭଳି ଉତ୍ତେଜନାମୂଳକ ଶବ୍ଦ ପ୍ରୟୋଗ କରାଯିବା ଆଜି ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗାର କାରଣ ବୋଲି କୁହାଯାଇ ପାରେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଂକ ଫେବୃୟାରୀ ୨୪ ଓ ୨୫ ତାରିଖ ଗୁଜରାତ ଓ ଦିଲ୍ଲୀ ଗସ୍ତ ସମୟରେ କପିଲ ମିଶ୍ରାଙ୍କ ଭଳି କିଛି ବିଜେପି ନେତା ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏ-ସପକ୍ଷବାଦୀ ଶୋଭାଯାତ୍ରା ଆୟୋଜନ କରିଥିଲେ । ସେମାନଙ୍କ ଉତତ୍ଜେନା ସୃଷ୍ଟିକାରୀ ମନ୍ତବ୍ୟ ଏବଂ ସିଏଏକୁ ବିରୋଧୀଙ୍କ ଉପରେ ଆକ୍ରମଣରୁ ଦିଲ୍ଲୀରେ ଦଙ୍ଗା ଆରମ୍ଭ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସାହିନବାଗ୍ ର ବିଜେପି ସାଂସଦ ଗୌତମ ଗମ୍ଭୀର ଏହା ସ୍ୱୀକାର କରିଛନ୍ତି । ଦିଲ୍ଲୀ ଦଙ୍ଗା ପାଇଁ ସେ କପିଲ ମିଶ୍ରାଙ୍କ ଭଳି ନେତାଙ୍କ ଆଡକୁ ଆଂଗୁଠି ଉଠାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ପରିସ୍ଥିତିକୁ ନେଇ ଉଦ୍ବିଗ୍ନ । ଦିଲ୍ଲୀ ପୁଲିସର ନିଷ୍କ୍ରିୟତାକୁ କୋର୍ଟ ଭର୍ଛନା କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ହିଂସା ଓ ଦଙ୍ଗା ପାଇଁ ପୁଲିସ ନିଷ୍କ୍ରିୟତାକୁ ଦାୟି କରି ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସରକାରଙ୍କ ଉପରେ ଚାପ ପକାଇଛନ୍ତି । ହାଇକୋର୍ଟ ସଂପୃକ୍ତ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର କରିବା ସକାଶେ ପୁଲିସକୁ ନିର୍ଦେଶ ଦେଇ ୨୪ ଘଂଟା ମହଲତ ଦେବା ସହ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଏଥିରେ ପକ୍ଷଭୁକ୍ତ କରିଥିଲେ । କେନ୍ଦ୍ର ସରକାର ଆଜି କୋର୍ଟରେ ହାଜିରା ଦେଇ ଅଧିକ ସମୟ ମାଗିବାରୁ ହାଇକୋର୍ଟ ଚାରି ସପ୍ତାହ ସମୟ ଦେଇଛନ୍ତି । ଏପ୍ରିଲ ୧୩ରେ ଏସଂପର୍କରେ ପରବର୍ତୀ ଶୁଣାଣୀ ହେବ ବୋଳି କୋର୍ଟ କହିଛନ୍ତି । ତେବେ, ଉତ୍ତେଜକ ବୟାନ ଦେଇଥିବା ବିଜେପି ନେତାଙ୍କ ବିରୋଧରେ ଏତାଲା ପାଇଁ ପୁଲିସକୁ ନିରଦେଶ ଦେଇଥିବା ଏବଂ ପରିସ୍ଥିତି ପାଇଁ ଦିଲ୍ଲୀ ପୁଲିସ ଓ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ.ମୂରଲୀଧରଙ୍କୁ କେନ୍ଦ୍ର ସରକାର ରାତାରାତି ପଂଜାବ-ହରିୟାନା ହାଇକୋର୍ଟକୁ ବଦଳି କରିବା ସହ ଏଥିରେ ସୁପ୍ରିମ କୋର୍ଟ କଲିଜିୟମଙ୍କ ସହମତି ଥିବା ଏବଂଏହା ଏକ ଧାରାବାହିକ ପ୍ରକ୍ରିୟା ବୋଲି ଦାବି କରିବା ସରକାରଙ୍କୁ ସମାଲୋଚନା କରିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଧୀରେ ଧୀରେ ଦେଶର ବିଚାର ବ୍ୟବସ୍ଥା ମଧ୍ୟ ସରକାରଙ୍କ ଅଂଟିକୁ ଚାଲି ଗଲାଣି ବୋଲି ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ସମାଲୋଚନା କରିଛନ୍ତି ।
ଉତ୍ତର ପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଦଙ୍ଗା ଆଜି (୨୭ ତାରିଖ) ଶାନ୍ତ ପଡି ଥିଲେ ମଧ୍ୟ ମୃତ୍ୟୁ ସଂଖା ସନ୍ଧ୍ୟା ସୁଦ୍ଧା ୩୮ରେ ପହଂଚିଛି । ୨୫୦ରୁ ଅଧିକ ଆହତ ହୋଇଥିବା ଚିକିତ୍ସିତ ହେଉଥିବା ଖବର ମିଳିଛି । ଭାରତୀୟ ଗୁଇନ୍ଦା ବ୍ୟୁରୋ (ଆଇବି)ର ଜଣେ ଅଧିକାରୀ ମଧ୍ୟ ମୃତ ତାଲିକାରେ ଅଛନ୍ତି । ତାଙ୍କୁ ଦଙ୍ଗାକାରୀ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ଆଇବି ଅଧିକାରୀ ଅଂକିତ ଶର୍ମାଙ୍କ ଶବ ଦଙ୍ଗାଗ୍ରସ୍ତ ଅଂଚଳର ଏକ ନାଳରୁ ଉଦ୍ଧାର କରାଯାଇଛି । ଉଭୟ ସୁପ୍ରିମ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ସମାଲୋଚିତ ହେବା ପରେ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସକ୍ରିୟ ହୋଇଛନ୍ତି । ଅବସର ପରେ ଏକ୍ସଟେନସନ୍ ରେ ଥିବା ଦିଲ୍ଲୀର ଓଡ଼ିଆ ପୁଲିସ କମିସନରଙ୍କୁ ଦାୟିତ୍ୱମୁକ୍ତ କରାଯାଇ ଦିଲ୍ଲୀ ପରିସ୍ଥିତି ସୁଧାରିବାକୁ ଜଣେ ନୂଆ ସ୍ୱତନ୍ତ୍ର କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ହିଂସା ପାଇଁ କଂଗ୍ରେସ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦାୟି କରିବା ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି । ତେବେ, ବିରୋଧୀ ହିଂସାକୁ ପ୍ରୋତ୍ସାହିତ କରିଛନ୍ତି ବୋଲି ବିଜେପି ପାଲଟା ଅଭିଯୋଗ କରିବା ସହ କଂଗ୍ରେସର ଦାବିରେ ଯଥାର୍ଥତା ନାହିଁ ବୋଲି କହିଛି । ଅନ୍ୟପକ୍ଷରେ, ଆଇବି ଅଫିସର ଶର୍ମାଙ୍କୁ ପିଟି ପିଟି ମାରି ଦେବା ପଛରେ ପୁଲିସ ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ କାଉନସିଲର୍ ତାହିର ହୁସେନଙ୍କୁ ଖୋଜୁଛି । ପରିସ୍ଥିତିକୁ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ଏବେ କାଠଗଡାରେ । ଦିଲ୍ଲୀ ପୁଲିସ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ୪୮ଟି ମାମଲା ରୁଜୁ କରିବା ସହ ୧୩୦ରୁ ଅଧିକ ଲୋକ ଗିରଫ କଲେଣି । ୧୦୦୦ରୁ ଅଧିକ ଭିଡ଼ିଓକୁ ଯାଂଚ କରାଯାଉଥିବା ଦିଲ୍ଲୀ ପୁଲିସ କହିଛନ୍ତି । ଦିଲ୍ଲୀ ପୁଲିସ କ୍ରାଇମ୍ ବ୍ରାଂଚ୍ ହିଂସାର ତଦନ୍ତ ପାଇଁ ଏସଆଇଟି ଗଠନ କଲାଣି । ତିନି ଦିନ ପରେ ଦିଲ୍ଲୀ ପୁଲିସ ନିଜ ଛବି ସୁଧାରିବାକୁ ଉଦ୍ୟମ ଆରମ୍ଭ କରିଥିବା ଏଥିରୁ ସୂଚନା ମିଳୁଛି ।
ଦିଲ୍ଲୀରେ ନିଜ ଦଳର ନେତାଙ୍କ ଆଡୁ ଘୃଣା ଓ ହିଂସାର ପ୍ରସାର ଚାଲି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ତୁଂଗ ନେତା ଏବଂ ସଂପୂର୍ଣ୍ଣ ସରକାରୀ କଳ ଆମେରିକା ରାଷ୍ଟ୍ରପତିଙ୍କ ଆତିଥ୍ୟରେ ବ୍ୟସ୍ତ ଥିଲେ । ରାଷ୍ଟ୍ରପତି ଟ୍ରମ୍ପ୍ ସପତ୍ନିକ ଭାରତ ଗସ୍ତରେ ଆସି ସ୍ୱଦେଶ ଫେରିବା ପର୍ଯ୍ୟନ୍ତ ବନ୍ଧୁ ମୋଦୀଙ୍କ ଠାରୁ ଯେଭଳି ଆତିଥ୍ୟ ପାଇଛନ୍ତି ସେଥିରେ ଉତ୍ତର ପୂର୍ବ ଦିଲ୍ଲୀ ପରିସ୍ଥିତିକୁ ନେଇ ସେ ଭାରତ ସରକାରଙ୍କୁ ସମାଲୋଚନା କରିବାର କୌଣସି ଅବକାଶ ନ ଥିଲା । ଦିଲ୍ଲୀ ହିଂସା ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ସେ ଗଣମାଧ୍ୟମ ପ୍ରଶ୍ନକୁ ଟାଳି ଦେଇ ଥିଲେ । ରାଷ୍ଟ୍ରପତି ଟ୍ରମ୍ପ୍ ଙ୍କ ‘କ୍ଲିନ୍ ଚିଟ୍’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ଆତିଥ୍ୟର ଉପହାର’ ହୋଇଛି । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ସିଏଏକୁ ଟ୍ରମ୍ପ୍ ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ଟାଳି ଦେଇଥିଲେ ମଧ୍ୟ କଶ୍ମୀରକୁ ନେଇ ଭାରତ-ପକିସ୍ତାନ ବିବାଦରେ ମଧ୍ୟସ୍ଥତା କରିବାର ଲୋଭ ସମ୍ଭରଣ କରି ନାହାନ୍ତି । ତେବେ, ଦିଲ୍ଲୀ ପରିସ୍ଥିତିକୁ ନେଇ ‘ହାଇପ୍’ରେ ଥିବା ଭାରତୀୟ ଗଣମାଧ୍ୟମ ବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଟ୍ରମ୍ପ୍ଂକ ବୟାନକୁ ନେଇ ତୁମ୍ବିତୋଫାନ କରିବା ଅବକାଶ ପାଇ ନାହାନ୍ତି । ବାସ୍ତବରେ ରାଷ୍ଟ୍ରପତି ଟ୍ରମ୍ପ୍ ସିଏଏକୁ ନେଇ ଦିଲ୍ଲୀ ପରିସ୍ଥିତି ସଂପର୍କରେ ଅବଗତ ଅଛନ୍ତି । ଭାରତରେ ବାବାସ କରୁଥିବା ସଂଖ୍ୟାଲଘୁ ମୁସଲମାନଙ୍କ ଉଦ୍ବେଗ ଏବଂ ଶାସକ ବିଜେପିର ହିନ୍ଦୁତ୍ୱ ବିଚାରଧାରା ସଂପର୍କରେ ତାଙ୍କୁ କିଛି ଅଛପା ଥିବା ମନେ ହେଉ ନାହିଁ । ତଥାପି, ପତ୍ନୀ, କନ୍ୟା ଓ ଜ୍ୱାଇଁଙ୍କ ସହ ଅତିଥି ହୋଇ ଭାରତ ଆସି ଥିବା ରାଷ୍ଟ୍ରପତି ଟ୍ରମ୍ପ୍ ମର୍ଯ୍ୟାଦା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଠି ଆଉଁସି ଚାଲି ଯାଇଛନ୍ତି । ଦିଲ୍ଲୀରୁ ଫେରି ନିଜ ଦେଶର ନାଗରିକଙ୍କୁ ଭାରତ ଆସିବାରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇ ସେ ଏକଥା ପରୋକ୍ଷରେ ଜଣାି ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS