ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪
ମୋଅନୁଭବ.କମ୍
ଏପ୍ରିଲ ୦୯
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୪୪ରେ ପହଂଚିଛି । ଆଜି ଢେଙ୍କାନାଳର ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କୁ କରୋନା ଭାଇରସ୍ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଥିବା ବେଳେ ଜଣେ ୬୯ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ପଶ୍ଚିମ ବଂଗର ମେଧିନିପୁରରୁ ଆମ୍ବୁଲାନ୍ସରେ ଆସି ରାଜଧାନୀ ଭୁବନେଶ୍ୱରରେ ପହଂଚି ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଫଳରେ, ରାଜ୍ୟରେ କରୋନା ସଂକ୍ରମିତଂକ ସଂଖ୍ୟା ୪୪ ହୋଇଛି । ଏଥିରୁ ଗୋଟିଏ ମୃତ୍ୟୁ ଘଟିଛି । ଟ୍ରାଭେଲ ହିଷ୍ଟ୍ରି ଥିବା ଏବଂ ପୁର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଝାରପଡାର ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ‘ଏମ୍ସ’ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ, ୪୪ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ନିଜ ଘରକୁ ଫେରିବା ଫଳରେ ଆକ୍ଟିଭ୍ କେସ୍ ସଂଖ୍ୟା ୪୧ ଥିବା କୁହାଯାଉଛି । ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ସଂଖ୍ୟକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ଅଛନ୍ତି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ବମିଖାଲ ଅଂଚଳର ହୋଇଥିବା ବେଳେ ୪ ଜଣ ହେଉଛନ୍ତି ସତ୍ୟନଗର ଅଂଚଳର । ପ୍ରାରମ୍ଭରେ ରାଜଧାନୀର ସୂର୍ଯ୍ୟ ନଗର ଅଂଚଳରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସବୁ ଅଂଚଳକୁ ‘ସଂକ୍ରମିତ ଅଂଚଳ’ ଘୋଷଣା କରାଯାଇ ସିଲ୍ କରି ଦିଆଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୩୪ଟି କରୋନା ପଜେଟିଭ କେସ୍ ମଧ୍ୟରୁ ବଡ଼ଗଡ଼, ଭରତପୁର, କପିଳ ପ୍ରସାଦ, ଶହୀଦ ନଗର, ୟୁନିଟ-୫, ବିଜେବି ନଗର, ମଧୁସୂଦନ ନଗର ଓ ଝାରପଡ଼ାର ଗୋଟିଏ ଲେଖାଏଁ କେସ୍ ହୋଇଥିବା ବେଳେ ବମିଖାଲରୁ ୧୪ ଜଣ, ସୂର୍ଯ୍ୟନଗରରୁ ୮ ଜଣ ଓ ସତ୍ୟନଗରରୁ ୪ ଜଣ ଚିହ୍ନଟ ହେବା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସି ପରିସ୍ଥିତିର ସମୀକ୍ଷା କରାଯାଇଥିଲା । ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଅବଧି ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେବା ସହ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରି ଦେଇଛନ୍ତି । କିନ୍ତୁ, କୃଷି କାର୍ଯ୍ୟ ଓ କୃଷି ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା ସକାଶେ ଏମ-ନରେଗା କାର୍ଯ୍ୟ ଅବ୍ୟାହତ ରହିବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକ ପରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ଲକ୍ ଡ଼ାଉନ୍ ସମୟ ସୀମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ରେଳ ଓ ବିମାନ ଚଳାଚଳ ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS