ଦେଶରେ ‘ଲକ୍ ଡାଉନ୍’ ଅବଧି ଦୁଇ ସପ୍ତାହ ବଢିବ !
ମୋଅନୁଭବ.କମ୍
ଏପ୍ରିଲ ୧୧
ନୂଆଦିଲ୍ଲୀ: ଦେଶରେ ‘ଲକ୍ ଡାଉନ୍’ ଅବଧି ଆଉ ଦୁଇ ସପ୍ତାହ ବଢାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଘୋଷଣା କରି ପାରନ୍ତି । ଏଭଳି ଏକ ସୂଚନା ମିଳୁଛି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଜିର ଭିଡ଼ିଓ କନ୍ଫରେନ୍ସିଂ ପରେ । ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନ ଥିଲେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟାରେ ବଢୁ ଥିବାରୁ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ମୁହଁରେ ମାସ୍କ୍ ପିନ୍ଧିବା ଏକମାତ୍ର ବିକଳ୍ପ ରହି ଥିବାରୁ କେନ୍ଦ୍ର ସରକାର ଏହି ବିକଳ୍ପକୁ କଡାକଡି ଭାବେ କାର୍ଯ୍ୟକାରୀ କରାଇବା ସକାଶେ ‘ଲକ୍ ଡ଼ାଉନ୍’ ଅବଧି ବଢାଇବା ନିହାତି ଆବଶ୍ୟକ ବୋଲି କରୋନା ପରିସ୍ଥିତିର ସମୀକ୍ଷା ବେଳେ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ୧୦ ଜଣ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏପ୍ରିଲ ୧୪ରେ ସରୁ ଥିବା ଦେଶବ୍ୟାପୀ ‘ଲକ୍ ଡାଉନ୍’ର ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଇତିମଧ୍ୟରେ, ଓଡ଼ିଶା, ପଂଜାବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନିଜ ଆଡୁ ନିଜ ନିଜ ରାଜ୍ୟରେ ‘ଲକ୍ ଡାଉନ୍’ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ସାରିଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ଲକ୍ ଡ଼ାଉନ୍’ ଅବଧି ଆଉ ଦୁଇ ସପ୍ତାହ ବଢା ଯିବା ସପକ୍ଷରେ ମତ ଦେଇଥିବା ସୂଚନା ମିଳିଛି । ଓଡ଼ିଶା, ପଂଜାବ, ରଜସ୍ଥାନ, ୟୁପି, ମହାରାଷ୍ଟ୍ର, ଉତ୍ତରାଖ. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସୁପାରିଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ କିଛି ଘୋଷଣା କରି ନଥିଲେ ମଧ୍ୟ କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ସେ ଦିନ ରାତି ୨୪ ଘଂଟା ଏହି କାର୍ଯ୍ୟ ପାଇଁ ସେମାନଙ୍କ ନିକଟରେ ଉପଲବ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରଖି ଥିବାରୁ ଏହି ଅବସରରେ ସେ ଦେଶବ୍ୟାପୀ ଜାରି ଥିବା ‘ଲକ୍ ଡ଼ାଉନ୍’ର ଅବଧି ଆଉ ଦୁଇ ସପ୍ତାହ ବୃଦ୍ଧି କରାଗଲା ବୋଲି ଘୋଷଣା କରିପାରନ୍ତି । ଅପରାହ୍ନ ସୁଦ୍ଧା ଏଭଳି ସୂଚନା ମିଳିଛି । ଉଲ୍ଲେଖନୀୟ ଯେ, ଆଜି (ଏପ୍ରିଲ ୧୧ତାରିଖ) ଅପରାହ୍ନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୪୭କୁ ବୃଦ୍ଧି ପାଇ ଥିବା ବେଳେ ଏଥିରୁ ୬୫୬୫ ଜଣ ଚିକିତ୍ସାଧିନ ଅଛନ୍ତି । ୬୪୩ ଜଣ ଆରୋଗ୍ୟ ଲାଭ କରି ଡ଼ିସଚାର୍ଜ ହେଲେଣି । ଦେଶରେ କୋଭିଡ଼-୧୯ ଜନିତ ମୃତ୍ୟୁ ସଂଖ୍ୟା ୨୩୯କୁ ବଢିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS