କୋଭିଡ଼-୧୯ : ଓଡ଼ିଶା ସ୍ଥିତି ସୁଧୁରୁଛି !
ମୋଅନୁଭବ.କମ୍
ଏପ୍ରିଲ ୧୧
ଭୁବନେଶ୍ୱର: ଓଡ଼ିଶାରେ କରୋନା ଜନିତ ସ୍ଥିତି ସୁଧୁରୁଛି । ୧୦ ତାରିଖ ସୁଦ୍ଧା ଯେଉଁ ୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ସେମାନଙ୍କ ମଧ୍ୟରୁ ଜଣକର (ଝାରପଡାର ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ) ମୃତ୍ୟୁ ଘଟି ଥିବା ବେଳେ ୧୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ବାକି ୩୭ଟି ଆକ୍ଟିଭ୍ କେସ୍ ମଧ୍ୟରୁ ୩୫ଟି ଚିନ୍ତାଜନକ ନୁହେଁ । ସେମାନଙ୍କ ଦେହରେ କରୋନାର ସାମାନ୍ୟ ଲକ୍ଷ୍ୟଣ ରହିଛି । ବିଭିନ୍ନ କୋଭିଡ଼ ହସପିଟାଳରେ ସେମାନେ ଚିକିତ୍ସିତ ହେଉଛନ୍ତି ଏବଂ ଅତିଶୀଘ୍ର ସେମାନେ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିବେ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି । ତେବେ, ବାକି ଦୁଇ ଜଣଙ୍କ କ୍ଷେତ୍ରରେ ଅଧିକ ଡ଼ାକ୍ତରୀ ଚିକିତ୍ସାର ଆବଶ୍ୟକତା ଥିବା ଜଣେ ବିଭାଗୀୟ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ କୌଣସି ନୂଆ କରୋନା ସଂକ୍ରମଣ କେସ୍ ସନ୍ଧ୍ୟା ସୁଦ୍ଧା ମିଳି ନାହିଁ । ତେବେ, ସହରାଂଚଳ ଓ ଗ୍ରମାଂଚଳରେ ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସକାଶେ ଆଜିଠାରୁ ବିଭିନ୍ନ ସ୍କୁଲରେ ସ୍ୱାବ୍ ନମୁନା ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇଛି । ରାଜଧାନୀର ୫ଟି ସ୍କୁଲରେ ଏହି ନମୁନା ସଂଗ୍ରହ ହୋଇଥିବା ବେଳେ ଗ୍ରାମାଂଚଳରେ ମଧ୍ୟ ସ୍କୁଲମାନଙ୍କରେ ଏଭଳି ନମୁନା ସଂଗ୍ରହ ଚାଲିଛି । ସାମାନ୍ୟ ଲକ୍ଷ୍ୟଣ ଦୃଶ୍ୟମାନ ଥିବା ଲୋକମାନେ ଏହି କେନ୍ଦ୍ରରେ ସ୍ୱାଦ ନମୁନା ଦେଇ ପରୀକ୍ଷା କରାଇ ପାରିବେ । ସେଥିରୁ ଯେଉଁମାନଙ୍କ ପଜେଟିଭ୍ ଆସିବ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତମାନ ଯାହା ସ୍ଥିତି ରହିଛି ତାହା ଅବ୍ୟାହତ ରହିଲେ ରାଜ୍ୟରୁ ଅତିଶୀଘ୍ର କରୋନା ଭୟ ଦୂର ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶାରେ ଏପ୍ରିଲ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା କୌଣସି ନୂଆ କରୋନା ପଜେଟିଭ୍ କେସ୍ ସାମନାକୁ ଆସି ନ ଥିବା ବେଳେ ଆଗାମୀ ୧୪ ତାରିଖ ପଣା ସଂକ୍ରାନ୍ତିକୁ ଆଖିରେ ରଖି ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ତହସିଲଦାରଙ୍କ ଜରିଆରେ ସରକାରଙ୍କ ପକ୍ଷରୁ ଜନଗହଳି ସମ୍ଭାବନା ଥିବା ବିଭିନ୍ନ ଦେବାଦେବୀ ପୀଠରେ ୧୪୪ ଧାରା ଜାରି କରାଯାଇଛି । କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ରୋକିବା ସକାଶେ ଏହି ପଦକ୍ଷେପ ନିଆ ଯାଇଥିବା ସରକାର କହିଛନ୍ତି । ରାଜଧାନୀର ବମିଖାଲ, ସୂର୍ଯ୍ୟ ନଗର, ସତ୍ୟ ନଗର ସମେତ ପାଂଚଟି ଅଂଚଳରୁ ସର୍ବାଧିକ ସଂଖ୍ୟକ କରୋନା ପଜେଟିଭ୍ କେସ୍ ସାମନାକୁ ଆସି ଥିବାରୁ ବିଏମସି ପକ୍ଷରୁ ସେସବୁ ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇ ସିଲ୍ କରି ରଖା ଯାଇଛି । ସେସବୁ ଅଂଚଳରେ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବା ଅଭିଯୋଗ ହେବା ପରେ ସରକାର ‘ମୋ ବସ୍’ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରି ଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS