ରାଜ୍ୟବ୍ୟାପୀ କଟକଣା କୋହଳ, କିନ୍ତୁ ଭୁବନେଶ୍ୱର ପାଇଁ ନା’..
ପ୍ରସାଦ ରାଓ
ଏପ୍ରିଲ ୧୩
ଭୁବନେଶ୍ୱର: ବିଚରା ରାଜଧାନୀ ଭୁବନେଶ୍ୱର ବାସିନ୍ଦା । ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଅବସରରେ ରାଜ୍ୟ ସରକାର ରାଜ୍ୟର ଅନ୍ୟ ସମସ୍ତ ଅଂଚଳ ପାଇଁ ‘ଲକ୍ ଡ଼ାଉନ୍’ କୋହଳ କରି ଖୁସିର ବାର୍ତର୍ା ଦେଇଥିବା ବେଳେ ରାଜଧାନୀ ବାସିନ୍ଦାଙ୍କୁ ପୂର୍ବ ଭଳି ଲକ୍ ଡ଼ାଉନ୍ ବା ତାଲା ବନ୍ଦ୍ କଟକଣା ଭିତରେ ରହିବାକୁ ବାଧ୍ୟ କରିଛନ୍ତି । ରାଜଧାନୀରେ ୧୨ ତାରିଖ ସୁଦ୍ଧା ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାରୁ ଏବଂ ବମିଖାଲ, ସତ୍ୟନଗର, ସୂର୍ଯ୍ୟ ନଗର, ମଧୁସୂଦନ ନଗର, ପୁରୁଣା ଭୁବନେଶ୍ୱର, ଝାରପଡ଼ା ଭଳି ବହୁ ଅଂଚଳ ଏପର୍ଯ୍ୟନ୍ତ ସିଲ୍ ହୋଇ ରହି ଥିବାରୁ ସରକାରଙ୍କ ‘ତାଲା ବନ୍ଦ’ କୋହଳ ନୀତି ଭୁବନେଶ୍ୱରରେ ଲାଗୁ ହେବ ନାହିଁ ବୋଲି ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ, ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ କିଭଳି ହେବ ତାହାର ନିଦେ୍ର୍ଦଶନାମା ପରେ ପ୍ରକାଶ ପାଇବ କହି ରାଜଧାନୀବାସୀଙ୍କୁ ଆଶ୍ୱସ୍ତ କରାଯାଇଛି।
ସମଗ୍ର ଦେଶରେ ମାର୍ଚ୍ଚ ୨୫ରୁ ୨୧ ଦିନିଆ ତାଲା ବନ୍ଦ୍ ଜାରି ହୋଇଥିବା ବେଳେ ଓଡ଼ିଶାରେ ମାର୍ଚ୍ଚ ୨୨ ତାରିଖରୁ ସଂପୂର୍ଣ୍ଣ ‘ତାଲା ବନ୍ଦ୍’ ଲାଗୁ ରହିଛି । କେନ୍ଦ୍ର ସରକାର ଏହି ୨୧ ଦିନିଆ ତାଲା ବନ୍ଦ୍ ଜାରି କରିଛନ୍ତି । ଏପ୍ରିଲ ୧୪ ପର୍ଯ୍ୟନ୍ତ ଏହା ଲାଗୁ ରହିଥିବା ବେଳେ ଓଡ଼ିଶା ସରକାର ଏପ୍ରିଲ ୧୫ରୁ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ୍ ଘୋଷଣା କରି ସାରିଛନ୍ତି । ଦେଶରେ ତାଲା ବନ୍ଦ୍ ର ଅବଧି ଦୁଇ ସପ୍ତାହ ବଢି ପାରେ ବୋଲି ଚର୍ଚ୍ଚା ହେଉଛି । ତେବେ, ଏହାର ରୂପରେଖ କଣ ହେବ, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ତାରିଖ ସକାଳେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ୟୁପିର ବିଜେପି ସରକାର ନିଜ ରାଜ୍ୟରେ ରେଡ୍, ଅରେଂଜ ଓ ଗ୍ରାନ୍ ଜୋନ୍ ଚିହ୍ନଟ କରି ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ୍ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମଗ୍ର ଦେଶରେ ସେହି ବ୍ୟବସ୍ଥା କାଯ୍ୟକାରୀ କରି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଅଂଚଳ ପାଇଁ ଖୁସିର ଖବର ହେଉଛି, ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ୍ ରେ କୃଷି, ସମବାୟ, ମତ୍ସ୍ୟ, ପଶୁ ପାଳନ, ନିର୍ମାଣ ଆଦି କ୍ଷେତ୍ରକୁ ‘ତାଲା ବନ୍ଦନ୍ଦ୍ରୁ ମୁକ୍ତ ରଖିବାକୁ ଆଜି ନିଷ୍ପତ୍ତି ଘୋଷଣା କରିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା ଆଜି ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସହରରୁ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏବଂ ରାଜଧାନୀର ବମିଖାଲ, ସତ୍ୟ ନଗର, ସୂର୍ଯ୍ୟନଗର, ଝାରପଡା, ପୁରୁଣା ଭୁବନେଶ୍ୱର ଭଳି ବହୁ ଅଂଚଳ ‘ସଂକ୍ରମିତ ଅଂଚଳ’ ବା ‘କଂଟେନମେଂଟ୍ ଅଂଚଳ’ ଭାବେ ଚିହ୍ନଟ କରାଯାଇ ‘ସିଲ୍’ କରିଦିଆଯାଇ ଥିବାରୁ ତାଲା ବନ୍ଦ୍ ପାଇଁ ସରକାର ଗ୍ରହଣ କରିଥିବା କୋହଳ ନୀତିରୁ ଭୁବନେଶ୍ୱର ସହର ବାଦ୍ ପଡିଛି । ସହରରେ ପୂର୍ବ ପରି ସବୁ କିଛି ବନ୍ଦ ରହିବ ବୋଲି ସରକାର କହିଛନ୍ତି । ପରେ ଭୁବନେଶ୍ୱର ସହର ପାଇଁ ନୂଆ ନିର୍ଦେଶନାମା ପ୍ରକାଶ ପାଇବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର ଜେନା ଆଜି ସକାଳେ ଦେଇଥିବା ସୂଚନା ଅନୁଯାୟ. ରାଜଧାନୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଅଂଚଳ (ସଂକ୍ରମିତ ଅଂଚଳ ଭାବେ ଘୋଷଣା ହୋଇ ନଥିବା)ରେ ତାଲା ବନ୍ଦ୍ କଟକଣା ବହୁ ମାତ୍ରାରେ କୋହଳ କରାଯାଇଛି । ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ‘ତଲା ବନ୍ଦ୍’ ସମୟରେ ରାଜ୍ୟରେ ‘ଲକ୍ ଡ଼ାଉନ୍’ କଟକଣା ଅବ୍ୟାହତ ରହିଲେ ମଧ୍ୟ କୃଷି, ଉଦ୍ୟାନ, ସମବାୟ, ପଶୁ ପାଳନ, ବିଭିନ୍ନ ନିର୍ମାଣ କାର୍ଯ୍ୟ କ୍ଷେତ୍ର ପାଇଁ ଏହା କୋହଳ କରାଯାଇଛି । ତାଲା ବନ୍ଦ୍ ସମୟରେ ରାଜ୍ୟରେ କୃଷି ସଂପର୍କିତ କାର୍ଯ୍ୟ ଜାରି ରହିବ । ଏପ୍ରିଲ ୧୫ ପରରୁ ରାଜ୍ୟରେ ରବି ଫସଲ ଉତ୍ପାଦନ ଆରମ୍ଭ ହେବ । ଏହି ସମୟରେ ଚାଷି ଧାନ ବୁଣି ପାରିବେ ଓ ଅମଳ ମଧ୍ୟ କରି ପାରିବେ । ରାଜ୍ୟରେ ଉଦ୍ୟାନ ଓ ମତ୍ସ୍ୟ ଉତ୍ପାଦନ ସଂପର୍କିତ ସବୁ କାର୍ଯ୍ୟ ଜାରି ରହିବ । ସଂକ୍ରମିତ ହୋଇ ନ ଥିବା ସମସ୍ତ ଅଂଚଳରେ ବୋର୍ ୱେଲ୍ ଖୋଳା, ମରାମତି କାର୍ଯ୍ୟ ମଧ୍ୟ ଜାରି ରହିବ । ପାଇପ ଜଳ ଯୋଗାଣ, ମରାମତି ଓ ପାନୀୟ ଜଳ ପ୍ରକଳ୍ପ କାମ ଚାଲିବ ବୋଲି ସରକାର ଘୋଷଣା କରିଛନ୍ତି ।
ଏହି ଦ୍ୱିତୀୟ ପର୍ଯ୍ୟାୟ ‘ତଲା ବନ୍ଦ୍’ ଅବଧିରେ ରାଜ୍ୟରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କାର୍ଯ୍ୟ ଜାରି ରହିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ନିଜ କାମ ନିରଂକୁଶ ଭାବେ କରି ପାରିବେ । ଜନସାଧାରଣ ଅନ୍ ଲାଇନ୍ରେ ସାମଗ୍ରୀ ମଗାଇ ପାରିବେ ବୋଲି ସରକାର କହିଛନ୍ତି । ହୋଟେଲ, ରେଷ୍ଟୁରାଂଟ ଓ ଢାବାରୁ ଖାଦ୍ୟ ମଗାଇ ହେବ । କିନ୍ତୁ, ସେଠାରେ ବସି ଖାଇବାକୁ ମନା । ଗ୍ରାମାଂଚଳରେ ମ-ନରେଗା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ । ସାମୁଦ୍ରିକ ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ମଧ୍ୟ ଚାଲିବ । କୋହଳ ହୋଇଥିବା ସବୁ କ୍ଷେତ୍ରରେ ମାଲ୍ ପରିବହନ ପାଇଁ ସରକାର ଅନୁମତି ଦେଇଛନ୍ତି । ସବୁ କ୍ଷେତ୍ରରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର ଚାଷବାସ ଉପରେ ଗୁରୁତ୍ୱ ଦେଉ ଥିବାରୁ ସମବାୟ ବିଭାଗ ସଂପର୍କିତ ସବୁ କାର୍ଯ୍ୟକୁ ତାଲା ବନ୍ଦ୍ କଟକଣାରୁ ବାଦ୍ ଦିଆଯାଇଛି । ଖରିଫ ଋଣ ପାଇଁ ଚାଷି ଦରଖାସ୍ତ କରିବା ସହ ବ୍ୟାଙ୍କରେ ଏସଂପର୍କିତ କାର୍ଯ୍ୟ କରିବା ପାଇଁ ଅନୁମତି ମିଳିଛି । ଡ଼ାଲି ଜାତୀୟ ପଦାର୍ଥ ପାଇଁ ‘ନାଫେଡ଼’ ଓ ‘ମାର୍କଫେଡ଼’ ସେମାନଙ୍କ ସଂଗ୍ରହ କାର୍ଯ୍ୟ ଜାରି ରଖିବେ । ମଣ୍ଡି ଓ ହାଟରେ କୃଷିଜାତ ଦ୍ରବ୍ୟ ବିକ୍ରିକୁ ଅନୁମତି ସରକାର ଅନୁମତି ଦେଇଛନ୍ତି । ସାର, ବିହନ, କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦୋକାନ ସବୁ ତାଲା ବନ୍ଦ୍ ସମୟରେ ଖୋଲା ରହିବ ଏବଂ ଅନ୍ୟ ରାଜ୍ୟରୁ କୃଷି ସଂପର୍କିତ ଯନ୍ତ୍ରପାତି ଅଣାଯାଇ ପାରିବ ବୋଲି କୁହାଯାଇଛି । ତଲା ବନ୍ଦ୍ ଅବଧିରେ ଗ୍ରାମାଂଚଳରେ ପ୍ରାଣୀ ଚିକିତ୍ସାଳୟ, ଟୀକାକରଣ କେନ୍ଦ୍ର ଓ ଲ୍ୟାବ ଖୋଲା ରହିବ, ପୋଖରିରେ ମାଛ ଚାଷ, ମାଛ ଧରା ଓ ସାମୁଦ୍ରରୁ ମାଛ ଧରା ମଧ୍ୟ ଚାଲିବ । ମାଛ ଜାଆଁଳ ଉତ୍ପାଦନ ଓ ମାଛ ଜାଲ ତିଆରି କାର୍ଯ୍ୟ ଚାଲୁ ରହିବ । ଗୋଶାଳା ଚାଲୁ ରହିବା ସହ ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ମଧ୍ୟ ଚାଲୁ ରହିବ । ବନୀକରଣ ପାଇଁ ନର୍ସରୀ ଓ ବନ୍ୟ ଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ କାର୍ଯ୍ୟ ଚାଲିବ । କେନ୍ଦ୍ରପତ୍ର ତୋଳା, କେନ୍ଦ୍ରୁପତ୍ର ଫଡ଼ି କାର୍ଯ୍ୟକ୍ରମ, ଜଂଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କାର୍ଯ୍ୟ ମଧ୍ୟ ଚାଲୁ ରହିବ ବୋଲି ସରକାର ଘୋଷଣା କରିଛନ୍ତି ।
ତେବେ, ‘କଂଟେନମେଂଟ ଏରିଆ’ ଭାବେ ଘୋଷଣା ହୋଇଥିବା ଅଂଚଳରେ ଏସବୁ କାର୍ଯ୍ୟ ବନ୍ଦ ରହିବ ବୋଲି ସ୍ପଷ୍ଟ କରି ଦିଆଯାଇଛି । ଭୁବନେଶ୍ୱରରେ ଚାଷବାସ କାର୍ଯ୍ୟ ନାହିଁ । ତେଣୁ ସରକାର ନିଶ୍ଚିନ୍ତ । ତେବେ, କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଂଚଳରୁ ସରକାର ଅବରୋଧ କଟକଣା ହଟାଇ ଦେଇଥିବା ଆଜି ଘୋଷଣା କରିଛନ୍ତି । ଯାଜପୁରର ଜଣେ କରୋନା ଆକ୍ରାନ୍ତ ଏହି ଦୁଇ ଅଂଚଳକୁ ଯାଇ ଥିବା ଟ୍ରାଭେଲ ହିଷ୍ଟ୍ରୀରୁ ଜଣାପଡିବା ପରେ ସରକାର ଏହି ଦୁଇ ଗ୍ରାମରେ କଂଟେନମେଂଟ୍ କଟକଣା ଜାରି କରି ଥିଲେ । ସନ୍ଦିଗ୍ଧଙ୍କ ସ୍ୱାବ୍ ନମୁନା ନେଗେଟିଭ୍ ଆସି ଥିବାରୁ ପ୍ରଶାସନର ସୁପାରିଶକ୍ରମେ ସରକାର କଟକଣା ହଟାଇ ଥିବା ଏସଆରସି କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS