ଓଡ଼ିଶା ସ୍ଥିତି ଭଲ, ତଥାପି ‘ତାଲାବନ୍ଦ୍-୨’ ଅଧିକ କଠୋର ହେବ
ପ୍ରସାଦ ରାଓ
ଏପ୍ରିଲ ୧୪
ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଂକ ବିଶିଷ୍ଟ ଥିଲା । ଏବେ ଦୁଇ ଅଂକରେ ରହିଛି । ରାଜ୍ୟ ସରକାର ଦେଶର ଅନ୍ୟାନ୍ୟ ଅଂଚଳରେ କରୋନା ସଂକ୍ରମଣର ବ୍ୟାପକତାକୁ ଦେଖି ମାର୍ଚ୍ଚ ୨୨ରୁ ରାଜ୍ୟରେ ‘ତାଲାବନ୍ଦ୍’ (ଲକ୍ ଡ଼ାଉନ) ଘୋଷଣା କରି ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଗୁରୁତ୍ୱ ଦେଇଥିଲେ । ଏସଂପର୍କରେ ଜନସାଧାରଣରେ ସଚେତନତା ବଢାଇବା ସହ ଏହାକୁ କଡାକଡି ପାଳନ କରିବାରୁ ପଦକ୍ଷେପ ନେଇ ଥିଲେ । ଫଳରେ ଆଜି ରାଜ୍ୟରେ ଏହି ବିପଜ୍ଜନକ ଭାଇରସର ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଏପ୍ରିଲ ୧୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଥିବା ବେଳେ ଏକମାତ୍ର ମୃତ୍ୟୁ ଘଟିଛି । ରାଜ୍ୟର ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏପ୍ରିଲ ୧୩ ତାରିଖ ସୁଦ୍ଧା ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବା ଫେରିବା ଯୋଗ୍ୟ ହୋଇଛନ୍ତି । ଚିକିତ୍ସାଧୀନ ଥିବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬କୁ ଖସିଛି । ଏହି କରୋନା ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ଥିତିରେ ଉନ୍ନତି ଘଟି ଥିବା ସୂଚନା ମିଳିଛି । ତେବେ, ସାମାଜକ ଦୂରତ୍ୱ ବଜାୟ ରଖିବା କରୋନା ସଂକ୍ରମଣକୁ ରୋକିବାର ପ୍ରମୁଖ ମନ୍ତ୍ର ହୋଇଥିବାରୁ ।ଜ୍ୟ ସରକାର ତାଲାବନ୍ଦ ଅବଧି ବଢାଇବା ସହ ଅଧିକ କଠୋର ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରମଣର ବାସ୍ତବ ସ୍ଥିତି ସଂପର୍କରେ ଆଜି ସମୀକ୍ଷା କରିବା ବେଳେ ଏହି ସୂଚନା ଦେଇଛନ୍ତି । ଅନ୍ୟ ରାଜ୍ୟ ସହ ଓଡ଼ିଶାର ତୁଳନା କଲେ ଓଡ଼ିଶା ସ୍ଥିତି ସନ୍ତୋତଜନକ ଥିବା ଦେଖି ସନ୍ତୋଷ ସେ ପ୍ରକାଶ କରିଛନ୍ତି । ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିମ୍ନାଭିମୁଖୀ ଥିବା ଭଲ ଲକ୍ଷଣ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଯେଉଁମାନଙ୍କ ପାଇଁ ଏହା ସମ୍ଭବ ହୋଇଛି ସେମାନଙ୍କୁ ସାବାସୀ ଜଣାଇ ଥିଲେ ଏବଂ ରାଜ୍ୟବାସୀ ଏତିକିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ହରାଇବା ଦିଗରେ ଅଧିକ ଦିନ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ୱ ଦେଇ ଥିଲେ । ରାଜ୍ୟରେ ଏପ୍ରିଲ ୧୫ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ‘ତାଲାବନ୍ଦ୍’ କାର୍ଯ୍ୟକାରୀ ହେବାକୁ ଯାଉଛି । ରାଜ୍ୟ ସରକାର ଅଧିକ କଠୋର ଭାବେ ଏହାକୁ କାର୍ଯ୍ୟକାରୀ କରିବେ । ଅମାନିଆ ଲୋକଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଅଧିକ କଠୋର ବ୍ୟବହାର ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଛନ୍ତି । ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଅନୁମତି ଦେଇଛନ୍ତି । ତେବେ, ‘ତାଲାବନ୍ଦ୍-୨’ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନରେ ଯେଭଳି ବାଧା ସୃଷ୍ଟି ନ ହେବ, ବିଶେଷକରି କୃଷିଜାତ ଦ୍ରବ୍ୟ ପରିବହନରେ ଯେମିତି ଆଦୌ ବାଧା ସୃଷ୍ଟି ନ ହେବ ସେଥିପ୍ରତି ପୁଲିସ ଓ ପ୍ରଶାସନ ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ୍ ଅବସରରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇଥିବା ସରକାରଙ୍କ ନିକଟରେ ଅଭିଯୋଗ ହୋଇ ଥିବାରୁ ରାଜ୍ୟ ପୁଲିସ ମୁଖ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡିଛି ।ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ‘ତାଲାବନ୍ଦ୍’ କଡାକଡି ଭାବେ କାର୍ଯ୍ୟକାରୀ ହୋଇଛି । ଯେଉଁ ଅଂଚଳରୁ କରୋନା ଆକ୍ରାନ୍ତ ବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି ସେସବୁ ଅଂଚଳକୁ ତୁରନ୍ତ ସିଲ୍ କରାଯାଇ ସଂକ୍ରମଣ ବ୍ୟାପିବା ଉପରେ ଅଂକୁଶ ଲଗା ଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସୀମିତ ରହିବାର ଏହା ହେଉଛି ବଡ଼ ରହସ୍ୟ । ତାଲାବନ୍ଦ୍ ଓ ସଂକ୍ରମିତ ଅଂଚଳକୁ ତୁରନ୍ତ ସିଲ୍ କରାଯିବାରୁ ଆକ୍ରାନ୍ତ ଓ ସନ୍ଦିଗ୍ଧ ସଂକ୍ରମିତମାନେ ବାହାରେ ବୁଲିବା ସୁଯୋଗ ପାଇ ନ ଥିଲେ । ସେମାନେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସି ନ ଥିବାରୁ କରୋନା ସଂକ୍ରମଣ ଛୋଟ ଆକାରରେ ରହିଛି । ରାଜ୍ୟକୁ ସଂପୂର୍ଣ୍ଣ ‘କରୋନା-ମୁକ୍ତ’ କରିବା ସକାଶେ ମେ’ ୩ ତାରିଖ ପର୍ଯ୍ୟନ୍ତ ‘ତାଲାବନ୍ଦ୍’ କଟକଣାକୁ କଡାକଡି କରାଯିବ । ଯିଏ ଏହାକୁ ନ ମାନିବେ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ମାର୍ଚ୍ଚ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ‘ତାଲାବନ୍ଦ୍’ ଲାଗୁ କରିଥିଲେ । ପରେ, କେନ୍ଦ୍ର ସରକାର ତାହାକୁ ଅନୁସରଣ କରି ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ଦେଶବ୍ୟାପୀ ୨୧ ଦିନିଆ ‘ତାଲାବନ୍ଦ୍’ ଘୋଷଣା କରିଥିଲେ । ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦିନକ ପାଇଁ ‘ଜନତା କର୍ଫ୍ୟୁ’ ଆହ୍ୱାନ ଦେଇ ଦେଶବ୍ୟାପୀଙ୍କ ମତିଗତି ପରଖି ନେଇ ଥିଲେ । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ୍ ଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ଫଳପ୍ରଦ ଭାବେ ରୋକିବାରେ ସକ୍ଷମ ହୋଇ ଥିବାରୁ ଏହି ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ୍ ଲାଗୁ ହୋଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ୨୧ ଦିନିଆ ତାଲାବନ୍ଦ୍ ର ଅବଧି ଆଜି ସରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ଅବଧି ନ ସରୁଣୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ୍ ଘୋଷଣା କରିସାରିଛନ୍ତି । ତାଲାବନ୍ଦ୍ ର ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ନ ହେଲେ ମଧ୍ୟ ଆଜି ଏହି ଅବଧି ବୃଦ୍ଧି କଥା ଘୋଷଣା କରିଛନ୍ତି । ଦିନକ ତଳେ ସେ ଦେଶର ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଟେଲି କନ୍ଫରେନ୍ସିଂ କରି କରୋନା ପରିସ୍ଥିତିର ସମୀକ୍ଷା କରିଥିଲେ । ତାଲାବନ୍ଦ୍ ଅବଧି ବଢାଇବା ପାଇଁ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁପାରିଶ କରିଥିଲେ । ଆଜି ସକାଳେ ଦେଶବାସୀଙ୍କୁ ପ୍ରାୟ ୨୫ ମିନିଟ ସଂବୋଧିତ କରି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ୍ ମେ’ ୩ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ୍ ରେ ସରକାର ଦେଶବାସୀଙ୍କ ଜୀବନ ଓ ଜୀବୀକା ମଧ୍ୟରୁ ଜୀବନକୁ ଗୁରୁତ୍ୱ ଦେଇ ସଂପୂର୍ଣ୍ଣ ତାଲାବାନ୍ଦ୍ କାର୍ଯ୍ୟକାରୀ କରିଥିଲେ । କିନ୍ତୁ, ଦ୍ୱିତୀୟ ପର୍ଯ୍ୟାୟରେ ଜୀବନ ସହ ଜୀବୀକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ୍ ସମୟରେ ଗ୍ରାମଠାରୁ ଆରମ୍ଭ କରି ସର୍ବୋଚ୍ଚସ୍ତର ପର୍ଯ୍ୟନ୍ତ ଏହାର ପ୍ରଭାବ ଓ କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବେ । ଯେଉଁ ଅଂଚଳ ସଫଳତାର ସହ କରୋନା ସଂକ୍ରମଣକୁ ରୋକିବାରେ ସକ୍ଷମ ହେବ ଏବଂ ସେହି ଅଂଚଳରୁ ଯଦି କିଛି ନୂଆ କେସ୍ ନ ଆସିବ ତେବେ ସେହି ଅଂଚଳ ପାଇଁ ତାଲାବନ୍ଦ୍ କୁ ସମାନ୍ୟ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଲୋଭ ଦେଖାଇଛନ୍ତି । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଅନୁଧ୍ୟାନ କାର୍ଯ୍ୟ ଚାଲିବ ଏବଂ ୨୦ ତାରିଖ ପରେ କିଛି ଅତ୍ୟାବଶ୍ୟକ କ୍ଷେତ୍ରରେ ତାଲାବନ୍ଦ୍ କୋହଳ କରିବା କଥା ସରକାର ଚିନ୍ତା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଜି କହିବା ଫଳରେ ଏପ୍ରିଲ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଦେଶବାସୀଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ଓଡ଼ିଶା ସରକାର ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ୍ ସମୟରେ କୃଷି, ପଶୁପାଳନ, ମତ୍ସ୍ୟ ଉତ୍ପାଦନ, ଉଦ୍ୟାନ, ନିର୍ମାଣ କାର୍ଯ୍ୟକୁ ତାଲାବନ୍ଦ୍ ରୁ ବାଦ୍ ଦେଇ ଚାଷବାସ ଚାଲିବ ଏବଂ ଗରିବ, ଅସହାୟ, କୃଷି ଶ୍ରମିକ ଓ ଶ୍ରମଜୀବୀ ପାଇଁ ମ-ନରୋଗା ଏବଂ ଗ୍ରମାଂଚଳରେ ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲୁ ରହିବ ବୋଲି ସୂଚାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କ ଘୋଷଣା ଓ ରାଜ୍ୟ ସରକାରଙ୍କ ଘୋଷଣା ମଧ୍ୟରେ ଥିବା ଏହି ଫାଂକକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଛି । ତେବେ, ଉଭୟ କନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ ଉଦେ୍ଦଶ୍ୟ ଏକା ହୋଇ ଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବାନ୍ଦ୍ ର କାର୍ଯ୍ୟକାରିତାରେ ସେଭଳି କିଛି ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS