‘କଂଟେନମେଂଟ’ ଅଂଚଳର ଦୁଃଖ ଦୂର ହେବ କେବେ ?
ପ୍ରସାଦ ରାଓ
ଏପ୍ରିଲ ୨୦
ଭୁବନେଶ୍ୱର: ‘ନିଜକୁ ଘର ଭିତରେ ଆବଦ୍ଧ ରଖନ୍ତୁ, ସୁରକ୍ଷିତ ରୁହନ୍ତୁ’- ସରକାରଙ୍କ ଏହି ମନ୍ତ୍ର ଘରେ ଘରେ ପହଂଚି ସାରିଛି । ଲୋକମାନେ ମଧ୍ୟ ସତର୍କ ହେଲେଣି । ତଥାପି, ଓଡ଼ିଶାରେ କରୋନା ସଂକ୍ରମଣ ବଢୁଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟରେ ସୋମବାର (ଏପ୍ରିଲ ୨୦) ସୁଦ୍ଧା କୋଭିଡ଼-୧୯ ଦ୍ୱାରା ଆକ୍ରାନ୍ତ ସଂଖ୍ୟା ୬୮ରେ ପହଂଚି ଥିବା ବେଳେ ରାଜ୍ୟରେ ଗୋଟିଏ ମୃତ୍ୟୁ ଘଟିଛି । ୨୪ ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୪୩ରେ ପହଂଚିଛି । ସୋମବାର ସକାଳେ ରାଜ୍ୟର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ଦୁଇ ବର୍ଷର ଶିଶୁ କନ୍ୟା ଥିବା ସରକାରଙ୍କ ଚିନ୍ତାର କାରଣ ହୋଇଛି । କାରଣ, ଏହି ଶିଶୁର ପରିବାରର କୌଣସି ଟ୍ରାଭେଲ ହିଷ୍ଟ୍ରୀ ଥିବା ଜଣାପଡିନାହିଁ । ଶିଶୁଟି କେମିତି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲା, ତାହା ମଧ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପାଇଁ ଏକ କୁହେଳି ସାଜିଛି ।
ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଓଡ଼ିଶାରେ ମାର୍ଚ୍ଚ ୨୨ରୁ ‘ତାଲାବନ୍ଦ’ ଲାଗୁ କଲେ । ଆସନ୍ତା ୨୨ ତାରିଖ ତାଲାବନ୍ଦର ଏକ ମାସ ପୂରଣ ହେବ । ଏହି ଏକ ମାସ ରାଜ୍ୟବାସୀ ନିଜ ନିଜ ଘରେ ଏକପ୍ରକାର ବନ୍ଦୀ ହୋଇ ରହିଛନ୍ତି । ଆବଶ୍ୟକ କାର୍ଯ୍ୟରେ ମଧ୍ୟ ପ୍ରଶାସନର ଅନୁମତି ବିନା ବାହାରକୁ ବାହାରିବା ମନା । ଫଳରେ, ରାଜ୍ୟର ସହରାଂଚଳ, ଗ୍ରାମାଂଚଳରେ ଜୀବନଧାରା ଠପ୍ ହୋଇ ଯାଇଛି । ଛୋଟ ବଡ ସମସ୍ତ ଦୋକାନ ବଜାର ବନ୍ଦ । ଲୋକଙ୍କ ପାଖରେ କାମଧନ୍ଦା ନାହିଁ । ଘରେ ରହିଲେ ଭୋକ, ଘରୁ ବାହାରିଲେ ପୁଲିସର ମାଡ଼ ଓ ମାମଲା ଭୟ । ରାସ୍ତାରେ ଯାନବାହନ ଗଡୁନି । ମୂଲ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଶ୍ରମଜୀବୀ ଘରକୁ ଫେରି ପାରୁ ନାହାନ୍ତି । ମୁଣ୍ଡ ଉପରେ ଛାତ ନାହିଁ, ପକେଟ ଖାଲି । ନିଯୁକ୍ତିଦାତା ନିଜେ ସୁରକ୍ଷିତ ନାହାନ୍ତି, ଏମାନଙ୍କ କଥା ବୁଝିବେ କେମିତି ? ରାଜ୍ୟ ସରକାର କିଛି ଆଇଏଏସ୍ ଙ୍କ ଉପରେ ବିଭିନ୍ନ ରାଜ୍ୟରେ ଫସି ରହି ଥିବା ଶ୍ରମଜୀବୀଙ୍କ ଦାୟିତ୍ୱ ଲଦି ଦେଇ ନିଶ୍ଚିନ୍ତ । ଅମଲାତନ୍ତ୍ର କେମିତି ଚାଲେ, ସମସ୍ତେ ଜାଣନ୍ତି । ଗୁଜରାଟର ସୁରତ୍ ସହର ଓ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଅସହାୟ ଶ୍ରମଜୀବୀ ହାଂଗାମା କରିବା ପରେ ହିଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି ।
୨୦ ତାରିଖ ଦେଶରେ ସର୍ତମୂଳକ ଭାବେ ତାଲାବନ୍ଦ କଣକଣା କୋହଳ କରାଯାଇଛି । ଶ୍ରମଜୀବୀଙ୍କ ପାଇଁ କେନ୍ଦ୍ର ସରକାର ଏସଓପି ଜାରି କରି ସେମାନେ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ ଏବଂ ସେହି ରାଜ୍ୟରେ କୃଷି ସଂପର୍କିତ କାର୍ଯ୍ୟ ଓ ମନେରେଗା କାର୍ଯ୍ୟରେ ନିୟୋଜିତ ରୁହନ୍ତୁ ବୋଲି ପାମର୍ଶ ଦେଇଛନ୍ତି । ୨୦ ତାରିଖରୁ ଆରମ୍ଭ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ସେମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ସହୁ ବିଭିନ୍ନ ଆଶ୍ରୟ ସ୍ଥଳ ଓ ଶିବିରରେ ସେମାନଙ୍କ ଅସ୍ଥାୟୀ ଥଇଥାନ ଓ ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରବିବାର ଦିନ ଏକ ଭିଡ଼ିଓ ବାର୍ତାରେ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଶାର ଜନସାଧାରଣ ଓ ଶ୍ରମଜୀବୀଙ୍କୁ ଆଶ୍ୱସ୍ତ କରିବାକୁ ଉଦ୍ୟମ କରିଛନ୍ତି । ତାଲାବନ୍ଦ କଟକଣା ଉଠିବା ପର୍ଯ୍ୟନ୍ତ (ମେ’ ୩ ତାରିଖ ପର୍ଯ୍ୟନ୍ତ) ସେମାନେ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ, ତାଲା ବନ୍ଦ କଟକଣା ହଟିବା ପରେ କେନ୍ଦ୍ର ଓ ଅନ୍ୟ ରାଜ୍ୟର ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ଫେରାଇ ଆଣିବା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ଏଥିରେ ଶ୍ରମଜୀବୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦାୟିତ୍ୱବୋଧତା ପ୍ରତିଫଳିତ ହେଉଥିଲେ ମଧ୍ୟ ଏଥିରେ କେତେଦୂର ଆନ୍ତରିକତା ରହିଛି ତାହା ସ୍ପଷ୍ଟ ହଉନି । କାରଣ, ରାଜ୍ୟ ଭିତରେ କଂଟେନମେଂଟ ଅଂଚଳ ଭାବେ ଚିହ୍ନଟ ହୋଇଥିବା ଅଂଚଳରେ ଫସି ରହିଥିବା ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସରକାର ସଫଳ ନୁହନ୍ତି । ଏସବୁ ଅଂଚଳରେ ପ୍ରଶାସନ ବିରୋଧରେ ଅସନ୍ତୋଷ ଦାନା ବାନ୍ଦୁଥିବା ଦେଖିବାକୁ ମିଳୁଛି ।
ରାଜ୍ୟ ଭିତରେ ମାସେ ପାଖାପାଖି ହେଲା ତାଲାବନ୍ଦ ଲାଗୁ ରହିବା ଭିତରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷି ଓ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀ । ଚାଷି ଏକର ଏକର ବିଲରେ ମୁଗ ଫସଲ ଓ କଂଚା ପରିବା ଉତ୍ପାଦନ କରିଥିଲେ ମଧ୍ୟ ପୁଲିସ ମାଡ଼ ଭୟରେ ବେପାରୀ ଚାଷିଙ୍କ ପାଖରେ ପହଂଚୁ ନାହାନ୍ତି ବା ଚାଷି ନିଜେ ବଜାରକୁ ତା’ର ଉତ୍ପାଦନ ବିକି ପାରୁନି । ଫଳରେ, ଫସଲ ବିଲରେ ସଢୁଛି । ଚାଷି ଋଣଗ୍ରସ୍ତ ହେଲାଣି । ଚଳିବାକୁ ମଧ୍ୟ ନଗଦ ଅର୍ଥର ଅଭାବ । ଅନ୍ୟପକ୍ଷରେ, ସରକାର ରାଜ୍ୟ ବହାରୁ ଆସୁଥିବା ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କୁ ଯୋଗାଉଛନ୍ତି । ତାଲାବନ୍ଦ କଟକଣା ଯୋଗୁ ଗ୍ରାମାଂଚଳରେ ତାଟିକବାଟ ପଡିଛି । ଚାଷି ନିଜ ଗାଁ ପାଖଆଖାରେ ମଧ୍ୟ ନିଜର ଝାଳବୁହା ଉତ୍ପାଦନ ବିକି ପାରୁ ନାହିଁ । ଏପ୍ରିଲ ୨୦ରୁ ସର୍ତମୂଳକ ଭାବେ ତାଲାବନ୍ଦ କଟକଣା କୋହଳ ହୋଇଛି । କୃଷି ସଂପର୍କିତ କାର୍ଯ୍ୟ ସହ ମନରେଗାରେ କାର୍ଯ୍ୟ ଆରମ୍ଭ ହେଉଥବା ଘୋଷଣା କରି ସରକାର ଗ୍ରାମାଂଚଳବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି । ତେବେ, ପୁଲିସ ଭୟ ଦୂର ହୋଇ ନାହିଁ । ଲୋକମାନେ ସରକାରଙ୍କୁ ଭରସା କରି ଘରୁ ଗୋଡ କାଢିବେ ନା ଘରେ ସଢିବେ – ତାହା ଦେଖିବାକୁ ବାକି ରହିଛି । ସରକାର ସର୍ତମୂଳକ ଭାବେ କଟକଣା କୋହଳ କରିଥିଲେ ମଧ୍ୟ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀ ପାଇଁ ତାହା ଲାଗୁ ନୁହଁ ବୋଲି ଘୋଷଣା କରିବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଛି । ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଅଂଚଳ ଭାବେ ଚିହ୍ନଟ ହୋଇ ଥିବାରୁ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ରେଡ୍ ଜୋନ୍ରେ ରହିବା ସ୍ୱାଭାବିକ । ତେବେ, କଂଟେନମେଂଟ ଅଂଚଳରେ ରହୁଥିବା ଅଧିବାସୀ ସର୍ବନିମ୍ନ ସୁବିଧା ଓ ସେବା ପାଇବାର ଅଧିକାର ରଖନ୍ତି । ଏହି ଅଧିକାରରୁ ସରକାର ସେମାନଙ୍କୁ ବଂଚିତ କରିବା ଅମାନବିକତା ।
ତେବେ, କୋଭିଡ଼-୧୯ ଓଡ଼ିଶାରେ ପାଦ ଦେବା ଦିନଠାରୁ ରାଜଧାନୀ ବାସିନ୍ଦାଙ୍କ ମୁଣ୍ଡରେ ଚଡକ ପଡିଛି । ବିଶେଷକରି, ‘କଂଟେନମେଂଟ ଏରିଆ’ ବା ସଂକ୍ରମିତ ଅଂଚଳର ଅଧିବାସୀ ଅଧିକ ଦୁଃଖରେ ଅଛନ୍ତି । ରାଜଧାନୀର ପାଂଚଟି ଅଂଚଳକୁ ବିଏମସି ‘କଂଟେନମେଂଟ ଏରିଆ’ ବା ସଂକ୍ରମିତ ଅଂଚଳ ଘୋଷଣା କରି ସିଲ୍ କରିଥିଲା । ସେଥିରୁ ଯଦୁପୁର ଓ ସୁନ୍ଦରପଦା ଅଂଚଳ ଏପ୍ରିଲ ୧୩ ତାରିଖ ମୁକ୍ତ ହୋଇଥିବା ବେଳେ ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗର ପ୍ରଭୃତି ଅଂଚଳ ଏବେ ବି କଂଟେନମେଂଟ କଟକଣା ଭିତରେ ଅଛନ୍ତି । ଏସବୁ ଅଂଚଳରେ ବିଏମସି ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଅଂଡା, ପନିପରିବା, ଦୁଗ୍ଧ, ଫଳମୂଳ ଯୋଗାଇ ଦେଉଛି । କିନ୍ତୁ, ଅଂଚଳବାସୀଙ୍କ ନିକଟରେ ଥିବା ନଗଦ ଅର୍ଥ ସରି ଯିବା ପରେ ଅର୍ଥ ଯୋଗାଡ କରିବାକୁ ଏଟିଏମ୍ ସବିଧା ନାହିଁ । କଂଟେନମେଂଟ ଘୋଷିତ ଅଂଚଳ ଅଧିବାସୀଙ୍କୁ ଅତ୍ୟାବଶ୍ୟକ ଔଷଧ କେମିତି ଠିକ ସମୟରେ ମିଳି ପାରିବ, ତାହାର ମଧ୍ୟ ବ୍ୟବସ୍ଥା ନାହିଁ । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ପରେ ଏସି ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ଉପରେ ଅଂଚଳବାସୀ ନିର୍ଭରଶୀଳ । ସେସବୁ ଖରାପ ହେଲେ ମରାମତି କରିବାକୁ କେହି ଆସୁ ନାହାନ୍ତି । କାହା ସହିତ ଯୋଗାଯୋଗ କରିବାକୁ ପଡିବ, ତାହା ବିଏମସି ଜଣାଇ ନାହିଁ । ଏଭଳି ପରିସ୍ଥିତିରେ ପୁଲିସ କଂଟ୍ରୋଲ ରୁମକୁ ଏକମାତ୍ର ଯୋଗାଯୋଗ ମାଧ୍ୟମ ଥିବା ବେଳେ ଫୋନ୍ କଲେ ଉତ୍ତର ମିଳୁଛି – ଆପଣ ‘କଂଟେନମେଂଟ୍ ଏରିଆ’ରେ ରହୁଛନ୍ତି ତ ଆଡଜଷ୍ଟ୍ କରନ୍ତୁ – ଆମେ ବି ଆଡଜଷ୍ଟ୍ କରୁଛୁ’ । ଏପ୍ରିଲ ୧୯ ତାରିଖ ସୁଦ୍ଧା ରାଜଧାନୀରୁ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୮ ଜଣ ହେଉଛନ୍ତି ବମିଖାଲ ଜୟଦୁର୍ଗା ନଗର ଅଂଚଳର । ତେଣୁ, ବମିଖାଲ ରାଜଧାନୀର ବଡ଼ ହଟସ୍ପଟ୍ ଭାବେ ଜଣାଶୁଣା । ଏହି ଅଂଚଳରୁ ଗୋଟିଏ ଦିନରେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ବିଏମସି, ପୁଲିସ ଓ ସାଧାରଣ ପ୍ରଶାସନ ପାଇଁ ଅଂଚଳକୁ ଅସ୍ପୃଶ୍ୟ କରିଦେଇଛନ୍ତି । ଜୟଦୁର୍ଗା ନଗରର ସବୁ ପ୍ରବେଶ ପଥ ୧୦ ଦିନରୁ ଅଧିକ ହେଲା ସିଲ୍ ହୋଇ ରହିଛି । ଅଂଚଳବାସୀ ଘରୁ ଗୋଡ କାଢିବାକୁ ମନା । ପ୍ରଥମେ ପ୍ରଥମେ ଅଡୁଆ ଲାଗୁ ଥିଲା । ଏବେ ଦେହସୁହା ହେଲାଣି । ଅଂଚଳବାସୀ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଡ଼ରିମରି ଘରୁ ଗୋଡ କାଢୁଛନ୍ତି । ମୁଖ୍ୟ ରାସ୍ତକୁ ଯିବାର ସମସ୍ତ ପଥ ସିଲ୍ । ତେଣୁ, ଗଳା ରାସ୍ତା ଦେଇ କିଛି କିଛି ବେପାର ଚାଲୁଛି । ଅଂଚଳବାସୀ ନିକଟରେ କିଛି କିଛି ଅତ୍ୟାବଶ୍ୟକ ସେବା ପହଂଚୁଛି । ସକାଳ ବେଳା ବିଏମସିର ସ୍ୱତନ୍ତ୍ର ଗାଡି ଅଂଡା, ପନିପରିବା, ଦୁଗ୍ଧ, ଫଳମୂଳ ଧରି ଆସୁଛି । ମାଛ, ମାଂସ କାଁ ଭାଁ ମିଳୁଛି ଗଳା ବାଟ ଦେଇ । ସନ୍ଧ୍ୟା ନଇଁଲେ ଅଂଚଳରେ କର୍ଫ୍ୟୁ ଲାଗି ଯାଉଛି । ରାସ୍ତାଘାଟ ଅନ୍ଧାର, ଆଉ ଶୂନଶାନ ।
କ୍ଷୁଦ୍ର ବ୍ୟବସାୟୀମାନେ ପ୍ରଶାସନିକ କଟକଣା ସତ୍ୱେ ଯାହା କିଛି ଗ୍ରୋସରୀ ଓ ଅନ୍ୟାନ୍ୟ ସମାଗ୍ରୀ ଗଳାବାଟ ଦେଇ ଯୋଗାଡ କରୁଛନ୍ତି ତାହା ଅଂଚଳ ବାସିନ୍ଦାଙ୍କ ପାଇଁ ଯଥେଷ୍ଟ ନୁହଁ । ଦରଦାମ ଉଚ୍ଚା ରହୁଛି । ଅଂଚଳ ବାସିନ୍ଦା ବୁଝୁଛନ୍ତି – ଆଜିର ପରିସ୍ଥିତି ସଂଗୀନ୍ । ତେଣୁ, ଚଢା ଦରକୁ ନେଇ କାହାରି ଆପତ୍ତି ରହୁନି । ଯଦି କେହି ପ୍ରଶ୍ନ କରୁଛି, ଉତ୍ତର ମିଳୁଛି – ‘ବାହାରେ ଜିନିଷ ମିଳୁନି ଆଜ୍ଞା, ଯାହା ବି ମିଳୁଛି ଦର ଟିକେ ଉଚ୍ଚା ରହୁଛି’ । ତେବେ, ସମସ୍ୟା ହୋଇଛି ଔଷଧ ଓ ଅତ୍ୟାବଶ୍ୟକ ସେବା । ଜରୁରୀ ଔଷଧ ସଂଗ୍ରହ ପାଇଁ ପୁଲିସ କଂଟ୍ରୋଲରୁମ୍ କୁ ଯୋଗଯୋଗ କଲେ ଯେଉଁ ମୋବାଇଲ ନମ୍ବର ମିଳୁଛି, ତାହା କଂଟେନମେଂଟ ଅଂଚଳ ବାହାରର । ଅତି ଜରୁରୀ ଔଷଧ ମଧ୍ୟ ତୁରନ୍ତ ମିଳି ପାରୁ ନାହିଁ । ତିନି ଚାରି ଦିନ ଅପେକ୍ଷା କଲେ ମଧ୍ୟ ଦୋକାନୀ ଔଷଧ ଯୋଗାଇ ପାରୁ ନାହାନ୍ତି । ଯୋଗଯୋଗ କଲେ ଉତ୍ତର ଦେଉଛନ୍ତି, ‘ବିଏମସି ଆମକୁ ଦାୟିତ୍ୱ ଦେଇ ଥିବାରୁ ଆମେ ରାତି ଦିନ ଖଟୁଛୁ । ବାହାରେ ଔଷଧ ଷ୍ଟକ୍ ନାହିଁ – ଆମେ କଣ କରିବୁ’? ସରକାର କହୁଛନ୍ତି, ଦୁଆର ମୁହଁରେ ସବୁ ସେବା ଯୋଗାଇ ଦିଆଯାଉଛି । ତେବେ, ବାସ୍ତବତା କଣ, ତାହା ଅଂଚଳ ବାସିନ୍ଦା ହିଁ ଜାଣୁଛନ୍ତି ।
ରବିବାର ସକାଳେ ଏକ ଅସ୍ଥାୟୀ ଏଟିଏମ ଭ୍ୟାନ୍ ଅଂଚଳରେ ପହଂଚି ଥିବା ଦେଖି ନଗଦ ପାଇଁ ଡହଳବିକଳ ହେଉଥିବା ଲୋକମାନେ ଧାଇଁ ଥିଲେ ସେହି ଗାଡି ନିକଟକୁ । ମେସିନରେ କାର୍ଡ ପୁରାଇଲେ ସିନା ନଗଦ ଅର୍ଥ ବାହାରିଲା ନାହିଁ । ଏଟିଏମ ଭ୍ୟାନ ସହ ଆସିଥିବା ବ୍ୟକ୍ତି ଜଣକ କହିଲେ – ‘ଆପଣଙ୍କ ଏସବିଆଇ କାର୍ଡ କି ? କଣ ହେଉଛି କେଜାଣି ମେସିନ୍ ଏସବିଆଇ (ଭାରତୀୟ ଷ୍ଟେଟ ବ୍ୟାଙ୍କ୍) କାର୍ଡକୁ ରେସପଂଡ କରୁନି ।’ ତେବେ, ଅନ୍ୟ ବ୍ୟାଂକର କାର୍ଡ ଧରି ଥିବା ଲୋକମାନେ ମଧ୍ୟ ନିରାଶ ହୋଇ ଫେରିଲେ । ପକେଟରୁ ନଗଦ ଅର୍ଥ ସରିଲାଣି । ଅତ୍ୟାବଶ୍ୟକ ଔଷଧ ମିଳୁନି । ଏସି, ଫ୍ୟାନ୍ ବା ଅନ୍ୟ ବିଦ୍ୟୁତ ଉପକରଣ ପୋଡି ଗଲେ ମରାମତି ପାଇଁ କାହାକୁ ଡାକିବ, କେହି ଜାଣନ୍ତି ନାହିଁ । ପୁଲିସ ବିଭାଗ କଂଟ୍ରୋଲରୁମ୍ ମଧ୍ୟ ଅସହାୟ । ଏଭଳି ଏକ ବିଚିତ୍ର ପରିସ୍ଥିତିରେ କଂଟେନମେଂଟ ଅଂଚଳବାସୀ ଦିନ କାଟୁଛନ୍ତି ।
ରବିବାର ବାଲେଶ୍ୱର ଜିଲ୍ଲାର ନିଳିଆବାଗରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଂଚି ଥିଲା । ସୋମବାର ଆଉ ୭ ଜଣ (ବାଲେଶ୍ୱରରୁ ଦୁଇ ଓ ଭଦ୍ରକରୁ ୫) ଏଥିରେ ଯୋଡି ହୋଇ ସଂଖ୍ୟାକୁ ୬୮କୁ ବଢାଇଛନ୍ତି । ରାଜ୍ୟରେ ୨୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାରୁ ସରକାର ଆଶ୍ୱସ୍ତ ଥିଲେ । ବମିଖାଲ ଅଂଚଳର ୧୮ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ସତ୍ୟ ନଗରର ୪ ଜଣଙ୍କ ମଧ୍ୟରୁ ୨ ଜଣ, ସୂର୍ଯ୍ୟ ନଗରର ୮ ଜଣଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଜିମ୍ଖାନା ପାମହାଇଟ୍ ର ଏକମାତ୍ର ରୋଗୀ ସମେତ ୟୁନିଟ-୫ର ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ, ଝାରପଡାର ୫ ଜଣ, ସହିଦନଗରର ଜଣେ, ୟୁନିଟ-୪ ମଧୁସୂଦନ ନଗର ଅଂଚଳର ୩ ଜଣ, ସତ୍ୟ ନଗରର ୨ ଜଣ, ୟୁନିଟ-୫ର ଜଣେ, ସୂର୍ଯ୍ୟ ନଗରର ୩ ଜଣ ଆକ୍ଟିଭ କରୋନା ପଜେଟିଭ୍ ତାଲିକାରେ ଅଛନ୍ତି । କପିଳ ପ୍ରସାଦ, ବିଜେବି ନଗର, ବଡଗଡ ଗାଁର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହେବା ପରେ ବିଏମସି ସେସବୁ ଅଂଚଳରୁ କଂଟେନମେଂଟ୍ ଅବରୋଧ ହଟାଇ ଦେଇଛି । ତେବେ, ବମିଖାଲରୁ କଂଟେନମେଂଟ ଅବରୋଧ ଉଠିବା ଭଳି ଜଣାପଡୁନାହିଁ । ଏଭଳି ଏକ ଅନିଶ୍ଚୟତା ଭିତରେ ରହିଥିବା ଅଂଚଳବାସୀଙ୍କୁ ଏଟିଏମ, ଔଷଧ ଏବଂ ବିଦ୍ୟୁତ ଉପକରଣ ମହାମତି ଭଳି ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ଦାୟିତ୍ୱକୁ ସରକାର ଭୁଲିଯିବା ଉଚିତ ନୁହେଁ । ଜନସାଧାରଣରେ ଏଭଳି ମତପ୍ରକାଶ ପାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS