ସୀମାନ୍ତର ଗଳା ବାଟ ଓଡ଼ିଶାରେ କରୋନା ବୃଦ୍ଧିର ପ୍ରମୁଖ କାରଣ !
ପ୍ରସାଦ ରାଓ
ଏପ୍ରିଲ ୨୧
ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୮, ୬୦୧କୁ ବୃଦ୍ଧି ପାଇଛି । ଦେଶରେ ୫୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରେ ପହଂଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୮ ରହିଛି । ୧୫୫ଟି ନୂଆ ପଜେଟିଭ୍ କେସ୍ ସାମନାକୁ ଆସିଥିବା ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ କମିଛି ଏବଂ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୩.୫ ଦିନରେ ଦୁଇ ଗୁଣ ହେଉଥିବା ବେଳେ ଏବେ ୭.୫ ଦିନରେ ଦ୍ୱିଗୁଣିତ ହେଉଛି ।
ଓଡ଼ିଶାରେ ମଙ୍ଗଳବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ‘ଏକ’ରେ ସ୍ଥିର ରହିଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ୫ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେବା ପରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରି ଥିବା ଲୋକଙ୍କ ସଂଖ୍ୟା ୨୯ରେ ପହଂଚିଛି । ରାଜ୍ୟର ବିଭିନ୍ନ କୋଭିଡ଼ ହସପିଟାଲରେ ଆଜି ଅପରାହ୍ନ ସୁଦ୍ଧା ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ରହିଛି । ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଜିଲ୍ଲା ଦେଶର ରେଡ୍ ଜୋନ୍ ରେ ରହିଛି । ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ରାଜଧାନୀ ଭୁବନେଶ୍ୱର ସହରର । ଏପ୍ରିଲ ୨୧ ସୁଦ୍ଧା ଭୁବନେଶ୍ୱରରୁ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ଗତକାଲି ୧୮ଟି ନୂଆ କେସ୍ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଏପଅିଲ ୩ ଓ ୫ ତାରିଖ ପରେ ଏହା ହେଉଛି ଗୋଟିଏ ଦିନରେ ସବୁଠୁ ବଡ଼ ସଂଖ୍ୟା । କାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର । ଗତ ଦୁଇ ମାସ ମଧ୍ୟରେ ଓଡ଼ିଶା-ପଶ୍ଚିମ ବଂଗ ସୀମାନ୍ତର ଗଳା ବାଟ ଦେଇ ହଜାର ହଜାର ଲୋକ କଲିକତାରୁ ଓଡ଼ିଶାକୁ ଚାଲି ଆସିବା ଦ୍ୱାରା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ହଠାତ୍ କରୋନା ହଟସ୍ପଟ୍ ହୋଇଛି । ସୀମାନ୍ତ ଜିଲ୍ଲାଗୁଡିକରେ ହଠାତ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ପଛରେ କଲିକତା ଲିଂକ୍ ରହି ଥିବା ସଂପୃକ୍ତ ଜିଲ୍ଲା ପ୍ରଶାସନମାନେ ସ୍ୱୀକାର କରିଛନ୍ତି । ପଡୋଶୀ ରାଜ୍ୟରୁ ଅନୁପ୍ରବେଶ ବଢିଲେ କରୋନା ସଂକ୍ରମଣ ବଢିବ ଏବଂ ରାଜ୍ୟର ସ୍ଥିତି ବିଗିଡ଼ିବ – ଏହି ଆଶଙ୍କାରେ ରାଜ୍ୟ ସରକାର ପଡୋଶୀ ରାଜ୍ୟଙ୍କ ସହ ଓଡ଼ିଶାର ସୀମାଗୁଡ଼ିକୁ ସିଲ୍ କରିଥିଲେ । ସୀମାନ୍ତରେ ମଧ୍ୟ ସଶସ୍ତ୍ର ପୁଲିସ ମୁତୟନ ଅଛନ୍ତି । ଗତ ମାର୍ଚ୍ଚ ୨୧ ପରଠାରୁ ‘ତାଲାବନ୍ଦ’, ସଟ୍ ଡାଉନ୍ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାରେ ରାଜ୍ୟ ସରକାର ପଛାଇ ନାହାନ୍ତି । ଏହାସତ୍ୱେ ସୀମାନ୍ତ ଦେଇ ଅନୁପ୍ରବେଶ ରୋକାଯିବା ସମ୍ଭବ ହୋଇ ନାହିଁ । ତେଣୁ, ଓଡ଼ିଶା-ପଶ୍ଚିମ ବଂଗ ସୀମାନ୍ତ ଓଡ଼ିଶା ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲି ସୀମାନ୍ତବର୍ତୀ ଜିଲ୍ଲାରୁ ୧୮ଟି ନୂଆ କେସ୍ ସାମନାକୁ ଆସିବା ଏବଂ ଅଧିକାଂଶ କେସ୍ ର କଲିକତା ଲିଂକ୍ ରହିବା ରାଜ୍ୟ ସରକାରଙ୍କ ଅସହାୟତାକୁ ସ୍ପଷ୍ଟ କରିଛି । ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଜି ଓଡ଼ିଶା-ପଶ୍ଚିମ ବଂଗ ସୀମାନ୍ତ ଗସ୍ତ କରି ତାଜା ସ୍ଥିତି ଅନୁଧ୍ୟନ କରିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଅନ୍ୟୁନ ୯୦ଟି ଗଳାବାଟ ଥିବା ଏବଂ ସେହି ଗଳାବାଟ ଦେଇ ଉଭୟ ଓଡ଼ିଶା ଓ ପଶ୍ଚିମ ବଂଗ ଅଂଚଳର ଲୋକମାନେ ଓଡ଼ିଶାକୁ ପଶି ଆସୁଥିବା ଚର୍ଚ୍ଚାର ବିଷୟ ହୋଇଛି ।
ଗତକାଲି ସୀମାବର୍ତୀ ଜିଲ୍ଲାରୁ ଯେଉଁ ୧୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ ଦୁଇ ବର୍ଷର ବାଳିକା ଅନ୍ତର୍ଭୁକ୍ତ । ବଲେଶ୍ୱର ଜିଲ୍ଲାର ଜଣେ ୩୨ ବର୍ଷ ବୟସ୍କ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ୨ ବର୍ଷର ବାଳିକା ବାରମ୍ବାର ଜ୍ୱରରେ ପଡିବାରୁ ତାଙ୍କ ପରିବାର ଡ଼ାକ୍ତରଖାନାକୁ ନେଇ ରକ୍ତ ନମୁନା ପରୀକ୍ଷା କରାଇ ଥିଲେ । ପରୀକ୍ଷାରୁ ନାବାଳିକା ଜଣକ କରୋନା ପଜେଟିଭ ଥିବା ସୂଚନା ମିଳିଛି । ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଅଂଚଳର ଦୁଇ ଜଣ କମ୍ ବୟସର ବାଳିକା କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହି ନାବାଳିକା ଦ୍ୱୟ କରୋନାରେ ମୃତ୍ୟୁବରଣ କରିଥିବା ୭୨ବର୍ଷ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଥିଲେ । କଂଟାକ୍ଟ ଟ୍ରେସିଂରେ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା । ତେବେ, ନୀଳଗିରିରୁ ଚିହ୍ନଟ ହୋଇଥିବା ୨ ବର୍ଷର ବାଳିକାଙ୍କ କ୍ଷେତ୍ରରେ ସେଭଳି କିଛି ନଥିଲା । ତାଙ୍କ ପରିବାରର କୌଣସି ଟ୍ରାଭେଲ ହିଷ୍ଟ୍ରୀ ମଧ୍ୟ ନାହିଁ । ତଥାପି, ଛୋଟ ଝିଅଟି କେିତି ସଂକ୍ରମିତ ହେଲା, ତାହା ପ୍ରଶ୍ନବାଚୀ ହୋଇଛି । ଏ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଚାଲିଛି । ବାଲେଶ୍ୱର ଜିଲ୍ଲାର ଜଣେ ୩୨ ବର୍ଷର ଜିଆରପି କନେଷ୍ଟବଳ କରୋନା ଆକ୍ରାନ୍ତ ଥିବା କାଲି ସୂଚନା ମିଳି ଥିଲା । ଏହାଛଡା, ଭଦ୍ରକର ୫ଟି ନୂଆ କରୋନା ପଜେଟିଭ କେସ୍ କାଲି ସାମନାକୁ ଆସି ଥିଲା । ଆକ୍ରାନ୍ତଙ୍କ କଲିକତା ଲିଂକ୍ ଥିବା ଏବଂ ଯାଜପୁର ଅଂଚଳର ୬ ଜଣ ସେମାନଙ୍କ ସହ କଲିକତାରୁ ଫେରି ଥିବା ସୂଚନା ମିଳିବା ପରେ ପ୍ରଶାସନ ଚିନ୍ତାରେ ପଡିଥିଲେ । ସନ୍ଧ୍ୟାରେ ବଳକା କରୋନା ସଂକ୍ରମଣ କେସ୍ ସାମନାକୁ ଆସିଛି । ସେସବୁ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । କାଲି ସୁଦ୍ଧା ଓଡ଼ିଶାରେ ଭରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ୍ ରହିଥିବା ବେଳେ ଏବେ ବାଲେଶ୍ୱର ଓ ଯାଜପୁର ଜିଲ୍ଲା ସେହି ସ୍ଥାନ ନେଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୭୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ହେଉଛନ୍ତି ଭୁବନେଶ୍ୱରର । ଏପ୍ରିଲ ୨୦ ତାରିଖ ସୁଦ୍ଧା ବାଲେଶ୍ୱର ଓ ଭଦ୍ରକରୁ ୮ ଜଣ ଲେଖାଏଁ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡା ଓ କଳାହାଣ୍ଡି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଏବଂ କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଗତ ଏପ୍ରିଲ ୩ ତାରିଖରେ ୧୫ଟି ଓ ଏପ୍ରିଲ ୫ ତାରିଖରେ ୧୮ଟି କରୋନା ପଜେଟିଭ୍ କେସ୍ ଗୋଟିଏ ଦିନରେ ଚିହ୍ନଟ ହେବା ଦ୍ୱାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଅଧିକାଂଶ ପଜେଟିଭ୍ କେସ୍ ଥିଲା ଭୁବନେଶ୍ୱର ସହରର । ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜେଟିଭ୍ କେସ୍ ଆସିବାରେ ଖୋର୍ଦ୍ଧା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲା ରେକର୍ଡ କରି ନଥିଲେ । ଏବେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସେହି ରେକର୍ଡ ସହ ସମକକ୍ଷ ହୋଇଛନ୍ତି । କାଲି ଗୋଟିଏ ଦିନରେ ଏହି ଜିଲ୍ଲାଗୁଡ଼ିକରୁ ୧୮ଟି ନୂଆ ପଜେଟିଭ୍ କେସ୍ ଆସିଛି ଯେଉଁଥିରୁ ୧୦ଟିରେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ କଲିକତା ରହିଛି । କଲାକତା ଳିଂକ୍ରେ କାଲି ଏତେ ସଂଖ୍ୟକ କେସ୍ ସାମନାକୁ ଆସିବା ପରେ ରାଜ୍ୟ ସରକାର ହଡବଡେଇ ଯାଇଛନ୍ତି । ଆଜି ଏହି ଦୁଇ ଜିଲ୍ଲାକୁ ରାପିଡ଼ ରେସ୍ପନ୍ସ୍ ଟିମ୍ ପଠାଯାଇଛି । ଏହାଛଡା, ଗଲା ୨୮ ଦିନ ମଧ୍ୟରେ ଯେଉଁମାନେ ପଶ୍ଚିମ ବଂଗରୁ ଫେରିଛନ୍ତି ସେମାନେ ନିଜ ଘରେ କ୍ୱାରେଂଟାଇନ ବା ସଂଗରୋଧରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରୁ ଚିହ୍ନଟ ହୋଇଥିବା ୭୯ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କ ପଶ୍ଚିମ ବଂଗ ଲିଂକ୍ ରହିଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କାଲି ସୂଚନା ଦେଇଥିଲେ ।
ପଶ୍ଚିମ ବଂଗରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁ ଥିବାରୁ ଏବଂ ସୋମବାର ଦିନ କଲିକତାରେ ୫୪ଟି ନୂଆ କରୋନା କେସ୍ ଚିହ୍ନଟ ହୋଇଥିବାରୁ ଓଡ଼ିଶା ସରକାରଙ୍କ ଚିନ୍ତା ବଢିଛି । ଦୁଇ ରାଜ୍ୟର ସୀମାନ୍ତ ସୀଲ୍ ରହିଥିବା ସତ୍ୱେ ପଶ୍ଚିମ ବଂଗର ମିଦିନାପୁର ଓ କଲିକତାରୁ ବହୁ ସଂଖ୍ୟାରେ ଲୋକ ବିଭିନ୍ନ ଗଳାବାଟ ଦେଇ ଲୁଚିଛପି ଗାଁ ଗହଳରେ ପହଂଚୁଛନ୍ତି । ଦୁଇ ମାସ ହେଲା ଏଭଳି ଅନୁପ୍ରବେଶ ଚାଲିଛି ବୋଲି କୁହାଯାଉଛି । ବିଭିନ୍ନ ଘରୋଇ ଯାନ; ବିଶେଷକରି, କାର୍, ଅଟୋ, ଟ୍ରକ୍, ଅମ୍ବୁଲାନ୍ସରେ ଗଳାବାଟ ଦେଇ ଓଡ଼ିଶାକୁ ଅନୁପ୍ରବେଶ ଚାଲିଛି । ରାଜ୍ୟ ପୁଲିସ ଓ ସାଧାରଣ ପ୍ରଶାସନ ସୀମା ସିଲ୍ କରି ଏହି ଅନୁପ୍ରବେଶ ରୋକିବାର ସମସ୍ତ ପ୍ରୟାସ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି ବୋଲି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ରାଜ୍ୟର ୩୮ଟି ଗ୍ରାମ ଓଡ଼ିଶା-ପଶ୍ଚିମ ବଂଗ ସୀମାନ୍ତରେ ରହିଛି । ସେଥିରୁ ୩୫ଟି ଗ୍ରାମ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ୩ଟି ହେଉଛି ମୟୁରଭଂଜ ଜିଲ୍ଲାର । ମିଦନାପୁର ଜିଲ୍ଲାର ବହୁ ସନ୍ଦଗ୍ଧ ଆକ୍ରାନ୍ତ ସେଠାକାର ହସପିଟାଲକୁ ନ ଯାଇ ଭୁବନେଶ୍ୱରର ଏଆଇଏମଏମଏସ (ଏମ୍ସ) ଓ କଟକର ଏସସିବି ମେଡ଼ିକାଲ କଲେଜ ହସପିଟାଲକୁ ଚାଲି ଆସିବା ଦ୍ୱାରା ଓଡ଼ିଶାରେ ସଂକ୍ରମଣ ବଢୁଥିବା କୁହାଯାଉଛି । ବର୍ତମାନ ରାଜ୍ୟ ସରକାରଙ୍କ ରାପିଡ ରେସ୍ପନ୍ସ ଟିମ୍ ଏହାର ମୁକାବିଲା କରିବାରେ କେତେଦୂର ସକ୍ଷମ ହେବେ, ତାହା ବଡ଼ ପ୍ରଶ୍ନ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS