କରୋନା ମୁକାବିଲାରେ ଓଡ଼ିଶା ଅଗ୍ରଣୀ, ମୁଖ୍ୟମନ୍ତ୍ରୀ ପ୍ରଶଂସାର ପାତ୍ର
ପ୍ରସାଦ ରାଓ
ଏପ୍ରିଲ ୨୩
ନୂଆଦିଲ୍ଲୀ: ଦେଶରେ ଚାଲିଥିବା କରୋନା ବିରୋଧୀ ଯୁଦ୍ଧରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନୁହେଁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି । ଗୁରୁବାର ସକାଳ ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧,୩୯୩କୁ ବୃଦ୍ଧି ପାଇ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮୧ ରହିଛି । ଦେଶରେ ୧୪୦୯ଟି ନୂଆ କେସ୍ ସାମନାକୁ ଆସିଥିବା ବେଳେ ୪୨୫୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ସେହିଭଳି, ଓଡ଼ିଶାରେ ଗୁରୁବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ‘ଏକ’ରେ ହିଁ ସ୍ଥିର ରହିଛି । ତେବେ, ଆଜି ଭୁବନେଶ୍ୱରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୩ ହୋଇଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଗଲା ଏକ ମାସ ମଧ୍ୟରେ କରୋନା ସଂକ୍ରମଣକୁ ଦୁଇ ଅଂକ ମଧ୍ୟରେ ସୀମିତ ରଖାଯିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା କାର୍ଯ୍ୟ କରିଛି । ଏହା କେବଳ କେନ୍ଦ୍ର ବା ଅନ୍ୟ ରାଜ୍ୟ ନୁହନ୍ତି, ଜାତୀୟ ଗଣମାଧ୍ୟମମାନେ ମଧ୍ୟ ସ୍ୱୀକାର କରୁଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣକୁ ସୀମିତ କରିବା ପାଇଁ ଓଡ଼ିଶା ସରକାର ପ୍ରଥମେ (ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ) ତାଲାବନ୍ଦ ଘୋଷଣା କରିଥିଲେ । ସାମାଜିକ ଦୂରତ୍ୱ ବଜାୟ ରଖିବା ମାଧ୍ୟମରେ ହିଁ ଏହି ଭୟଂକର ଭାଇରସ୍ ର ମୁକାବିଲା କରାଯାଇ ପାରିବ ବୋଲି ଓଡ଼ିଶା ସରକାରଙ୍କ ଚିନ୍ତନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରି ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରୀରୁ ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଥିଲେ, ଯାହାର ଅବଧି ଏପ୍ରିଲ ୧୪ରେ ସରିଛି ଏବଂ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଏପ୍ରିଲ ୧୫ ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧିରେ ରାଜ୍ୟରେ କୃଷି, ସମବାୟ, ମତ୍ସ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣ ଏବଂ ଗ୍ରମାଂଚଳରେ ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ କେନ୍ଦ୍ର ସରକାର ତାହାର ଅନୁସରଣ କରି ଏସଓପି ଜାରି କରିଛନ୍ତି । ଦ୍ୱିତୀୟ ଦଫା ତାଲାବନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଘୋଷଣା କରିଥିଲେ । ଏହାର ଅବଧି ମେ’ ୧ ତାରିଖ ପର୍ଯ୍ୟନ୍ତ ଥିଲେ । ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୧୫ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ ଘୋଷଣା କରି ଓଡ଼ିଶାର ଅନୁସରଣ କଲେ ।
ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ତାଲାବନ୍ଦ ସମୟରେ ଆଇନ ଖିଲାପକାରୀଙ୍କ ହୁଗୁଳାପଣ ଦେଖିବାକୁ ମିଳିଛି । ତେଣୁ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେବା ସହ ଯେଉଁ ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ସେହି ଅଂଚଳକୁ ତୁରନ୍ତ ‘ସଂକ୍ରମିତ ଅଂଚଳ’ ବା ‘କଂଟେନମେଂଟ୍ ଏରିଆ’ ଘୋଷଣା କରି ସିଲ୍ କରିବା ସହ ଘରେ ରହିବାକୁ ଲୋକଂକୁ ପରାମର୍ଶ ଦେଇଥିଲେ ଏବଂ ଘର ଦୁଆର ମୁହଁରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇ ଥିଲେ । ଫଳରେ, ଜନସଚେତନତା ଜାଗ୍ରତ ହେବା ସହ କରୋନା ସଂକ୍ରମଣକୁ ବହୁମାତ୍ରାରେ ରୋକାଯାଇ ପାରିଛି । ଦିଲ୍ଲୀର ନିଜାମୁଦ୍ଦିମ ମରକଜ୍ (ଧର୍ମସଭା)ରୁ ଫେରନ୍ତା ଲୋକମାନେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ କରୋନା ସଂକ୍ରମଣକୁ ବଢାଇ ଦେଇଥିବା ବେଳେ ଏବେ କଲିକତା ସୀମାନ୍ତରେ ବଂଗୀୟ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଓଡ଼ିଶାକୁ ବିପଦ ମୁହାଁ କରିଛି । ନିକଟରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରୁ ଚିହ୍ନଟ କରୋନା ସଂକ୍ରମିତମାନେ କଲିକତାରୁ ସଂକ୍ରମଣ ଧରି ଫେରିଥିବା କୁହାଯାଉଛି । ଏହି ସୀମାନ୍ତରେ କଡ଼ା ଜଗୁଆଳି ବ୍ୟବସ୍ଥା ଥିବା ସତ୍ୱେ ଗଳାବାଟ ଦେଇ ପଶ୍ଚିମ ବଂଗର କଲିକତା, ମିଦିନାପୁର ଓ ଅନ୍ୟ ସୀମାନ୍ତ ଗ୍ରାମରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାରେ ଅନୁପ୍ରବେଶ କରିଛନ୍ତି ଏବଂ ସେମାନେ ଓଡ଼ିଶାରେ ନୂଆ କୋଭିଡ଼-୧୯ କେସ୍ ସାମନାକୁ ଆସିବାର କାରକ ସାଜିଛନ୍ତି । ସରକାର ଏବେ ଏହି ସୀମାନ୍ତ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ସିଲ୍ କରିଛନ୍ତି ଏବଂ କଲିକତା ସହର ସମେତ ପଶ୍ଚିମ ବଂଗର ବିଭିନ୍ନ ଗ୍ରାମାଂଚଳରୁ ଯେଉଁମାନେ ଓଡ଼ିଶାରେ ଅନୁପ୍ରବେଶ କରିଛନ୍ତି ବା ବା ଯେଉଁ ଓଡ଼ିଆ କଲିକତାରୁ ଏବେ ଫେରିଛନ୍ତି ସେମାନେ ତୁରନ୍ତ ନିଜ ନିଜ ନାମ ପଂଜୀବରଣ କରାଇ ନେବା ସହ ନିଜ ନିଜ ଘରେ ସଂଗରୋଧରେ ରହିବାକୁ ଏବଂ ରୋଗର ଲକ୍ଷ୍ୟଣ ଦେଖା ଦେଲେ ତୁରନ୍ତ ମେଡ଼ିକାଲରେ ପହଂଚିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏହାର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ହେବାର ଚେତାବନୀ ମଧ୍ୟ ଦିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣକୁ ସୀମିତ କରିବା ପାଇଁ ଓଡ଼ିଶା ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେଥିରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଗତ ଏକ ମାସ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କରୋନା ରୋଗୀଙ୍କୁ ଚିହ୍ନଟ ଓ ଚିକିତ୍ସା ପାଇଁ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା । ରାଜ୍ୟା ମୁଖ୍ୟ ସହର ସମେତ ଜିଲ୍ଲା ମୁଖ୍ୟାଳୟରେ ସ୍ୱତନ୍ତ୍ର କୋଭିଡ୍ ହସପିଟାଲମାନେ ପ୍ରତିଷ୍ଠା କରାଯାଇ ଚିକିତ୍ସାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ସନ୍ଦିଗ୍ଧ କୋଭିଡ୍ ସଂକ୍ରମିତଙ୍କ ନମୁନା ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଚିହ୍ନଟ ହେଉଥିବା ରୋଗୀଙ୍କୁ ତୁରନ୍ତ ୧୪ ଦିନିଆ ସଂଗରୋଧରେ ରଖାଯିବା ସହ ପଜେଟିଭ୍ ବାହାରିଲେ ଚିକିତ୍ସା ସୁବିଧା ମଧ୍ୟ କରାଯାଇଛି । ସରକାର ଡ଼ାକ୍ତର ଓ ଚିକିତ୍ସା ସହ ସଂପୃକ୍ତ ସ୍ୱାସ୍ଥ୍ୟ କର୍ମୀ ଓ ସହଯୋଗୀଙ୍କୁ ରହଣୀ, ଖାଦ୍ୟପେୟର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ସେହିଭଳି, କରୋନା ଆକ୍ରାନ୍ତଙ୍କ ସଂଗରୋଧ ସମୟର ରହଣୀ, ଖାଦ୍ୟପେୟ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି । ଏବେ, ଏସବୁ ସୁବିଧା ପଂଚାୟତରେ ପହଂଚିଛି । ରାଜ୍ୟ ସରକାର ସରପଂଚଙ୍କୁ କରୋନା-ଯୁଦ୍ଧର ସାରଥୀ କରି ସେମାନଙ୍କ କାନ୍ଧରେ ଗ୍ରାମାଂଚଳ ଜନତାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ରାଜ୍ୟ ସରକାର ନିକଟରେ ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ସହ ସେମାନଙ୍କ କରୋନା ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ କରିଛନ୍ତି । ଏଥି ପୂର୍ବରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ କରୋନା ଯୁଦ୍ଧର ଅଗ୍ରଭାଗରେ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସରପଂଚଙ୍କୁୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ଘୋଷଣା କରି ୨୨ ତାରିଖ ରାଜ୍ୟର ୬୭୯୮ ପଂଚାୟତ ସରପଂଚଙ୍କ ସହ ଭିଡ଼ିଓ କନଫରେନ୍ସିଂ କରିଥିଲେ । କୋଭିଡ଼-୧୯ର ମୁକାବିଲାରେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବାକୁ ସେ ସରପଂଚମାନଙ୍କୁ ଶପଥ ପାଠ କରାଇଥିଲେ । ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କୁ ୧୪ ଦିନ ସଂଗରୋଧ (କ୍ୱାରେଂଟାଇନ୍)ରେ ରଖିବା ସହ ସେମାନଙ୍କ ରହିବା, ଖାଇବା, ଚିକିତ୍ସାର ସମସ୍ତ ଦାୟିତ୍ୱ ସରପଂଚମାନେ ତୁଲାଇବେ । ସେମାନେ ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଇଛନ୍ତି । ଆସନ୍ତା ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦର ଅବଧି ସରୁ ଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ମହତ୍ୱ ରଖୁଛି । ୩ ତାରିଖ ପରେ ଦେଶର ବିଭିନ୍ନ ଅଂଚଳରେ ଅସହାୟ ଅବସ୍ଥାରେ ଫସି ରହି ଥିବା ଲକ୍ଷାଧିକ ସଂଖ୍ୟାରେ ଓଡ଼ିଶା ବାସିନ୍ଦା ନିଜ ନିଜ ଭିଟାମାଟିକୁ ଫେରିବେ । ସେମାନେ ଗାଁକୁ ଫେରିଲେ ଯେଭଳି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ ତାହା ଅନୁମାନ କରି ମୁଖ୍ୟମନ୍ତ୍ରୀ ଏହି ଆଗୁଆ ପଦକ୍ଷେପ ନେଇଛନ୍ତି ।
ଗାଁକୁ ଫେରୁଥିବା ଲୋକଙ୍କୁ ସରପଂଚମାନେ ରେଳ ଷ୍ଟେସନ୍ ବା ବସ୍ ରହଣୀ ସ୍ଥାନରେ ଚିହ୍ନଟ କରିବା ସହ ସେମାନଙ୍କ ପଂଜୀକରଣ କରାଇବେ । ସେଠାରୁ ଗାଡିରେ ନିଜ ନିଜ ଗାଁକୁ ନେଇ ୧୪ ଦିନିଆ କ୍ୱାରେଂଟାଇନ ବା ସଂଗରୋଧରେ ରଖିବା ବ୍ୟବସ୍ଥା କରିବେ । ସେମାନଙ୍କ ରକ୍ତ ନମୁନା ପରୀକ୍ଷା ବ୍ୟବସ୍ଥା କରାଇ ଯେଉଁମାନଙ୍କ ପଜେଟିଭ ବାହାରିବ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବେ ଏବଂ ଚିକିତ୍ସା ପରେ ନେଗେଟିଭ୍ ହେଉଥିବା ଲୋକଙ୍କୁ ସେମାନଙ୍କ ଗାଁକୁ ପଠାଇବା ବ୍ୟବସ୍ଥା କରିବେ । ଏଥିସକାଶେ, ସବୁ ପଂଚାୟତରେ ସଂଗରୋଧ କେନ୍ଦ୍ର ଓ କରୋନା ନମୁନା ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଲୋକଙ୍କ ରହିବା, ଖାଇବା ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ନେଗେଟିଭ ହୋଇ ଘରକୁ ଫେରିବା ଲୋକଙ୍କୁ ରାଜ୍ୟ ସରକାର ୨ ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ଦେବେ ବୋଲି ଘୋଷଣା କରିଛନ୍ତି । ଏତେସବୁ ସୁବିଧା ରାଜ୍ୟରେ ସମ୍ଭବ୍ୟ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାରେ ସକ୍ଷମ ହେବ ବୋଲି ସରକାର ଆଶା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ମଧ୍ୟ କେନ୍ଦ୍ର ଓ ଅନ୍ୟ ରାଜ୍ୟର ସରକାରମାନଙ୍କ ପାଇଁ ଉଦାହରଣ ହେବାକୁ ଯାଉଛି।
ବିଭିନ୍ନ ସମୟରେ ରାଜ୍ୟରେ ଦେଖା ଦେଇଥିବା ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ନବୀନ ସରକାର ସଫଳ ହୋଇଛନ୍ତି । ସେଥିରୁ ଯେଉଁ ଅଭିଜ୍ଞତା ମିଳିଛି ତାହା ଏବେ କରୋନା ସହ ମୁକାବିଲାରେ ସହାୟକ ହୋଇଛି ବୋଲି ନିକଟରେ ଏକ ଜାତୀୟ ଗଣମାଧ୍ୟମରେ କୁହାଯାଇଛି । ସଂପୃକ୍ତ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ପଦକ୍ଷେପକୁ ପ୍ରଶଂସା କରିଛି । ନିକଟରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତା ଦେଇ ଦେଶବ୍ୟାପୀ ତାଲାବନ୍ଦ ଯୋଗୁ ଲକ୍ଷାଧିକ ଲୋକ ବିଭିନ୍ନ ଅଂଚଳରେ ଫସି ରହି ଥିବାରୁ ସମବେଦନା ଜଣାଇବା ସହ ଓଡ଼ିଶାରେ ଫସି ରହି ଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ରାଜ୍ୟ ସରକାର ଯତ୍ନ ନେଉଛନ୍ତି, ବାହାର ରାଜ୍ୟକୁ ଯାଇ ତାଲାବନ୍ଦ ଯୋଗୁ ଫସି ରହିଥିବା ଓଡ଼ିଶାର ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ, ରୋଗୀ ଓ ଶ୍ରମିକଙ୍କୁ ତାଲାବନ୍ଦ ଉଠିଲା ପରେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ରାଜ୍ୟକୁ ଫେରାଇ ଅଣିବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହା କାର୍ଯ୍ୟକାରୀ କରିବା ସମୟ ପାଖେଇ ଆସିଲାଣି । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଜି ଯାଏଁ ମୋର୍ଚ୍ଚା ସମ୍ଭାଳୁ ଥିଲେ । ଏବେ, ସରଂପଚମାନେ ଆଗୁଆ ସୈନିକ ହୋଇ କାମ କରିବେ । କେନ୍ଦ୍ର ଓ ଅନ୍ୟ ରାଜ୍ୟମାନେ ମଧ୍ୟ ଖୁବଶୀଘ୍ର ନବୀନଙ୍କ ଏହି ନୂଆ ଫର୍ମୂଲାକୁ ଆପଣାଇବେ, ଏଥିରେ କିଛି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS