ଓଡ଼ିଶାରେ ୫ ନୂଆ କରୋନା ଆକ୍ରାନ୍ତ , ମୋଟ ସଂଖ୍ୟା ୯୪
ଭୁବନେଶ୍ୱର
୨୪ ଏପ୍ରିଲ୍
ମୋଅନୁଭବ.କମ୍
ରାଜ୍ୟରେ ଆଉ ୫ଟି ନୂଆ କରୋନା ସଂକ୍ରମଣ କେସ୍ ଶୁକ୍ରବାର ସାମନାକୁ ଆସିଛି । ସକାଳେ ଗୋଟିଏ କେସ୍ ଭଦ୍ରକରୁ ଆସିଥିବା ବେଳେ ଅପରାହ୍ନରେ ଆଉ ୪ଟି ପଜେଟିଭ୍ କେସ୍ ସେହି ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛି । ସମସ୍ତେ ପଶ୍ଚିମ ବଂଗ ଫେରନ୍ତା । ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧାମନଗର ବ୍ଲକରୁ ଏସବୁ କେସ୍ ଚିହ୍ନଟ ହୋଇଛି । ସମସ୍ତ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ୪୦, ୪୧, ୨୯ ଓ ୨୪ବର୍ଷ । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ତିହିଡ଼ିର ହୋଇଥିବା ବେଳେ ୨ ଜଣ ଧାମନଗର ଅଂଚଳର । ଏହି ୫ ଜଣଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଂଚିଛି । ରାଜ୍ୟରେ କରୋନା ପଜେଟିଭ୍ କେସ୍ ସଂଖ୍ୟା ମଧ୍ୟ ୯୪କୁ ବୃଦ୍ଧି ପାଇଛି। ଆଜିର ୫ଟି ନୂଆ କେସ୍ରେ ସଂପୃକ୍ତ ସମସ୍ତ କରୋନ ପଜେଟିଭ୍ ପଶ୍ଚିମ ବଂଗ ଫେରନ୍ତା ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛନ୍ତି । ଭୁବନେଶ୍ୱର ପରେ ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ କରୋନା ପଜେଟିଭ୍ କେସ୍ ମିଳିଛି । ଭୁବନେଶ୍ୱର ପରେ ପରେ ଏହି ତିନି ଜିଲ୍ଲା ସର୍ବାଧିକÿ କରୋନାସଂକ୍ରମିତ କ୍ଷେତ୍ର ବୋଲି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି । ତିନି ଜିଲ୍ଲାରୁ ୫ ଦିନରେ ୨୮ଟି ନୂଆ କରୋନା ପଜେଟିଭ୍ କେସ୍ ସାମନାକୁ ଆସିବା ପରେ ଗୁରୁବାର (ଏପ୍ରିଲ ୨୩ ତାରିଖ) ରାତି ୧୦ଟାରୁ ତନି ଜିଲ୍ଲାରେ ୬୦ ଘଂଟିଆ ‘ସଟ୍ ଡାଉନ୍’ ଜାରି ହୋଇଛି । ରାଜ୍ୟ ସରକାର ତିନି ଜିଲ୍ଲାକୁ ୨୩ ରାତିରୁ ସଂପୂର୍ଣ୍ଣ ସିଲ୍ କରିଦେଇ କଂଟାକ୍ଟ୍ ଟ୍ରେସିଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ପଡୋଶୀ ପଶ୍ଚିମ ବଂଗରୁ ରାଜ୍ୟକୁ ପାଖାପାଖି ୩ ହଜାର ଲୋକ ବିଭିନ୍ନ ଗଳାବାଟ ଦେଇ ଅନୁପ୍ରବେଶ କରିଥିବା ଓ ସେମାନେ କରୋନା ସଂକ୍ରମଣର ବାହକ ହୋଇଥିବା ସନ୍ଦେହ କରାଯାଉଛି । ରାଜ୍ୟରେ ହଠାତ୍ କରୋନା ରୋଗୀ ସଂଖ୍ୟା ବଢିବାର ଏହା ପ୍ରମୁଖ କାରଣ ବୋଲି ସରକାର ବିଚାର କରୁଛନ୍ତି । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପଶ୍ଚିମ ବଂଗ ସୀମାନ୍ତରେ ରହିଛି । ରାଜ୍ୟରେ ତିନିଟି ପର୍ଯ୍ୟାୟରେ କରୋନା ସଂକ୍ରମଣ ବଢିଛି । ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରନ୍ତାମାନେ କରୋନାର ବାହକ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ରେ ଭାଗ ନେଇ ରାଜ୍ୟକୁ ଫେରିଥିବା ଲୋକମାନେ କରୋନା ସଂକ୍ରମଣର ବାହକ ହେଲେ । ତୃତୀୟ ପର୍ଯ୍ୟାୟରେ ପଶ୍ଚିମ ବଂଗ ସୀମାନ୍ତରେ ଚାଲି ଥିବା ଅନୁପ୍ରବେଶ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ତାଲାବନ୍ଦ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଘରମୁହାଁ ହେବାକୁ ଥିବା ଲକ୍ଷାଧିକ ଓଡ଼ିଆ କରୋନା ସଂକ୍ରମଣର ବାହକ ହେବେ ବୋଲି ରାଜ୍ୟ ସରକାର ଆଶଙ୍କା କରୁଛନ୍ତି । ତେଣୁ, ଗ୍ରାମାଂଚଳ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ଏଥିପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଚେତାଇ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS