ଗଞ୍ଜାମ ସ୍ଥିତି ଅସମ୍ଭାଳ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୦୮
ମାତ୍ର ୪ ଦିନରେ ଗଞ୍ଜାମ ଜିଲ୍ଲା ପରିଣତ ହୋଇଛି ରାଜ୍ୟର କରୋନା ହଟସ୍ପଟ୍ । ମାର୍ଚ୍ଚ ୩ରୁ ସୁରଟ୍ ଫେରନ୍ତା ପ୍ରବାସୀ ଓଡ଼ିଆ ଜିଲ୍ଲାରେ ପାଦ ଦେବା ପରଠାରୁ ବଦଳି ଯାଇଛି ଜିଲ୍ଲାର ଚିତ୍ର । ଗ୍ରୀନ ଜୋନରେ ରହି ଆସିଥିବା ଏହି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୪ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଏବଂ ସୁରଟ ଫେରନ୍ତା । ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଂଚିଛି । ତେବେ, ଜିଲ୍ଲାବାସୀ ଏଥିରେ ଆତଙ୍କିତ ନ ହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡ଼ିଓ ବାର୍ତାରେ କହିଛନ୍ତି । ଚାରି ଦିନ ଭିତରେ ଜିଲ୍ଲାରେ ଯେତେ ସବୁ କରୋନା ପଜେଟିଭ୍ କେସ୍ ବାହାରିଛି ସେସବୁ ସଂଗରୋଧ କେନ୍ଦ୍ରରେ ସୀମିତ । ସଂଗରୋଧ କେନ୍ଦ୍ର ବାହାରୁ ଜଣେ ହେଲେ କରୋନା ରୋଗୀ ଚିହ୍ନଟ ହୋଇ ନ ଥିବାରୁ ଜିଲ୍ଲାରେ ଏଯାବତ୍ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ସେ ଆଶ୍ୱସ୍ତ କରିଛନ୍ତି ।
ଜିଲ୍ଲାବାସୀ ଚିନ୍ତିତ ନ ହୋଇ ସାମଜିକ ଦୂରତା ବଜାୟ ରଖନ୍ତୁ, ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେ ଘର ଭିତରେ ହିଁ ରୁହନ୍ତୁ, ନିୟମିତ ବ୍ୟବଧାନରେ ଭଲ ଭାବେ ହାତ ଧୁଅନ୍ତୁ, ଘରର ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସଂଗରୋଧ କେନ୍ଦ୍ର ଠାରୁ ଦୂରେଇ ରୁହନ୍ତୁ ବୋଲି ଜିଲ୍ଲାପାଳ କୁଲାଙ୍ଗେ ଦେଇଥିବା ଭିଡ଼ିଓ ବାର୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ତାହା ଜିଲ୍ଲାବାସୀ ମଧ୍ୟ ଆଶ୍ୱସ୍ତ କରିଛି । ତେବେ, ବାସ୍ତବତା ସଂପର୍କରେ ସଂପୂର୍ଣ୍ଣ ଜ୍ଞାତ ଥିବା ରାଜ୍ୟ ସରକାର ଆଶ୍ୱସ୍ତ ନୁହନ୍ତି । ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟକୁ ତିନିଟି ସ୍ୱତନ୍ତ୍ର ଟ୍ରେନ୍ ରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁ ଥିବାରୁ ଆଗାମୀ ଦିନରେ ଅବସ୍ଥା ଅସମ୍ଭାଳ ହେବ ଜାଣି ସରକାର ଆଜି ଗଞ୍ଜାମ ଜିଲ୍ଲା ପାଇଁ ତିନି ଜଣ ଆଇଏଏସଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ତିନି ଆଇଏଏସ୍ ଅଧିକାରୀ ମାସେ ପର୍ଯ୍ୟନ୍ତ ଜିଲ୍ଲାରେ ରହିବେ ଓ କରୋନା ନିୟନ୍ତ୍ରଣରେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ ବୋଲି ସରକାରୀ ଭାବେ କୁହାଯାଇଛି ।
ଓଡ଼ିଶାରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବା ପଛରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ତାହା କେହି ଅସ୍ୱୀକାର କରିପାରିବ ନାହିଁ । ବିଶେଷକରି ସୁରଟ୍ ଫେରନ୍ତା ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ଭୂକଂପ ସୃଷ୍ଟି କଲେଣି । ତେଣୁ, ପ୍ରବାସୀଙ୍କ ପ୍ରତ୍ୟାବର୍ତନକୁ ରୋକିବା ସକାଶେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ଗତକାଲି କୋର୍ଟ ତାହାର ବିଚାର କରି ପ୍ରବାସୀ ଓଡ଼ିଆ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ, ନମୁନା ପରୀକ୍ଷାରେ ନେଗେଟିଭ୍ ବାହାରିଲେ ରାଜ୍ୟକୁ ଫେରିବାକୁ ଅନୁମତି ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦେଶକୁ ଆଧାର କରି ରାଜ୍ୟ ସରକାର ୭ ତାରିଖ ସୁରଟ୍ରୁ ଓଡ଼ିଶା ଆସିବାକୁ ଥିବା ତିନିଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ର ଅନୁମତି ବାତିଲ କରିଥିଲେ । ହାଇକୋର୍ଟଙ୍କ ନିର୍ଦେଶରେ ରାଜ୍ୟବାସୀ ମଧ୍ୟ ଆଶ୍ୱସ୍ତ ହୋଇଥିଲେ । ତେବେ, ୨୪ ଘଂଟା ନ ପୁରୁଣୁ ସ୍ଥିତି ବଦଳି ଯାଇଛି । ହାଇକୋର୍ଟଙ୍କ ନିର୍ଦେଶକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରାଯିବାରୁ ଆଜି ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ତାହାର ଶୁଣାଣୀ କରି ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ପ୍ରବାସୀ ନିଜ ରାଜ୍ୟକୁ ଫେରି ପାରିବେ ବୋଲି ସୁପ୍ରିମ କୋର୍ଟ କହିଥିବା ବେଳେ ସରକାର ଚାହିଁଲେ ପ୍ରବାସୀ ଓଡ଼ିଆଙ୍କ କରୋନା ଟେଷ୍ଟ୍ କରାଇ ରାଜ୍ୟକୁ ନେଇ ପାରିବେ ବୋଲି ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ତଥା କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ କହିଛନ୍ତି । ସୁପ୍ରିମ କୋର୍ଟଙ୍କ ରହିତାଦେଶ ପ୍ରବାସୀଙ୍କୁ ଆଶ୍ୱସ୍ତ କରିଛି । ବାତିଲ ହୋଇଥିବା ତିନିଟି ଟ୍ରେନ୍ ଏବେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଥିବା ସୂଚନା ମିଳିଛି ।
ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆସିବାକୁ ରୋକିବାରେ ବିଫଳ ହେବା ପରେ ବିକଳ୍ପ ପନ୍ଥା ଭାବେ ତିନି ଜଣ ଆଇଏଏସ ପି.ଅନ୍ୱେଷା ରେଡ୍ଡୀ, ପାଟିଲ ଆଶିଷ ଇଶ୍ୱର ଓ ହେମକାନ୍ତ ସାଏଙ୍କୁ ମାସକ ପାଇଁ ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କୁ ସେମାନେ କରୋନା ମୁକାବିଲାରେ ସାହାଯ୍ୟ କରିବେ ବୋଲି କୁହାଯାଇଛି । ତେବେ, ସୁରଟ୍ ଫେରନ୍ତା ପ୍ରବାସୀ ଓଡ଼ିଆ ଉଭୟ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଭୋଟବ୍ୟାଙ୍କ୍ ହୋଇ ଥିବାରୁ ତିନି ଆଇଏଏସ ଅଧିକାରୀ ସୁରଟ୍ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଉତ୍ପାତକୁ ରୋକିବାରେ କେତେଦୂର ସଫଳ ହେବେ, ତାହା ବଡ଼ ପ୍ରଶ୍ନ ହୋଇଛି । ଗୁଜରାଟର ସୁରଟ୍ରେ ୫ରୁ ୭ ଲକ୍ଷ ପ୍ରବାସୀ ଓଡ଼ିଆ ବସବାସ କରନ୍ତି । ସେମାନଙ୍କୁ ଖୁସି କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ଉଦ୍ୟମ କରିଆସିଛନ୍ତି । ରାତାରାତି କୋର୍ଟ ଆଦେଶର ସ୍ଥିତାବସ୍ଥା ବଦଳି ଯିବା ଏବଂ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କ ରହିତାଦେଶ ଆଧାରରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରିବା ଆଣିବାର ବାଟ ସଫା କରୁଥିବା ଅନେକ କିଛି ସ୍ପଷ୍ଟ କରୁଛି ।
ବିଜେଡ଼ି-ବିଜେପି ରାଜନୀତି ଯାହା ହୋଇଥାଉନା କାହିଁକି, ସୁରଟ୍ ଫେରନ୍ତାଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଏବେ ଏକ ତତଲା ଅଗ୍ନିକୁଣ୍ଡରେ ପରିଣତ ହୋଇଥିବା ସମସ୍ତେ ଜାଣୁଛନ୍ତି । ଜିଲ୍ଲାରେ ଆଜି ଯେଉଁ ସଂଖ୍ୟା ଦୁଇ ଅଂକରେ ରହିଛି (କରୋନା ଆକ୍ରାନ୍ତଙ୍କ ସଂଖ୍ୟା) ଖୁବଶୀଘ୍ର ତାହା ତିନି ଅଂକ ଛୁଇଁବ ବୋଲି ଆଶଙ୍କା ଦୃଢ ହେଲାଣି । ଆଜି ବିଳମ୍ବିତ ସଂଧ୍ୟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ ରହିଛି । ଗଞ୍ଜାମ ରାଜ୍ୟରେ ସର୍ବାଧିକ ସଂକ୍ରମିତ ରାଜ୍ୟରେ ପରିଣତ ହୋଇଛି । ଆଜି ରାତି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଂଚି ଥିବା ବେଳେ ଗଞ୍ଜାମ ପଛକୁ ରହିଛି ଯାଜପୁର ଜିଲ୍ଲା । ପଶ୍ଚିମ ବଂଗ୍ ଫେରନ୍ତାଙ୍କୁ ନେଇ ଏହି ଜିଲ୍ଲାରେ ସଂକ୍ରମଣ ବଢି ଚାଲିଛି । ଆଜି ରାତି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଥିବା ବେଳେ ଚିକିତ୍ସା ପରେ ଜଣେ ସୁସ୍ଥ ହୋଇଛନ୍ତି । ତେଣୁ, ଯାଜପୁର ଜିଲ୍ଲାରେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୫୪ ରହିଛି । ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଳା । ଜିଲ୍ଲାରେ ଗଜକାଲି ତିନିଟି ନୂଆ କେସ୍ ଆସିବା ପରେ ମୋଟ ସଂଖ୍ୟା ପଜେଟିଭ୍ ୫୦ରେ ପହଂଚିଛି । ସେଥିରୁ ୩୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଓ ୧୬ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି, ଭଦ୍ରକ ଜିଲ୍ଲାରେ ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ଓ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୮ରୁ ୬ଜଣ, ଜଗତସିଂହପୁର ଜିଲ୍ଲାରେ ୫ ଜଣ, ମୟୁରଭଂଜ ଜିଲ୍ଲାରେ ୪ ଜଣ, ବଲାଂଗୀର ଜିଲ୍ଲାରେ ୨ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୨ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ, କଟକ ଜିଲ୍ଲାରେ ଜଣେ, ଦେଓଗଡ଼ ଜିଲ୍ଲାରେ ଜଣେ ଏଭଳି ମୋଟ ୨୦୬ ଜଣ ଚିିତ୍ସାଧୀନ ଥିବା ସମୟରେ ୬୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୨ଟି ମୃତ୍ୟୁ ଘଟିଛି । ପ୍ରଥମେ ବିଦେଶରୁ ଫେରନ୍ତା, ତାହା ପରେ ଦିଲ୍ଲୀ ନିଜାମୁଦ୍ଦିନ ମର୍କଜ୍ ଓ ପଶ୍ଚିମ ବଂଗ ଫେରନ୍ତା ରାଜ୍ୟରେ କରୋନା ସଂକ୍ରମଣ ବଢାଇ ସରକାରଙ୍କୁ ନାକେଦମ୍ କରିଥିଲେ । ଏବେ ପ୍ରବାସୀ ଓଡ଼ିଆ ଏହି ଭୂମିକାରେ ଅଛନ୍ତି । ଓଡ଼ିଶା କରୋନା ମୁକାବିଲାରେ ସର୍ବଦା ଆଗୁଆ ରହିଛି ଏବଂ ସମଗ୍ର ଦେଶରେ ପ୍ରଶଂସିତ ହେଉଛି । ଏବେ, ସରକାରଙ୍କୁ ନିନ୍ଦିତ କରିବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ପ୍ରଶ୍ରୟ ଦିଆଯାଉ ନାହିଁ ତ? ଏଭଳି ପ୍ରଶ୍ନ କରିବା ଅଧିକାର ରାଜ୍ୟବାସୀଙ୍କ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS