କରୋନା ସହ ଲଢିବା ପାଇଁ ନାକ, ଆଖି ଓ ପାଟିକୁ ଜଗ -ଡଃ ଶ୍ରୀନାଥ ରେଡ୍ଡୀ
ଭୁବନେଶ୍ୱର
ମେ’୦୮
କରୋନା ସଂକ୍ରମଣର ମୁକାବିଲା ପାଇଁ କୌଣସି ଫଳପ୍ରଦ ଉପଚାର ଏପର୍ଯ୍ୟନ୍ତ ବାହାରି ନାହିଁ । ତେଣୁ ସଂକମଣରୁ ରକ୍ଷା ପାଇବା ସକାଶେ ନାକ, ପାଟି ଓ ଆଖିକୁ ଜଗ । ଏଭଳି ଏକ ବାର୍ତା ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ.ଶ୍ରୀନାଥ ରେଡ୍ଡୀ । ‘କୋଭିଡ଼ରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ଼ ଯୁଦ୍ଧ ଜିତିବା’ ଶୀର୍ଷକ ବିଷୟ ଉପରେ କାଲି ଡଃ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟ ଏବଂ ରାଜ୍ୟର ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ କରିବା ସମୟରେ ଏଭଳି ପରାମର୍ଶ ଦେଇଥିବା ସୂଚନା ମିଳିଛି ।
ଡଃ ରେଡ୍ଡୀଙ୍କ କହିବା ଅନୁସାରେ, ବନ୍ୟଜନ୍ତୁ, ବିଶେଷକରି ବାଦୁଡି ଠାରୁ ଏହି ରୋଗ ମନୁଷ୍ୟକୁ ସଂକ୍ରମିତ ହୋଇଛି ନାକ, ଆଖି, ପାଟି ଦ୍ୱାରା ମାରାତ୍ମକ କରୋନା ଭାଇରାସ୍ ମନୁଷ୍ୟ ଦେହରେ ପ୍ରବେଶ କରୁଛି ଏବଂ କାଶ, ଛିଙ୍କ ସମୟରେ ମଣିଷ ଶରୀରରୁ ବାହାରୁଥିବା କଣିକା (ଡ୍ରପ୍ଲେଟ୍) ଦ୍ୱାରା ଅନ୍ୟକୁ ବ୍ୟାପୁଛି । ତେଣୁ, ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଦ୍ୱାରା ହିଁ ଏହି ଯୁଦ୍ଧକୁ ଜିତି ହେବ । ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ମିଳି ଥିବା ତଥ୍ୟକୁ ଭିତ୍ତି ସେ ଏହି ସିଦ୍ଧାନ୍ତରେ ଉପନିତ ହୋଇଥିବା କହିଛନ୍ତି । ଡଃ ରେଡ୍ଡୀ କହିଛନ୍ତି, କରୋନା ଭାଇରସ୍ କେବଳ ନିମୋନିଆ ସୃଷ୍ଟି କରୁନାହିଁ, ତା’ ସହିତ ହୃଦୟ, ମସ୍ତିଷ୍କ ତଥା ଅନ୍ତଃନଳୀରେ ସଂକ୍ରମଣ କରି କ୍ଷତି ପହଂଚାଉଛି । କେତେକ କ୍ଷେତ୍ରରେ ଏହା ଥମ୍ବୋସିସ୍ ପରିସ୍ଥିତି ସୃଷ୍ଟି କରି ଘାତକ ସାବ୍ୟସ୍ତ ହେଉଛି । ବୟସ ନିର୍ବିଶେଷରେ ଏହି ରୋଗ ସମସ୍ତଙ୍କୁ ସଂକ୍ରମିତ କରୁଛି । ଯେହେତୁ ଯୁବ ଗୋଷ୍ଠୀ ଅଧିକ ସମୟ ବାହାରେ ରୁହନ୍ତି, ସେମାନଙ୍କ ଠାରେ ସଂକ୍ରମଣ ଅଧିକ ରହୁଥିଲେ ମଧ୍ୟ ବୟସ୍କ ଓ ରୋଗୀମାନେ ଗୁରୁତର ଭାବେ ପୀଡିତ ହେବା ଓ ମୃତ୍ୟୁ ମୁଖରେ ପଡିବାର ଅଧିକ ଆଶଂକା ରହିଛି । ଯେହେତୁ ଏହି ଭାଇରସ୍ କୁ ନିଷ୍କ୍ରିୟ କରିବା ପାଇଁ କୌଣସି ଟୀକା ବା ଔଷଧ ଏପର୍ଯ୍ୟନ୍ତ ଉଦ୍ଭାବନ ହୋଇପାରି ନାହିଁ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ଏକମାତ୍ର ଉପାୟ ବୋଲି ଡଃ ରେଡ୍ଡୀ କହିଛନ୍ତି ।
ବ୍ରିଟେନ, ଆମେରିକା, ସ୍ୱୀଡେନ ଭଳି ଅଗ୍ରଣୀ ଦେଶ ତାଲାବନ୍ଦ କଟକଣା ଲାଗୁ ନ କରିବାରୁ ବହୁମୂଲ୍ୟ ଦେଲେଣି ବୋଲି ଦର୍ଶାଇ ଡଃ ରେଡ୍ଡୀ କହିଛନ୍ତି, ଭିଏତନାମ ଭଳି ଦେଶ ଆଇସୋଲେସନ୍, କଂଟାକ୍ଟ ଟ୍ରେସିଂ ଓ ବହୁ ସଂଖ୍ୟାରେ ସ୍ୱାବ୍ ନମୁନା ପରୀକ୍ଷଣ ଦ୍ୱାରା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛି । ଉଚ୍ଚ ତାପମାତ୍ରା ସହ ଆଦ୍ରତା ପ୍ରଭାବରେ ଏହି ଭାଇରସ୍ ପ୍ରଭାବହୀନ ହେଉ ଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ୍ କ୍ଲାଇମେଟିକ୍ ଟେଂପରେଚର ନ୍ୟୁଟ୍ରାଲ୍ ବୋଲି ସେ କହିଥିଲେ । ଭାରତୀୟମାନେ ବିସିଜି ଟୀକା ସହ ପୋଲିଓ ଟୀକା ଓ ମ୍ୟାଲେରିଆ ଔଷଧର ବହୁଳ ବ୍ୟବହାର କରୁଥିବାରୁ କୋଭିଡ଼ ରୋଗ ଦେଶରେ ସେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରି ନ ପାରେ ବୋଲି ମତ ଦେଇ ସାମାଜିକ ଦୂରତ୍ୱ ବଜାୟ ରଖାଯିବା ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।
ଡଃ ରେଡ୍ଡୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲୁଏଚଓ)ର ବିଭିନ୍ନ ବିଶେଷଜ୍ଞ କମିଟିର ସଦସ୍ୟ ଭାବେ କାମ କରିଛନ୍ତି । ବର୍ତମାନ ସେ କୋଭିଡ଼ ସଲିଡାରିଟି ଗୃପ୍ ଟ୍ରାଏଲ୍ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟି କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଅଛନ୍ତି । କୋଭିଡ଼ କେୟାର, ସଂକ୍ରମିତ ଅଂଚଳ, ସଂକ୍ରମଣ ଧାରା ଓ ତାଲାବନ୍ଦର ପ୍ରଭାବ ଉପରେ ତାଙ୍କର ଅନେକ ଉପାଦେୟ ଲେଖା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗତକାଲି ଡଃ ରେଡ୍ଡୀଙ୍କୁ ଏହି ଉପାଦେୟ ପରାମର୍ଶ ପାଇଁ ସାଧୁବାଦ ଜଣାଇଥିଲେ । ଡଃ ରେଡ୍ଡୀ ଗତକାଲି ଗୁରୁଗାଓଁରୁ ଏହି ଭିଡ଼ିଓ କନ୍ଫରେନ୍ସିଂ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS