ଜୀବନ ଓ ଜୀବୀକାର ସଂଘର୍ଷ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୦୮
କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଚାଲିଛି । ମେ’୪ରୁ ଦୁଇ ସପ୍ତାହ ପାଇଁ ଏହି ତାଲାବନ୍ଦ ଲାଗୁ ହୋଇଛି । ଏଥର କିନ୍ତୁ ସରକାର ଜୀବନ ସହ ଜୀବୀକାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ କଟକଣା କୋହଳା କରିଛନ୍ତି । ଦେଶର କରୋନା ମୁକ୍ତ ଓ କମ୍ ସଂକ୍ରମିତ ଅଂଚଳରେ ବାଣିଜ୍ୟ, ବ୍ୟବସାୟ ଆରମ୍ଭ ହୋଇଛି । କିନ୍ତୁ, ଅନିଶ୍ଚିତତା ଦୂର ହୋଇ ନ ଥିବାରୁ ବେପାର ବଣିଜ ପଟରିକୁ ଫେରିନି । ସରକାରଙ୍କ ତାଲାବନ୍ଦ କଟକଣା ଭିତରେ ୧୫ ପ୍ରତିଶତରୁ ଅଧିକ ବ୍ୟବସାୟ ହୋଇପାରୁ ନ ଥିବା ଖୁଚୁରା ବ୍ୟବସାୟୀ କହୁଛନ୍ତି । ବଡ଼ ବ୍ୟବସାୟୀମାନେ ପୁନର୍ବାର ସବୁକିଛି ସାଧାରଣ ଅବସ୍ଥାକୁ ଫେରାଇ ଆଣିବାକୁ ସରକାରଙ୍କ ହାତକୁ ଅନାଇଛନ୍ତି । ୪୫ ଦିନ ହେଲା ସେମାନଙ୍କ ବ୍ୟବସାୟ ଠପ୍ ରହିଛି । ତଥାପି ସେମାନେ ଶ୍ରମିକ ଓ କର୍ମଚାରୀଙ୍କୁ ଘରେ ବସାଇ ସଂପୂର୍ଣ୍ଣ ନ ହେଲେ ମଧ୍ୟ କିଛି କିଛି ପ୍ରାପ୍ୟ ଦେଉଛନ୍ତି । ମାର୍ଚ୍ଚ ଓ ଏପ୍ରିଲ ମାସରେ କୌଣସି ପ୍ରକାର ସେମାନେ ନିଜର ସ୍ଥିତିକୁ ବଂଚାଇ ରଖି ଥିଲେ । ମେ’ ମାସରେ ତାହା ଆଉ ସମ୍ଭବ ନୁହେଁ ବୋଲି ଅନେକ କହିଲେଣି । ବ୍ୟବସାୟ ପାଇଁ ସେମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ସଂସ୍ଥାରୁ ଉଠାଇ ଥିବା ଋଣ ଉପରେ ସୁଧ ଛାଡ ଘୋଷଣା ନ ହେଲେ ବେପାର ଆଗକୁ ନେବାକୁ ସେମାନଙ୍କ ବଳ କେଉଁଠୁ ଆସିବ, ଏହି ପ୍ରଶ୍ନ ଉଠିଲାଣି । ଏହାଛଡା, ଶିଳ୍ପ, ବାଣିଜ୍ୟ ଓ ଅନ୍ୟାନ୍ୟ ଉଦ୍ୟୋଗ କ୍ଷେତ୍ରରେ ୪୦ ଦିନରୁ ଅଧିକ ହେଲା କୌଣସି ଉତ୍ପାଦନ ନାହିଁ ବା ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇ ପାରି ନାହିଁ । ତଥାପି ସେମାନଙ୍କୁ ବିଦ୍ୟୁତ ଶୁଳ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶୁଳ୍କ ଦେବାକୁ ପଡିବ । ଏସବୁ ଛାଡ କରିବା ଦିଗରେ ସରକାରଙ୍କ ଆଡୁ କୌଣସି ଘୋଷଣା ହୋଇ ନାହିଁ । କେନ୍ଦ୍ର ସରକାର କେବଳ ବିଭିନ୍ନ ଦେୟର ସମୟ ସୀମା ଗଡାଇଛନ୍ତି । ସଂପୂର୍ଣ୍ଣ ଛାଡ ନ ହେଲେ ବ୍ୟବସାୟ ଚଳାଇବା ପାଇଁ ମୂଳଧନ କେଉଁଠୁ ଆସିବ, ତାହା ମଧ୍ୟ ଆଉ ଏକ ବଡ଼ ପ୍ରଶ୍ନ ହୋଇଛି ।
ଅନ୍ୟପଟେ, ଆଉ ଏକ ବଡ଼ ସଂକଟ ଭାବେ ଉଭା ହୋଇଛି ଶ୍ରମିକ ଓ କର୍ମଚାରୀ ମହଲରେ ରହିଥିବା ଅନିଶ୍ଚିତତା । ସେ ସରକାରୀ ସଂସ୍ଥା ହେଉ ବା ଘରୋଇ ଉଦ୍ୟୋଗ ହେଉ ଶ୍ରମିକ, କର୍ମଚାରୀମାନେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଘରେ ରହି କାମ କରିବେ ବୋଲି ସରକାର କହିଲେ । ଏହି ଅବସ୍ଥାରେ କୌଣସି କର୍ମଚାରୀଙ୍କୁ ଛଟେଇ ନ କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ, ଉଦ୍ୟୋଗ, ଶିଳ୍ପ ସଂସ୍ଥା ଉପରେ ସରକାରଙ୍କ ଚାପ ରହିଲା । ଉତ୍ପାଦନ ଓ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ଥିଲେ ମଧ୍ୟ କର୍ମଚାରୀ ଘରେ ରହି ଅନ୍ ଲାଇନ୍ ରେ କାମ କରୁଥିବାରୁ ସେମାନଙ୍କ ପ୍ରାପ୍ୟର ହକଦାର ହେଲେ । ତେବେ, ଦୁଇ ମାସ ପରେ ମାଲିକମାନେ ହାତ ଟେକି ଦେବାରୁ ଅନ୍ ଲାଇନ୍ ରେ କାମ କରୁଥିବା କର୍ମଚାରୀ ଛଟେଇ ଆଶଙ୍କାରେ ଦିନ ଗଣିବା ଆରମ୍ଭ କରି ଦେଲେଣି । ଆଗାମୀ ଦିନରେ ସେମାନଙ୍କୁ ଦରମା ମିଳିବ କି ନାହିଁ ସେହି ଚିନ୍ତା ଅଧିକାଂଶ ଭାରତୀୟ କର୍ମଜୀବୀଙ୍କୁ ରାତିରେ ଶୁଆଇ ଦେଉ ନାହିଁ । ଯଦିବା ମେ’ ୧୭ ପରେ ସରକାର ତାଲାବନ୍ଦ ଉଠାଇ ଦେଇ ଅନ୍ୟ କିଛି ବିକଳ୍ପ ପନ୍ଥା ଗ୍ରହଣ କରିବେ, ଉଦ୍ୟୋଗପତିମାନେ ନିଜ ବ୍ୟବସାୟକୁ ପୁନର୍ବାର ପଟରିକୁ ଫେରାଇ ଆଣିବାକୁ ସମୟ ନେବେ ତ ! ସେଭଳି ପରିସ୍ଥିତିରେ ଶ୍ରମିକ, କର୍ମଚାରୀଙ୍କ ଛଟେଇ ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।
ଶିଳ୍ପ ସହ ସଂପୃକ୍ତ ଉଦ୍ୟୋଗୀମାନଙ୍କ କହିବା କଥା ହେଉଛି, ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ପରେ ବାଣିଜ୍ୟ, ବ୍ୟବସାୟ ସବୁ ବନ୍ଦ ହୋଇଗଲା । ରେଳ ଓ ସଡ଼କ ପଥରେ ମାଲ୍ ପରିବହନ ବନ୍ଦ ରହିବାରୁ ୁତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ବାହାରକୁ ଯାଇ ପାରିଲା ନାହିଁ । ଶିଳ୍ପ ସଂସ୍ଥାରେ କଂଚାମାଲ ପଡି ପଡି ନଷ୍ଟ ହେଲାଣି । କଳ କାରଖାନା ଶ୍ରମିକମାନେ କାମଧନ୍ଦା ହରାଇବା ପରେ ତାଲାବନ୍ଦରେ ଫସି ହଟହଟ୍ଟା ହେଲେ । ଭୋକ ଉପାସରେ ଛଟପଟ ହୋଇ ସ୍ତ୍ରୀ, ପିଲାଙ୍କୁ ଧରି ପାଦରେ ଚାଲି ଚାଲି ଗ୍ରାମାଭିମୁଖୀ ହେଲେ । ଯେଉଁମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କଲେ ସେମାନଙ୍କୁ ୪୦ ଦିନ ପରେ ସ୍ୱତନ୍ତ୍ର ବସ ଓ ଟ୍ରେନରେ ନିଜ ନିଜ ରାଜ୍ୟକୁ ଯିବାକୁ ଅନୁମତି ମିଳିଲା । ବିଭିନ୍ନ ରାଜ୍ୟରେ ଫସି ରହିଥିବା ସମୟରେ ସେମାନେ ସରକାରଙ୍କ ସଂଗରୋଧ ନିୟମକୁ ପାଳିବାକୁ ବାଧ୍ୟ ହେଲେ । ନିଜ ରାଜ୍ୟକୁ ଫେରିବା ପରେ ପୁଣି ଥରେ ସଂଗରୋଧ ହେବାକୁ ପଡୁଛି । ଏହି ଶ୍ରମିକ, କର୍ମଚାରୀ ୨୮ ଦିନ ସଂଗରୋଧରେ ରହିବା ପରେ କଳ କାରଖାନାରେ ଉତ୍ପାଦନ ଆରମ୍ଭ ହେଲେ ତୁରନ୍ତ କର୍ମକ୍ଷେତ୍ରକୁ ଫେରିବା ଆଶା ମଧ୍ୟ ନାହିଁ । ଏଭଳି ଅବସ୍ଥାରେ ଦେଶରେ ଉତ୍ପାଦନ ଓ ବାଣିଜ୍ୟ କାରବାର କିପରି ସ୍ୱାଭାବିକ ହେବ (?) ବୋଲି ବିଭିନ୍ନ ବ୍ୟବସାୟିକ ସଂଗଠନ ପ୍ରଶ୍ନ କଲେଣି । ଏଥିରୁ, ମେ’ ୧୭ ପରେ ମଧ୍ୟ ଦେଶର ଆର୍ଥୀକ ସ୍ଥିତି ସୁଧୁରିବା ଆଶା କେତେ ଉଜ୍ୱଳ, ତାହା ଜଣାପଡୁଛି । ତେବେ, ସରକାର ଜୀବନ ଓ ଜୀବୀକାକୁ ସମାନ୍ତରାଳ ଭାବେ ଆଗକୁ ନେବାକୁ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ତୁରନ୍ତ ନ ହେଲେ ବି କିଛି ମାସ ପରେ ଦେଶର ଅର୍ଥନୀତିରେ ସୁଧାର ଆସିବ ବୋଲି ଆଶା କରାଯାଇପାରେ ।
ମେ’ ୧୭ ପରେ କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ହେବ (?), ତାହା ସମସ୍ତ ପାଇଁଁ ଏକ ପ୍ରଶ୍ନବାଚୀ ହୋଇଥିବା ବେଳେ ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଜନୀତି ଦୃଷ୍ଟିରୁ ହେଉ ବା ମାନବିକତା ଦୃଷ୍ଟିରୁ ହେଉ ସରକାରଙ୍କୁ ଏହି ପ୍ରଶ୍ନ ପଚାରି ଦେଶରେ ରାଜନୈତିକ ଝଡ ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାର ଓ ଶାସକ ବିଜେପି ଏଥିପାଇଁ ସୋନିଆଙ୍କୁ କଡା ସମାଲୋଚନା କରିଛି । କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ମଧ୍ୟ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି, ଦେଶ ଏବେ ଜରୁରୀ ପରିସ୍ଥିତି ଦେଇ ଗତି କରୁଥିବାରୁ କେନ୍ଦ୍ର ସରକାର ଅଧିକ ସ୍ୱଚ୍ଛ ହେବା ଆବଶ୍ୟକ ବୋଲି କହିଛନ୍ତି । ଦେଶରୁ ତାଲାବନ୍ଦ ହଟାଇବା ପାଇଁ ସମସ୍ତଙ୍କୁ ନେଇ ଏକ ରଣନୀତି ପ୍ରସ୍ତୁତ ହେବା ଦରକାର ବୋଲି ସେ କହିଛନ୍ତି । ୪୫ ଦିନର ତାଲାବନ୍ଦରେ ଦେଶର ଗରିବ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକଙ୍କ ବ୍ୟାଙ୍କ ଆକାଂଟକୁ ଅତିକମ୍ ରେ ୭,୫୦୦ ଟଙ୍କା ଲେଖାଏଁ ପଠାଇବା ଆବଶ୍ୟ ବୋଲି ରାହୁଲ ପରାମର୍ଶ ଦେଇଛନ୍ତି । ଦେଶର ବିଜେପି ନେତୃତ୍ୱ ରାହୁଲଙ୍କ ରାଜନୈତିକ ଅସ୍ତିତ୍ୱକୁ କେବେ ବି ସ୍ୱୀକାର କରି ନାହିଁ । ରାହୁଲଙ୍କ ପ୍ରତିଟି ମନ୍ତବ୍ୟକୁ ପିଲାଳିଆମୀ କହି ଉଠାଇ ଦିଆଯାଇଛି । ତେବେ, କରୋନା ପରିପ୍ରେକ୍ଷୀରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟରେ ଦମ୍ ଥିବା ମନେ ହେଉଛି ।
ଦେଶ ତିନିଟି ପର୍ଯ୍ୟାୟରେ ୪୫ ଦିନ ହେଲା ତାଲାବନ୍ଦରେ ରହିଛି । ପ୍ରଥମ ପର୍ଯ୍ୟାୟରେ (ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪) କେନ୍ଦ୍ର ସରକାର ମଣିଷ ଜୀବନକୁ ପ୍ରାଥମିକତା ଦେଇ ଆଉ ସବୁ ତୁଚ୍ଛ ବୋଲି କହିଥିଲେ । ଦେଶବାସୀ କାମଧନ୍ଦା ଛାଡି ଘରେ ବନ୍ଦ ହୋଇ ରହିଥିବା ବେଳେ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ, କର୍ମଚାରୀ ନିଜ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଥିଲେ । ରାସ୍ତା କଡରେ ଛୋଟମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ମଣିଷମାନେ ରାତି ପାହୁ ପାହୁ ଜୀବିକା ହରାଇ ଦାଣ୍ଡର ଭିକାରୀ ହେଲେ । କ୍ଷତିଗ୍ରସ୍ତଙ୍କ ପାଇଁ ସରକାରଙ୍କ ପ୍ୟାକେଜ୍ କାହା ପାଖରେ ପହଂଚିଲା, ତାହା କେହି ଜାଣନ୍ତି ନାହିଁ । ସର୍ବହରା ହୋଇ
ଗରିବ ଲୋକମାନେ ସ୍ତ୍ରୀ, ପିଲା ଧରି ଭୋକିଲା ଅବସ୍ଥାରେ ଚାଲି ଚାଲି ଗାଁକୁ ଫେରୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା । ଦେଶରେ ଦ୍ୱତୀୟ ପର୍ଯ୍ୟାୟ ତାଲାବନ୍ଦ ଲାଗୁ ହେଲା ଏପ୍ରିଲ ୧୫ରୁ ମେ’୩ ପର୍ଯ୍ୟନ୍ତ । ତେବେ, ଦେଶର ଅର୍ଥନୈତିକ ଦୁଃସ୍ଥିତିକୁ ଦେଖି ସରକାରଙ୍କ ସ୍ଲୋଗାନ ବଦଳିଲା । ଏଥର କେବଳ ଜୀବନ ନୁହେଁ, ଜୀବୀକାକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ । ଏପ୍ରିଲ ୨୦ରୁ ଦେଶର ଗ୍ରାମ୍ୟ ଅର୍ଥନୀତିରେ ସୁଧାର ଆଣିବା କରୋନା ସଂକ୍ରମଣ କମ ଥିବା ଜିଲ୍ଲାର ଗ୍ରାମାଂଚଳରେ କୃଷି ଓ କୃଷି ସଂପର୍କୀତ କାର୍ଯ୍ୟକଳାପ ଆରମ୍ଭ କରାଗଲା । ଗ୍ରାମାଂଚଳରେ ବିଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ମଧ୍ୟ ସରକାର ଅନୁମତି ଦେଲେ । ତେବେ, କରୋନା ସଂକ୍ରମଣ କମିବା ପରିବର୍ତେ ବଢି ଚାଲିବାରୁ ଗ୍ରାମାଂଚଳ ଅର୍ଥନୀତି ସୁଧୁରିବା ସୁଯୋଗ ପାଇ ନାହିଁ । ତାଲାବନ୍ଦ କଟକଣା ଯୋଗୁ ଗ୍ରାହକ ବଜାରକୁ ଆସୁ ନାହାନ୍ତି । ଚାଷି କଷ୍ଟ କରି ଉତ୍ପାଦନ କରିଥିବା କୃଷିଜାତ ଦ୍ରବ୍ୟ ବିକି ପାରୁ ନାହିଁ । ଘରୁ ବାହାରିଲେ ପୁଲିସ ଜୁଲମ ଚାଷିକୁ ଭୟଭୀତ କରି ରଖିଛି । ଦ୍ୱିତୀୟ ଦଫା ତାଲାବନ୍ଦ ଅବଧିରେ ଏଭଳି କିଛି ଦେଖିବାକୁ ମିଳିଛି ।
ତୃତୀୟ ଦଫା ତାଲାବନ୍ଦ ମେ’ ୪ରୁ ଆରମ୍ଭ ହୋଇଛି, ଯାହାକି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାକୁ ତିନିଟି ଜୋନରେ ଭାଗ କରାଯାଇ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ତାଲାବନ୍ଦର ସମସ୍ତ କଟକଣା ବଳବତ୍ତର ରଖା ଯାଇଥିବା ବେଳେ ସଂକ୍ରମଣ ମୁକ୍ତ ଥିବା ଜିଲ୍ଲାଗୁଡିକରେ କୋହଳ ନୀତି ଅବଲମ୍ବନ କରାଯାଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସଂପର୍କିତ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଏହି ଦୁଇ ବିଭାଜନ ମଝିରେ ଥିବା ଜିଲ୍ଲାଗୁଡିକରେ ସର୍ତମୂଳକ ଭାବେ କିଛି କଟକଣା କୋହଳ ହୋଇଛି । ତେବେ, ଦେଶବ୍ୟାପୀ ସନ୍ଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ଥିବାରୁ ବ୍ୟବସାୟ ୁପରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳୁଛି । ଗୋଟିଏ ପଟେ କରୋନା ସଂକ୍ରମଣ ବ୍ୟାପିବା ଭୟ ଓ ଅନ୍ୟପଟେ ପୁଲିସ ଜୁଲମ ସମସ୍ତଙ୍କୁ ସନ୍ଧ୍ୟା ୬ଟାରୁ ଘରକୁ ଫେରିବାକୁ ବାଧ୍ୟ କରୁଛି । ଯେତିକି ସମୟ ପାଇଁ ବ୍ୟବସାୟ, ବାଣିଜ୍ୟ ହେଉଛି ସେଥିରେ ସରକାରଙ୍କ ବିଭିନ୍ନ କଟକଣା ବ୍ୟତିବ୍ୟସ୍ତ କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ଦପ୍ତର, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା ଓ ଛୋଟବଡ ବ୍ୟବସାୟିକ ସଂସ୍ଥାକୁ କେବଳ ୩୩ ପ୍ରତିଶତ କର୍ମଚାରୀରେ କାମ କରିବାର ବାଧ୍ୟ କରି ନାହାନ୍ତି, ସାମାଜିକ ଦୂରତ୍ୱ ବଜାୟ ରଖାବା ପାଇଁ ଯେଉଁ ନିୟମାବଳୀ ଦେଇଛନ୍ତି ତାହା ବ୍ୟବସାୟୀ ଓ ଗ୍ରାହକ ମଧ୍ୟରେ ସଂପର୍କରେ ଦୂରତ୍ୱ ଆଣିଛି । ଫଳରେ, ଖୁଚୁରା ଦୋକାନରୁ ଆରମ୍ଭ କରି ବଡ଼ ଦପ୍ତର ପର୍ଯ୍ୟନ୍ତ ସବୁଠାରେ ଏକ ଅସ୍ୱାଭାବିକ ଦୂରତା ବ୍ୟବସାରେ ମଧ୍ୟ ପ୍ରତିଫଳିତ ହେଉଛି । ମହାମାରୀ କରୋନାର ମୁକାବିଲା ପାଇଁ ଏସବୁ ନିହାତି ଆବଶ୍ୟକ, ଏକଥା ସମସ୍ତେ ଜାଣୁଥିଲେ ମଧ୍ୟ ବ୍ୟବହାରିକ କ୍ଷେତ୍ରରେ ତାହାକୁ ଗ୍ରହଣ କରି ପାରୁ ନାହାନ୍ତି । ତେଣୁ, ତୃତୀୟ ପର୍ଯ୍ୟୟ ତାଲାବନ୍ଦ ସରିବା ପରେ ସରକାର ଏହି ଦୂରତ୍ୱ ଦୂର କରିବା ଦିଗରେ କି କୌଶଳ ଗ୍ରହଣ କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇଛି ।
ଜୀବନ ସହ ଜୀବୀକା କଥା ଆଲୋଚନା ବେଳେ କର୍ଣ୍ଣାଟକ ସରକାର ଏବେ ଅନ୍ୟ ରାଜ୍ୟଙ୍କ ପାଇଁ ଏକ ଉଦାହରଣ ହେବାକୁ ଯାଉଛନ୍ତି । ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ନ ଫେରି କର୍ଣ୍ଣାଟକରେ ହିଁ ରହିବାକୁ ସରକାର ନିବେଦନ କରିବା ସହ ସେମାନଙ୍କ ଫେରିବା ରାସ୍ତା ବନ୍ଦ କରିଛନ୍ତି । ବାଂଗାଲୁରୁ ପୁଲିସ କମିସନର ଭିଡ଼ିଓ ବାର୍ତା ଦେଇ ବାହାର ରାଜ୍ୟର ଶ୍ରମିକଙ୍କୁ ରାଜ୍ୟ ଭିତରେ ରହିବାକୁ ନିବେଦନ କରିବା ସହ ରାଜ୍ୟରେ କଳ କାରଖାନା ଖୋଲିଲେ କାମଧନ୍ଦା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାଦ୍ୱାରା ମେ’ ମାସରେ କଳ କାରଖାନା ଖୋଲିଲେ ରାଜ୍ୟରେ ଆଉ ଶ୍ରମିକ ସମସ୍ୟା ରହିବ ନାହିଁ । ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରବା ଫଳରେ ଅନ୍ୟ ରାଜ୍ୟରେ ଯେଉଁ ସଂକଟ ଦେଖା ଦେଇଛି ତାହା ଅନ୍ତତଃ କର୍ଣ୍ଣାଟକରେ ଦେଖା ଦେବ ନାହିଁ ବୋଲି ବିଶ୍ୱାସ କରାଯାଉଛି । ଅନ୍ୟ ରାଜ୍ୟମାନେ ମଧ୍ୟ ସେମାନଙ୍କ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସଂଗରୋଧ, ଚିକିତ୍ସା ଏବଂ ରାଜ୍ୟରେ କାମଧନ୍ଦା ଯୋଗାଇ ଦେବାର ବାଟ କରିଥିଲେ ରାଜ୍ୟମାନଙ୍କୁ ଉଭୟ କରୋନା ସଂକ୍ରମଣ ଭୟରୁ ମୁକ୍ତି ମିଳିଥା’ନ୍ତା ଏବଂ କେନ୍ଦ୍ର ସରକାର ଜୀବୀକାକୁ ଗୁରୁତ୍ୱ ଦେବା ବେଳେ ଶ୍ରମିକ ସମସ୍ୟା ମଧ୍ୟ ମୁଣ୍ଡଟେକି ନ ଥା’ନ୍ତା । ଦୂରଦୃଷ୍ଟିର ଅଭାବ ଆଜି ଦେଶକୁ କରୋନା ଅପେକ୍ଷା ଅଧିକ ଜଟିଳ ସମସ୍ୟା ଭିତରକୁ ଟାଣି ନେଇଛି । ତେଣୁ, ସରକାର ଉଭୟ ଜୀବନ ଓ ଜୀବୀକା ମଧ୍ୟର ସନ୍ତୁଳନ ରକ୍ଷା କରି ନୂଆ କରି ଏହି ମହାମାରୀ ସଂକଟର ମୁକାବିଲା ପନ୍ଥା ନିର୍ଦ୍ଧାରଣ କରିବାକୁ ପଡିବ ଏବଂ ଦେଶକୁ ତାଲାବନ୍ଦରୁ ମୁକୁଳାଇବାକୁ ପଡିବ । ନହେଲେ ଜୀବନ ଓ ଜୀବିକାକୁ ନେଇ ସଂକଟ ବହୁଗୁଣ ବଢିଯିବ ବୋଲି ଦେଶର ଅର୍ଥନୀତି ବିଶେଷଜ୍ଞମାନେ କହିଲେଣି । ତେଣୁ, ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ପରେ ସରକାରଙ୍କ କୌଶଳ କଣ ହେବ, ତାହା ଉପରେ ସମଗ୍ର ଦେଶର ଆଖି ରହିବା ସ୍ୱାଭାବିକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS