ଓଡ଼ିଶାରେ କରୋନା: ଆକ୍ରାନ୍ତ ସଂଖ୍ୟା ୩୭୭, ବୌଦ୍ଧ ଓ ଅନୁଗୁଳ ଖାତା ଖୋଲିଲେ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୧୦
ପ୍ରବାସୀଙ୍କୁ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ବେଗରେ ବଢି ଚାଲିଛି, ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରାତି ୮ଟା ସୁଦ୍ଧା ରାଜ୍ୟରେ ନୂଆ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଂଚିଛି । ରବିବାର ସକାଳେ ରାଜ୍ୟରେ ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅପରାହ୍ନରେ ଆଉ ୧୦ ଜଣ ଓ ସନ୍ଧ୍ୟାରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ଆଜି କରୋନା ମାନଚିତ୍ରରେ ସ୍ଥାନ ପାଇଛନ୍ତି । ସକାଳେ ଅନୁଗୁଳ ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସନ୍ଧ୍ୟାରେ ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ପ୍ରଥମ ଥର ପାଇଁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲା ଗ୍ରୀନ୍ ଜୋନରୁ ବାଦ୍ ପଡିଛି । ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ୨ ଜଣ ଏପରି ମୋଟ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଫଳରେ, ଆଜି ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହୋଇଛି । ଅପରାହ୍ନରେ ଭଦ୍ରକ ଜିଲ୍ଲାରୁ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ଭଦ୍ରକରେ ସଂଖ୍ୟା ୩୧କୁ ବଢିଛି । ପୁରୀ ଜିଲ୍ଲାରେ ମାତ୍ର ଜଣେ ସଂକ୍ରମିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ଜିଲ୍ଲା ଗ୍ରୀନ୍ ଜୋନରେ ଥିଲା । ସନ୍ଧ୍ୟାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ପୁନର୍ବାର ଆକ୍ଟିଭ୍ ପଜେଟିଭ୍ ଜିଲ୍ଲା ହୋଇଛି ।
ସୁରଟ୍ ଫେରନ୍ତାଙ୍କୁ ନେଇ ରାଜ୍ୟର ସୁପର୍ ହଟସ୍ପଟ୍ ର ପରିଚିତି ପାଇ ଥିବା ଗଞ୍ଜାମ ଜିଲ୍ଲାରୁ ସକାଳେ ୨୯ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ୭ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ, ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଂଚିଛି । ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବାରୁ ଆକ୍ଟିଭ୍ ପଜେଟିଭ୍ ସଂଖ୍ୟା ୧୨୪ ହୋଇଛି । ସକାଳେ ବାଲେଶ୍ୱରରୁ ୧୫ ନୂଆ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ ଏବଂ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଂଚି ଥିଲା । ସେଥିରୁ ୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି । ଅନୁଗୁଳ ଜିଲ୍ଲା ଆଜି ନୂଆ କରି କରୋନା ମାନଚିତ୍ରରେ ସ୍ଥାନ ପାଇଛି । ସକାଳେ ଜିଲ୍ଲଶରୁ ୧୩ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ସନ୍ଧ୍ୟାରେ ଆଉ ୨ ଜଣ ଚିହ୍ନଟ ହୋଇ ଜିଲ୍ଲାର ସଂଖ୍ୟା ୧୫ରେ ପହଂଚାଇଛନ୍ତି । ବୌଦ୍ଧ ଜିଲ୍ଲା ୩ କରୋନା ଆକ୍ରାନ୍ତଙ୍କୁ ନେଇ ଆଜି ଖାତା ଖୋଲିବା ପରେ ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୧ରେ ପହଂଚିଛି । ମାତ୍ର ୯ଟି ଜିଲ୍ଲା କରୋନା ମୁକ୍ତ ରହିଛି । ଏହାଛଡା, ମୟୁରଭଂଜରୁ ଆଜି ଆଉ ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।
ମେ’ ୩ ତାରିଖରୁ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ବିଭିନ୍ନ ଜିଲ୍ଲାର ସ୍ଥିତି ଏଭଳି ଭାବେ ବଦଳି ଚାଲିଛି । କ୍ୱାରେଂଟାଇନରେ ଥିବା ପ୍ରବାସୀ ଓଡ଼ିଆ, ବିଶେଷକରି ସୁରଟ୍ ଫେରନ୍ତା ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାଗୁଡିକ ଆତଙ୍କର କାରଣ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟର୍ ବା ସଂଗରୋଧ କେନ୍ଦ୍ରଗୁଡିକରୁ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଉ ଥିବାରୁ ରାଜ୍ୟରେ କରୋନା ପଜେଟିଭ୍ ସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢି ଚାଲିଛି ବୋଲି ଆଲୋଚନା ହେଉଛି । ତେବେ, ରାଜ୍ୟରେ ଏପର୍ଯ୍ୟନ୍ତ ଗଣସଂକ୍ରମଣ ହୋଇ ନାହିଁ, ଯେଉଁମାନେ କରୋନା ପଜେଟିଭ୍ ବାହାରୁଛନ୍ତି ସେମାନେ ସଂଗରୋଧରେ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛନ୍ତି । ରବିବାର ସକାଳ ସୁଦ୍ଧା ରାଜ୍ୟରେ ଚିହ୍ନଟ ୫୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ସୁରଟ୍ ଫେରନ୍ତା ଥିଲେ । ସେହିପରି, ଅନୁଗୁଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ଗୁଜୁରାଟ ଫେରନ୍ତା । ଅପରପକ୍ଷରେ, ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ୧୫ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କ ପଶ୍ଚିମ ବକ୍ରୁ ଫେରିଥିବା ବେଳେ ୫ ଜଣ କର୍ଣ୍ଣାଟକରୁ ଫେରିଛନ୍ତି । ଆଜି ସନ୍ଧ୍ୟାରେ ପୁରୀରୁ ଚିହ୍ନଟ ଦୁଇ କରୋନା ଆକ୍ରାନ୍ତଙ୍କ ପଶ୍ଚିମ ବଂଗ ଲିଂକ୍ ଥିବା ସରକାରୀ ଭାବେ କୁହାଯାଇଛି । ରଥଯାତ୍ରା ପାଇଁ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁରୀ ପୁନର୍ବାର କରୋନା-ଯୁକ୍ତ ଜିଲ୍ଲା ହେବା ଜୁଲାଇ ୨୩ ରଥଯାତ୍ରାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି ।
ଅନୁଗୁଳ ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ କ୍ୱାରେଂଟାଇନ୍ରେ ଅଛନ୍ତି । କେବଳ ଜଣକର ଟ୍ରାଭେଲ୍ ହିଷ୍ଟ୍ରୀ ନ ଥିବା କୁହାଯାଉଛି । ପ୍ରଶାସନକୁ ତାହା ଚିନ୍ତାରେ ପକାଇଛି । ତେବେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁ ଥିବାରୁ ଏହାକୁ ନେଇ ରାଜ୍ୟବାସୀ ଆତଂକିତ ହେବାର କୌଣସି କାରଣ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମକୁ କହିଛନ୍ତି । ତାଙ୍କ ଯୁକ୍ତି ହେଉଛି, କିଛି ଦିନ ହେଲା କରୋନା ପଜେଟିଭ୍ ସଂଖ୍ୟା ଯେଭଳି ଭାବେ ବଢିଛି ସେଥିରୁ ଅଧିକାଂଶ ଭାଗ ହେଉଛି ବିଭିନ୍ନ କ୍ୱାରେଂଟାଇନ୍ ସେଂଟର୍ ରୁ ସଂଗୃହୀତ ସ୍ୱବ୍ ନମୁନା । ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ ପ୍ରଥମେ ୨୧ ଦିନ ସରକାରୀ କ୍ୱାରେଂଟାଇନରେ ଓ ପରବର୍ତୀ ଏକ ସପ୍ତାହ ହୋମ୍ କ୍ୱାରେଂଟାଇନରେ ରହିବା ପ୍ରୋଟୋକଲ୍ ରେ ବ୍ୟବସ୍ଥା ଅଛି । କ୍ୱାରେଂଟାଇନ୍ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱାବ୍ ନମୁନାରୁ ଏସବୁ ପଜେଟିଭ୍ ବାହାରୁଛି । ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବହୁ ଗୁଣ ବଢିବ । ସେଥିରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର ହୋଇ ଥିବାରୁ ଜିଲ୍ଲାରେ ଉଦ୍ବେଗଜନକ ଅବସ୍ଥା ସୃଷ୍ଟି ହେବ । ତେଣୁ, ପରିସ୍ଥିତିର ମୁକାବିଲା ସଂପର୍କରେ ଦିଗ୍ଦର୍ଶନ ଦେବା ସକାଶେ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ୍ ଆଜି ଗଞ୍ଜାମ ଯାଇଛନ୍ତି । ଏହି ଟିମ୍ ଜିଲ୍ଲାରେ କଂଟେନମେଂଟ୍, ସର୍ଭେଲାନ୍ସ ଓ ମେଡ଼ିକାଲ୍ ରେସ୍ପନ୍ସକୁ ଦୃଢିଭୂତ କରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମଆର (ଇଣ୍ଡିଆନ କାଉନସିଲ୍ ଅଫ୍ ମେଡ଼ିକାଲ୍ ରିସର୍ଚ୍ଚ)ର ରିଜିଓନାଲ ମେଡ଼ିକାଲ ରିସର୍ଚ ସେଂଟରର ପ୍ରତିନିଧିମାନେ ଏହି ଟିମ୍ ରେ ଅଛନ୍ତି ।
ରବିବାର ରାତି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଂଚି ଥିବା ବେଳେ ସେଥିରୁ ଆକ୍ଟିଭ୍ ପଜେଟିଭ୍ ସଂଖ୍ୟ । ହେଉଛି ୩୦୬ । ୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଥିବା ବେଳେ ଜଣକର ମୃତ୍ୟୁ ଘଟିଛି । ଆକ୍ଟିଭ୍ ପଜେଟିଭ୍ ହେଉଛନ୍ତି ୧୨୪ । ଯାଜପୁର ଜିଲ୍ଲାରେ ୬୦ରୁ ୫୮ ଜଣ ଚିକିତ୍ସାଧୀନ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ସୁସ୍ଥ ହୋଇଛନ୍ତି, ୧୬ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରୁ ୯ ଜଣ ସୁସ୍ଥ ହୋଇଛନ୍ତି ଓ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି । ଭଦ୍ରକ ଜିଲ୍ଲାରେ ୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ଚିକିତ୍ସାଧୀନ ଅଛନ୍ତି । ଅନୁଗୁଳ ଜିଲ୍ଲାରେ ୧୫ ଜଣ ଚିକିତ୍ସାଧୀନ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାÿରେ ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୬ ସୁସ୍ଥ ହୋଇଛନ୍ତି ଓ ୭ ଜଣ ଚିକିତ୍ସାଧୀନ ଅଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୮ରୁ ୨ ସୁସ୍ଥ ଓ ୬ ଚିକିତ୍ସାଧୀନ, ମୟୁରଭଂଜ ଜିଲ୍ଲାରେ ୮ ଚିକିତ୍ସାଧୀନ, ଜଗତସିଂପୁରରେ ୫, ବଲାଂଗୀର ଜିଲ୍ଲାରେ ୨, ଝାରସୁଗୁଡ଼ା ଜିଲ୍ଲାରେ ୨ ଚିକିତ୍ସାଧୀନ ଅଛନ୍ତି । ପୁରୀ ଜିଲ୍ଲାରେ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୨ ଜଣ ଚିକିତ୍ସାଧୀନ ଅଛନ୍ତି । କଟକ ଜିଲ୍ଲାରେ ଜଣେ ସୁସ୍ଥ ଓ ଜଣେ ଚିକିତ୍ସାଧୀନ ଥିବା ବେଳେ କେନ୍ଦୁଝରରେ ୨ ଦେଓଗଡ଼ରେ ୧ କୋରାପୁଟରେ ୧, ନୟାଗଡ଼ରେ ୧ ଚିକିତ୍ସାଧୀନ ରହିଛନ୍ତି । ଢେଙ୍କାନାଳରେ ଜଣେ ଓ କଳାହାଣ୍ଡିରେ ୨ ଜଣ ଚିିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ୩ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
ରାଜ୍ୟରେ ଯେଉଁ ତିନିଟିି ମୃତ୍ୟୁ ଘଟିଛି ସେଥିରୁ ୨ଟି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସହରରେ ଓ ଗୋଟିଏ ଗଞ୍ଜାମ ଜିଲ୍ଲାରେ । ହଜାର ହଜାର ସଂଖ୍ୟାର ପ୍ରବାସୀ ଓଡ଼ିଆଙ୍କୁ ନେଇ ଅନ୍ୟୁନ ୬ଟି ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଓଡ଼ିଶାରେ ପହଂଚୁ ଥିବାରୁ ଆଗାମୀ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅଧିକ ଗମ୍ଭୀର ହେବ, ସେଥିରେ କିଛି ସନ୍ଦେହ ନାହିଁ । ରାଜ୍ୟ ସରକାର ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତି ମାନବିକତା ଓ ନୈତିକତା ଦୃଷ୍ଟିରୁ ସ୍ୱାଗତ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ସରକାର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏସଓପି ଅନୁସାରେ ରାଜ୍ୟମାନେ ପ୍ରବାସରେ ଥିବା ନିଜ ନିଜ ରାଜ୍ୟର ଲୋକମାନଙ୍କୁ ଫେରାଇ ନେବାକୁ ବାଧ୍ୟ କରୁଛନ୍ତି । ଓଡ଼ିଶା ହାଇକୋର୍ଟ ରାଜ୍ୟରେ କରୋନ ସଂକ୍ରମଣକୁ ଦେଖି ନେଗେଟିଭ୍ ବାହାରୁ ଥିବା ପ୍ରବାସୀ ଓଡ଼ିଆଙ୍କୁ ହିଁ ରାଜ୍ୟକୁ ଫେରାଇ ଅଣାଯିବାକୁ ନିର୍ଦେଶ ଦେଇଥିବା ବେଳେ ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏସଓପିର ପରିପନ୍ଥୀ ଦର୍ଶାଇ ସୁପ୍ରିମ କୋର୍ଟ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଉପରେ ଲଗାମ ଲଗାଇଛନ୍ତି । ଏହି ରାଜନୀତି ଓ ଆଇନଗତ ଯୁଦ୍ଧ ଭିତରେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଆଗାମୀ ଦିନରେ ରାଜ୍ୟ ପାଇଁ ବିପତ୍ତି ହେବେ କି ସଂପତ୍ତି ତାହା ସମୟ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS