କରୋନା ମୁକାବିଲା ପାଇଁ ରାଜ୍ୟଙ୍କୁ ସ୍ୱାଧୀନତା ମିଳୁ – ପ୍ରଧାନମନ୍ତ୍ରୀଙ୍କୁ କହିଲେ ୫ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୧୧
କରୋନା ମହାମାରୀର ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ତିନି ପର୍ଯ୍ୟାୟରେ ଲାଗୁ ହୋଇଥିବା ୫୪ ଦିନିଆ ତାଲାବନ୍ଦ ଅବଧି ମେ’୧୭ରେ ସରୁଛି । କେନ୍ଦ୍ର ସରକାର ଜନଜୀବନର ସୁରକ୍ଷା ସହ ଜୀବୀକାକୁ ମଧ୍ୟ ସମାନ୍ତରାଳ ଭାବେ ଗୁରୁତ୍ୱ ଦେଉ ଥିବାରୁ ୧୭ ତାରିଖ ପରେ ପରିସ୍ଥିତିର ମୁକାବିଲା ପାଇଁ କି ପଦକ୍ଷେପ ନେବାକୁ ପଡିବ, ସେ ସଂପର୍କରେ ବିଚାର ବିମର୍ଷ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ସହମତିର ସ୍ୱର ଶୁଣିବାକୁ ମିଳି ନ ଥିଲା । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭିନ୍ନ ଭିନ୍ନ ପରାମର୍ଶ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗ୍ରାମାଂଚଳ କରୋନା-ମୁକ୍ତ ରହିବା ଉପରେ ଗୁରୁତ୍ୱ ଦେଇଥିଲେ । ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରାଯିବା ସହ ମାନବିକତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ଥିଲା । ତେବେ, ଅଧିକାଂଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର କରୋନା ମୁକାବିଲ ଗାଇଡ୍ ଲାଇନ୍ ନାମରେ ସବୁ ନିଷ୍ପତ୍ତି ରାଜ୍ୟ ଉପରେ ଲଦି ନ ଦେଇ ରାଜ୍ୟମାନଙ୍କୁ ସେମାନଙ୍କ ନିଷ୍ପତ୍ତି ନେବାର ସ୍ୱାୟତ୍ତତା ଦିଆଯିବାକୁ ପ୍ରଧାନମନ୍ତ୍ରୀଙ୍କୁ ରୋକଠୋକ୍ କହିଥିବା ଜଣାପଡିଛି ।
ଓଡ଼ିଶା, ପଂଜାବ, କେରଳ, ପଶ୍ଚିମ ବଙ୍ଗ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ରୋକଠୋକ୍ ଭାବେ ଏକଥା କହିଛନ୍ତି । ରାଜ୍ୟମାନେ ଗଲା ୪୫ ଦିନ ହେଲା ନିଜ ନିଜ କ୍ଷେତ୍ରରେ ମାରାତ୍ମକ କରୋନା ଭୂତାଣୁ ଜନିତ ସଂକ୍ରମଣ ସହ ଲଢୁଛନ୍ତି । ତେଣୁ, ସେମାନେ ନିଜ ନିଜ ରାଜ୍ୟରେ କରୋନାର ମୁକାବିଲା ପାଇଁ କେତେବେଳେ କି ପଦକ୍ଷେପ ନେବେ ତାହା ନିର୍ଣ୍ଣୟ କରିବାର ସ୍ୱାଧୀନତା ପାଇବା ଆବଶ୍ୟକ । ରାଜ୍ୟରେ କେତେ ବେଳେ ତାଲାବନ୍ଦ କରିବାକୁ ପଡିବ ଓ କେତେ ବେଳେ ଅନ୍ୟ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ତାହା ରାଜ୍ୟମାନେ ନିଷ୍ପତ୍ତି ନେବା ସକାଶେ ଛାଡି ଦିଆଯିବା ଆବଶ୍ୟକ ବୋଲି ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପରାମର୍ଶ ଦେଇଥିବା ସୂଚନା ମିଳିଛି । ଅପରପକ୍ଷରେ, ତେଲେଙ୍ଗାନା, ତାମିଲନାଡୁ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସନ୍ତା କାଲିଠାରୁ ଦେଶରେ ସୀମିତ ଭାବେ ରେଳ ଚଳାଚଳ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ମେ’ ମାସ ସରିବା ପର୍ଯ୍ୟନ୍ତ ଅନ୍ତତଃ ଦେଶରେ ରେଳ ଚଳାଚଳ ପାଇଁ ଅନୁମତି ଦିଆ ନ ଯିବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ମଙ୍ଗଳବାରରୁ ଦେଶରେ ରେଳ ଚଳାଚଳ ପାଇଁ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରି ନେବାକୁ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦାବି ଉପସ୍ଥାପନ କରିବା ସହ ଏହା ନ ହେଲେ ରାଜ୍ୟମାନଙ୍କୁ ଆସୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବା ଓ କୋଭିଡ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ନମୁନା ପରୀକ୍ଷା ଓ ଚିକିତ୍ସା କରାଇବା କାଠିକର ପାଠ ହେବ ବୋଲି ଚେତାଇ ଦେଇଛନ୍ତି ।
ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଲାବନ୍ଦ ଅବଧି ବଢାଯିବା ସପକ୍ଷରେ ଦାବି ଉପସ୍ଥାପନ କରିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ପଂଚାୟତଗୁଡିକୁ ଅଧିକ କ୍ଷମତା ଦିଆଯିବା ସପକ୍ଷରେ ମତ ଦେଇଥିଲେ । କେନ୍ଦ୍ର ସରକାର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାକୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ‘ମାନବିକ କର୍ତବ୍ୟ’ ହୋଇଥିଲେ ମଧ୍ୟ ରାଜ୍ୟମାନଙ୍କୁ ପ୍ରବାସୀଙ୍କୁ ପଠାଇବା ପୂର୍ବରୁ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି କିଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ନହେଲେ ଓଡ଼ିଶା ଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ ଚେତାବନୀ ଦେଇଥିବା ଜଣାପଡିଛି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ତୀବ୍ର ଆକ୍ରମଣ କରି ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଉ ନ ଥିବା ଏବଂ କରୋନା ଭଳି ଏକ ବିଶ୍ୱ ମହାମାରୀ ସମୟରେ ମଧ୍ୟ ପଶ୍ଚିମ ବଙ୍ଗ ପ୍ରତି ପାତରଅନ୍ତର କରାଯାଉଥିବା ଅଭିଯୋଗ କରିଥିଲେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରାଯିବା ଏବଂ କେବଳ କଂଟେନମେଂଟ ଅଂଚଳ ଓ ହଟସ୍ପଟ୍ ଗୁଡିକୁ ଚିହ୍ନଟ କରାଯାଇ କଂଟେନମେଂଟ୍ କଟକଣା ସେସବୁ ଅଂଚଳରେ ସୀମିତ ରଖାଯିବାକୁ ପରାମର୍ଶ ଦେଇଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ମଲ୍ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ସୀମିତ କଟକଣ ମଧ୍ୟରେ ଖୋଲା ଯିବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ କଂଟେନମେଂଟ ଜୋନଗୁଡିକୁ ଚିହ୍ନଟ କରାଯାଇ କଟକଣା ସେଇଠି ସୀମିତ ରଖା ଯିବାକୁ, ଯାନବାହନ ଚଳାଚଳକୁ ଅନୁମତି ଦିଆଯିବାକୁ ଏବଂ ଦେଶ ବିଦେଶ ଯିବାକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି । ତେବେ, ଦେଶରେ ତାଲାବନ୍ଦ ଅବଧି ବଢିବ କି ନାହିଁ ତାହା ଉପରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତା ୧୫ ତାରିଖ ସୁଦ୍ଧା ତାଙ୍କୁ ଜଣାଇବାକୁ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି । ଆଜିର ଭିଡ଼ିଓ କନ୍ଫରେନ୍ସିଂ ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପଂଚମ ପର୍ଯ୍ୟାୟ ବୈଠକ । ଆଲାଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନ ୩ଟା ସମୟରେ ଏହି ବୈଠକ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ନିଜ ନିଜ ମତାମତ ଉପସ୍ଥାପନ କରିବାକୁ ସମୟ ପାଇଥିଲେ । ଅଧିକ ସଂକ୍ରମିତ ଅଂଚଳ ବା କଂଟେନମେଂଟ୍ ଏରିଆ ଏବଂ ହଟସ୍ପଟ୍ ଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଅଂଚଳରେ ପର୍ଯ୍ୟାୟକ୍ରମେ ତାଲାବନ୍ଦ ଉଠାଇ ଅର୍ଥନୈତିକ କାର୍ଯ୍ୟକଳାପକୁ ଗତିଶୀଳ କରିବାକୁ କେନ୍ଦ୍ର ସରକାର ଚାହୁଁ ଥିବା ବେଳେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରି ଯେଉଁ ଫିଡବ୍ୟାକ୍ ପାଇଛନ୍ତି ତାହା କେନ୍ଦ୍ରର ପରବର୍ତୀ ରଣକୌଣଳ ନିର୍ଦ୍ଧାରଣ କରିବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସରକାର ଦିଲ୍ଲୀରୁ ଦେଶର ୧୪ଟି ରାଜ୍ୟକୁ ୧୨ ତାରିଖରୁ ୧୫ ଯୋଡା (୩୦ଟି) ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇ ଆଜି ଆଇଆରସିଟିସି ମାଧ୍ୟମରେ ଟିକଟ ବୁକିଂ କରାଇ ଥିଲେ । ଦିଲ୍ଲୀ ଯିବା ଓ ଫେରନ୍ତା ଟିକଟ ସବୁ ଦୁଇ ଘଂଟା ମଧ୍ୟରେ ବିକ୍ରି ହୋଇଯାଇଥିବା ଆଇଆରସିଟିସି ସୂଚା ଦେଇଛି । ରେଳ ଷ୍ଟେସନ୍ ଓ ପ୍ଲାଟଫର୍ମ ଭିତରକୁ କାହାରିକୁ ଛଡାଯିବ ନାହିଁ । ପ୍ଲାଟଫର୍ମ ଟିକଟ ମଧ୍ୟ ବିକ୍ରି ହେବ । ଆଇଆରସିଟିସି ୱେବ୍ ସାଇଟ୍ରେ ଅନ୍ ଲଇନ୍ରେ ହିଁ ଟିକଟ ମିଳିବ ବୋଲି ସରକାର ଘୋଷଣା କରିଥିଲେ । ତାଲାବନ୍ଦ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାକୁ ସରକାର ଯେଉଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଇଛନ୍ତି ସେଥିରେ ପୂର୍ବରୁ ଏକାସମୟରେ ୧୨୦୦ ଯାତ୍ରୀ ଯାଇପାରୁ ଥିଲେ । ସାମାଜିକ ଦୂରତ୍ୱ ରକ୍ଷା ଉପରେ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଥିଲେ । ଏବେ ପ୍ରତି ସିଟ୍ରେ ଜଣେ ଜଣେ ଯାତ୍ରୀ ଯାଇ ପାରିବେ ଏବଂ ଏକାସମୟରେ ଗୋଟିଏ ଟ୍ରେନ୍ରେ ୧୭୦୦ ଶ୍ରମିକ ଯାତ୍ରା କରିବେ ବୋଲି ଆଜି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ରାଜ୍ୟ ପକ୍ଷରୁ ଅଧିକ ସଂଖ୍ୟାରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ କରାଯିବାକୁ ଦାବି ହେଉଥିବା କେନ୍ଦ୍ର ସରକାର କହୁଥିଲେ । ତେବେ, ଆଜି ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ କନ୍ଫରେନ୍ସିଂ ସମୟରେ ଅନେକ ରାଜ୍ୟ ମୋଟେ ଟ୍ରେନ୍ ଚଳାଚଳ କରା ନ ଯିବାକୁ ପ୍ରସ୍ତାବ ଦେଇଥିବା ବେଳେ କିଛି ରାଜ୍ୟ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟମାନଙ୍କୁ ପଠା ଯିବାକୁ ପ୍ରସ୍ତାବ ଦେଇ ଥିବାରୁ କେନ୍ଦ୍ର ସରକାରଙ୍କ ପରବର୍ତୀ ରଣକୌଶଳ କଣ ହେବ ତାହା ଉପରେ ସମସ୍ତଙ୍କ ଆଖି ରହିଛି ।
ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪,୨୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୨କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ୨, ୨୦୬କୁ ବୃଦ୍ଧି ପାଇଛି । ୨୦,୯୧୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଦେଇଥିବା ସୂଚନା ପ୍ରକାରେ ପୂର୍ବ ୨୪ ଘଂଟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨, ୯୩୭ ଓ ମୃତ୍ୟୁ ସଂଖ୍ୟା ୨,୧୦୯ ଥିଲା । ତେବେ, ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ । ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୩୦ ପ୍ରତିଶତରୁ ଅଧିକ, ଯାହାକି ସନ୍ତୋଷଜନକ ବୋଲି ସେ କହିଥିଲେ । ଏହି ପୃଷ୍ଠଭୂମୀରେ କେନ୍ଦ୍ର ସରକାର ଆଗାମୀ ଦିନ ପାଇଁ କିଭଳି କୌଶଳ ଗ୍ରହଣ କରିବାକୁ ଚାହୁଁଛନ୍ତି ତାହା ମେ’ ୧୫ ତାରିଖ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଉତ୍ତର ଦେବା ପରେ ହିଁ ସ୍ପଷ୍ଟ ହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS