ଜୁନ ୨୨ ସୁଦ୍ଧା ରଥ ନିର୍ମାଣ ସାରିବାକୁ ହାଇକୋର୍ଟଙ୍କ ନିର୍ଦେଶ
ପୁରୀ, ମେ’୧୨
ମୋଅନୁଭବ.କମ୍
ଜୁନ ୨୩ରେ ହେବାକୁ ଥିବା ରଥଯାତ୍ରା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଠିକ୍ ସମୟରେ କାର୍ଯ୍ୟ ସରିବ କି ନାହିଁ, ସେନେଇ ଆାଙ୍କା ପ୍ରକାଶ ପାଇଛି । ରାଜ୍ୟ ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସାରିବା ସକାଶେ ଆଦେଶ ଦେବାକୁ ଜଣେ ଆଇନଜୀବୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । କୋର୍ଟ ଆଜି ଏହାର ଶୁଣାଣୀ କରି ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ବଳଙ୍କ ଦ୍ୱାରା ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ବିଚାରପତି ଜଷ୍ଟିସ ଏସ.କେ. ମିଶ୍ର ଏହାର ଶୁଣାଣୀ କରିଥିଲେ ।
କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଅସ୍ୱାଭାବିକ ପରିସ୍ଥିତି ରହିଛି । ତେଣୁ, ୨୦୨୦ ବର୍ଷର ପୁରୀ ରଥଯାତ୍ରା ହୋଇ ପାରିବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ଅନିଶ୍ଚିତତା ଲାଗି ରହିଛି । ଏହି ଅନିଶ୍ଚିତତା ଭିତରେ ଚଳିତ ବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ମନ୍ଦିର ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଜିଦ୍ କରିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅନୁମତି ନେଇ ରାଜ୍ୟ ସରକାର ମେ’ ୮ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ତିନି ରଥର ଚକା ନିର୍ମାଣ ଚାଲିଛି । ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଠିକ ସମୟରେ ସରିବା ନେଇ ଜନସ୍ୱାର୍ଥ ମାମଲାରେ ସନ୍ଦେହ ପ୍ରକାଶ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ସକାଶେ କୋର୍ଟ ସରକାରଙ୍କୁ ନିର୍ଦେଶ ଦେବାକୁ ଆଇନଜୀବୀ ବଳ ଅପିଲ କରିଥିଲେ । ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛ ଏବଂ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ସରିବ ବୋଲି ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଆଜି କୋର୍ଟରେ କହିବା ପରେ ଜୁନ ୨୨ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ରଥ ନିର୍ମାଣ ସ୍ଥଳକୁ ନିୟମିତ ଭାବେ ସାନିଟାଇଜ୍ କରାଯିବା, ନିର୍ମାଣ ଦାୟିତ୍ୱରେ ଥିବା ମହାରଣା ସେବକମାନେ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି । ତାହା ପରିପାଳନ କରାଯାଉଥିବା ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ।
ମୋଟ ୭୨ ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜୁନ ୨୩ରେ ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ଶ୍ରୀ ବଳଭଦ୍ର ଓ ସାନ ଭଉଣୀ ମା’ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରରୁ ବାହାରି ମାଉସୀମା ମନ୍ଦିରରେ ପହଂଚିବେ । ସେଠରେ ତିନି ଠାକୁର ତିନି ରଥରେ ସାଧାରଣ ଭକ୍ତଙ୍କୁ ସମୀପ ଦର୍ଶନ ଦେବେ । ୯ ଦିନ କାଳର ଏହି ଯାତ୍ରା ଓ ମାଉସୀମାଙ୍କ ଘରେ ତିନି ଠାକୁର ଭକ୍ତଙ୍କ ଗହଣରେ ରହି ସମୀପ ଦର୍ଶନ ଦେବା, ପରେ ବାହୁଡା ଦିନ ଶ୍ରୀମନ୍ଦିରକୁ ବାହୁଡିବା ହେଉଛି ରଥଯାତ୍ରା । ଏହି ପର୍ବ ଦେଖିବା ପାଇଁ ପୁରୀ ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ହୋଇଥାଏ । ଦେଶ, ବିଦେଶରୁ ଭକ୍ତମାନେ ଆସି ତିନି ଠାକୁରଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି । ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ସତ, କିନ୍ତୁ କରୋନାର ବ୍ୟାପକତା ରଥଯାତ୍ରା କରାଇ ଦେବ କି ନାହିଁ ଭକ୍ତଙ୍କ ମନରେ ସେ ଆଶଙ୍କା ରହିଛି । ଠାକୁର ଚାହିଁଲେ ଏବର୍ଷ ମଧ୍ୟ ସବୁ କିଛି ସୁରୁଖୁରରେ ହୋଇଯିବ ବୋଲି ଶ୍ରୀମନ୍ଦିର ସେବାୟତମାନେ ଆଶା ବ୍ୟକ୍ତ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS