ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା


ଅଗଷ୍ଟ ୦୪
ମୋ ଅନୁଭବ ମିଡ଼ିଆ
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁପାରିଶ କଲେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେଙ୍କୁ ଶକ୍ତ ଚାପୁଡ଼ା… !
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ମୁମ୍ବାଇ ପୁଲିସ୍ ମୂଳରୁ ଏହି ମାମଲାର ତଦନ୍ତ କରୁଥିବା ବେଳେ ବିହାର ପୁଲିସ୍ ଏଥିରେ ହସ୍ତକ୍ଷେପ କରିବା ଅଧିକାର ରଖି ନାହାନ୍ତି । ତେଣୁ, ପାଟନା ଥାନାରେ ସୁଶାନ୍ତଙ୍କ ପିତା କେ.କେ.ସିଂହଙ୍କ ଦ୍ଵାରା ଦାଏର ହୋଇଥିବା ମାମଲା ମୁମ୍ବାଇ ସ୍ଥାନାନ୍ତର କରାଯାଉ ବୋଲି ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନସିନ୍ଦେ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନ ଉପରେ ଶୁଣାଣୀ ହେବାର ଗୋଟିଏ ଦିନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।
ମୁମ୍ବାଇ ପୁଲିସ୍ ଜୁନ୍ ୧୪ ତାରିଖ ଦିନ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ଭବନରେ ଆତ୍ମହତ୍ୟା କରିବା ଦିନରୁ ଏହି ମାମଲାର ତଦନ୍ତ କରୁଛନ୍ତି ସିନା ତଦନ୍ତ ଆଗକୁ ଯାଉ ନ ଥିବା ଦେଖି ସୁଶାନ୍ତଙ୍କ ପିତା କେ.କେ. ସିଂହ ନିକଟରେ ବିହାର ପାଟନା ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଏହି ଆତ୍ମହତ୍ୟା ପଛରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର ହାତ ଥିବା କେ.କେ ପାଟନା ଥାନାରେ ଦେଇଥିବା ଏତଲାରେ ଅଭିଯୋଗ କରିଥିବାରୁ ପାଟନା ପୁଲିସ ତାହାକୁ ଭିତ୍ତି କରି ତଦନ୍ତ କରୁଛନ୍ତି ।
ପାଟନା ଥାନାର ଏକ ୪ ଜଣିଆ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବେଳେ ମୁମ୍ବାଇ ପୁଲିସ ସେମାନଙ୍କୁ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା । ଏହି ତଦନ୍ତର ତଦାରଖ କରିବାକୁ ପାଟନା ଏସପି ମୁମ୍ବାଇରେ ରବିବାର ଦିନ ପହଞ୍ଚି ଥିଲେ । ମହାରାଷ୍ଟ୍ର ପୁଲିସ ତାଙ୍କୁ ସହାୟତ କରିବା ପରିବର୍ତ୍ତେ ଵିଏମ୍ ସି ମାଧ୍ୟମରେ ତାଙ୍କୁ ବିମାନ ବନ୍ଦରରୁ ଉଠାଇ ନେଇ ୧୪ ଦିନିଆ ସଂଗରୋଧରେ ରଖିଛନ୍ତି । ବିହାର ପୁଲିସର ଜଣେ ଆଇପିଏସ୍ ଅଧିକାରୀଙ୍କ ପ୍ରତି ମୁମ୍ବାଇରେ ରବିବାର ଦିନ ହୋଇଥିବା ଏଭଳି ଅଭାବନୀୟ ବ୍ୟବହାରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ଷୁବ୍ଧ ହେବା ସ୍ବାଭାବିକ ।
ଏମିତି ତ ନୀତିଶ ସୁଶାନ୍ତ ସିଂହ ମାମଲା ରେ ମୁମ୍ବାଇ ପୁଲିସ ତଦନ୍ତରେ ଶିଥିଳତାକୁ ନେଇ ନିଜ ରାଜ୍ୟରେ ଗଭୀର ରାଜନୈତିକ ଚାପ ମଧ୍ୟରେ ଥିଲେ । ପାଟନା ପୁଲିସ ଅଧିକାରୀ ଜଣକ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କାର୍ଯ୍ୟ ତଦାରଖ କରିବା ସକାଶେ ରବିବାର ସକାଳେ ମୁମ୍ବାଇରେ ପହଞ୍ଚିବା ପରେ ବ୍ରିହାନ ମୁମ୍ବାଇ ମୁନ୍ସିପାଲ୍ କର୍ପୋରେସନର ଅଧିକାରୀମାନେ ତାଙ୍କୁ ଜବରଦସ୍ତ ବିମାନ ବନ୍ଦରରୁ ଉଠାଇ ନେଇ କ୍ୱାରେନ୍ଟାଇନକୁ ପଠାଇ ଦେଲେ । ମୁମ୍ବାଇରେ ଥିବା ଆଇପିଏସ୍ ମେସ୍ ରେ ତାଂକୁ ରଖିବା ସକାଶେ ବିହାର ରାଜ୍ୟ ପୁଲିସ ମହା ନିର୍ଦେଶକ ଅନୁରୋଧ କରିବା ସତ୍ତ୍ବେ ମହାରାଷ୍ଟ୍ର ପୁଲିସ ଉଚ୍ଚ କର୍ତୃପକ୍ଷ ତାହାକୁ ଉପେକ୍ଷା କରି ଗୁରୁଗ୍ରାମରେ ଥିବା ଏକ ଅତିଥି ଭବନରେ ୧୪ ଦିନିଆ ସଂଗରୋଧରେ ରଖିଛନ୍ତି |
ସମ୍ପୃକ୍ତ ଆଇପିଏସ୍ ଅଧିକାରୀଂକ ହାତରେ କ୍ବାରେନ୍ଟାଇନ୍ ଷ୍ଟାଂପ୍ ମଧ୍ୟ ଲାଗିଛି | ବିହାର ଡ଼ିଜିପି ଟ୍ବିଟ୍ କରି ଏହି ଘଟଣା ସମଗ୍ର ଦେଶର ଦୃଷ୍ଟିକୁ ଆଣିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷୋଭ ପ୍ରକାଶ କରିଥିଲେ । ଘଟଣା ଯଦି ସତ୍ୟ ହୋଇଥାଏ ତେବେ ତାହା ଉଚିତ୍ ହୋଇ ନାହିଁ ବୋଲି ସେ ମନ୍ତବ୍ୟ ରଖିଥିଲେ | ସୋମବାର ବିହାର ବିଧାନସଭାରେ ମଧ୍ୟ ଦଳମତ ନିର୍ବିଶେଷରେ ସବୁ ବିଧାୟକ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ସୁପାରିଶ ସକାଶେ ଦାବି କରି ମୁଖ୍ୟ ମନ୍ତ୍ରୀଙ୍କୁ ଚାପରେ ରଖି ଥିଲେ । ସୁଶାନ୍ତଂକ ପିତା କେ.କେ. ସିଂହ ମୁଖ୍ୟମନ୍ତ୍ରୀ କୁମାରଂକୁ ଫୋନ୍ କରି ପୁନଃ ସେହି ଦାବି ଉପସ୍ଥାପନ କରିବାରୁ ମୁଖ୍ୟମନ୍ତ୍ରୀ ଆଜି ବିହାର ପାଟନା ଥାନାରେ ଦାଖଲ ହୋଇଥିବା ଏତଲା ଭିତ୍ତିରେ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି |
ଏଠାରେ ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଠିକ୍ ବାଟରେ ଚାଲିଛି, ମୁମ୍ବାଇ ପୁଲିସ ତଦନ୍ତକୁ ଠିକ୍ ବାଟରେ ପରିଚାଳନା କରିବାକୁ ସକ୍ଷମ …ତେଣୁ, ରାଜ୍ୟ ସରକାର ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାର ଆବଶ୍ୟକ ମନେ କରୁ ନାହାନ୍ତି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ବିହାର ବିଧାୟକମାନଂକ ଦାବି ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେ ଅଗଷ୍ଟ ୧ ତାରିଖ ଦିନ ଗଣମାଧ୍ୟମକୁ କହିଥିଲେ | ଏହି ମାମଲାକୁ ବିହାର ଓ ମହାରାଷ୍ଟ୍ର ମଧ୍ୟରରେ ରାଜନୈତିକ ବିବାଦର ରୂପ ନଦେବାକୁ ସେ ମିଡିଆକୁ ପରାମର୍ଶ ଦେଇଥିଲେ ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବା ସକାଶେ ସୁପାରିଶ କରି ମହାରାଷ୍ଟ୍ର ସରକାରଙ୍କୁ ରବିବାର ଘଟଣାର ଉଚିତ ଜବାବ ଦେଇଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ, ନୀତୀଶ କୁମାର ବିହାରୀ ଭାବନାକୁ ସନ୍ତୁଷ୍ଟ ରଖିବା ସକାଶେ ସୁଶାନ୍ତ ସିଂହ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS