ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂକଟମୁକ୍ତ ନୁହନ୍ତି; ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ମୋଅନୁଭବ ମିଡ଼ିଆ
ନୂଆଦିଲ୍ଲୀ
ଅଗଷ୍ଟ ୧୪
ନୂଆଦିଲ୍ଲୀସ୍ଥିତ ସେନା ବାହିନୀର ରିସର୍ଚ୍ଚ ଆଣ୍ଡ୍ ରେଫରାଲ୍ ହସପିଟାଲରେ ୪ ଦିନ ହେଲା ଚିକିତ୍ସାଧୀନ ଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନ ଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହି ଥିବା ଆଜି ସକାଳେ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ୧୦ ତାରିଖ (ରବିବାର) ଦିନ ସେ ରାଜାଜୀ ମାର୍ଗରେ ଥିବା ତାଙ୍କ ସରକାରୀ ବାସ ଭବନରେ ପାଦ ଖସି ପଡି ଯିବାରୁ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ସେନାର ଆର.ଆର ହସପିଟାଲକୁ ଅଣାଯାଇ ପରୀକ୍ଷା କରାଯିବାରୁ ମସ୍ତିଷ୍କରେ ଗୋଟିଏ ପ୍ୟାଚ୍ ରେ ରକ୍ତ ଜମାଟ ବାନ୍ଧି ଥିବା ଜଣାପଡିବାରୁ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି । ତାହା ପରଠାରୁ ପ୍ରାୟତଃ ସେ କୋମାରେ ଥିବା ଜଣାପଡିଛି । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁ ଭେଂଟିଲେଟର୍ ରେ ରଖାଯାଇ ଚିକିତ୍ସା କରାଯାଉଛି । ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁ ନ ଥିଲେ ମଧ୍ୟ ସ୍ଥିର ରହିଛି ବୋଲି ହସପିଟାଲ୍ କର୍ତୃପକ୍ଷ କହିଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ଜଣେ ବିଚକ୍ଷଣ ନେତା ଏବଂ ଦୀର୍ଘ ବର୍ଷ ଧରି ଭାରତୀୟ ରାଜନୀତିରେ ନିଜର ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ଅତୀତରେ କଂଗ୍ରେସ ଦଳ କ୍ଷମତାରେ ଥିବା ସମୟରେ ଯେତେବେଳେ ଯେଉଁ ସଂକଟ ଆସୁଥିଲା ତାହାକୁ ସେ ସଫଳତାର ସହ ମୁକାବିଲା କରୁଥିଲେ । ତେଣୁ, ତାଙ୍କୁ କଂଗ୍ରେସର ‘ଟ୍ରବୁଲ୍ ସୁଟର୍’ କୁହାଯାଉଥିଲା । ମୁଖାର୍ଜୀ ୧୯୬୯ରେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେ ଲଗାତର ୫ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରୁ ସେ ଲଗାତର ଦୁଇ ଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ଯୋଜନା କମିସନ୍ ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସେ ୧୯୮୨ରେ ପ୍ରଥମ ଥର ପାଇଁ ଦେଶର ଅର୍ଥ ମନ୍ତ୍ରୀ ଭାବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଦାୟିତ୍ୱ ନେଇ ଥିଲେ । ୧୯୯୧ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରର ପତନ ଘଟିବା ପରେ ସେହି ସମୟରେ ଦେଶର ରାଷ୍ଟ୍ରପତି ଥିବା ଆର. ଭେଂକଟରମଣ ପ୍ରଣବ ଦା’ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁ ଥିଲେ । ତେବେ, ସେହି ସମୟରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାହା କରାଇ ନ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଇଥିଲେ ।
ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ପୂର୍ବ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ପ୍ରଥମ ଦଫା ୟୁପିଏ ସରକାରରେ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ । ସେହି ସମୟରୁ ପ୍ରଣବ ଦା’ଙ୍କ ମେଡ଼ିକାଲ ରିପୋର୍ଟ ସବୁ ସେନା ବାହିନୀ ହସପିଟାଲରେ ମେଂଟେନ୍ ହୋଇ ଆସୁଛି । ତେଣୁ, ଗତ ୧୦ ତାରିଖ ଦୁର୍ଘଟଣା ପରେ ତାଙ୍କୁ ସେନାର ଆର.ଆର ହସପିଟାଲରେ ହିଁ ଚିକିତ୍ସା ପାଇଁ ଭର୍ତି କରାଯାଇଛି ବୋଲି ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ କହିଛନ୍ତି । ପ୍ରଣବ ଦା’ ଗାଁରୁ ପଣସ ଆଣିବାକୁ ପୁଅକୁ କହିଥିଲେ । ଗତ ୩ ତାରିଖ ଦିନ ସେ ଗାଁ ରୁ ଆସି ଥିବା ପଣସ ଖାଇବା ପରେ ତାଙ୍କ ସୁଗର୍ ସ୍ତର ବଢି ଯାଇଥିଲା ବୋଲି ମଧ୍ୟ ଅଭିଜିତ୍ ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀଙ୍କୁ ୨୦୧୯ ଅଗଷ୍ଟରେ ‘ଭାରତ ରତ୍ନ’ରେ ଭୂଷିତ କରାଯାଇ ଥିବା ବେଳେ ୨୦୨୦ ଅଗଷ୍ଟରେ ସେ ଗୁରୁତର ଅବସ୍ଥାରେ ସେନା ହସପିଟାଲରେ ମୃତ୍ୟୁ ସହ ଲଢୁଛନ୍ତି।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS