ଅଦାଲତ ଅବମାନନା ଅଭିଯୋଗ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ୨୦ରେ ଦଣ୍ଡ ବିଧାନ
ମୋଅନୁଭବ ମିଡ଼ିଆ
ନୂଆଦିଲ୍ଲୀ
ଅଗଷ୍ଟ ୧୪
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ.ବୋବଡେ ଏବଂ ସୁପ୍ରିମ କୋର୍ଟର ବିଚାର ବ୍ୟବସ୍ଥା ସଂପର୍କରେ ସମାଲୋଚନାତ୍ମକ ଟ୍ୱିଟ୍ କରିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେ ଦେଶର ମୁଖ୍ୟ ବିଚାରପତି ଓ ସୁପ୍ରିମ କୋର୍ଟର ବିଚାର ବ୍ୟବସ୍ଥା ଟ୍ୱିଟର୍ ରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ଅଦାଳତ ଅବମାନନା ଦର୍ଶାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଚାରପତି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି.ଆର.ଗାଭାଇ ଓ ବିଚାରପତି ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା (କଂଟେମ୍ପଟ୍ ଅଫ୍ କୋର୍ଟ) ମାମଲାର ବିଚାର କରି ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୋଧରେ ଦଣ୍ଡବିଧାନ କଣ ହେବ ତାହା ଅଗଷ୍ଟ ୨୦ ତାରିଖ ଦିନ ସ୍ଥିର କରାଯିବ ବୋଲି ରାୟ ଦେଇଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବେବଡେ ଗଲା ଜୁନ ମାସରେ କୋର୍ଟର ଅବକାଶକାଳୀନ ଛୁଟି ସମୟରେ ନିଜ ଘର ନାଗପୁର ଯାଇଥିଲେ । ସେଠାରେ ସେ ଗୋଟିଏ ସୁପର୍ ବାଇକ୍ ରେ ବସି ଥିବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ବାସ୍ତବରେ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେ ଷ୍ଟାଣ୍ଡ୍ ଉପରେ ଥୁଆ ହୋଇଥିବା ବାଇକ୍ ରେ ବସି ଥିବା ଫଟୋ ପ୍ରସାରିତ ହୋଇଥିବା ବେଳେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଭୁଲରେ ତାହା ମୁଖ୍ୟ ବିଚାରପତି ଚଳାଉ ଥିବା ଭାବି ନେଇ ଫଟୋ ଉପରେ କଟୁ ମନ୍ତବ୍ୟ ରଖିଥିଲେ । ଦେଶର ମୁଖ୍ୟ ବିଚାରପତି ସୁପର୍ ବାଇକ୍ ଚଳାଉ ଥିବା ବେଳେ ମୁଣ୍ଡରେ ହେଲମେଟ୍ ପିନ୍ଧି ନାହାନ୍ତି ବୋଲି ପ୍ରଶାନ୍ତ ଭୂଷଣଙ୍କ ଟିପ୍ପଣୀ ଅଦାଲତ ଅବମାନନା ମାମଲା ଆଡକୁ ତାଙ୍କୁ ଟାଣି ନେଇ ଥିଲା । ପରେ, ଅଗଷ୍ଟ ୨ ତାରିଖରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲା ଉପରେ ଏକ ଆଫିଡେଭିଟ ମାଧ୍ୟମରେ ନିଜର ପକ୍ଷ ରଖି ସୁପର୍ ବାଇକ୍ ଷ୍ଟାଣ୍ଡ୍ ଉପରେ ଥୁଆ ହୋଇଥିବା ସେ ଜାଣି ନ ପାରି ମୁଖ୍ୟ ବିଚାପତି ଜଷ୍ଟିସ ବୋବଡେଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ଦେଇ ଥିବାରୁ ଦୁଃଖିତ ବୋଲି କହିଛନ୍ତି । ତେବେ, ସେ ବିଚାର ବ୍ୟବସ୍ଥାକୁ ନେଇ ଦେଇଥିବା ଟିପ୍ପଣୀରେ କାଏମ୍ ଥିବା କହିଛନ୍ତି । ମୁଖ୍ୟ ବିଚାରପତି ବା ବିଚାର ବ୍ୟବସ୍ଥାକୁ ସମାଲୋଚନା କରିବା ସେଶର ସର୍ବେଚ୍ଚ ନ୍ୟାୟାଳୟ ଓ ତାହାର କ୍ଷମତାକୁ ନ୍ୟୁନ କରିବା ଉଦେ୍ଦଶ୍ୟ ରଖ ନାହିଁ । ତେଣୁ, ଆଂଶିକ ଭାବେ ସେ କ୍ଷମାପ୍ରାର୍ଥୀ ବୋଲି ପ୍ରଶାନ୍ତ ଭୂଷଣ ତାଙ୍କ ଓକିଲ ଦୁଷ୍ମ୍ନ୍ତ ଡାଭେଙ୍କ ମାଧ୍ୟମରେ ଦାଖଲ କରିଥିବା ଆଫିଡେଭିଟରେ ଦର୍ଶାଇଛନ୍ତି ।
ଏହି ଅଦାଲତ ଅବମାନନା ମାମଲାରେ ସାମାଜିକ ଗଣମାଧ୍ୟମ ‘ଟ୍ୱିଟର୍’କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ତେବେ, ‘ଟ୍ୱିଟର୍’ ତାହାର ପକ୍ଷ ରଖି ସନ୍ତୋଷଜନକ ଉତ୍ତର ଦେଇଥିବାରୁ ଖଣ୍ଡପୀଠ ଟ୍ୱିଟର୍’କୁ ମାମଲାରୁ ଛାଡ ଦେଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS