କରୋନା ଡ଼ାଏରୀ (୧୭)… ମହାମାରୀ ସତ୍ୱେ ନିର୍ବାଚନ ରାଜନୀତି, ମଣିଷ ଜୀବନ ମହତ୍ୱହୀନ ?
ପ୍ରସାଦ ରାଓ
ମୋଅନୁଭବ.କମ୍
ସେପ୍ଟେମ୍ବର ୦୭
ସେପ୍ଟେମ୍ବର ମାସରେ ଦେଶରେ କରୋନା ସଂକ୍ରମଣ ଆକାଶଛୁଆଁ ହୋଇଥିବା ବେଳେ କେନ୍ଦ୍ର ସରକାର ଅନ୍ ଲକ୍-୪ ନାଁରେ ସବୁ କିଛି ଖୋଲାମେଲା କରିଛନ୍ତି । ସିନେମା ହଲ୍, ସ୍ୱିମିଂ ପୁଲ୍ ଓ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ ସବୁ କରୋନା କଟକଣା ମୁକ୍ତ ହେଲାଣି । ଅନ୍ ଲାଇନ୍ ପାଠ ପଢା କେମିତି ଚାଲିଛି, ଛାତ୍ରଛାତ୍ରୀ କିଭଳି ଉପକୃତ ହେଉଛନ୍ତି – ତାହା ଅଭିଭାବକଙ୍କୁ ଅଛପା ନାହିଁ । ଏବେ ଭାରତୀୟ ନିର୍ବାଚନ ଆୟୋଗ ନଭେମ୍ବର ୨୯ ଆଗରୁ ବିହାରରେ ବିଧାନସଭା ନିର୍ବାଚନ ସମେତ ଦେଶର ୧୫ଟି ରାଜ୍ୟର ୬୫ଟି ଲୋକସଭା ଏବଂ ବିଧାନସଭା ଉପ ନିର୍ବାଚନ କରାଇବାକୁ ଅଂଟା ଭିଡ଼ିଛନ୍ତି । ଏହି ଘୋଷଣା ପରେ ବିହାର, ମଧ୍ୟ ପ୍ରଦେଶ, ଓଡ଼ିଶାରେ ରାଜନୈତିକ ଗୋଟିଚାଳନା ଆରମ୍ଭ ହୋଇ ଗଲାଣି । ମଧ୍ୟ ପ୍ରଦେଶର ସର୍ବାଧିକ ୨୭ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଅଛି । ଓଡ଼ିଶାରେ ମଧ୍ୟ ଦୁଇଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ବିହାର ଓ ମଧ୍ୟ ପ୍ରଦେଶକୁ ନେଇ ଆଶ୍ୱସ୍ତ ଥିବା ବେଳେ ଓଡ଼ିଶାର ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା କ୍ଷେତ୍ରକୁ ନେଇ ଶାସକ ବିଜୁ ଜନତା ଦଳକୁ କଡା ଟକ୍କର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ।
ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଚଳିତ ମେଂଟ ସରକାରର କାର୍ଯ୍ୟକାଳ ୨୦୨୦ ନଭେମ୍ବର ୨୯ରେ ସରୁଛି । ତେଣୁ, ଭାରତୀୟ ନିର୍ବାଚନ ଆୟୋଗ ଅକ୍ଟୋବର-ନଭେମ୍ବର ମଧ୍ୟରେ ବିହାରରେ ନିର୍ବାଚନ ସାରିବାକୁ ଆଗ୍ରହୀ । ତେବେ, ଅନ୍ୟ ୧୪ ରାଜ୍ୟର ଗୋଟିଏ ଲୋକସଭା ଓ ୬୪ ବିଧାନସଭା ଆସନରେ ଉପ ନିର୍ବାଚନକୁ ଏଥିରେ ଯୋଡା ଯାଇ ଏକାଠି ନିର୍ବାଚନ ସାରିବାକୁ ଆୟୋଗଙ୍କ ନିଷ୍ପତ୍ତି ସମଗ୍ର ଦେଶରେ ରାଜନୈତିକ ବାତାବରଣକୁ ଉତ୍ତପ୍ତ କରିଛି । ଏହା ଦେଶର କରୋନା ପରିସ୍ଥିତିକୁ ଆଉ କେତେ ଉପରକୁ ନେବ ତାହା ଆଜିର ସ୍ଥିତିକୁ ଦେଖିଲେ ଅନୁମାନ କରିବା କଷ୍ଟକର ହେବ ନାହିଁ । ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୩ଲକ୍ଷ ୦୪ ହଜାର ୬୧୩ । ସେଥିରୁ ୩୨ ଲକ୍ଷ ୫୦ ହଜାର ୪୨୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୭୧ ହଜାର ୬୪୨ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି ।
ସରକାରୀ ତଥ୍ୟ ମୁତାବକ ଆଜି ସୁଦ୍ଧା ଦେଶରେ ୪.୯୫ କୋଟି କରୋନା ନମୁନା ପରୀକ୍ଷା ହୋଇଛି । ୧୩୮ କୋଟି ଜନସଂଖ୍ୟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ନଗଣ୍ୟ ବୋଲି ସରକାର କହୁଛନ୍ତି । ତେବେ, ଦେଶରେ କରୋନା ସଂକ୍ରମଣର ଗତି କିଭଳି ଉପରମୁହାଁ ଚାଲିଛି ତାହା ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ସ୍ପଷ୍ଟ । ୨୪ ଘଂଟାରେ ଦେଶରେ ୯୦, ୮୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୦୧୬ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ସୁଦ୍ଧା ଦେଶରେ କରୋନାରେ ୭୧, ୬୪୨ ମୃତ୍ୟୁ ଘଟିଛି । ଏହି ହାରରେ ଚାଲିଲେ ଅତିଶୀଘ୍ର ଭାରତ ଆମେରିକାକୁ ଟପି ଏକ ନମ୍ବରରେ ପହଂଚି ଯିବ, ଏଥିରେ କିିଛି ସନ୍ଦେହ ନାହିଁ । ବର୍ତମାନ ଦେଶ କରୋନା ସଂକ୍ରମଣରେ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନରେ ପହଂଚି ଯାଇଛି । ଏହାସତ୍ୱେ କେନ୍ଦ୍ର ସରକାର ଅନ୍ ଲକ୍-୪ ନାଁରେ ଦେଶରେ କରୋନା କଟକଣା ସବୁ ହଟାଇ ଯେଭଳି ଏକ ସହଜ ବାତାବରଣ ସୃଷ୍ଟି କରିଛନ୍ତି, ତାହା ରାଜନୀତି ଦ୍ୱାରା ପ୍ରେରିତ ବୋଲି ବିଚାର କରାଯାଉଛି ।
ଦେଶରେ ସେପ୍ଟେମ୍ବର ୨୧ରୁ ଦେଶରେ ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକଳାପକୁ ଜନସାଧାରଣଙ୍କ ପାଇଁ ମୁକ୍ତ ହେଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଶହେ ପର୍ଯ୍ୟନ୍ତ ଲୋକ ଏକାଠି ହୋଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । କରୋନା ପରିସ୍ଥିତିରେ ବିହାରରେ ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ବିଧାନସଭା ଉପ ନିର୍ବାଚନ ହେବାକୁ ଯାଉଛି । ବିହାରରେ ନଭେମ୍ବର ପୂର୍ବରୁ ନିର୍ବାଚନ ହେବା କଥା ଶୁଣି ଜେଡ଼ିୟୁ-ବିଜେପି ମେଂଟ ବ୍ୟତୀତ ଅନ୍ୟ ସମସ୍ତ ବଡ ରାଜନୈତିକ ଦଳ କ୍ଷୁବ୍ଧ । ତେବେ, ନିର୍ବାଚନ ଆୟୋଗ ଦ୍ୱାରା ଅତିଶୀଘ୍ର ତାରିଖ ଘୋଷଣା ହେବାକୁ ଥିବାରୁ ବିରୋଧୀ ପ୍ରସ୍ତୁତ ହେବାକୁ ବାଧ୍ୟ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଭର୍ଚୁଆଲ୍ ର୍ୟାଲି ମାଧ୍ୟମରେ ତାଙ୍କ ପଚାର ଅଭିଯାନ ଆରମ୍ଭ କରିଛନ୍ତି । ବିରୋଧୀ ଆରଜେଡ଼ିକୁ ସେ ତୀବ୍ର ସମାଲୋଚନା କରି ରାଜ୍ୟର ଭୋଟର ଆତଙ୍କର ରାଜତ୍ୱ (ଆରଜେଡ଼ି ସରକାର ସମୟର) ଫେରିବା ଚାହୁଁଛନ୍ତି ନା ବର୍ତମାନର (ଜେଡିୟୁ-ବିଜେପିର) ଭୟମୁକ୍ତ ଶାସନର ପୁନଃ ପ୍ରତିଷ୍ଠା ଚାହୁଁଛନ୍ତି ତାହା ବାଛି ନେବାକୁ ଆହ୍ୱାନ ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାସନଙ୍କ ଏଲଜେପି କେନ୍ଦ୍ରରେ କ୍ଷମତାସୀନ ଏନଡିଏରେ ଥିବା ସମୟରେ ବିହାରରେ ଏନଡ଼ିଏ ବିରୋଧରେ ନିର୍ବାଚନ ଲଢଇବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି । ୨୦୧୫ ବିଧାନସଭା ନିର୍ବାଚନରେ ଦଳ ୪୨ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୨ଟିରେ ବିଜୟୀ ହୋଇଥିଲା । ୨୦୨୦ ନିର୍ବାଚନରେ ଚିରାଗ ଦଳର ମୁଖ୍ୟମନ୍ତ୍ରୀ ମୁହଁ ଭାବେ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଜି ତାଙ୍କ ଅଧ୍ୟକ୍ଷତାରେ ଏଲଜେପି ସଂସଦୀୟ ଦଳ ବୈଠକ ବସିଛି । ସେଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବା ଆଶା କରାଯାଉଛି । ବିହାର ମୁଖ୍ୟମନ୍ତ୍ରୀ ହେବାର ଉଚ୍ଚ ଅଭିଳାଷ ଚିରାଗଙ୍କୁ ଏନଡ଼ିଏରୁ ଦୂରେଇବାକୁ ବାଧ୍ୟ କରିଛି ବୋଲି ରାଜ୍ୟର ରାଜନୈତିକ ପର୍ଯ୍ୟବେକ୍ଷକମାନେ ଚର୍ଚ୍ଚା କରୁଛନ୍ତି ।
ଅପରପକ୍ଷରେ, ମଧ୍ୟ ପ୍ରଦେଶକୁ ନେଇ ଶାସକ ବିଜେପି ଉତ୍ସାହିତ । ଏହାର କାରଣ ହେଉଛି, ୨୦୧୮ ବିଧାନସଭା ନିର୍ବାଚନରେ ଯେଉଁ ୨୭ଟି ବିଧାନସଭା ଆସନ କଂଗ୍ରେସ ଜିତିଥିଲା ସେସବୁ ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କ ବିରୋଧରେ ବିଦ୍ରୋହ କରି ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ କଂଗ୍ରେସ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । କମଳ ନାଥ ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଏବଂ ତାଙ୍କ ସରକାର କ୍ଷମତାଚ୍ୟୁତ ହେବାରୁ ବିଜେପି ପୁନଃ କ୍ଷମତାସୀନ ହେଲା । ସଂପୃକ୍ତ ବିଧାୟକମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବାରୁ ବର୍ତମାନ ସେହି ୨୭ ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । ବିଜେପି ସବୁ ଆସନରୁ ବିଜୟ ଆଶା ରଖିଛି । କିନ୍ତୁ, ଓଡ଼ିଶାରେ ହେବାକୁ ଥିବା ଦୁଇ ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ବା ବିଜେପି ଖୁସି ହେଲା ଭଳି କିଛି ନାହିଁ । କାରଣ, ଆଜି ମଧ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି । କେବଳ କେନ୍ଦ୍ରପଡ଼ା ବିଜେଡ଼ି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହାନ୍ତଙ୍କ ମଧ୍ୟରେ ଚାଲି ଥିବା ଛାଡପତ୍ର ମାମଲା, ଘରୋଇ ହିଂସା ଅଭିଯୋଗ, ଆକ୍ଷେପ, ପ୍ରତ୍ୟାକ୍ଷେପ ଏବଂ ପରସ୍ପର ବିରୋଧରେ ଅଦାଲତୀ କାର୍ଯ୍ୟାନୁଷ୍ଠାନ ବିଜେପିକୁ ଖୁସି ହେବାର ଖୋରାକ ଯୋଗାଉଛି । ତେବେ, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଆଁକୁ ଥଣ୍ଡା କରି ଦେବେ ବୋଲି ବିଜେଡ଼ି ନେତାମାନେ ନିଶ୍ଚିନ୍ତ ।
କରୋନା ସଂକ୍ରମଣ ଉପର ମୁହାଁ ଥିବାରୁ ନିର୍ବାଚନକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ନିଜ ନିଷ୍ପତ୍ତି ସପକ୍ଷରେ ଦୃଢ ଯୁକ୍ତି ରଖିଛି । ନଭେମ୍ବର ୨୯ରେ ନୀତୀଶ ସରକାରଙ୍କ କାର୍ଯ୍ୟକାଳ ସରୁ ଥିବାରୁ ତାହା ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ହେଉଛି ଆୟୋଗର ସାମ୍ବିଧାନିକ ଦାୟିତ୍ୱ । ଏହାଛଡା ଯେଉଁ ୬୫ଟି ଉପ ନିର୍ବାଚନ ଏକାଠି ହେବାକୁ ଯାଉଛି ତାହା ନିର୍ବାଚନ ପରିଚାଳନା ଓ ଖର୍ଚ୍ଚ କମାଇବାରେ ସହାୟକ ହେବ । କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିର୍ବାଚନ ପରିଚାଳନା କାର୍ଯ୍ୟ ସୁରୁଖୁରରେ ହୋଇପାରିବ । ବିହାର, ଲଦାଖ, ଜମ୍ମୁ-କଶ୍ମୀର ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ନିର୍ବାଚନ ଅଧିକାରୀଙ୍କ ସହ ଶୁକ୍ରବାର ଦିନ ଆଲୋଚନା କରିବା ପରେ ଆୟୋଗ ଏହି ନିଷ୍ପତ୍ତି ନେଇଥିବା ଆୟୋଗ ପକ୍ଷରୁ କୁହାଯାଇଛି ।
ଆୟାଗ କହିଛି ଯେ, କରୋନା କଟକଣା ମଧ୍ୟରେ ଏହି ସବୁ ନିର୍ବାଚନ ହେବ । ଭୋଟ ପ୍ରଚାରରେ ଭାଗ ନେବାକୁ ଥିବା ରାଜନୈତିକ ଦଳର କର୍ମୀମାନେ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ପାରିବା । କିନ୍ତୁ,ଏକ ସମୟରେ ୫ ଜଣରୁ ଅଧିକ ଏକାଠି ହୋଇ ପ୍ରଚାର କରିବାକୁ ଯାଇ ପାରିବେ ନାହିଁ । ନିର୍ବାଚନ ପ୍ରଚାର ସମୟରେ ସେମାନେ ମୁହଁରେ ମାସ୍କ ପିନ୍ଧିବାକୁ ଓ ହାତ ସାନିଟାଇଜ୍ କରିବାକୁ ବାଧ୍ୟ । ଏଥି ସକାଶେ ନିର୍ବାଚନ ଆୟୋଗ ପକ୍ଷରୁ ଆଗରୁ ନିର୍ଦେଶାବଳୀ ଜାରି ହୋଇଛି । ଭୋଟ ସମୟରେ ମଧ୍ୟ ଗୋଟିଏ ବୁଥ୍ ରେ ସର୍ବାଧିକ ୧୦୦୦ ଭୋଟର ଭୋଟ ଦେବେ, ମୁହଁକୁ ମାସ୍କରେ ଢାଂକିବେ ଏବଂ ହାତକୁ ସାନିଟାଇଜ୍ କରିବେ ବୋଲି ଆୟୋଗ ଏସଓପି ଜାରି କରିଛି । ପ୍ରଥମ ଥର ପାଇଁ କରୋନା ପରିସ୍ଥିରେ ଏହି ନିର୍ବାଚନ ହେବାକୁ ଯାଉ ଥିବାରୁ ନିର୍ବାଚନ ଆୟୋଗ ବିଭିନ୍ନ ସୁରକ୍ଷା କଟକଣା ଜାରି କରିଛନ୍ତି । କିନ୍ତୁ, ରାଜନୈତିକ ଦଳମାନେ କେତେଦୂର ।ୃଙ୍ଖଳିତ ଭାବେ ଏହି କଟକଣା ସବୁ ମାନିବେ, ତାହା ଆଗକୁ ଜଣାପଡିବ । ବିଶେଷକରି, ଶାସକ ବିଜେପି କିଭଳି ଆଦର୍ଶ ଆଚରଣ ବିଧି ମାନିବାରେ କେତେଦୂର ଆଗ୍ରହ ପ୍ରକାଶ କରିବ, ତାହା ବଡ଼ ପ୍ରଶ୍ନ ହୋଇଛି ।
ଅତୀତର ଅଭିଜ୍ଞତାକୁ ବିଚାରକୁ ନେଲେ ଶାସକ ଦଳ କେବେ ନିର୍ବାଚନ କଟକଣା ଓ ଆଦର୍ଶ ଆଚରଣ ବିଧିକୁ ମାନିବା ନଜିର ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେପି ଭାରତୀୟ ନିର୍ବାଚନ ଆୟୋଗର ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରିଥିବାର ବହୁ ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ୬ରୁ ଅଧିକ ଆଚରଣବିଧି ଉଲଂଘନ ମାମଲାର ସମ୍ମୁଖୀନ ହୋଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଏଭଳି ଅଭିଯୋଗର ସାମନା କରିଛନ୍ତି । ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ ସବୁ ବିଚାର ପାଇଁ ନିର୍ବାଚନ ଆୟୋଗକୁ ଯାଇଥିଲା । ବିରୋଧୀ ଭିଡ଼ିଓ ଫୁଟେଜ୍ ଉପସ୍ଥାପନ କରି ସରକାରୀ ଦଳ ବିରୋଧରେ ଅଭିଯୋଗ ସାବ୍ୟସ୍ତ କରିଥିଲେ ମଧ୍ୟ ଏକାଧିକ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗ ବହୁମତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଶାହାଙ୍କୁ କ୍ଲିନ୍ ଚିଟ୍ ଦେଇ ବିରୋଧୀଙ୍କୁ ସମାଲୋଚନା କରିବାର ସୁଯୋଗ ଦେଇଥିଲେ । ନିର୍ବାଚନ ଆୟୋଗର ଅନ୍ୟତମ ସଦସ୍ୟ ଥିବା ତତ୍କାଳୀନ ନିର୍ବାଚନ କମିସନର୍ ଅଶୋକ ଲାଭାସା ଭିନ୍ନମତ ବ୍ୟକ୍ତ କରି ସରକାରଙ୍କ ଚକ୍ଷୁଶୂଳ ହୋଇଥିଲେ । ବିଭିନ୍ନ ବାଟରେ ଲାଭାସାଙ୍କୁ ହଇରାଣ ହରକତ କରାଯାଇ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଲାଭାସ ଆୟୋଗ ଛାଡିବା ସୂଚନା ଦେଇଥିଲେ । ଗତ ଅଗଷ୍ଟ ମାସ ୩୧ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏସୀୟ ଉନ୍ନୟନ ବ୍ୟାଙ୍କର ଉପ ସଭାପତି ଭାବେ ନିଯୁକ୍ତ ପାଇ ଥିବାରୁ ନିର୍ବାଚନ କମିସନର୍ ପଦରୁ ଇସ୍ତଫା ଦେଇଥିବା କୁହାଯାଇଥିଲା ।
ତେବେ, ଲାଭାସା ଇସ୍ତଫା ଦେବା ପରେ ଦେଇଥିବା ମନ୍ତବ୍ୟ ତାଙ୍କ ଅସହାୟତାକୁ ସ୍ପଷ୍ଟ କରିଛି । ନିର୍ବାଚନ ଅୟୋଗ ଭଳି ଦେଶର ଏକାଧିକ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା ସବୁରେ ବହୁମତ ନିକଟରେ ଭିନ୍ନମତର କୌଣସି ସମ୍ମାନ ନାହିଁ ବୋଲି ଲାଭାସା ମନ୍ତବ୍ୟ ଦେଇଥିଲେ । ଦେଶର ମୁଖ୍ୟ ନିର୍ବାଚନ କମିସନର୍ ଥିବା ସୁନିଲ ଆରୋରା ୨୦୨୧ ଏପ୍ରିଲରେ ଅବସର ଗ୍ରହଣ କରିବା ପରେ ଲାଭାସା ଦେଶର ମୁଖ୍ୟ ନିର୍ବାଚନ କମିସନର୍୍ ଭାବେ ଦାୟିତ୍ୱ ନେବାର ଥିଲା । କିନ୍ତୁ, ଅସମୟରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଭାରତୀୟ ଗଣତନ୍ତ୍ରର ସାଂପ୍ରତିକ ସ୍ୱାସ୍ଥ୍ୟାବସ୍ଥା ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି । ୨୦୧୯ ନିର୍ବାଚନ ସମୟରେ ଦେଶର ଅବସ୍ଥା ସାମାନ୍ୟ ଥିଲା । ବର୍ତମାନ କୋଭିଡ଼ କଟକଣା ମଧ୍ୟରେ ମହାମାରୀ ନିୟନ୍ତ୍ରଣ ଆଇନ୍ ବଳରେ ସବୁକିଛି ନିୟନ୍ତ୍ରିତ ହେଉଛି । ଆରଜେଡ଼ି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅଦ୍ୟାବଧି ଜେଲରେ ଅଛନ୍ତି । ତାଙ୍କ ପରିବାର ମଧ୍ୟ ବିଭାଜିତ ଅବସ୍ଥାରେ । ଚିରାଗ ପାଶ୍ୱାନଙ୍କ ଏଲଜେପିର ଜନାଧାର ସୀମିତ । ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଯେଉଁ ସିବିଆଇ ତଦନ୍ତ ଚାଲିଛି ତାହା ମଧ୍ୟ ନୀତୀଶ କୁମାରଙ୍କ ଜେଡ଼ିୟୁ -ବିଜେପି ମେଂଟ ସରକାର ପାଇଁ ଏକ ପ୍ଲସ୍ ପଏଂଟ୍ ହୋଇଛି । ଏଭଳି ପରିସ୍ଥିତିରେ ନଭେମ୍ବରରେ ନିର୍ବାଚନ କରାଇ ନେବା ସୁରକ୍ଷିତ ବୋଲି ଶାସକ ଦଳ ବିଚାର କରୁଛନ୍ତି । ତେଣୁ, ସରକାରଙ୍କ ଆଖିରେ ମଣିଷ ଜୀବନ ମୂଲ୍ୟହୀନ ହୋଇଛି ଏବଂ ରାଜନୀତି ମୁଣ୍ଡରେ ଚଢି କଥା କହୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ମହାମାରୀ ଆଇନ ଦ୍ୱାରା ସରକାର ବଳିୟାନ ଥିବା ବେଳେ ଏହାକୁ କିଏ ବା ବିରୋଧ କରିବ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS