ବିହାର ନିର୍ବାଚନ ନୀତୀଶ, ତେଜସ୍ୱୀଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ !
ପ୍ରସାଦ ରାଓ
ସେପ୍ଟେମ୍ବର ୨୫
ମୋଅନୁଭବ.କମ୍
ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ତାରିଖ ଘୋଷଣା ହେବା ପରେ ଏଥର କିଏ ସରକାର ଗଢିବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡ଼ିୟୁ (ଜନତା ଦଳ-ୟୁ)ରାଜ୍ୟରେ ବଜେପି ସହ ହାତ ମିଳାଇ ମେଂଟ ସରକାର ଚଳାଇ ଥିବା ବେଳେ ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚାରା ଘୋଟାଲା ମାମଲରେ ଦଣ୍ଡିତ ହୋଇ ଦୀର୍ଘ ବର୍ଷ ହେଲା ଜେଲରେ ଅଛନ୍ତି । ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବେ ଦଳର ମଂଗ ଧରିଛନ୍ତି । ଆରଜେଡ଼ିରେ କ୍ଷମତା କନ୍ଦଳ ଚରମ ସୀମାରେ ଥିବା ବେଳେ ଏନଡ଼ିଏର ଅଂଶୀଦାର ଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଏନଡ଼ିଏ ହାତ ଛାଡି ଆରଜେଡ଼ି ସହ ସଂପର୍କ ଯୋଡୁଥିବା ଖବର ଆସୁଥିବା ବେଳେ ଦଳ ଏପର୍ଯ୍ୟାନ୍ତ ତାହାର ଷ୍ଟାଣ୍ଡ୍ ସ୍ପଷ୍ଟ କରି ନାହିଁ । ଏବେ ରାମ ବିଲାସଙ୍କ ପୁଅ ଚିରାଗ ପାଶ୍ୱାନ ଏଲଜିପିର ନେତୃତ୍ୱ ନେଉଛନ୍ତି ଏବଂ ରାଜ୍ୟରେ ନୀତୀଶଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବା ଆଶା ରଖିଛନ୍ତି । ସେ ଏନଡ଼ିଏରେ ଥାଇ ବିହାର ମୁଖ୍ୟମନ୍ତ୍ରୀ ହେବା ସମ୍ଭବ ନ ଥିବାରୁ ଚିରାଗ ଆରଜେଡ଼ି ସହ ହାତ ମିଳାଇ ଏହି ସ୍ୱପ୍ନ ସାକାର କରିବାକୁ ଚାହୁଁ ଥିବା ଆଲୋଚନା ହେଉଛି । ଏଭଳି ପରିସ୍ଥିତିରେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡ଼ିର ମଂଗ ଧରି ଥିବା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ହେବା ସମ୍ଭାବନା ଅଧିକ ବୋଲି ରାଜ୍ୟର ରାଜନୈତିକ ବିଶେଷଜ୍ଞମାନେ ଚର୍ଚ୍ଚା କଲେଣି ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଶାସନରେ ବିହାରରେ ସ୍ଥିରତା ଆଣି ଥିବା ଏବଂ ରାଜ୍ୟରେ ବାହୁବଳୀଙ୍କ ଆତଙ୍କରାଜ ଦୂର ହୋଇଥିବା ଦାବି କରିଥିବା ବେଳେ ଏବେ ବଲିଉଡ୍ ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରକୁ ନ୍ୟାୟ ଦେବାର ଯେଉଁ ନୂଆ ନାଟକ ଚାଲିଛି ତାହା ଜେଡ଼ିୟୁ-ବିଜେପି ମୋଂଟ ପାଇଁ ଫାଇଦାସୂଚକ ହେବ ବୋଲି ଦୁଇ ଦଳ ଆଶା ରଖିଛନ୍ତି । କାରଣ, ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତ ମୁ୍ବାଇର ବାନ୍ଦ୍ରାରେ ଆତ୍ମହତ୍ୟା କରିବା ପରେ ମୁମ୍ବାଇ ପୁଲିସ ମାମଲାର ତଦନ୍ତ କରୁଥିଲେ । ତେବେ, ତଦନ୍ତରେ ଶିଥିଳତା ନେଇ ସୁଶାନ୍ତଙ୍କ ପିତା କେ.କେ.ସିଂହ ଜୁଲାଇରେ ଅସନ୍ତୋଷ ପ୍ରକାଶ କରି ବିହାର ପାଟନା ଥାନାରେ ଏତଲା ଦେବା ସହ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ରିୟାଙ୍କୁ ଗିରଫ କରାଯିବା ମଧ୍ୟ ସିଂହଙ୍କ ଦାବି ଥିଲା । ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରସ୍ଥ ହେବା ପରେ ପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନୀତୀଶ କୁମାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଏବଂ କେନ୍ଦ୍ର ସରକାର ମଧ୍ୟ ତାହା ଗ୍ରହଣ କରି ନେଇ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଇବା ପଛରେ ବିହାର ବିଧାନସଭା ରାଜନୀତି ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା ।
ପରେ, ସିବିଆଇ ତଦନ୍ତରେ ସୁପ୍ରିମ କୋର୍ଟଙ୍କ ମୋହର ଲାଗି ଥିଲା । ଏବେ ସିବିଆଇ, ଇଡ଼ି ଓ ଏନସିବି ଏହି ମମଲାର ଅଲଗା ଅଲଗା ତଦନ୍ତ କରୁଛନ୍ତି । ନାର୍କୋଟିକ୍ସ୍ କଂଟ୍ରୋଲ୍ ବ୍ୟୁରୋ ବା ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେ ଜଣଙ୍କୁ ଡ୍ରଗ୍ସ୍ ମାମଲାରେ ଗିରଫ କରି ଜେଲ୍ ପଠାଇଛନ୍ତି । ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟା ଏବେ ମୁମ୍ବାଇର ବୈକୁଲା ଜେଲରେ ଅଟକ ରହି ନିଜକୁ ମୁକୁଳାଇବାକୁ ସଂଘର୍ଷ କରୁଛନ୍ତି । ବିହାରର ଜଣେ ଦୁଃଖୀ ପିତାଙ୍କୁ ନ୍ୟାୟ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜକୁ ‘ହିରୋ’ ଭାବୁଥିବା ବେଳେ ବିଜେପି ବିହାର ନିର୍ବାଚନରେ ବିଜୟ ପାଇଁ ଏହା ସହାୟକ ହେବ ବୋଲି ଆଶା ରଖିଛି ।
ଜେଡ଼ିୟୁ ୨୦୨୦ ବିହାର ବିଧାନସଭା ନିର୍ବାଚନ ମଧ୍ୟ ବିଜେପି ସହ ମିଶି ଲଢିବ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ୨୦୧୦ ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡ଼ିୟୁକୁ ୧୧୫ ଆସନ (୨୨.୬ ପ୍ରତିଶତ), ଆରଜେଡ଼ିକୁ ୨୨ ଆସନ (୧୮.୮ ପ୍ରତିଶତ), ବିଜେପିକୁ ୯୧ ଆସନ (୧୬.୫ ପ୍ରତିଶତ), କଂଗ୍ରେସକୁ ୪ ଆସନ (୮.୪ ପ୍ରତିଶତ) ଓ ଅନ୍ୟମାନଙ୍କୁ ୧୧ ଆସନ (୩୩.୭ ପ୍ରତିଶତ) ମିଳି ଥିଲା । ନୀତୀଶ କୁମାର ବିଜେପି ସହ ମିଶି ରାଜ୍ୟରେ ସରକାର ଗଢି ଥିଲେ । ତେବେ, ୨୦୧୫ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ହାତ ଛାଡି ଆରଜେଡ଼ି, କଂଗ୍ରେସକୁ ନେଇ ଗଠିତ ମହାମେଂଟରେ ସାମିଲ ହୋଇଥିଲେ ଏବଂ ସେହି ନିର୍ବାଚନରେ ଆରଜେଡ଼ିକୁ ୮୦ଆସନ (୧୮.୪ ପ୍ରତିଶତ), ଜେଡ଼ିୟୁକୁ ୭୧ ଆସନ (୧୬.୮ ପ୍ରତିଶତ), ବିଜେପିକୁ ୫୩ ଆସନ (୨୪.୪ ପ୍ରତିଶତ), କଂଗ୍ରେସକୁ ୨୭ ଆସନ (୬.୭ ପ୍ରତିଶତ) ଓ ଅନ୍ୟମାନଙ୍କୁ ୧୨ ଆସନ (୩୩.୭ ପ୍ରତିଶତ) ମିଳିଥିଲା । ରାଜ୍ୟରେ ଜେଡ଼ିୟୁ ଆରଜେଡ଼ି ସହ ମିଶି ସରକାର ଗଠନ କରିଥିଲା । ନୀତୀଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ରହି ଥିବା ବେଳେ ଆରଜେଡ଼ିକୁ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡି ଥିଲା । ତେବେ, ଆରଜେଡ଼ିର ମୂଲଚାଲ ଯୋଗୁଁ ଜେଡ଼ିୟୁ-ଆରଜେଡ଼ି ମେଂଟ ସରକାର ଅଧିକ ଦିନ ତିଷ୍ଠି ନ ଥିଲା । ଦୁଇ ଦଳ ମଧ୍ୟରେ ସଂପର୍କ ତୀକ୍ତ ହେବାରୁ ନୀତୀଶ ଆରଜେଡ଼ି ହାତ ଛାଡି ବିଜେପି ସହ ମିଶି ସରକାର ଗଠନ କଲେ । ଏହା ଜେଡ଼ିୟୁର ‘ସୁବିଧାବାଦୀ’ ନୀତି ବୋଲି ସେତେବେଳେ ସମାଲୋଚନା ହୋଇଥିଲା ।
୨୦୨୦ ନିର୍ବାଚନରେ ଅନ୍ତତଃ ଭୋଟର ଜେଡ଼ିୟୁ-ବିଜେପିର ଏହି ସୁବିଧାବାଦୀ ମେଂଟ ବିରୋଧରେ ଭୋଟ ଦେବେ ବୋଲି ବିରୋଧୀ ଆଶା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ମଳିନ ପଡି ଆସିଥିବା ଭାବମୂର୍ତ୍ତୀକୁ ସଜାଡ଼ିବା ସକାଶେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତକୁ ‘ପ୍ରୋ-ବିହାରୀ’ ମୋଡ ଦେଇଥିବା ଆଲୋଚନା ହେଉଛି । ପରିବର୍ତୀତ ପରିସ୍ଥିତିରେ ନୀତୀଶ-ବିଜେପି ମେଂଟ ପୁନର୍ବାର କ୍ଷମତାକୁ ଫେରିବା ଆଶା ରଖି ଥିବା ବେଳେ ବିହାର ଭୋଟର ତେଜସ୍ୱୀ-ଚିରାଗ ସମ୍ଭାବ୍ୟ ରାଜନୈତିକ ସମୀକରଣକୁ କେତେଦୂର ବିଶ୍ୱାସ କରିବେ ତାହା ଆଗାମୀ ଦିନରେ ଜଣାପଡିବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS