ବିହାରରେ ସରକାର କିଏ ଗଢିବ ନଭେମ୍ବର ୧୦ରେ ସ୍ପଷ୍ଟ ହୋଇଯିବ, ତିନି ପର୍ଯ୍ୟାୟରେ ଭୋଟ – ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ
ନୂଆଦିଲ୍ଲୀ
ସେପ୍ଟେମ୍ବର ୨୫
ମୋଅନୁଭବ.କମ୍
ଦେଶବ୍ୟାପୀ କରୋନା ମହାମାରୀର ତାଣ୍ଡବ ଚାଲି ଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଆଜି ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତିନିଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ଭୋଟ ହେବ । ନଭେମ୍ବର ୧୦ ତାରିଖ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ ଆୟୋଗ କହିଛନ୍ତି । ଆୟୋଗ ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୯ରେ ସରୁଛି । ତେଣୁ, ନଭେମ୍ବର ୭ ତାରିଖ ନିର୍ବାଚନ ସରିଲେ ରାଜ୍ୟରେ ପରବର୍ତୀ ସରକାର କାହାର ହେବ, ତାହା ୧୦ ତାରିଖ ସ୍ପଷ୍ଟ ହୋଇଯିବ । କୋଭିଡ଼-୧୯ ମହାମାରୀକୁ ନେଇ ଉପୁଜି ଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ତିନିଟି ପର୍ଯ୍ୟାୟରେ ଏହି ନିର୍ବାଚନ ସାରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସିଇସି ଆରୋରା କହିଛନ୍ତି । ସିିଇସିଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ରାଜ୍ୟର ୧୬ଟି ଜିଲ୍ଲାର ୭୧ ବିଧାନସଭା ଆସନ, ନଭେମ୍ବର ୩ରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ଏବଂ ନଭେମ୍ବର ୭ ତାରିଖ ଦିନ ୧୫ ଜିଲ୍ଲାର ୭୮ ବିଧାନସଭା ଆସନରେ ଭୋଟିଂ ହେବ । ନଭେମ୍ବର ୧୦ ତାରିଖ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହୋଇଯିବ ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୨୮ରେ ହେବାକୁ ଥିବାରୁ ଏହି ପର୍ଯ୍ୟାୟ ପାଇଁ ଅକ୍ଟୋବର ୧ ତାରିଖ ଦିନ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ଅକ୍ଟୋବର ୮ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ, ୯ରେ ସ୍କୃଟିନି ଓ ୧୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେହିଭଳି, ଦ୍ୱତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୩ରେ ହେବାକୁ ଥିବାରୁ ଅକ୍ଟୋବର ୯ ତାରିଖରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ଅକ୍ଟୋବର ୧୬ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ, ୧୭ ତାରିଖ ସ୍କୃଟିନି ଏବଂ ଅକ୍ଟୋବର ୧୯ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ନଭେମ୍ବର ୭ ତାରିଖ ହେବାକୁ ଥିବାରୁ ସେଥିପାଇଁ ଅକ୍ଟୋବର ୧୩ ତାରିଖ ନିର୍ବାଚନ ବିଜ୍ଞପ୍ତି ଜାରି ହେବ । ଅକ୍ଟୋବର ୨୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ଅକ୍ଟୋବର ୨୧ରେ ସ୍କୃଟିନି ଏବଂ ଅକ୍ଟୋବର ୨୩କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖା ଯାଇଛି ।
ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନ ଅବସରରେ ଭୋଟ ଦାନ ସମୟ ଏକ ଘଂଟା ବୃଦ୍ଧି କରାଯାଇଛି । ଭୋଟ ଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ । ତେବେ, ମାଓ ଉପଦୃତ ଅଂଚଳରେ ପୂର୍ବପରି ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଭୋଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ଆରୋରା କହିଛନ୍ତି । କରୋନା ପରିସ୍ଥିତିରେ ବିହାରରେ ଭୋଟ ହେଉଥିବାରୁ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ପ୍ରାର୍ଥୀଙ୍କ ବ୍ୟକ୍ତିଗତ କ୍ୟାପେନିଂ କିଭଳି ହେବ ଏବଂ ଭୋଟ ଦାନ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କେଉଁଠି ଗୋଲ ଚିହ୍ନ ସବୁ ରହିବ, ତାହା ଜିଲ୍ଲା ନିର୍ବାଚନ ଅଫିସରମାନେ ନିଜ ନିଜ ସ୍ତରରେ ନିଷ୍ପତ୍ ତି ନେବେ ବୋଲି ଆରୋରା କହିଛନ୍ତି ।
ପୂର୍ବରୁ, ବିହାର ବିଧାନସଭା ସହ ଦେଶର ଗୋଟିଏ ଲୋକସଭା ଓ ୬୪ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ କରାଯିବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ଥିର କରିଥିଲେ । ତେବେ, କିଛି ରାଜ୍ୟ କରୋନା ପରିସ୍ଥିତି ଓ ଘୋଷିତ ନିର୍ବାଚନ ସମୟକୁ ନେଇ ସେମାନଙ୍କ ଆପତ୍ତି ଜଣାଇ ଥିବାରୁ ସେପ୍ଟେମ୍ବର ୨୯ରେ ଏକ ସମୀକ୍ଷା ବୈଠକ ରଖାଯାଇଛି । ଏହି ବୈଠକ ପରେ ନିର୍ବାଚନ ଆୟୋଗ ଉପ ନିର୍ବାଚନଗୁଡିକ ଉପରେ ନିଜ ନିଷ୍ପତ୍ତି ଜଣାଇବେ ବୋଲି ସିଇସି ଆରୋରା ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS