ମୁମ୍ବାଇ ହାଇକୋର୍ଟରେ ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କାଲି
ସୁଶାନ୍ତ ଗଂଜେଇ ଭକ୍ତ ଥିଲେ, ମୁଁ ବେଳ ବେଳେ ତାଙ୍କ ପାଇଁ ଯୋଗାଡ କରୁଥିଲି – ରିୟା
ପ୍ରସାଦ ରାଓ
ସେପ୍ଟେମ୍ବର,୨୩
ମୋଅନୁଭବ.କମ୍
ନିଷିଦ୍ଧ ମାଦକ ଦ୍ରବ୍ୟ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଏନସିବି ଦ୍ୱାରା ଗିରଫ ହୋଇ ମୁମ୍ବାଇର ବୈକୁଲା ଜେଲରେ ଅଟକ ଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ କରିଛନ୍ତି । ମୁମ୍ବାଇ ହାଇକୋର୍ଟରେ ସେ ଯେଉଁ ଜାମିନ ଆବେଦନ କରିଛନ୍ତି ସେଥିରେ ରିୟା ଦର୍ଶାଇଛନ୍ତି ଯେ, ନିଷିଦ୍ଧ ମାଦକ ଦ୍ରବ୍ୟ (ଗଂଜେଇ) କାରବାର ସହ ତାଙ୍କର ବା ତାଙ୍କ ପରିବାର ସଦସ୍ୟଙ୍କ କୌଣସି ସଂପୃକ୍ତି ନାହିଁ । ସୁଶାନ୍ତ ଗଂଜେଇର ଭକ୍ତ ଥିଲେ ଏବଂ ନିଜ ପାଖ ଲୋକ (ରିୟା, ତାଙ୍କ ଭାଇ ସୌଭିକ୍ ଏବଂ ସୁଶାନ୍ତଙ୍କ ଷ୍ଟାଫ୍)ଙ୍କ ମାଧ୍ୟମରେ ନିଜ ପାଇଁ ଗଂଜେଇ ଯୋଗାଡ କରୁଥିଲେ । ସୁଶାନ୍ତ ସ୍ୱଳ୍ପ ମାତ୍ରାରେ ଗଂଜେଇ ସେବନ କରୁଥିଲେ । ସେ ଯଦି ବଂଚି ଥିବା ଅବସ୍ଥାରେ ଗଂଜେଇ ସେବନ ଅଭିଯୋଗରେ ଗିରଫ ହୋଇଥା’ନ୍ତେ ତେବେ ତାଙ୍କୁ ଅତି ବେଶୀରେ ଗୋଟିଏ ବର୍ଷ ଜେଲ୍ ହୋଇଥା’ନ୍ତା । କିନ୍ତୁ, ନିଷିଦ୍ଧ ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ତାଙ୍କ (ରିୟାଙ୍କ) ବିରୋଧରେ ଏନଡ଼ିପିଏସ୍ ଆଇନର ଯେଉଁ ସବୁ ଦଫା ଲାଗିଛି, ସେଥିରେ ସେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରିବ । ଏହାର ଯଥାର୍ଥ (?) ନେଇ ରିୟା ପ୍ରଶ୍ନ କରିଛନ୍ତି ।
ରିୟାଙ୍କ ୪୭ ପୃଷ୍ଠାର ଏହି ଜାମିନ ଅବେଦନ ଉପରେ ଆଜି ମୁମ୍ବାଇ କୋର୍ଟରେ ଶୁଣାଣୀ ହେବାକୁ ଥିଲା । କିନ୍ତୁ, ମୁମ୍ବାଇରେ ପ୍ରବଳ ବର୍ଷା ଚାଲି ଥିବାରୁ ଆସନ୍ତା କାଲି (ଗୁରୁବାର)କୁ ଶୁଣାଣୀ ଧାର୍ଯ୍ୟ ହୋଇଛି । ଜାମିନ ଦରଖାସ୍ତରେ ରିୟା ଦର୍ଶାଇଛନ୍ତି, ଅଭିନେତା ସୁଶାନ୍ତ ସିଂହ ରାଜପୁତ ତାଙ୍କ ସହ ସଂପର୍କରେ ଆସିବା ପୂର୍ବରୁ ଗଂଜେଇ ପିଇବାରେ ଅଭ୍ୟସ୍ତ ଥିଲେ । ହିନ୍ଦି ଚଳଚ୍ଚିତ୍ର ‘କେଦାରନାଥ’ର ସୁଟିଂ ସମୟରୁ ସେ ଏହି ମାଦକ ଦ୍ରବ୍ୟ ପ୍ରିତିରେ ପଡି ଯାଇଥିବା କୁହାଯାଉଛି । ତାଙ୍କ ପରିବାର ସହ ସୁଶାନ୍ତଙ୍କ ସଂପର୍କ ତୀକ୍ତ ଥିଲା । ବିଶେଷକରି, ଭଉଣୀମାନେ ତାଙ୍କୁ ଅଧିକ ମାନସିକ ଚାପଗ୍ରସ୍ତ କରି ରଖି ଥିଲେ । ମୃତ୍ୟୁର ତିନି ଦିନ ପୂର୍ବରୁ ସୁଶାନ୍ତ ତାଙ୍କ ପାଇଁ ଗଂଜେଇ ଜଏଂଟ୍ ପ୍ରସ୍ତୁତ କରି ଶୟନ କକ୍ଷରେ ରଖିବାକୁ କୁକ୍ ନିରଜ୍ କୁ ନିର୍ଦେଶ ଦେଇଥିଲେ । ମାଲିକଙ୍କ ନିର୍ଦେଶ ଅନୁସାରେ ନିରଜ୍ ଏକାଧିକ ଗଂଜେଇ ଜଏଂଟ୍ ପ୍ରସ୍ତୁତ କରି ଗୋଟିଏ ବକ୍ସ୍ ରେ ପ୍ୟାକ୍ କରି ସୁଶାନ୍ତଙ୍କ ଶୟନ କକ୍ଷରେ ରଖି ଦେଇଥିଲେ । ଜୁନ ୧୪ ତାରିଖ ସୁଶାନ୍ତ ତାଙ୍କ ବାନ୍ଦ୍ରା ଫ୍ଲାଟ୍ ରେ ଆତ୍ମହତ୍ୟା କରିବା ପରେ ଅନିସନ୍ଧିତ୍ସୁ ନିରଜ୍ ସୁଶାନ୍ତଙ୍କ ଶୟନ କକ୍ଷରେ ଥିବା ସେହି ବକ୍ସ୍ ଖୋଲି ଦେଖିଥିଲେ । ତାହା ଖାଲି ଥିଲା । ସୁଶାନ୍ତ ବକ୍ସ୍ ରେ ଥିବା ସମସ୍ତ ଗଂଜେଇ ଜଏଂଟ୍ ସମାପ୍ତ କରିସାରିଥିଲେ ।
ନିରଜ୍ ଏକଥା ମୁମ୍ବାଇ ପୁଲିସ ଓ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇକୁ ଜଣାଇଛନ୍ତି । ପବ୍ଲିକ୍ ଡୋମିନ୍ ରେ ମଧ୍ୟ ନିରଜ୍ ର ସ୍ୱୀକାରୋକ୍ତି ରହିଛି । ରିୟା କହିଛନ୍ତି, ସେ ସମୟ ସମୟରେ ସୁଶାନ୍ତଙ୍କ ପାଇଁ ସ୍ୱଳ୍ପ ମାତ୍ରାର ନିଷିଦ୍ଧ ମାଦକ ଦ୍ରବ୍ୟ କ୍ରୟ କରି ସେ ବାବଦ ଅର୍ଥ ପୈଠ କରିଛନ୍ତି । ସେଥିପାଇଁ ଯଦି ତାଙ୍କୁ (ରିୟା)ଦୋଷୀ ସାବ୍ୟସ୍ତ କରାଯାଏ ତେବେ ସର୍ବାଧିକ ଗୋଟିଏ ବର୍ଷ ଜେଲ୍ ଦଣ୍ଡ ହେବ । କିନ୍ତୁ, ନାର୍କୋଟିକ୍ସ୍ କଂଟ୍ରୋଲ୍ ବ୍ୟୁରୋ (ଏନସିବି) ପକ୍ଷରୁ ଯେଭଳି ଭାବେ ମାମଲା ପ୍ରସ୍ତୁତ କରାଯାଇ ଏନଡ଼ିପିଏସ୍ ଆଇନର ବିଭିନ୍ନ ଦଫାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉଦ୍ୟମ ଚାଲିଛି ତାହା ତାଙ୍କୁ ସର୍ବାଧିକ ୨୦ ବର୍ଷ ଜେଲ୍ ପଠାଇବାକୁ ଏକ ଉଦ୍ୟମ । ଦେଶର ତିନିଟି ସର୍ବାଧିକ ପ୍ରଶିକ୍ଷିତ ଏଜେନ୍ସି (ସିବିଆଇ, ଇଡ଼ି ଓ ଏନସିବି) ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ବେଳେ କୌଣସି ମାମଲାରେ ତାଙ୍କ (ରିୟା) ସଂପୃକ୍ତିକୁ ନେଇ ଆଜି ସୁଦ୍ଧା କୌଣସି ଠୋସ୍ ପ୍ରମାଣ ଦାଖଲ କରି ପାରି ନାହାନ୍ତି । ସେମାନେ କେବଳ ତାଙ୍କ ପିଛା ପଡିଛନ୍ତି ଏବଂ ଅନ୍ଧାରରେ ବାଡି ବୁଲାଉଛନ୍ତି ବୋଲି ରିୟା ଅଭିଯୋଗ କରିଛନ୍ତି ।
ସୁଶାନ୍ତ ନିଜ ସେବନ ପାଇଁ ଏସବୁ ନିଷିଦ୍ଧ ମାଦକ ଦ୍ରବ୍ୟ କେଉଁ ସୂତ୍ରରୁ ଯୋଗାଡ କରୁଥିଲେ ତାହା ପ୍ରମାଣିତ କଲା ଭଳି ପ୍ରସିକ୍ୟୁସନ୍ ପକ୍ଷରୁ କøଣସି ଫୋନ କଲ୍, ମୋବାଇଲ କଲ୍, ଏସ୍ ଏମ୍ ଏସ୍, ହ୍ୱାଟସ୍ ଆପ୍ ମେସେଜ୍ ବା ଇ-ମେଲ୍ ଉପସ୍ଥାପନ ହୋଇ ନ ଥିବା ବେଳେ ଅଯଥାରେ ତାଙ୍କୁ (ରିୟାଙ୍କୁ), ତାଙ୍କ ଭାଇ ସୌଭିକଙ୍କୁ ଏବଂ ସୁଶାନ୍ତଙ୍କ ଷ୍ଟାଫ୍ ଙ୍କୁ ଏଥିରେ ଘୋଷଣା ଯାଇଛି । ଏସବୁ ନିଷିଦ୍ଧ ମାଦକ ଦ୍ରବ୍ୟ ସେମାନେ ସୁଶାନ୍ତଙ୍କ ପାଇଁ ବେଆଇନ ଭାବେ ଯୋଗାଡ କରୁଥିଲେ ବୋଲି ଏନସିବି ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ଆଶ୍ଚର୍ଯ୍ୟ କଲା ଭଳି ବିଷୟ ବୋଲି ରିୟା ତାଙ୍କ ଜାମିନ ଆବେଦନରେ ଦର୍ଶାଇଛନ୍ତି ।
ଉଲ୍ଲେଖନୀୟ ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ତିନିଟି ଜାତୀୟ ତଦନ୍ତକାରୀ ସଂସ୍ଥା ମଧ୍ୟରୁ ସିବିଆଇ ଓ ଏନଫୋର୍ସମେଂଟ୍ ଡିରେକ୍ଟୋରେଟ୍ (ଇଡ଼ି) ଏପର୍ଯ୍ୟନ୍ତ ରିୟାଙ୍କ ବିରୋଧରେ କୌଣସି ଠୋସ୍ ତଥ୍ୟ ଓ ପ୍ରମାଣ ଯୋଗାଡ କରିବାକୁ ସଫଳ ହୋଇ ନ ଥିବା ବେଳେ ଏନବିସି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଡ୍ରଗ୍ସ୍ ସହ ରିୟାଙ୍କ ସଂପୃକ୍ତି ଅଭିଯୋଗରେ ରିୟାଙ୍କୁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇରୁ ଗିରଫ କରିଥିଲା । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୋଟିଏ ଡ୍ରଗ୍ସ୍ ସିଣ୍ଡିକେଟ୍ ର ସକ୍ରୀୟ ସଦସ୍ୟ ବୋଲି ଏନସିବି ତାହାର ଅଭିଯୋଗପତ୍ରରେ ଦର୍ଶାଇଛି । ଏନସିବି ଦ୍ୱାରା ରିୟା ଗିରଫ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଓ କୋଭିଡ଼ ନମୁନା ପରୀକ୍ଷା କରାଯାଇ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯିବାରୁ ରିୟା ବୈକୁଲା ଜେଲରେ ଅଛନ୍ତି । ଏହା ପରେ ଉପରେ ଅଦାଲତରେ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ତାଙ୍କ ଜେଲ୍ ରହଣି ଅବଧି ବଢି ଥିବା ବେଳେ ରିୟା ନିଜ ପାଇଁ ଓ ଭାଇ ସୌଭିକଙ୍କ ପାଇଁ ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରିୟାଙ୍କ ଭବିଷ୍ୟତ ନିର୍ଭର କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS