ସେଲିବ୍ରିଟିଙ୍କୁ ‘ଚେଜ୍’ କଲେ କାର୍ଯ୍ୟାନୁଷ୍ଠାନ ହେବ, ମିଡ଼ିଆକୁ ମୁମ୍ବାଇ ପୁଲିସର ଚେତାବନୀ
ପ୍ରସାଦ ରାଓ
ମୁମ୍ବାଇ/ସେପ୍ଟେମ୍ବର ୨୭
ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ରାକୁଲପ୍ରିତ ସିଂହଙ୍କ ଭଳି ସେଲିବ୍ରିଟି ଅଭିନେତ୍ରୀମାନେ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଏବଂ ଡ୍ରଗ୍ସ୍ ବେପାରୀଙ୍କ ସହ ସଂପର୍କ ରଖିବା ଅଭିଯୋଗରେ ଏବେ ନାର୍କୋଟିକ୍ସ୍ କଂଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ତଦନ୍ତର ସାମନା କରୁଛନ୍ତି । ମୁମ୍ବାଇସ୍ଥିତି ଏନସିବି ଜୋନାଲ୍ କାର୍ଯ୍ୟାଳୟରେ ସେମାନଙ୍କୁ ଡାକି ଜେରା କରାଯାଉଛି । ତେଣୁ, ଏହି କାର୍ଯ୍ୟାଳୟ ଏବେ ମିଡ଼ିଆ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ଗଲା ଶୁକ୍ର ଓ ଶନିବାର ଦିନ ଏନସିବି ଅନ୍ୟୁନ ୪ ଜଣ ସେଲିବ୍ରଟି ବଲିଉଡ୍ ଅଭିନେତ୍ରୀ ଓ ଅନ୍ୟ କିଛି ସିନେମା ଶିଳ୍ପ ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଜେରା କରିଛି । ଯେହେତୁ ସେଲିବ୍ରିଟି ଅଭିନେତ୍ରୀମାନେ ଏନସିବି କାର୍ଯ୍ୟାଳୟକୁ ଆସି ଜେରାର ସାମନା କରୁଛନ୍ତି ମିଡ଼ିଆ ସେମାନଙ୍କ ପଛରେ ଗୋଡାଇ ଖବର ସଂଗ୍ରହ ଉଦ୍ୟମ କରିବା ସ୍ୱାଭାବିକ ।
ଏହି ମିଡ଼ିଆ ଚେଜ୍ ମୁମ୍ବାଇ ପୁଲିସର ମୁଣ୍ଡବ୍ୟଥା ବଢାଇଛି । ସେଲିବ୍ରିଟି ଅଭିନେତ୍ରୀମାନେ ସେମାନଙ୍କ ଘରୁ ବାହାରି ଏନସିବି ଜୋନାଲ କାର୍ଯ୍ୟାଳୟରେ ପହଂଚିବା ଏବଂ ଜେରା ସରିବା ପରେ ସେମାନେ ଘରକୁ ଫେରିବା ପର୍ଯ୍ୟନ୍ତ ବିଭିନ୍ନ ମିଡ଼ିଆର ରିପୋର୍ଟର ଓ ଫଟୋ ସାମ୍ବାଦିକମାନେ ଯେଭଳି ଗାଡି ସବୁକୁ ପିଛା କୁରୁଛନ୍ତି (ଚେଜ୍) ସେଥିରେ ମୁମ୍ବାଇ ପୁଲିସ ଚିନ୍ତାରେ । ମିଡ଼ିଆ ଚେଜ୍ ସୟରେ ଏହି ସେଲିବ୍ରିଟିମାନେ ଭୟଂକର ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ରହିଛି । ସେହିଭଳି, ଗାଡି ଧରି ସେମାନଙ୍କୁ ଚେଜ୍ କରୁଥିବା ମିଡ଼ିଆ ପ୍ରତିନିଧି ଓ ରାସ୍ତାରେ ଯିବା ଆସିବା କରୁଥିବା ସାଧାରଣ ଜନତା ମଧ୍ୟ ଦୁର୍ଘଟଣାର ସାମନା କରିବା ଆଶଙ୍କା ବଢୁଛି ।
ମିଡ଼ିଆ ସେଲିବ୍ରିଟି ଅଭିନେତ୍ରୀଙ୍କ ବାଇଟ୍ ଓ ଫଟୋ ନେବାକୁ ଯେଭଳି ଭାବେ ସେମାନଙ୍କ ପଛା କରୁଛି ତାହା ଚିନ୍ତାଜନକ ହୋଇଥିବାରୁ ମୁମ୍ବାଇ ପୁଲିସ ଶନିବାର ଦିନ ଏସବୁ କାର୍ଯ୍ୟରୁ ନିବୃତ ରହିବାକୁ ମିଡ଼ିଆକୁ ତାଗିଦ କରିଛି । ଜେରା ପାଇଁ ଏନସିବି ଆର୍ଯ୍ୟାଳୟକୁ ଆସୁଥିବା ଅଭିନେତ୍ରୀଙ୍କୁ ଚେଜ୍ କଲେ ସଂପୃକ୍ତ ମିଡ଼ିଆ ସଂସ୍ଥାଙ୍କ ଗାଡି ସବୁକୁ ଜବତ କରାଯିବ ଓ ଗାଡି ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁମ୍ବାଇ ପୁଲିସ୍ ର ଡ଼େପୁଟୀ କମିସନର (ଜୋନ -୧) ସଂଗ୍ରାମ ସିଂହ ନିଶାଦର ଶନିବାର ଚେତାବନୀ ଦେଇଛନ୍ତି ।
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟ୍ ରେ ଆତ୍ମହତ୍ୟା କରିବା ପରେ ତାହାର କାରଣ ସଂପର୍କରେ ଏବେ ସିବିଆଇ ତଦନ୍ତ କରୁଥିବା ବେଳେ ଏହି ସହ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ ବ୍ୟବସାୟର ସଂପର୍କ ଅଛି କି ନାହିଁ, ତାହା ଏନସିବି ତଦନ୍ତ କରୁଛି । ସୁଶାନ୍ତଙ୍କ ଆତ୍ମହତ୍ୟା ସହ ତାଙ୍କ ବାନ୍ଧବୀ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ସଂପର୍କ ଥିବା ଅଭିଯୋଗ ହେବା ପରେ ସିବିଆଇ, ଇଡ଼ି ଏହାର ତଦନ୍ତ କରୁଥିଲେ । ଇଡ଼ି (ଏନଫୋର୍ସମେଂଟ ଡିରେକ୍ଟୋରେଟ୍) ରିୟାଙ୍କ ଲାପଟପ୍ ଯାଂଚ କରିବା ସମୟରେ କିଛି ହ୍ୱାଟସ୍ ଆପ୍ ମେସେଜ୍ ଡିଲିଟ୍ ହୋଇଥିବା ସାମନାକୁ ଆସି ଥିଲା । ପରେ, ଏସବୁ ମେସେଜ୍ ରିଟ୍ରାଇଭ୍ କରାଯିବାରୁ ସୁଶାନ୍ତ, ରିୟା ଓ ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଥିବା ସଂପର୍କର ଖିଅ ଖୋଲି ଥିଲା । ଇଡ଼ି ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ ବିକ୍ରି ସଂପର୍କିତ ତଦନ୍ତ ନାର୍କୋଟିକ୍ସ୍ କଂଟ୍ରୋଲ୍ ବ୍ୟୁରୋ ବା ଏନସିବିକୁ ହସ୍ତାନ୍ତର କରିବା ପରେ ଏନସିବି ତାହାର ତଦନ୍ତ କରୁଛି ।
ଅଭିନେତ୍ରୀ ରିୟା ଚକ୍ରବର୍ତୀ, ତାଙ୍କ ଭାି ସୌଭିକ ଚକ୍ରବର୍ତୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟକ୍ତିଗତ ଷ୍ଟ୍ରାଫ୍, ବନ୍ଧୁବର୍ଗ ଓ ଫ୍ଲାଟ୍ ମେଟ୍ ଙ୍କୁ ଏନସିବି ଜେରା କରିବା ପରେ ବଲିଉଡ୍ ରେ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ କାରବାର ସଂପର୍କରେ ବହୁ ତଥ୍ୟ ସାମନାକୁ ଆସିଛି । ଏନସିବି ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତୀ, ମୁମ୍ବାଇ, ଗୋଆ ଓ ନୂଆଦିଲ୍ଲୀର କିଛି ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ୟବସାୟୀଙ୍କୁ ଗିରଫ କରି ଜେଲ୍ କୁ ପଠାଇଛି । ରିୟା ସମେତ ଅନ୍ୟମାନଙ୍କୁ ଜେରା ସମୟରେ ମିଳିଥିବା ତଥ୍ୟକୁ ଧରି ଏନସିବି ୫୦ରୁ ଅଧିକ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିବାକୁ ତାଲିକା ପ୍ରସ୍ତୁତ କରିଛି । ଏହି ସେଲିବ୍ରଟିମାନେ ଜେରା ହେବାକୁ ଏନସିବି କାର୍ଯ୍ୟାଳୟରେ ହାଜର ହେବା ବଡ ଓ ରୋଚକ ଖବର ହୋଇ ଥିବାରୁ ମିଡ଼ିଆ ମାତ୍ରାଧିକ ତତ୍ପରତା ପ୍ରକାଶ କରୁଛି । ସେଲିବ୍ରିଟିଙ୍କ ଫଟୋ ଓ ବାଇଟ୍ ନ ଥିଲେ ବୈଦ୍ୟୁତିକ ଗଣମାଧ୍ୟମରେ ଯେତେ ବଡ ଖବର ହୋଇ ଥିଲେ ମଧ୍ୟ ଗୁରୁତ୍ୱହୀନ । ତେଣୁ, ଏହା ପାଇବା ସକାଶେ ମିଡ଼ିଆ ସଂସ୍ଥାଙ୍କ ମଧ୍ୟରେ ଚାଲି ଥିବା ପ୍ରତିଦ୍ୱନ୍ଦିତା ରିପୋର୍ଟର ଓ ଫଟୋ ସାମ୍ବାଦିକଙ୍କୁ ସେଲିବ୍ରିଟିଙ୍କ ପିଛା କରିବାକୁ ବାଧ୍ୟ କରୁଛି । ତାହା ଆଗାମୀ ଦିନରେ ଭୟଂକର ପରିସ୍ଥିତି ସୃଷ୍ଟି କରିବ ଏବଂ ମିନିଆ କର୍ମଚାରୀ ଓ ସାଧାରଣ ମଣିଷ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ପାରନ୍ତି ବୋଲି ମୁମ୍ବାଇ ପୁଲିସ ଆଶଙ୍କା ବ୍ୟକ୍ତ କରିଛି ।
ଶନିବାର ଦିନ ବଲିଉଡ୍ ର ତିନି ଜଣ ସେଲିବ୍ରିଟି ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍ ଅଲଗା ଅଲଗା ଏନସିବି କାର୍ଯ୍ୟାଳୟରେ ହାଜିରା ଦେଇଥିଲେ । ଦୀପିକା ଓ ଶ୍ରଦ୍ଧା କୌଣସି ପ୍ରକାର ମିଡ଼ିଆକୁ ଚକ୍ ମା ଦେଇ ଏନସିବି କାର୍ଯ୍ୟାଳୟରେ ପହଂଚି ଥିଲେ ମଧ୍ୟ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଙ୍କୁ ହଟହଟ୍ଟା ହେବାକୁ ପଡିଥିଲା ବୋଲି ପୁଲିସ କହିଛନ୍ତି । ଅବଶ୍ୟ, ଦୀପିକା ଛଅ ଘଂଟା ଜେରା ପରେ ଏନସିବି କାର୍ଯ୍ୟାଳୟରୁ ଫେରିବା ବେଳେ ପୁଣି ଥରେ ମିଡ଼ିଆ ଚେଜ୍ ର ସାମନା କରିବାକୁ ବାଧ୍ୟ ହୋଇଥିଲେ ।
ସେପ୍ଟେମ୍ବର ପ୍ରଥମ ଭାଗରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ମଧ୍ୟ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଥିଲା । ଏନସିବି କାର୍ଯ୍ୟାଳୟକୁ ସେ ଜେରା ପାଇଁ ଆସି ଥିବା ବେଳେ ମିଡ଼ିଆ ଚେଜ୍ ର ସାମନା କରିଥିଲେ । କରୋନା ମହାମାରୀ ଭୟଂକର ଭାବେ ବ୍ୟାପୁଥିବା ବେଳେ ସାମ୍ବାଦିକ ଓ ଭିଡ଼ିଓ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଜମା ହେବା, ସେଲିବ୍ରିଟିଙ୍କ ପିଛା କରି ଏନସିବି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବା ଏବଂ ସେଲିବ୍ରିଟିଙ୍କ ଫଟୋ ଓ ବାଇଟ୍ ନେବା ସକାଶେ ଟଣା ଓଟରା ହୋଇ ସାମାଜିକ ଦୂରତା ରକ୍ଷା ନିୟମ ଉଲଂଘନ କରିବା ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇଛି । ତେଣୁ, ମୁମ୍ବାଇ ପୁଲିସ ମିଡ଼ିଆକୁ କାର୍ଯ୍ୟାନୁଷ୍ଠାନ ଧମକ ଦେବାକୁ ବାଧ୍ୟ ହୋଇଛି ବୋଲି ପୁଲିସ ଡ଼େପୁଟୀ କମିସନର୍ ନିଶାଦରଙ୍କ ଠାରୁ ସୂଚନା ମିଳିଛି ।
ଏଠାରେ ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ପ୍ରଥମେ ମୁମ୍ବାଇ ପୁଲିସ ହାତରେ ଥିଲା । ବିହାରର ପାଟନା ଥାନାରେ ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତୀଙ୍କ ବିରୋଧରେ ଏତଲା ଦେବା ପରେ ମୁମ୍ବାଇ ଓ ବିହାର ପୁଲିସ ମଧ୍ୟରେ ଛକାପଂଝା ହୋଇ ଶେଷରେ ମାମଲା ସିବିଆଇ ହାତକୁ ଚାଲି ଗଲା । ମୁମ୍ବାଇ ପୁଲିସ ଏଥିରେ କ୍ଷୁବ୍ଧ । ତେବେ, ସୁପ୍ରିମ କୋର୍ଟ ସିବିଆଇ ତଦନ୍ତ ନିଦେ୍ର୍ଦଶରେ ମୋହର ଲଗାଇ ଥିବାରୁ ମୁମ୍ବାଇ ପୁଲିସ ଅନିଚ୍ଛା ସତ୍ୱେ ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ମାମଲାର ଅର୍ଥନୈତିକ ଦିଗ ଉପରେ ଇଡି ତଦନ୍ତ କରୁଥିବା ବେଳେ ଏନସିବି ବଲିଉଡ୍ ରେ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ କାରବାର ଉପରେ ତଦନ୍ତ କରୁଛି । ଏନସିବି ତଦନ୍ତରେ ବହୁ ବଲିଉଡ୍ ସେଲିବ୍ରିଟି ଏବଂ ମୁମ୍ବାଇ, ଗୋଆ ଓ ନୂଆଦିଲ୍ଲୀରୁ ଅପରେଟ୍ କରୁଥିବା ନିଷିଦ୍ଧ ମାଦକ ଦ୍ରବ୍ୟ ବେପାରୀ ଫସି ଥିବା ମୁମ୍ବାଇ ପୁଲିସକୁ ଅଡୁଆରେ ପକାଇଛି ।
ଗତ ଦୁଇ ମାସରୁ ଅଧିକ ହେଲା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମଗୁଡିକରେ ଚାଲି ଥିବା ମିଡ଼ିଆ ଟ୍ରାଏଲ ମଧ୍ୟ ମୁମ୍ବାଇ ପୁଲିସକୁ କ୍ଷୁବ୍ଧ କରିଛି । ମୁମ୍ବାଇ ପୁଲିସର କିଛି ପୂର୍ବତନ ବରିଷ୍ଠ ଅଧିକାରୀ (ଡ଼ିଜି ଓ କମିସନର ର୍ୟାଂକ୍ ର) ମିଡ଼ିଆ ଟ୍ରାଏଲ୍ ମୁମ୍ବାଇ ପୁଲିସକୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି ମୁମ୍ବାଇ ହାଇକୋଟରେ ଜନସ୍ୱାର୍ଥ ମାମଲା କରିବା ସହ ମିଡ଼ିଆ ଉପରେ ରୋକ୍ ଲଗାଇବାକୁ ନିବେଦନ କରିଛନ୍ତି । ଏଭଳି ପରିସ୍ଥିତିରେ ଏନସିବି କାର୍ଯ୍ୟାଳୟକୁ ଜେରା ପାଇଁ ଆସୁଥବା ବଲିଉଡ୍ ସେଲିବ୍ରିଟିଙ୍କୁ ହାରାଶ କରାଯାଉଥିବା ଦର୍ଶାଇ ମିଡ଼ିଆ ଉପରେ ରୋକ୍ ଲଗାଇବା ଉଦ୍ୟମ ମୁମ୍ବାଇ ପୁଲିସର ମତିଗତିକୁ ସ୍ପଷ୍ଟ କରୁଛି ।
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS