ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ଅପରାଜିତାଙ୍କୁ ପ୍ରସ୍ତୁତ କରୁଛି କି ବିଜେପି ?
ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୨୮
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଲଗାତର ଚାରି ଥର ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ପଂଚମ ପାଳିର ଗୋଟିଏ ବର୍ଷ କାର୍ଯ୍ୟକାଳ ସାରିଛନ୍ତି । ଓଡ଼ିଶା ରାଜନୈତିକ ଇତିହାସରେ ଏହା ଏକ ବିରଳ ଘଟଣା । ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଲଗାତର ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ସୁଯୋଗ ପାଇ ନାହାନ୍ତି । ଓଡ଼ିଶା ଭୋଟର ନବୀନଙ୍କ ପ୍ରତି ଏତେଦୂର ବିଶ୍ୱାସ ରଖିବା କାରଣ କଣ ହୋଇପାରେ ?
ଏହି ପ୍ରଶ୍ନ ଆଜି ବି ଅସମାଧିତ ହୋଇ ରହିଛି । କେହି କେହି ଏହି ରହସ୍ୟର କାରଣ ନବୀନଙ୍କ ସରଳ ଜୀବନଯାପନ ଶୈଳୀ ଓ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କ ନିସ୍ୱାର୍ଥ ସେବା ବୋଲି କହୁଥିବା ବେଳେ ଆଉ କିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ମଧ୍ୟରେ ଥିବା ଭଲ ପାଇବା ଏବଂ ତାହା ତାଙ୍କ ପୁତ୍ର ନବୀନ ବାବୁଙ୍କୁ ବିରାସତ୍ ରେ ମିଳିଥିବା କହୁଛନ୍ତି । ଏଥିରେ ଯଦି ସତ୍ୟତା ଅଛି ତେବେ ବିଜୁ ବାବୁ ତାଙ୍କ ଜୀବନ କାଳରେ କାହିଁକି ଲମ୍ବା ସମୟ କ୍ଷମତା ବାହାରେ ରହିଲେ ଓ ନବୀନଙ୍କ ଭଳି ସଫଳତାର ସ୍ୱାଦ ଚାଖି ପାରିଲେ ନାହିଁ ? ବିରାସତ୍ ରେ ନବୀନଙ୍କୁ କ୍ଷମତା ମିଳି ଥିବା ଏବଂ ସେ ବିଜୁ ବାବୁଙ୍କ ଦାୟଦ ଭାବେ ଲମ୍ବା ସମୟ ହେଲା କ୍ଷମତାରେ ଥିବା ଯୁକ୍ତି ଏଥିରୁ ଅଯୌକ୍ତିକ ମନେ ହେଉଛି । ଏସବୁ ଚର୍ଚ୍ଚା ଭିତରେ ଗୋଟିଏ ଯୁକ୍ତି ଆମ ମନକୁ ଛୁଉଁଛି । ତାହା ହେଉଛି, ଓଡ଼ିଶାରେ ନବୀନଙ୍କ ରାଜନୈତିକ ବିକଳ୍ପର ଅଭାବ ତାଙ୍କୁ ୨୧ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦରେ ରଖିଛି ।
ଏହା ପ୍ରମାଣିତ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଛଡା ଅନ୍ୟ କାହାରିକୁ ବିଶ୍ୱାସକୁ ନିଅନ୍ତି ନାହିଁ । ଅତୀତରେ ତାଙ୍କ ରାଜନୈତିକ ଜୀବନର ପ୍ରଥମ ପାହାଚରେ (ସେ ଆସିକା ସାଂସଦ ଭାବେ ରାଜନୀତିରେ ପାଦ ଦେବା ପରେ) ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଥିଲେ ତାଙ୍କ ରାଜନୈତିକ ସହକାରୀ । ନବୀନ କେନ୍ଦ୍ରରେ କୋଇଲା, ଶିଳ୍ପ ଓ ଇସ୍ପାତ ମନ୍ତ୍ରୀ ଥିବା ସମୟରେ ଦେବାଶିଷଙ୍କୁ ତାଙ୍କ ଓଏସଡି କରି ଦିଲ୍ଲୀରେ ବସାଇ ଥିଲେ । ପରବର୍ତୀ ସମୟରେ ଦେବାଶିଷ ନବୀନ ବାବୁଙ୍କ ସହ ଓଡ଼ିଶା ରାଜନୀତିକୁ ଆସିଲେ ଓ ନବୀନ ତାଙ୍କୁ ବରୀରୁ ବିଧାୟକ କରିବା ସହ ତାଙ୍କ ମନ୍ତ୍ରୀ ପରିଷଦରେ ମଧ୍ୟ ସ୍ଥାନ ଦେଲେ । ତେବେ, କ୍ଷମତା ଅଳିନ୍ଦରେ ଅଧିକ ଦିନ ତିଷ୍ଠି ପାରିଲେ ନାହିଁ ଦେବାଶିଷ । ନବୀନଙ୍କ ବିଶ୍ୱାସ ହରାଇ ସେ ବିଧାୟକର ସୀମିତ ରହି ଗଲେ । ୨୦୧୯ ନିର୍ବାଚନରେ ତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ନବୀନ ଟିକଟ ମଧ୍ୟ ଦେଲେ ନାହିଁ । ସେଠାରୁ ଜଣେ ନୂଆ ମୁହଁ ବିଜେଡ଼ି ବିଧାୟକ ହେଲେ । ଏହା ପଛରେ ନବୀନଙ୍କ ମୁଖ୍ୟ ପରାମର୍ଶଦାତା କୁହାଯାଉଥିବା ଆଇଏଏସ୍ ଭି.କାର୍ତିକେୟନ୍ ପାଣ୍ଡିଆନ ବହୁ ମାତ୍ରାରେ ଦାୟୀ ବୋଲି କହୁଛନ୍ତି ପୂର୍ବତନ ବରୀ ବିଧାୟକଙ୍କ ସମର୍ଥକମାନେ ।
ଏଥିରୁ ସ୍ପଷ୍ଟ ହେଉଛି ନବୀନ ବାବୁ ନିଜ ଛାଇକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ । ଆଉ ଯଦି କେହି ତାଙ୍କ ରାଜନୈତିକ ବିକଳ୍ପ ଭାବେ ଉଭା ହେବାକୁ ଉଦ୍ୟମ କରୁଥିବା ସେ ଜାଣିଲେ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ପର କାଟିବା ଯାଏଁ ତାଙ୍କର ନିଦ ହୁଏ ନାହିଁ । ଏକଥା କୁହନ୍ତି ତାଙ୍କର ନିକଟତମ ମହଲ । ଉଦାହରଣ ଭାବେ ଉପସ୍ଥାପନା କରାଯାଏ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଠାରୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା ପର୍ଯ୍ୟନ୍ତ ବିଜେଡ଼ି ପ୍ରତିଷ୍ଠାତା ନେତାଙ୍କ ପତନ କାହାଣୀ । ଏହି ନେତାମାନେ ନବୀନଙ୍କ ଅନାସ୍ଥାର ଶିକାର ହେବା ପଛରେ ଯେଉଁ ଗୁଢ ରହସ୍ୟ ରହିଛି ତାହା ଉପରେ ଜଣେ ସାମ୍ବାଦିକ ବନ୍ଧୁ ଲେଖିଥିବା ପୁସ୍ତକ ସ୍ପଷ୍ଟ କରିଛି । ଏକଦା ନବୀନ ବାବୁଙ୍କ ବିଶ୍ୱସ୍ତ ପରାମର୍ଶଦାତାର ମର୍ଯ୍ୟାଦା ପାଇ ବିଜେଡ଼ିରେ ଦ୍ୱିତୀୟ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ଉଭା ହୋଇଥିବା ପୂର୍ବତନ ଆଇଏଏସ୍ ପ୍ୟାରୀ ମୋହନ ମହାପାତ୍ର ନବୀନଙ୍କ ବିଦେଶ ଗସ୍ତ ସମୟରେ ଦଳୀୟ ବିଧାୟକଙ୍କୁ ନିଜ ପକ୍ଷକୁ ଟାଣି ମୁଖ୍ୟମନ୍ତ୍ରୀ ହେବାର ଯେଉଁ କଥିତ ଷଡଯନ୍ତ୍ର ରଚିଲେ ଏବଂ ନବୀନ ତାହା ଜାଣିବା ପରେ ତୁରନ୍ତ ତାଙ୍କ ପକ୍ଷଛେଦନ କଲେ, ସେ କାହାଣୀ ସର୍ବ ବିଦିତ । ଓଡ଼ିଶାବାସୀଙ୍କୁ କିଛି ଅଛପା ନାହିଁ ।
ନବୀନଙ୍କ ବିଶ୍ୱାସ ହରାଇ ପ୍ୟାରୀ ବାବୁ ରାଜନୈତିକ ପତିଆରା ହରାଇଲେ ଏବଂ ତାଙ୍କ ଶେଷ ଜୀବନ ନିଃସଙ୍ଗ ଭାବେ କଟିଲେ । ଆଜି ତାଙ୍କ ସ୍ଥାନ ନେଇଛନ୍ତି ଜଣେ ଅଣ ଓଡ଼ିଆ ଆଇଏଏସ୍ । ପ୍ୟାରୀ ବାବୁଙ୍କ ଯୋତା ଭିତରେ ନିଜ ପାଦକୁ ଫିଟ୍ କରି ସେ ମୁଖ୍ୟମନ୍ତ୍ରୀଙ୍କ ଦୂତ ଭାବେ ଓଡ଼ିଶା ଶାସନର ମଂଗ ଧରିଛନ୍ତି । ସେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପଂଚସୂତ୍ରୀ (୫-ଟି) କାର୍ଯ୍ୟକ୍ରମର ଅଗ୍ରଦୂତ । ନବୀନ ବାବୁଙ୍କ ସର୍ବାଧିକ ବିଶ୍ୱସ୍ତ ଭାବେ ପରିଚିତ ଏହି ଆଇଏସ୍ ଅଧିକାରୀ ଦଳର ତୁଂଗ ନେତା ତାଲିକାରେ ଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଓ ସଂଜୟ ଦାସବର୍ମାଙ୍କ ଭଳି ଟାଣୁଆ ନେତାଙ୍କୁ ମଧ୍ୟ ନିରସ୍ତ୍ର କରି ରଖିଛନ୍ତି । ଲୋକସେବା ଭବନର ତୃତୀୟ ମହଲା ସହ ବିଶ୍ୱସ୍ତ ଆଇଏଏସ୍, ଆଇପିଏସ୍ ଏବଂ ଓଏଏସ୍ ଅଧିକାରୀମାନେ ହିଁ ଆଜି ଓଡ଼ିଶାର ଭାଗ୍ୟ ନିଅନ୍ତା । ବିଜେଡ଼ିର ନିର୍ବାଚିତ ପ୍ରତିନିଧି ଓ ସଂଗଠନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତାମାନେ ଏହି ପ୍ରଶାସକମାନଙ୍କ ଗୋଡାଣିଆ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି ।
ଆଗକୁ ରାଜ୍ୟରେ ସହରାଂଚଳ ଓ ଗ୍ରମାଂଚଳ ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସଂଗଠନକୁ ପୁନର୍ଗଠନ କରିଛନ୍ତି ଏବଂ ଏଥିସକାଶେ ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ବିଭିନ୍ନ ସାଂଗଠନିକ ପଦ ପଦବୀରେ ଦଳୀୟ ନେତାଙ୍କୁ ଅଧିଷ୍ଠିତ କରାଇଛନ୍ତି । ତେବେ, ସମସ୍ତେ ଜାଣନ୍ତି ‘ପାଣ୍ଡିଆନ ସାର୍’ଙ୍କ ଆଶୀର୍ବାଦ ବିନା ଦଳର ଯେ କୌଣସି ପଦବୀରେ ରହିବା ନିରର୍ଥକ । ତେଣୁ, ତୃତୀୟ ମହଲାର ବ୍ୟୁରୋକ୍ରେଟ୍ ମାନେ ପ୍ରସ୍ତୁତ କରୁଥିବା ସରକାର ଚଳାଇବା କୌଶଳ ତଳ ସ୍ତରରେ କାର୍ଯ୍ୟକାରୀ ହେଉଛି । ନିର୍ବାଚନ ସମୟରେ ଚାଷୀ, କୃଷି ଶ୍ରମିକ, ଗ୍ରାମାଂଚଳ ଓ ସହରାଂଚଳ ଗରିବ ଲୋକଙ୍କ ତୁଷ୍ଟୀକରଣ ପାଇଁ ପ୍ରସ୍ତୁତ ହୋଉଥିବା ଆର୍ଥିକ କାର୍ଯ୍ୟକ୍ରମ ସବୁ ଅଫିସରମାନେ କାର୍ଯ୍ୟକାରୀ କରୁଥିବା ବେଳେ ନେତାମାନେ କେବଳ ରବର୍ ଷ୍ଟାଂପ୍ ହୋଇଛନ୍ତି । ବିଭିନ୍ନ ମାଗଣା ସ୍କିମ୍ ମାଧ୍ୟମରେ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମ ହେଉଛି । ଗତ ୨୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଗଠିତ ଲକ୍ଷାଧିକ ସଂଖ୍ୟକ ମହିଳା ଏସ୍.ଏଚ.ଜି ଏବେ ସରକାରଙ୍କ ଭୋଟ ବ୍ୟାଙ୍କ ହୋଇଥିବା ବେଳେ ସେସବୁ ପରିଚାଳିତ ହେଉଛି ଆଇଏଏସ୍ ପତ୍ନୀଙ୍କ ମାଧ୍ୟମରେ । ରାଜ୍ୟର ସାଧାରଣ ଭୋଟର ଓ ବୁଦ୍ଧୀଜୀବୀ ଭୋଟ ରଜନୀତିରେ ସଂପୂର୍ଣ୍ଣ ଭାବେ ଅଲୋଡା ।
ଓଡ଼ିଶାର ଦୁର୍ଭାଗ୍ୟ ହେଉଛି, ଗତ ୨୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତୀର ସମକକ୍ଷ ହେଲା ଭଳି ଜଣେ ହେଲେ ନେତା ବିଜେଡ଼ି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ଉଭା ହୋଇ ନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ରାଜ୍ୟରେ କଂଗ୍ରେସ ଦଳ ଘୋର ନେତୃତ୍ୱ ସଂକଟ ଦେଇ ଗତି କରୁଛି । ଏଆଇସିସିରେ ଉପଯୁକ୍ତ ନେତୃତ୍ୱ ଅଭାବ ଏବଂ ଦୁର୍ବଳତା ଓଡ଼ିଶା କଂଗ୍ରେସ ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଛି । ଓଡ଼ିଶା ପ୍ରତି କେନ୍ଦ୍ର କଂଗ୍ରେସ ନେତୃତ୍ୱ ଉଦାସୀନ । ଓଡ଼ିଶା ପ୍ରତି ଏଆଇସିସିର ଅନାଗ୍ରହ ସହ ପିସିସି ସଭାପତି ଭାବେ ଦଳର ସବୁ ଶ୍ରେଣୀ ଦ୍ୱାରା ଗ୍ରହଣୀୟ ହୋଇ ନ ପାରିବା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ପାଇଁ ବଡ ସମସ୍ୟା ହୋଇଛି । ନିରଂଜନ ବାବୁ ସଭାପତି ହେବା ପୂର୍ବରୁ ଯେଉଁ କଂଗ୍ରେସ ନେତାମାନେ ପୂର୍ବ ପିସିସି ସଭାପତିଙ୍କୁ ହଟାଇ ତାଙ୍କ ହାତରେ ନେତୃତ୍ୱ ଦେବାକୁ ଏଆଇସିସି ନିକଟରେ ଲବି କରୁଥିଲେ ବର୍ତମାନେ ସେହିମାନେ ପିସିସି ସଭାପତି ପଦରୁ ନିରଂଜନଙ୍କୁ ହଟାଇବା ଦାବିରେ ଲବି କରୁଛନ୍ତି । ଏହା ରାଜ୍ୟ କଂଗ୍ରେସର ଦୁର୍ବଳତାକୁ ପଦାରେ ପକାଉଛି । ସୁଯୋଗ ମିଳିଲେ ସେ ପିସିସିର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ନିକଟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।
ସେହିଭଳି, ଆଜିର ଦିନରେ ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ରହି ଥିବା ବିଜେପି ସମାନ ସମସ୍ୟାର ସାମ୍ନା କରୁଛି । ୨୦୧୯ ନିର୍ବାଚନ ପରେ ରାଜ୍ୟରେ ବିଜେପିର ଗ୍ରହଣୀୟତା ବଢିଛି ସିନା ନବୀନଙ୍କ ସମକକ୍ଷ ନେତା ଅଭାବରୁ ଦଳ ସାଧାରଣରେ ଗ୍ରହଣୀୟ ହେଉ ନାହିଁ । ରାଜ୍ୟବାସୀ ବିଜେପିକୁ ବିଜେଡ଼ିର ବିକଳ୍ପ ଭାବେ ଗ୍ରହଣ କରି ପାରି ନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ନିକଟତର ହୋଇଥିଲେ ସୁଦ୍ଧା ଜନସାଧାରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିଛି ଏବଂ ରାଜ୍ୟ ବିଧାନସଭାରେ ଦୁଇ ଅଙ୍କ ଆସନ ପାଇଁ ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନକୁ ଉଠିଛି । କଂଗ୍ରେସ ଦଳ ଏକ ଅଂକ ବିଶିଷ୍ଟ ସଂଖ୍ୟା (୯)ରେ ସୀମିତ ରହିଯାଇଛି । କିନ୍ତୁ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିବା ବିଭିନ୍ନ ଉପ ନିର୍ବାଚନରେ ବିଜେପି ସବୁ ଶକ୍ତି ଖଟାଇ ମଧ୍ୟ ବିଜେଡ଼ିକୁ ମାତ୍ ଦେବାରେ ସକ୍ଷମ ହୋଇ ନାହିଁ ।
ତେବେ, ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସଂପର୍କରେ ସୁଧାର ଆସି ଥିବା ଦେଖିବାକୁ ମିଳିଛି । କିନ୍ତୁ, ବାସ୍ତବତା ଭିନ୍ନ, ବାହାରକୁ ଯାହା ଦିଶୁଛି ବାସ୍ତବତା ତାହା ନୁହେଁ ବୋଲି ବିଜେପି ନେତମାନେ କହୁଛନ୍ତି । ନବୀନ ବାବୁ ଭରସାଯୋଗ୍ୟ ନୁହନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଆଗତ କୃଷି ବିଲ୍ ଲୋକସଭାରେ ବିଜେଡ଼ିର ସମର୍ଥନ ପାଇଥିବା ବେଳେ ରାଜ୍ୟ ସଭାରେ ବିଜେଡ଼ି ସମର୍ଥନ ଦେଲା ନାହିଁ । ଏହି ବିଲ୍ ସିଲେକ୍ଟ୍ କମିଟିକୁ ପଠାଇବାକୁ ବିଜେଡ଼ି ସାଂସଦମାନେ ରାଜ୍ୟସଭାରେ ପ୍ରସ୍ତାବ ରଖିଲେ ମଧ୍ୟ ତାହା ଶାସକ ଦଳ ଦ୍ୱାରା ଗ୍ରହଣୀୟ ହେଲା ନାହିଁ । ଏହି ବିଲ୍ ଚାଷୀ ବିରୋଧୀ କହୁଥିବା ବିଜେଡ଼ି ନେତୃତ୍ୱ ଲୋକସଭା ଅଧିବେଶନ ସମୟରେ ବିଲ୍ କୁ ସମର୍ଥନ ଦେଲା କେମିତି ବୋଲି ଏବେ ରାଜ୍ୟର କଂଗ୍ରେସ ଓ ବିଜେପି ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ଦେଶବ୍ୟାପୀ ଚାଷୀଙ୍କ ବିରୋଧ ସତ୍ୱେ ରବିବାର ଏହି ବିଲ୍ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଯାଇଛି ।
ରାଜ୍ୟସଭାରେ ବିଜେଡ଼ି ଏହି ବିଲ୍ କୁ ସମର୍ଥନ ନ ଦେବା ପଛରେ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ଏବଂ ସଂପର୍କିୟଙ୍କ ଘରେ ନିକଟରେ ହୋଇଥିବା ସିବିଆଇ ଚଢାଉ (ସିସୋର୍ ଚିଟ୍ ଫଣ୍ଡ୍ ଘୋଟାଲା ଲିଙ୍କ୍ ରେ)କୁ ବିଜେପି ଉପଲକ୍ଷ୍ୟ କରିଛି । ସିବିଆଇ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟରେ ହୋଇଥିବା ଚିଟ୍ ଫଣ୍ଡ୍ ଘୋଟାଲାର ତଦନ୍ତ କରୁଛି । ନିର୍ବାଚନ ସମୟ ଆସିଲେ ସିବିଆଇ ବିଜେଡ଼ି ନେତାଙ୍କ ଘରେ ଚଢାଉ କରି ଆତଙ୍କିତ କରୁଥିବା ବଜେଡ଼ି ନେତାମାନେ ଅଭିଯୋଗ କରିଥିବା ବେଳେ ସିବିଆଇ ତାହାର କାମ କରୁଛି, ତିର୍ତୋଲ ବା ବାଲେଶ୍ୱର ସଦର ବିଧାନସଭା ଉପ ନିର୍ବାଚନ ସହ ଏହାର କିଛି ସଂପର୍କ ନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ ପାଲଟା ମନ୍ତବ୍ୟ ରଖିଛନ୍ତି । ବିଜେଡ଼ି ରାଜ୍ୟସଭାରେ କୃଷି ବିଲ୍ କୁ ସମର୍ଥନ ନ ଦେବା ପଛରେ ଦେବୀଙ୍କ ଘରେ ହୋଇଥିବା ସିବିଆଇ ଚଢାଉ ହେଉଛି ମୁଖ୍ୟ କାରଣ ବୋଲି ନାହିଁ ବହୁ ତୁଂଗ ବିଜେପି ନେତା ମତ ରଖିଛନ୍ତି ।
ଏଭଳି ଏକ ଅବିଶ୍ୱସନୀୟ ପରିସ୍ଥିତିରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ୨୬ ତାରିଖ ଦିନ ଦଳର ସାଂଗଠନିକ ପୁନର୍ଗଠନ କରି ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେବା ଓଡ଼ିଶା ରାଜନୀତିରେ ଭୂକଂପ ସୃଷ୍ଟି କରିଛି । ବିଜେପି ରାଷ୍ଟ୍ରୀୟ ସଂଗଠନରେ ପ୍ରଥମ ଥର ପାଇଁ ୪ ଜଣ ଓଡ଼ିଆ ନେତା ସ୍ଥାନ ପାଇଛନ୍ତି । ଅପରାଜିତା ସେଥିରୁ ଅନ୍ୟତମ । ପୂର୍ବରୁ ଓଡ଼ିଆ ନେତା ସମ୍ବିତ ପାତ୍ର ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଥିଲେ । ପୁନର୍ବାର ସେ ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ ହୋଇଥିବା ବେଳେ ଅପରାଜିତାଙ୍କୁ ନୂଆ କରି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଆଯାଇଛି । ଏହାଛଡା, ଓଡ଼ିଶାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ନୂଆ କରି ଦଳର ରାଷ୍ଟ୍ରୀୟ ସଂପାଦକ ହେଇଛନ୍ତି । ଜଗତ ପ୍ରସାଦ ନଡ୍ଡା ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଗତ ଜାନୁୟାରୀ ମାସରେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୬ରେ ତାଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି ।
ନଡ୍ଡାଙ୍କ ଟିମ୍ ରେ ସ୍ଥାନ ପାଇଥିବା ଓଡ଼ିଶା ବିଜେପି ନେତା ସମ୍ବିତ ପାତ୍ର ଦୀର୍ଘ ବର୍ଷ ହେଲା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି ଏବଂ ଜାତୀୟସ୍ତରରେ ହେଉଥିବା ପ୍ରାୟ ସମସ୍ତ ଟେଲିଭିଜନ ବିତର୍କରେ ଭାଗ ନେଇ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । ତଥାପି ସମ୍ବିତ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ପୁରୀ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ପ୍ରାର୍ଥୀ ହୋଇ ବିଜେଡ଼ିଠାରୁ ପରାଜିତ ହୋଇଥିଲେ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ପୂର୍ବତନ ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ବିଜେଡ଼ି ଛାଡି ବିଜେପିରେ ଯୋଗ ଦେବା ପରେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପୁରୁଣା ଆସନ (ଓଡ଼ିଶାର କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର)ରୁ ବିଜେପି ପ୍ରାର୍ଥୀ ହୋଇ ବିଜେଡ଼ିର ଅନୁଭବ ମହାନ୍ତିଙ୍କ ଠାରୁ ପରାଜିତ ହୋଇଥିଲେ । କିନ୍ତୁ, ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଫିସର ଅପରାଜିତା ଷଡଙ୍ଗୀ (୨୦୧୮ ନଭେମ୍ବର ୨୭ରେ ଚାକିରୀରୁ ଇସ୍ତଫା ଦେଇ) ବିଜେପିରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନ ଲଢି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ମାନଜନକ ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଛନ୍ତି ।
ସେ ବିଜେପିର ରାଜ୍ୟ ନେତୃତ୍ୱର ସାହାରା ନ ନେଇ ସିଧାସଳଖ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ବିଜେପିରେ ସାମିଲ ହେବା ପରେ ଓଡ଼ିଶା ବିଜେପିରେ ଭୂକଂପ ସୃଷ୍ଟି ହୋଇଥିଲା । ତଥାପି, ଦଳର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଭରସା କରି ଓଡ଼ିଶା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ଦେଇଥିଲା । ସେହି ସମୟରେ ଅପରାଜିତା ହେଉଛନ୍ତି ଓଡ଼ିଶାରେ ବିଜେପିର ‘ମୁଖ୍ୟମନ୍ତ୍ରୀ ମୁହଁ’ ବୋଲି ଚର୍ଚ୍ଚା ଯୋର୍ ଧରି ଥିଲା । ଏହାକୁ ନେଇ ରାଜ୍ୟ ବିଜେପି ସଂଗଠନରେ ଛକାପଂଝା ଚରମ ସୀମାରେ ପହଂଚି ଥିଲା । ଅପରାଜିତା ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବା ପରେ ଦଳରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ତିଆରି କରିଥିବା ଓ ସମାନ୍ତରାଳ ରାଜନୀତି ଚଳାଇ ଥିବା ଦଳ ଭିତରେ ଅଭିଯୋଗ ରହିଛି । ତଥାପି ବିଜେପି କେନ୍ଦ୍ରୀୟ ନେତୃତ୍ୱ ତାଙ୍କ ରାଜନୈତିକ ଦକ୍ଷତା, କାର୍ଯ୍ୟ କୁଶଳତା ଏବଂ ଆକ୍ରମଣାତ୍ମକ ମନୋଭାବକୁ ଭରସା କରି ତାଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନୂଆ ଟିମ୍ ରେ ସାମିଲ କରିବା ଅନେକ ସମ୍ଭାବନାକୁ ଜନ୍ମ ଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ଅପରାଜିତାଙ୍କୁ ଗଢି ତୋଳିବା ବିଜେପି କେନ୍ଦ୍ରୀୟ ନେତୃତ୍ୱର ଉଦ୍ଦେଶ୍ୟ ନୁହେଁ ତ ? ଏହି ପ୍ରଶ୍ନକୁ ନେଇ ଏବେ ଓଡ଼ିଶା ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି । ଯଦି ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏଭଳି କିଛି ଉଦ୍ଦେଶ୍ୟ ରଖି ଅପରାଜିତାଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନେଇଥା’ନ୍ତି ଏବଂ ତାଙ୍କୁ ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ ଦଳ ପ୍ରୋଜେକ୍ଟ୍ କରେ ତେବେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ମଧ୍ୟ ଆଶ୍ଚର୍ଯ୍ୟଜନକ ମୋଡ ନେଇ ପାରେ ବୋଲି ଆମେ ଅନୁମାନ କରୁଛୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS