କୋଭିଡ଼ ପରିସ୍ଥିତିରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ, ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ କୁ କଂଗ୍ରେସ ଓ ବିଜେପିର ବିରୋଧ, ତାରା ଚିରିଲେ ବିଲ୍ କପି
ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୨୯
କରୋନା ମହାମାରୀ ପରିସ୍ଥିତିରେ ଆଜି ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଥର ପାଇଁ ବିଧାନସଭା ବାଚସ୍ପତି ଓ ବିଧାୟକମାନେ କାଚ ପାର୍ଟିସନ୍ ମଧ୍ୟରେ ରହି ବିଧାନସଭା ଅଧିବେଶନରେ ଭାଗ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନବୀନ ନିବାସ’ରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଅଧିବେଶନରେ ଭାଗ ନେଇଥିବା ବେଳେ ୯୫ ଜଣ ବିଧାୟକଗୃହ ଭିରୁ ଓ ବାହାରୁ ଅଧିବେଶନରେ ଭାଗ ନେଇଥିଲେ । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅଧିବେଶନରେ ଯୋଗ ଦେଇଥିବା ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ରହିଛି । ଏହି ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ଦିନ ଧରି ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ୍ ନମୁନା ପରୀକ୍ଷା ହୋଇଥିଲା । କିଛି ମନ୍ତ୍ରୀ, ବିଧାୟକ ଓ ବିଧାନସଭା କର୍ମଚାରୀ କରୋନା ପଜେଟିଭ୍ ଚିହ୍ନଟ ହେବାରୁ ସେମାନଙ୍କୁ ଅଧିବେଶନରେ ଭାଗ ନେବାକୁ ବାରଣ କରାଯାଇଛି ।
ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଏହି ମୌସୁମୀ ଅଧିବେଶନରେ ୧୬ଟି ବିଲ୍ ଉପସ୍ଥାପନ କରାଯିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସରକାରଙ୍କ ପକ୍ଷରୁ ୭ଟି ବିଲ୍ ଉପସ୍ଥାପନ କରାଯାଇଛି । ବିବଦମାନ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଜି ସରକାର ଗୃହରେ ଉପସ୍ଥାପନ କରିବାରୁ ତାହାକୁ ନେଇ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀ ବିଧାୟକମାନେ ଏହି ବିଲ୍ ର ଦୃଢ ବିରୋଧ କରିଛନ୍ତି । ରାଜ୍ୟ ସରକାର କରୋନା ମହାମାରୀ ଭଳି ଏକ ଜଟିଳ ପରିସ୍ଥିତିରେ ଏଭଳି ଏକ ବିବଦମାନ ବିଲ୍ ଗୃହରେ କାହିଁକି ଆଗତ କରିଛନ୍ତି ଏବଂ ତାହା ଗୃହୀତ କରାଇ ନେବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିବା ବେଳେ ବିଲ୍ କୁ ‘କଳା ବିଲ୍’ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତାହାକୁ ସିଲେକ୍ଟ୍ କମିଟିକୁ ପଠାଇବାକୁ ଦାବି କରିଛନ୍ତି । ଗୃହରେ ଉପସ୍ଥାପିତ ହୋଇଥିବା ବିଲ୍ କୁ ମଧ୍ୟ ତାରା ଚିରି ଦେଇଛନ୍ତି । ସରକାର ମନ୍ଦ ଉଦେ୍ଦଶ୍ୟ ରଖି ଏହି ବିଲ୍ ଆଣିଛନ୍ତି । ଏହି ବିଲ୍ ଗୃହୀତ ହେଲେ ସରକାର ନା ଚାହିଲେ ବିଶ୍ୱବିଦ୍ୟାଳୟରେ ପତ୍ର ମଧ୍ୟ ହଲିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ମିଶ୍ର କହିଛନ୍ତି ।
ବିଜେପି ବିଧାୟକମାନେ ମଧ୍ୟ ଆଜି ଗୃହରେ ଏହି ବିଲ୍ କୁ ଦୃଢ ବିରୋଧ କରିବା ଦ୍ୱାରା ସରଗରମ ପରିସ୍ଥିିତି ସୃଷ୍ଟି ହୋଇଛି । ଆଜି ଗୃହରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପିପିଇ କିଟ୍ ଓ ମାସ୍କ୍ କିଣାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରାଯାଇଥିଲା । ରାଜ୍ୟର ଦୁଇଟି ବିଧାନସଭା ଆସନ ତର୍ତୋଲ ଓ ବାଲେଶ୍ୱର ସଦର ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ ହେବ ବୋଲି ଭାରତୀୟ ନିର୍ବାଚନ କମିସନ୍ ଆଜି ତାରିଖ ଘୋଷଣା କରିଥିବା ବେଳେ ଏହି ବିଧାନସଭାରେ ବିରୋଧୀ ସରକାରଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ସରକାରଙ୍କୁ ଘେରିବା ଉଦ୍ୟମ କରୁଥିବା ଆଗାମୀ ଦିନରେ ବିରୋଧୀଙ୍କ ନିର୍ବାଚନ କୌଶଳକୁ ସ୍ପଷ୍ଟ କରିଛି । ଏହାଛଡା, ବଗଲା ଧର୍ମାାଳା ଜମି ବିକ୍ରି ଅଭିଯୋଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଓଡ଼ିଶା ହାଇକୋର୍ଟରେ ସରକାରଙ୍କ ବିରୋଧରେ ଆଉ ଏକ ମାମଲା ଦାଏର କରିଥିବାରୁ ବିଧାନସଭାର ତାହାର ଗୁଂଜରଣ ଶୁଣିବାକୁ ମିଳିବ ବୋଲି ଆଶା କରାଯାଉଛି ।
ଆଜି ବିଧାନସଭାରେ ବିଶ୍ୱବିଦ୍ୟାଳୟ ବିଲ୍ କୁ ନେଇ ଉପୁଜି ଥିବା ପରିସ୍ଥିତି ଉପରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି, ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଆଇନ ଦ୍ୱାରା ପରିଚାଳିତ ରହିବ । ଏହି ବିଲ୍ ବିଧାନସଭାରେ ଗୃହୀତ ହେଲେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡିକର ସ୍ୱାଧୀନତା କ୍ଷୁର୍ଣ୍ଣ ହେବାର ନାହିଁ । ଏହି ବିଲ୍ ରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ । ରାଜ୍ୟ ସରକାର ତିନି ବର୍ଷରେ ବିଶ୍ୱବିଦ୍ୟଳୟଗୁଡିକୁ ୧୦୩୪ କୋଟି ଟଙ୍କା ଅନୁଦାନ ଆକାରରେ ଦେଇଛନ୍ତି । ଗୃହରେ ଆଜି ବିଶ୍ୱ ବିଦ୍ୟାଳୟ ବିଲ୍ ଉପରେ ସରଗରମ ଆଲୋଚନା ହେବା ପରେ ଆଜି ପାଇଁ ବିଧାନସଭା ଅଧିବେଶନକୁ ମୁଲତବୀ ରଖାଯାଇଛି । କାଲି ପୁଣି ଅଧିବେଶନ ବସିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS