ବାବରୀ ମସଜିଦ୍ ରାୟ, ବିହାର ଭୋଟ ପୂର୍ବରୁ ବିଜେପି ନେତାଙ୍କୁ କ୍ଲିନ୍ ଚିଟ୍ !
ପ୍ରସାଦ ରାଓ
ସେପ୍ଟେମ୍ବର ୩୦
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିଛି କ୍ଲିନ୍ ଚିଟ୍ । ୧୯୯୨ ମସିହା ଡ଼ିସେମ୍ବର ୬ ତାରିଖ ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ବାବରୀ ମସଜିଦ୍ ଢାଂଚା ଭାଂଗି ଦେବା ମାମଲାରେ ୩୨ ଅଭିଯୁକ୍ତଙ୍କୁ ଆଜି ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ଯଥେଷ୍ଟ ପ୍ରମାଣ ନ ଥିବା ଦର୍ଶାଇ ଦୋଷ ମୁକ୍ତ କରିଛନ୍ତି । ଅଦାଲତର ରାୟ ବିଜେପି ଶିବିରରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ବିଜେପିର ବର୍ଷିଆନ୍ ନେତା ଲାଲ କୃଷ୍ଣ ଆଡଭାନୀ, ଡକ୍ଟର ମୁରଲୀ ମନୋହର ଯୋଶୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁୁଶ୍ରୀ ଉମା ଭାରତୀ, ବାବରୀ ମସଜିଦ୍ ଭଂଗା ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଥିବା କଲ୍ୟାଣ ସିଂହ, ବରିଷ୍ଠ ବିଶ୍ୱ ହିନ୍ଦୁ ପରିଷଦ ନେତା ବିନୟ କଟିଆର୍, ସାଧ୍ୱୀ ରିତ୍ୱାମ୍ବରା, ମହନ୍ତ ମହାରାଜ ନୃତ୍ୟ ଗୋପାଳ ଦାସଙ୍କ ଭଳି ବଡ ବଡ ନାଁ ଏହି ମାମଲାରେ ସଂପୃକ୍ତ ଥିଲା । ସିବିଆଇ ବାବରୀ ମସଜିଦ୍ ଭଂଗିବା ପାଇଁ ଷଡଯନ୍ତ୍ର ଏବଂ ମସଜିଦ୍ ଭଂଗା ଯିବା ଘଟଣାରେ ଦୁଇଟି ମାମଲା ରୁଜୁ କରି ମୋଟ ୪୯ ଜଣଙ୍କ ବିରୋଧରେ ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲେ । ଦୀର୍ଘ ବର୍ଷ ହେଲା ଏହି ମାମଲା ଚାଲି ଥିଲା । ଇତି ମଧ୍ୟରେ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ଦେହାନ୍ତ ହୋଇ ସାରିଛି । ଅନ୍ୟ ୩୨ ଜଣ ଆଜି ଟ୍ରାଏଲ୍ କୋର୍ଟରେ ଯଥେଷ୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି । ସିବିଆଇ ଏହି ମାମଲାକୁ ପ୍ରମାଣିତ କଲା ଭଳି ତଥ୍ୟ, ପ୍ରମାଣ ଉପସ୍ଥାପନ କରିବାରେ ସଫଳ ହୋଇ ନାହିଁ । ଅଦାଲତରେ ମସଜିଦ୍ ଭଂଗାର ଯେଉଁ ଭିଡ଼ିଓ ଉପସ୍ଥାପନ କରାଯାଇଛି ତାହା ମଧ୍ୟ ଜାଲୁ ବୋଲି ବିଚାରପତି ତାଙ୍କ ରାୟରେ କହିଥିବା ସୂଚନା ମିଳିଛି ।
ଅଯୋଧ୍ୟର ଯେଉଁ ସ୍ଥାନରେ ଏହି ଷୋଡଶ ଶତାବ୍ଦୀର ମସଜିଦ୍ ନିର୍ମିତ ହୋଇଥିଲା ସେଠାରେ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ଥିଲା ଏବଂ ବାବରୀ ମସଜିଦ୍ ସ୍ଥଳ ଖନନ ବେଳେ ମାଟି ତଳୁ ହିନ୍ଦୁ ମନ୍ଦିରର ଧ୍ୱଂସାବଶେଷ ମିଳିଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସୁପ୍ରିମ କୋର୍ଟରେ ଏହି ମାମଲାର ଚୂଡାନ୍ତ ଶୁଣାଣୀ ବେଳେ ତଥ୍ୟ ରଖି ଥିଲେ । ସେହି ତଥ୍ୟ ଆଧାରରେ ସୁପ୍ରିମ କୋର୍ଟ ବିବାଦୀୟ ବାବରୀ ମସଜିଦ୍-ରାମ ଜନ୍ମଭୂମୀ ମାମଲାର ଶୁଣାଣୀ କରି ମସଜିଦ୍ ଜମି ହିନ୍ଦୁଙ୍କ ହସ୍ତାନ୍ତର କରିବା ସହ ଅଯୋଧ୍ୟା ନିକଟରେ ଅନ୍ୟ ଏକ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ସଂପୃକ୍ତ ମୁସଲିମ୍ ଗୋଷ୍ଠୀକୁ ୫ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । ସେତିକିରେ ଏହି ଦୀର୍ଘ ବର୍ଷର ବିବାଦର ସମାଧାନ ହୋଇସାରିଛି । ବାବରୀ ମସଜିଦ୍ ଧ୍ୱଂସାବଶେଷ ପଡି ରହିଥିବା ଜମିରେ ଭବ୍ୟ ରାମଲାଲା ମନ୍ଦିର ନିର୍ମାଣ ସକାଶେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମୋଦନ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ କରୋନା ପରିସ୍ଥିତିରେ ଅଯୋଧ୍ୟା ଯାଇ ରାମଲାଲା ମନ୍ଦିରର ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ଟ୍ରଷ୍ଟି ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ଭବ୍ୟ ରାମଲାଲା ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ଅନ୍ୟତ୍ର ଜମି ପାଇଁ ଥିବା ମୁସଲିମ୍ ଗୋଷ୍ଠୀ ମଧ୍ୟ ସେଠାରେ ମସଜିଦ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲେଣି । ଏଭଳି ପରିସ୍ଥିତିରେ ୨୮ ବର୍ଷ ତଳର ମାମଲା ବିଶେଷ ମହତ୍ୱ ରଖୁନି । ତେବେ, ଦେଶରେ ଛଅ ବର୍ଷ ହେଲା ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଚାଲି ଥିଲେ ମଧ୍ୟ ବିବାଦୀୟ ନେତାମାନେ ଦଳ ଓ ସରକାର ଭିତରେ କୋଣଠେସା ହୋଇ ରହି ଥିବାରୁ ଆଜିର ଅଦାଲତ ରାୟ ସେମାନଙ୍କ ପାଇଁ ବିଶେଷ ମହତ୍ୱ ରଖୁଛି ।
୨୦୧୫ରୁ ଅଯୋଧ୍ୟା ବାବରୀ ମସଜିଦ୍ ଭଂଗା ମାମଲାର ବିଚାର କରୁଥିବା ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ ଜଜ୍ ଏସ.କେ. ୟାଦବ ପୂର୍ବରୁ ମାମଲାର ଶୁଣାଣୀ ସାରି ଥିଲେ ସୁଦ୍ଧା ରାୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଆଜି ସେ ତାଙ୍କ ରାୟ ଶୁଣାଇଛନ୍ତି । ସକାଳେ ମାମଲାରେ ରାୟ ଶୁଣାଣୀ ସମୟରେ ୯୨ ବର୍ଷ ବୟସ୍କ ଲାଲ କୃଷ୍ଟ ଆଡଭାନୀ, ୮୬ ବର୍ଷ ବୟସ୍କ ଡ. ମୁରଲୀ ମନୋହର ଯୋଶୀ, ୮୦ ବର୍ଷ ବୟସ୍କ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ , ୮୮ ବର୍ଷ ବୟସ୍କ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ଉମା ଭାରତୀ (୬୧) ଓ ଅନ୍ୟତମ ଅଭିଯୁକ୍ତ ସତୀଶ ପ୍ରଧାନ ଅଦାଲତରେ ଅନୁପସ୍ଥିତ ଥିଲେ । ବୟସାଧିକ୍ୟ କାରଣ ଦର୍ଶାଇ ଆଡଭାନୀ, ଯୋଶୀ, କଲ୍ୟାଣ ସିଂହ ଓ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ ଅଦାଲତରେ ଅନୁପସ୍ଥିତ ଥିବା ସମୟରେ ସାଧ୍ୱୀ ଉମା ଭାରତୀ ଓ ଅନ୍ୟତମ ଅଭିଯୁକ୍ତ ସତୀଶ ପ୍ରଧାନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା କାରଣ ଦର୍ଶାଇ ଅନୁପସ୍ଥିତ ରହି ଥିଲେ । ତେବେ, ବିଶ୍ୱ ହିନ୍ଦୁ ପରିଷଦ ନେତା ବିନୟ କଟିଆର୍, ସାଧ୍ୱୀ ରିତ୍ୱାମ୍ବରାଙ୍କ ସମେତ ଅନ୍ୟ ୨୬ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ଥିଲେ । ସିବିଆଇ ଭଳି କେନ୍ଦ୍ର ସରକାରଙ୍କ ଏକ କୁଶଳୀ ଅପରାଧ ଅନୁସଂଧାନକାରୀ ସଂସ୍ଥା ବାବରୀ ମସଜିଦ୍ ଭଂଗା ମାମଲାରେ କଥିତ ଷଡଯନ୍ତ୍ର ଥିବା ଏବଂ ଅଭିଯୁକ୍ତମାନେ ଷଡଯନ୍ତ୍ର ଓ ମସଜିଦ୍ ଭଂଗାରେ ସାମିଲ ଥିବା ନେଇ ଠୋସ୍ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିବାରେ ବିଫଳ ହେବାରୁ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିବା ବିଚାରପତି ୟାଦବଙ୍କ ରାୟରୁ ଜଣାପଡିଛି ।
ଆଜି ସକାଳେ ଏହି ରାୟ ପ୍ରକାଶ ପାଇବା ପରେ ବିଜେପି ଓ ଅନ୍ୟ ହିନ୍ଦୁବାଦୀ ସଂଗଠନ କାର୍ଯ୍ୟାଳୟ ସବୁ ଉତ୍ସବମୁଖର ହୋଇଥିବା ବେଳେ କଂଗ୍ରେସ ଲକ୍ଷ୍ନୌ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ରାୟ ବିଜେପି-ଆର.ଏସ୍.ଏସ୍ର ଏକ ମିଳିତ ରାଜନୈତିକ ଷଡଯନ୍ତ୍ର ବୋଲି ମନ୍ତବ୍ୟ ଦେଇ ଏହି ରାୟ ବିରୋଧରେ ଉପର ଅଦାଲତରେ ଆବେଦନ କରିବାକୁ କେନ୍ଦ୍ର ସରକାର ଓ ୟୁପି ସରକାରଙ୍କୁ ଆହ୍ୱାନ ଦେଇଛି । ବାବରୀ ମସଜିଦ୍ ଢାଂଚା ଭଂଗାଯିବା ଘଟଣାର ତଦନ୍ତ କରିଥିବା ଲିବରହାନ୍ କମିସନ୍ ତାଙ୍କ ରିପୋର୍ଟରେ କିଛି ବିଜେପି ନେତାଙ୍କୁ ଏଥି ସକାଶେ ଦୋଷ ଦେଇ ଥିବା ବେଳେ ସିବିଆଇ ସ୍ୱତନ୍ତ୍ର ଅଦାଲତଙ୍କ ଆଜିର ରାୟ ୨୦୧୯ରେ ସୁପ୍ରିମ କୋର୍ଟ ଦେଇଥିବା ରାୟର ସାମ୍ବିଧାନିକ ଭାବାବେଗକୁ ନଜରଅନ୍ଦାଜ କରିଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ଅପରପକ୍ଷରେ, ଦୀର୍ଘ ୨୮ ବର୍ଷର ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇଥିବା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ଆଜିର ରାୟ ବ୍ୟକ୍ତିଗତ ଭାବେ ତାଙ୍କର ବିଶ୍ୱାସ ଏବଂ ସାମଗ୍ରିକ ଭାବେ ବିଜେପିର ରାମ ଜନ୍ମଭୂମୀ ଆନ୍ଦୋଳନ ପ୍ରତି ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଛି ବୋଲି ପ୍ରତିକ୍ରୀୟାରେ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଅଯୋଧ୍ୟା ସହର ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନ ଏବଂ ସେଠାରେ ରାମ ମନ୍ଦିରକୁ ଭାଂଗି ତାହା ଉପରେ ବାବରୀ ମସଜିଦ୍ ନିର୍ମାଣ କରାଯାଇଥିବାରୁ ସେହି ଢାଂଚା ଉପରେ ରାମଲାଲାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୧୯୮୦ରୁ ବିଶ୍ୱ ହିନ୍ଦୁ ପରିଷଦ ଆନ୍ଦୋଳନର ସୂତ୍ରପାତ କରିଥିଲା । ପରେ ତାହାକୁ ଆର.ଏସ୍.ଏସ୍, ତାହାର ରାଜନୈତିକ ମୁହଁ ବିଜେପି ଏବଂ ଅନ୍ୟ ହିନ୍ଦୁ ସଂଗଠନମାନେ ଆଗେଇ ନେଇଥିଲେ । ନବେ ଦଶକରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦେଶବ୍ୟାପୀ ରାମ ରଥଯାତ୍ରା କରିଥିଲେ । ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାଜ୍ୟରେ ଆଡଭାନୀଙ୍କ ରଥକୁ ଅଟକ ରଖି ତାଙ୍କୁ ଗିରଫ କରିବାରୁ ରାମ ଜନ୍ମଭୂମୀ ଓ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନ ରାଜନୈତିକ ମୋଡ ନେଇଥିଲା । ଅଯୋଧ୍ୟାରେ ବାବରୀ ମସଜିଦ୍ ଢାଂଚା ଉପରେ ଭବ୍ୟ ରାମଲାଲା ମନ୍ଦିର ପ୍ରତିଷ୍ଠା ଦାବିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭିଏଚପି ‘କର୍ ସେବକ’ ଦେଶର ବିଭିନ୍ନ ଅଂଚଳରୁ ଇଟା ଖଣ୍ଡେ ଖଣ୍ଡେ ଧରି ଅଯୋଧ୍ୟାରେ ପହଂଚି ଥିଲେ । ୧୯୯୨ ଡ଼ିସେମ୍ବର ୬ ତାରିଖରେ ବାବରୀ ମସଜିଦ୍ ଢାଂଚା ଧରାଶାୟୀ କରି ରାମ ମନଦର ପ୍ରତିଷ୍ଠାର ମୂଳଦୂଆ ପକାଇ ଥିଲେ । ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ବରିଷ୍ଠ କଂଗ୍ରେସ ନେତା ପି.ଭି. ନିରସିଂହ ରାଓ । ୟୁପିରେ ବିଜେପି ସରକାରର ନେତୃତ୍ୱ ନେଉଥିଲେ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ । ଭିଏଚପି ‘କର୍ ସେବକ୍’ମାନେ କାହା ଦ୍ୱାରା ପ୍ରେରିତ ହୋଇ ବାବରୀ ମସଜିଦ୍ ଢାଂଚା ଭାଂଗି ଥିଲେ ନା ଏହା ଥିଲା ଏକ ସ୍ୱତଃପ୍ରବୃତ ପ୍ରକ୍ରିୟା (?) – ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତେବେ, ଏହି ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିବା ସହ ପରବର୍ତୀ ସମୟରେ ସାଂପ୍ରଦାୟିକ ଦଂଗା ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ପାଖାପାଖି ଦୁଇ ହଜାର ପ୍ରାଣତ୍ୟାଗ କରିଥିଲେ ବୋଲି ରିପୋର୍ଟ କହୁଛି ।
ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇ ୧୯୯୨ ଡ଼ିସେମ୍ବର ୬ ତାରିଖ ବାବରୀ ମସଜିଦ୍ ଢାଂଚା ଭଂଗା ଯିବା ଏକ ଷଡଯନ୍ତ୍ର ଥିଲା ବୋଳି କହିଛି । ବିଜେପିର ତୁଂଗ ନେତାଙ୍କ ସମେତ ଭିଏଚପି, ଆର.ଏସ୍.ଏସ୍ ଓ ଅନ୍ୟ ହିନ୍ଦୁବାଦୀ ସଗଠନର ବହୁ ନେତାଙ୍କୁ ମାମଲାରେ ଛନ୍ଦି ଦୁଇଟି ମାମଲା କରିଛି । ଆଡଭାନୀ, ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହ, ବିନୟ କଟିଆର୍ ଙ୍କୁ ମିଶାଇ ୪୯ ଜଣ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ମାମଲା କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇ ଅଦାଲତ ଏହି ମାମଲାର ଶୁଣାଣୀ କରି ଆଜି ରାୟ ପ୍ରକାଶ କରିଛନ୍ତି । ମାମଲାର ଶୁଣାଣୀ କରୁଥିବା ଟ୍ରାଏଲ କୋର୍ଟ ବିଚାରପତି ଏସ.କେ.ୟାଦବ ଦୀର୍ଘ ପ୍ରାୟ ପାଂଚ ବର୍ଷ ଧରି ଏହି ମାମଲାର ଶୁଣାଣୀ କରୁଥିବା ବେଳେ ୨୦୧୯ରେ ସେ ଅବସର ନେବାକୁ ଥିଲା । ତେବେ, ଏହା ଏକ ହାଇ-ପ୍ରୋଫାଇଲ୍ ମାମଲା ହୋଇଥିବାରୁ ସୁପ୍ରିମ କୋର୍ଟ ଟ୍ରାଏଲ୍ କାର୍ଟ ବିଚାରପତି ୟାଦବଙ୍କ କାର୍ଯ୍ୟକାଳ ବୃଦ୍ଧି କରି ମାମଲାର ଶୁଣାଣୀ ତ୍ୱରିନ୍ୱିତ କରିବା ସହ ଆଇନ ମୁତାବକ ରାୟ ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ । ଶୁଣାଣୀ ଓ ରାୟ ପ୍ରକାଶନର ସମସ୍ତ ପ୍ରୋସିଂଡିଂ ଭିଡ଼ିଓ ରେକଡିଂ କରାଯିବାକୁ ମଧ୍ୟ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଥିଲା । ବିଚାରପତି ଯାଦବ ଆଜି ତାଙ୍କ ଦାୟିତ୍ୱ ସଂପାଦନ କରିଛନ୍ତି । ଏହି ମାମଲାରେ ଅଦାଲତଙ୍କ ରାୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଅଧିକ ଗତିଶୀଳ କରିବ ବୋଲି ବିଜେପି କହିଥିବା ବେଳେ ଅକ୍ଟୋବର ଓ ନଭେମ୍ବରରେ ବିହାରରେ ହେବାକୁ ତିନି ପର୍ଯ୍ୟାୟ ବିଧାନସଭା ଭୋଟ ସହ ୨୦୧୨ରେ ହେବାକୁ ଥିବା ନିର୍ବାଚନଗୁଡିକରେ ମଧ୍ୟ ବିଜେପି ଏଥିରୁ ଫାଇଦା ନେବାକୁ ଚେଷ୍ଟା କରିବ ବୋଲି ବିରୋଧୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS