କରୋନା ଡ଼ାଏରୀ (୧୮)… କରୋନା କଟକଣା କୋହଳ ହୋଇଛି, ଦେଶରେ ସେପ୍ଟେମ୍ବରରେ ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିଲା, ଅକ୍ଟୋବର ଅବସ୍ଥା କଣ ହେବ ?


ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର, ୦୧
ସେପ୍ଟେମ୍ବର ୩୦ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ଟପି ଥିବା ବେଳେ କେନ୍ଦ୍ର ସରକାର ଅକ୍ଟୋବର ମାସ ପାଇଁ ଯେଉଁ ‘ଅନ୍ ଲକ୍-୫’ ଗାଇଡ୍ ଲାଇନ୍ ଜାରି କରିଛନ୍ତି ତାହା ଅମାନିଆଙ୍କୁ ଅଧିକ ଉତ୍ସାହିତ କରିଛି । କେନ୍ଦ୍ର ସରକାର ତାଙ୍କ ଗାଇଡ୍ ଲାଇନ୍ ରେ ଚଳିତ ଏହି ମାସରେ ସିନେମା ହଲ୍, ଥିଏଟର୍, ମଲ୍ଟିଫ୍ଲେକ୍ସ୍, ସ୍ୱିମିଂ ପୁଲ୍ ପ୍ରଭୃତି ଖୋଲିବାକୁ ଏବଂ ବ୍ୟବସାୟିକ ପ୍ରଦର୍ଶନୀଗୁଡିକ ଆୟୋଜନ କରିବାକୁ ଅନୁମତି ଦେଇ ଜୀବନ ଓ ଜୀବୀକା ମଧ୍ୟରେ ଅଧିକ ସମନ୍ୱୟ ଆଣିବା ପାଇଁ ଉଦ୍ୟମ କରିଛନ୍ତି ସତ, କିନ୍ତୁ ସେପ୍ଟେମ୍ବର ମାସର କରୋନା ଗ୍ରାଫ୍ କୁ ଦେଖିଲେ ଏଭଳି କୋହଳ ମନୋଭାବ ଅଧିକ ଘାତକ ସିଦ୍ଧ ହେବା ହେବା ଆଶଙ୍କା ଏଡାଇ ହେଉ ନାହିଁ । ଅବଶ୍ୟ, ଦେଶବ୍ୟାପୀ ଖୋଲିବାକୁ ଥିବା ସିନେମା ହଲ୍, ଥିଏଟର୍ ଓ ମଲ୍ଟିଫ୍ଲେକ୍ସରେ ବସିବା କ୍ଷମତାର ୫୦ ପ୍ରତିଶତ ହିଁ ବ୍ୟବହାର ହେବା ନେଇ ସରକାରଙ୍କ ନିର୍ଦେଶ ରହିଛି । ଏଥି ସକାଶେ କେନ୍ଦ୍ର ସରକାରଙ୍କ ବିିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ଅତିଶୀଘ୍ର ଏସଓପି ଜାରି କରାଯିବ ବୋଲି ମଧ୍ୟ ‘ଅନ୍ ଲକ୍-୫’ ଗାଇଡ୍ ଲାଇନ୍ ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତଥାପି, ଅମାନିଆଙ୍କ ମନମାନିକୁ କିଏ ବା ରୋକି ପାରିବ ?
କେନ୍ଦ୍ର ସରକାର ଅକ୍ଟୋବର ମାସରେ କେବଳ ସିନେମା ହଲ୍, ଥିଏଟର୍ ବା ମଲ୍ଟିଫ୍ଲେକ୍ସ୍ ନୁହେଁ, ବ୍ୟବସାୟିକ ସଂସ୍ଥାଙ୍କ ପାଇଁ ବାଣିଜ୍ୟ ସଂପର୍କିତ ପ୍ରଦର୍ଶନୀ ପାଇଁ ଅନୁମତି ଦେଇଛନ୍ତି । ଏଥିରେ କେବଳ ବ୍ୟବସାୟିକ ସଂସ୍ଥା ଭାଗ ନେଇ ପାରିବେ । ସାଧାରଣ ଜନତାଙ୍କ ପ୍ରବେଶ ଅନୁମତି ନାହିଁ ବୋଲି କୁହାଯାଇଛି । କ୍ରୀଡାବିତ୍ ଙ୍କ ବ୍ୟବହାର ଓ ପ୍ରଶିକ୍ଷଣ ନିମନ୍ତେ ସ୍ୱିମିଂ ପୁଲ୍, ଆମୋଦ ପ୍ରମୋଦ ପାଇଁ ପାର୍କ ଏବଂ ଆମୋଦ ପ୍ରଦାନକାରୀ ସଂସ୍ଥା ମଧ୍ୟ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ସିନେମା ହଲ୍, ଥିଏଟର୍, ମଲ୍ଟଫ୍ଲେକ୍ସ୍ ପାଇଁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବ୍ୟବସାୟିକ ସଂସ୍ଥାଙ୍କ ପାଇଁ ପ୍ରଦର୍ଶନୀ ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ, କ୍ରୀଡା ଓ ପ୍ରଶିକ୍ଷଣ ଉଦେ୍ଦଶ୍ୟରେ ସ୍ୱିମିଂ ପୁଲ୍ ପାଇଁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆମୋଦ ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ କେନ୍ଦ୍ର ଶକ୍ତି ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନ ଭିନ୍ନ ଏସଓପି ଜାରି ହେବ ବୋଲି ‘ଅନ୍ ଲକ୍ -୫’ ଗାଇଡ୍ ଲାଇନ୍ରେ କୁହାଯାଇଛି । ସରକାର ଅକ୍ଟୋବର ୧୫ ପରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟର ଖୋଲିବା ସକାଶେ ନିଷ୍ପତ୍ତି ରାଜ୍ୟମାନଙ୍କ ଉପରେ ଛାଡିଛନ୍ତି । ଏହାସହ, ଅବରୋଧ ଅଂଚଳ ବ୍ୟତୀତ ଅନ୍ୟ ସମସ୍ତ ଅଂଚଳରେ ରାଜନୈତିକ, ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରିବ ଏବଂ ସେଥିରେ ସର୍ବାଧିକ ୧୦୦ ଜଣ ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି । ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୨୦ ଜଣ ଯୋଗ ଦେବାର ଅନୁମତି ଥିଲା ।
ଭାରତର ନିର୍ବାଚନ ଆୟୁକ୍ତ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ବିହାରରେ ତିନି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ସେହିପରି, ନଭେମ୍ବର ୩ରେ ଓଡ଼ିଶାର ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନ ସମେତ ଦେଶରେ ୫୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ । ଏହି ସବୁ ନିର୍ବାଚନ ପାଇଁ ସଂପୃକ୍ତ ରାଜ୍ୟମାନଙ୍କରେ ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ ହେଲାଣି । ଭାରତୀୟ ନିର୍ବାଚନ ଆୟୁକ୍ତି କରୋନା ପରିସ୍ଥିତିରେ ନିର୍ବାଚନ ପରିଚାଳନା ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କରିଛନ୍ତି ସତ, କିନ୍ତୁ ରାଜନୈତିକ ଦଳମାନେ ସେହି ଲଗାମ ଭିତରେ କେତେଦୂର ନିଜକୁ ସୀମିତ ରଖି ପାରିବେ, ତାହା ହେଉଛି ବଡ ପ୍ରଶ୍ନ । କେନ୍ଦ୍ର ସରକାର ତାହା ଜାଣନ୍ତି । ତେଣୁ, ରାଜନୈତିକ କାର୍ଯ୍ୟକଳାପକୁ ଲଗାମ-ମୁକ୍ତ ରଖିବା ପାଇଁ ‘ଅନ୍ ଲକ୍ -୫’କୁ ଅଧିକ କୋହଳ କରିଥିବା ଅନୁମାନ କରାଯାଉଛି । ସରକାର କରୋନା କଟକଣା କୋହଳ କରିବା ଦ୍ୱାରା ଗଲା ୭ ମାସ ହେଲା ଅଣନିଶ୍ୱାସୀ ହୋଇ ଘରେ ବସି ଥିବା ଲୋକମାନେ ଖୁସି ହେବା ସ୍ୱାଭାବିକ । ତେବେ, ସେପ୍ଟେମ୍ବର ମାସର କରୋନା ଗ୍ରାଫ୍ କୁ ଦେଖିଲେ ଅକ୍ଟୋବର ମାସରେ ଦେଶରେ କରୋନା ସଂକ୍ରମଣ କେତେ ଉପରେ ଯାଇ ପହଂଚିବ, ତାହା ମାସ ଶେଷରେ ଜଣାପଡିବ ।
ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ମନ୍ଦିର, ମଲ୍ ଖୋଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଓଡ଼ିଶାରେ ଆଜି ସୁଦ୍ଧା ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଖୋଲି ନାହିଁ । ରାଜ୍ୟରେ ନଭେମ୍ବର ଶେଷ ପର୍ଯ୍ୟନ୍ତ ପଡୁ ଥିବା ସମସ୍ତ ପର୍ବ ପର୍ବାଣୀ କେବଳ ବିଧି ରକ୍ଷା ପାଇଁ ହେବ, ସେଥିରେ ସାଧାରଣ ଲୋକଙ୍କ ସହଭାଗିତା ରହିବ ନାହିଁ ବୋଲି ରାଜ୍ୟ ସରକାର ସେପ୍ଟେମ୍ବର ମାସର ଗାଇଡ୍ ଲାଇନ୍ରେ ସ୍ପଷ୍ଟ କହିଛନ୍ତି । ତେଣୁ, ରାଜ୍ୟରେ ଆସନ୍ତା ଦଶହରା, ଲକ୍ଷ୍ମୀ ପୂଜା, ଦୀପାବଳୀ ଭଳି ଗଣଉତ୍ସବ ସାଧାରଣ ଜନତାର ସହଭାଗିତା ବିନା ହେବା ନିଶ୍ଚିତ । ଅନ୍ୟ ରାଜ୍ୟରେ ମଧ୍ୟ ଏକା ଭଳି ପରିସ୍ଥିତି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନା ନିୟନ୍ତ୍ରଣ ପାଇଁ ୨୦୨୦ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ କଟକଣାକୁ କଡାକଡି ଭାବେ ଲାଗୁ କରିଥିଲେ । ପରେ, ଜୁଲାଇ ମାସରେ ଜୀବୀକାର ପ୍ରଶ୍ନ ଆସିବାରୁ ଧୀରେ ଧୀରେ କଟକଣା ସବୁ କୋହଳ ହୋଇଛି । ଅଗଷ୍ଟ ମାସ ଓ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ କଟକଣା ଅଧିକ କୋହଳ ହେବାରୁ ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ ହୋଇଛି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଗଷ୍ଟ ମାସ ପର୍ଯ୍ୟନ୍ତ ରାଜ୍ୟଗୁଡିକୁ କରୋନା ପରିଚାଳନାର ସ୍ୱାଧୀନତା ଦେଇଥିଲେ ମଧ୍ୟ ସେପ୍ଟେମ୍ବରରେ ତାହା ଦେଇ ନଥିଲେ । କେବଳ କଂଟେନମେଂଟ୍ ଜୋନ୍ ପାଇଁ ଜିଲ୍ଲାପାଳମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ପୂର୍ବାନୁମତି ନେଇ କଡା କଟକଣା ଲାଗୁ କରି ପାରିବା ବୋଲି ସରକାର କହିଥିଲେ । ଫଳରେ ଅମାନିଆଙ୍କ ଉତ୍ପାତ ବଢି ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ଅନୁମାନ କରାଯାଉଛି । କଟକଣା ଅଧିକ କୋହଳ ହେବାରୁ ଅମାନିଆ ଅଧିକ ମନୁଆ ହୋଇ ବାହାରେ ବୁଲୁଛନ୍ତି । ଆଗରୁ ସଂକ୍ରମଣ ଭୟରେ ଯେଉଁମାନେ ଘରୁ ବାହାରିଲେ ମାସ୍କ୍ ପିନ୍ଧୁ ଥିଲେ ଏବଂ ବାହାରେ ସାମାଜିକ ଦୂରତା ରକ୍ଷା କରୁଥିଲେ ସେମାନେ ଆଜି ଆଇନକୁ ଆଖିଠାର ମାରିବା ଭଳି ମାସ୍କ୍ ପିନ୍ଧୁଛନ୍ତି ଓ ସାମାଜିକ ଦୂରତା ରକ୍ଷା କରୁଛନ୍ତି । ପୁଲିସ ଓ ପ୍ରଶାସନର ଯୋରଦାର ଧରପଗଡ ଏବଂ ମୋଟା ଅଂକର ଫାଇନ୍ ଆଦାୟ ସତ୍ୱେ ପରିସ୍ଥିତି ସୁଧୁରୁ ନାହିଁ । ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ୨୦୨୦ ଫେବୃୟାରୀରୁ ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଦେଶରେ ଯେତିକି ସଂଖ୍ୟାରେ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ୪୧.୫୩ ପ୍ରତିଶତ କେବଳ ସେପ୍ଟେମ୍ବର ମାସରେ ହିଁ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୨୬ ଲକ୍ଷ ୨୧ହଜାର ୪୧୮ କରୋନା ସଂକ୍ରମିତ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬୩ ଲକ୍ଷରୁ ଅଧିକ ଗଲା ସେପ୍ଟେମ୍ବର ୩୦ ମାସରେ ହିଁ ଚିହ୍ନଟ ହୋଇଥିବା ଜଣାପଡିଛ ।
ସେହିଭଳି, ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଦେଶରେ ୯୮, ୬୭୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବା ବେଳେ ସେଥିରୁ ୩୩.୮୪ ପ୍ରତିଶତ ଅର୍ଥାତ ୩୩,୩୯୦ ମୃତ୍ୟୁ ସେପ୍ଟେମ୍ବର ମାସରେ ହିଁ ଘଟିଛି । ଗୋଟିଏ ପଟେ ସେପ୍ଟେମ୍ବର ମାସରେ ଦେଶରେ କରୋନା ଆକ୍ରାନ୍ତ ଓ କୋଭିଡ଼-୧୯ ମୃତ୍ୟୁ ସଂଖ୍ୟା ବଢିଥିବା ବେଳେ ଅନ୍ୟପଟେ କୋଭିଡ଼-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ରୋଗୀ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢି ଥିବା ସରକାରଙ୍କ ପାଇଁ ଆଶ୍ୱାସନାର ବିଷୟ ହୋଇଛି । ସରକାରୀ ରିପୋର୍ଟ ଅନୁସାରେ, ଦେଶରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୋଟ ୫୨, ୭୩,୨୦୧ କରୋନା ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ତାହାର ୪୬.୧୫ ପ୍ରତିଶତ ଅର୍ଥାତ ୨୪, ୩୩, ୩୧୯ ଜଣ ସେପ୍ଟେମ୍ବର ମାସରେ ହିଁ ସୁସ୍ଥ ହୋଇଛନ୍ତି ।
ସମଗ୍ର ବିଶ୍ୱରୁ କୋଭିଡ଼-୧୯ ତଥ୍ୟ ସଂଗ୍ରହ କରି ବିଶ୍ଲେଷଣ କରିଥିବା ଜୋନସ୍ ହପକିନ୍ସ୍ ବିଶ୍ୱବିଦ୍ୟାଳୟର ତଥ୍ୟ ମୁତାବକ, କୋଭିଡ଼-୧୯ ରୋଗୀଙ୍କ ସୁସ୍ଥ ହାରରେ ଭାରତ ବ୍ରାଜିଲ ଓ ଆମେରିକାକୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି । ଏତିରେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ୍ । ତେବେ, କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ଭାରତ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । କୋଭିଡ଼ ମୃତ୍ୟୁ ସଂଖ୍ୟାରେ ଆମେରିକା ଓ ବ୍ରାଜିଲ୍ ପଛକୁ ଭାରତ ତୃତୀୟ ସ୍ଥାନରେ ଥିବା ଏହି ରିପୋର୍ଟରେ କୁହାଯାଇଛି ।ଏଠାରେ ଉଲ୍ଲେଖନୀୟରେ, ଭାରତରେ କୋଭିଡ ସଂକ୍ରମଣ ୨୦୨୦ ଫେବୃୟାରୀରେ ଆରମ୍ଭ ହୋଇଥିଲା ଏବଂ ମେ’ ପରେ ତାହା ଦୃତ ଗତିରେ ବଢିବାରେ ଲାଗି ଥିଲା । ଭାରତରେ ଅଗଷ୍ଟ ୭ରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ ଓ ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଟପି ଥିଲା । ସେପ୍ଟେମ୍ବର ୧୬ରେ ତାହା ୫୦ ଲକ୍ଷ ଏବଂ ୨୮ ସୁଦ୍ଧା ୬୦ ଲକ୍ଷ ଟପିଛି । ଦେଶରେ କୋଭିଡ଼ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁବାକୁ ୧୧୦ ଦିନ ଲାଗି ଥିବା ବେଳେ ଆଉ ମାତ୍ର ୫୯ ଦିନରେ ୧୦ ଲକ୍ଷ ଟପି ଥିଲା । ସଂକ୍ରମିତ ସଂଖ୍ୟା ୧୦ ଲକ୍ଷରୁ ୨୦ ଲକ୍ଷ ହେବାକୁ ୨୧ ଦିନ, ୩୦ ଲକ୍ଷ ଟପି ବାକୁ ଆଉ ୧୬ ଦିନ, ୪୦ ଲକ୍ଷ ଟପିବାକୁ ୧୩ ଦିନ, ୫୦ ଲକ୍ଷ ଟପିବାକୁ ୧୧ ଦିନ ସମୟ ଲାଗି ଥିବା ବେଳେ ୬୦ ଲକ୍ଷ ଟପିବାକୁ ୧୨ ଦିନ ଲାଗିଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅକ୍ଟୋବର ୧ ତାରିଖ ସକାଳ ୮ଟା ସୁଦ୍ଧା ଦେଇଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଂଟା (ଗୋଟିଏ ଦିନ) ମଧ୍ୟରେ ୮୬, ୮୨୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୪ରେ ପହଂଚିଛି । ସେହିଭଳି ୫୨, ୭୩, ୨୦୧ ଜଣ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବାରୁ ଚିକିତ୍ସା ପରେ ସୁସ୍ଥ ହାର ୮୩.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ମହାମାରୀରେ ୧,୧୮୧ଟି ଜୀବନ ଯାଇଛି । ଫଳରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଆଜି ସକାଳ ସୁଦ୍ଧା ୯୮, ୬୭୮ରେ ପହଂଚିଛି । ବୁଧବାର ଦେଶରେ ୧୪,୨୩,୦୫୨ଟି କୋଭିଡ଼-୧୯ ନମୁନା ପରୀକ୍ଷା ହୋଇ ଥିବାରୁ ତାହାକୁ ମିଶାର ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୋଟ ୭ କୋଟି ୫୬ ଲକ୍ଷ ୧୯ ହଜାର ୭୮୧ ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ରିପୋର୍ଟରୁ ଜଣାପଡିଛି । ଅକ୍ଟୋବର ମାସର ଟ୍ରେଣ୍ଡ୍ କଣ ହେବ, ତାହା ଏଥିରୁ ଯେ କେହି ଅନୁମାନ କରିପାରିବ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS