ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ – ନାୟକ ନା ଖଳନାୟକ ?
ପ୍ରସାଦ ରାଓ
ଅକ୍ଟୋବର, ୦୪
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି । ସେପ୍ଟେମ୍ବର ୧୪ ତାରିଖରେ ୟୁପିର ହାଥରସ୍ ଜିଲ୍ଲାରେ ଘଟିଥିବା ନାବାଳିକା ଗଣ-ଦୁଷ୍କର୍ମ ଓ ହତ୍ୟା ଏବଂ ପରବର୍ତୀ ପରିସ୍ଥିତିରେ ପୀଡ଼ିତାଙ୍କ ପରିବାର ପ୍ରତି ଘଟି ଜିଲ୍ଲାର ପୁଲିସ ଓ ସାଧାରଣ ପ୍ରଶାସନ ଦେଖାଇ ଥିବା ବର୍ବର ଆଚରଣ ଅଭିଯୋଗର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ସେ ନିଜର ନାୟକତ୍ୱ ଦେଖାଇଛନ୍ତି । ଦଳୀତ ନାବାଳିକା (୧୯ ବର୍ଷ) ଜଣକ ୧୪ ତାରିଖ ପୂର୍ବାହ୍ନରେ ନିଜ ଗ୍ରାମ ନିକଟରେ ଗଣ-ଦୁଷ୍କର୍ମର ଶୀକାର ହୋଇଥିଲା । ୨୯ ତାରିଖ ଦିଲ୍ଲୀ ସଫଦରଜଂଗ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ଘଟିଛି ।
ଦୁର୍ବୁତ୍ତମାନେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ବର୍ବରତା ଦେଖାଇ ମାଡ ମାରିବାରୁ ତା’ର ମେରୁଦଣ୍ଡରେ ଏକାଧିକ ଫ୍ୟାକ୍ଚର ହୋଇଥିବା ଏବଂ ଜିଭ ମଧ୍ୟ କଟି ଯାଇଥିବା ଅଭିଯୋଗ ହୋଇଛି । ଘଟଣା ପଛର ରହସ୍ୟ ଯାହା ହୋଇଥା ନା କାହିଁକି ଦୁଃଖଦ ଓ ବେଦନାଦାୟକ । ଘଟଣା ସଂପର୍କରେ ଯାହା ତଥ୍ୟ ମିଳିଛି ସେଥିରୁ ଥାନାରେ ଏତଲା ହେଉ ହେଉ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳୁଛି । ତେବେ, ନାବାଳିକାର ମୃତ୍ୟୁ ପରେ ପୁଲିସ କେଉଁଥି ପାଇଁ ଶବକୁ ଦିଲ୍ଲୀରୁ ହାଥରସ୍ ଆଣିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର ନ କରି ସେମାନଙ୍କ ଦୃଢ ବିରୋଧ ସତ୍ୱେ ରାତି ଅଧରେ ଅନ୍ତିମ ସଂସ୍କାର କରାଇବାକୁ ତତ୍ପରତା ଦେଖାଇଲା, ତାହା ସ୍ପଷ୍ଟ ହେଉ ନାହିଁ । ପୁଲିସର ଏହି କାର୍ଯାନୁଷ୍ଠାନ ହିଁ ସମଗ୍ର ଘଟଣାକୁ ସନ୍ଦେହକୁ ଟାଣି ଆଣିବା ସହ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ଯୋଗୀ ସରକାର ମଧ୍ୟ କାଠଗଡାକୁ ଟଣା ହୋଇଛନ୍ତି ।
ହାଥରସ୍ ଜିଲ୍ଲା ପ୍ରଶାସନ କେବଳ ରାତିଅଧରେ ତରବରିଆ ଶବହାଦ କରାଇ ନାହାନ୍ତି, ୩୦ ତାରିଖରୁ ନାବାଳିକା ପରିବାରକୁ ଅଟକବନ୍ଦୀ ରଖିବା ସହ ଗ୍ରାମରେ ୧୪୪ ଧାରା ଜାରି କରି ଗଣମାଧ୍ୟମ ଓ ଅନ୍ୟ ରାଜନୈତିକ ଦଳ ନେତାଙ୍କୁ ଗାଁ ପାଖାପାଖି ପୁରାଇ ନ ଦେବାକୁ ପ୍ରୟାସ କରିଛନ୍ତି, ଯାହାକି ଜିଲ୍ଲା ପ୍ରଶାସନ ଓ ଯୋଗୀ ସରକାରଙ୍କୁ ସନେ୍ଦହ ଭିତରକୁ ଟାଣିଛି । ବିରୋଧୀ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ବିଜେପିକୁ ଘେରିବା ସୁଯୋଗ ପାଇଛନ୍ତି । ବିଶେଷକରି, ୨୦୧୪ରୁ ଲଗାତର ଭାବେ ଦୀର୍ଘ ୬ ବର୍ଷ ହେଲା ବିଜେପି ଦ୍ୱାରା ଅପମାନ ହୋଇ ଆସୁଥିବା କଂଗ୍ରେସ ଦଳ ଓ ଗାନ୍ଧୀ ପରିବାର ପାଇଁ ବିଜେପିକୁ ପାଲଟା ଆକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରିଛି । ହାଥରସ୍ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ବାହାନାରେ କଂଗ୍ରେସ, ଏହାର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ୟୁପି ଦାୟିତ୍ୱରେ ପ୍ରିୟଙ୍କା ଗାନ୍ଧୀ ନିଜ ସମର୍ଥକଙ୍କ ସହ ଯେଭଳି ନାଟକୀୟ ପରିସ୍ଥିତି ସୃଷ୍ଟି କଲେ ଏବଂ ନାବାଳିକାର ଗ୍ରାମରେ ପହଂଚିବା କୁ ଉଦ୍ୟମ କଲା ବେଳେ ଯେଭଳି ୟୁପି ପୁଲିସର ବିରୋଧର ସମ୍ମୁଖୀନ ହେଲେ ତାହା ଦେଶବାସୀ ଦେଖିଛନ୍ତି । ଯୁପି ପୁଲିସ ଦେଶର ମୁଖ୍ୟ ବିରେଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଠେଲାପେଲା କରିବା ସହ ତଳେ ପକାଇ ଦୁର୍ବ୍ୟବହାର କରିବା ୟୁପି ପୁଲିସ ପାଇଁ ଏକ କଳଂକିତ ଅଧ୍ୟାୟ ସୃଷ୍ଟି କରିଛି ।
ରାହୁଲଙ୍କ ପ୍ରତି ଦେଶବାସୀଙ୍କ ମନରେ କିଭଳି ଭାବନା ରହିଛି ଭିନ୍ନ କଥା, କିନ୍ତୁ ୟୁପି ପୁଲିସ ତାଙ୍କୁ ତଳେ ପକାଇ ବର୍ବର ଆଚରଣ ଦେଖାଇବା କଥାକୁ ଦେଶବାସୀ ଗ୍ରହଣ କରି ନାହାନ୍ତି । ବିଶେଷକରି, ତାଙ୍କ ଦଳ ଭାରତୀୟ ଜାତୀୟ କଂଗ୍ରେସ । ବିଜେପିର ବରିଷ୍ଠ ନେତୃତ୍ୱର ଆଶୀର୍ବାଦ ବିନା ପୁଲିସ ଏଭଳି ଆଚରଣ ପ୍ରଦର୍ଶନ କରିବା ସମ୍ଭବ କି (?) ବୋଲି ଦେଶବ୍ୟାପୀ ପ୍ରଶ୍ନ ହେଉଛି । ରାହୁଲଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ସୁପ୍ତ କଂଗ୍ରେସ ଦଳ ପୁନଃ ତେଜିୟାନ ହୋଇଛି । ଦେଶବ୍ୟାପୀ କଂଗ୍ରେସ ଦଳ ରାହୁଲ-ପ୍ରିୟଙ୍କାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛି । ଏହାଛଡା, କଂଗ୍ରେସ କର୍ମୀମାନେ ଦେଶବ୍ୟାପୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିବା ସହ ହାଥରସ୍ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ଓ ମୃତ ନାବାଳିକାର ପରିବାରକୁ ନ୍ୟାୟ ଦିଆଯିବାକୁ ଦାବି କରିଛନ୍ତି । ଫଳରେ, ଘଟଣା ସଂପର୍କରେ ପୂର୍ଣ୍ଣ ଅବଗତ ନ ଥିବା ସାଧାରଣ ଜନତା ମଧ୍ୟ ସବିଶେଷେ ତଥ୍ର ଜାଣିବାକୁ ଉତ୍ସୁକତା ଦେଖାଇଛନ୍ତି ।
ଅକ୍ଟୋବର ଶେଷ ଭାଗ ଓ ନଭେମ୍ବର ମାସର ପ୍ରଥମ ସପ୍ତାହରେ ବିହାର ବିଧାନସଭା ନିର୍ବାଚନ ସମେତ ଦେଶର ୫୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ଦେଶବ୍ୟାପୀ ବିଜେପି ବିରୋଧରେ ଏତେବଡ ରାଜନୈତିକ ଆନ୍ଦୋଳନ ଠିଆ ହେବା କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ମଧ୍ୟ ଅଡୁଆରେ ପକାଇଛି । ବିଜେପି ଭିତରେ ମଧ୍ୟ ଉମା ଭାରତୀଙ୍କ ଭଳି କିଛି ତୁଂଗ ନେତା ହାଥରସ୍ ଘଟଣାରେ ଯୋଗୀ ସରକାରଙ୍କୁ ସମାଲୋଚନା କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଦଳ ବାହରୁ ଓ ଭିତରୁ ଚାପର ସମ୍ମୁକୀନ ହେବା ପରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ଓ ଆଲୋଚନା କରିବାକୁ ସୁଯୋଗ ଦିଆ ଗଲା । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପୂର୍ବରୁ ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରି ହାଥରସ୍ ଘଟଣାର ତଦନ୍ତ ପାଇଁ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକରୀ ଦଳ) ଗଠନ କରିଥିଲେ । ଏସଆଇଟି ତାହାର ତଦନ୍ତ ରିପୋର୍ଟ ଗାନ୍ଧୀ ଜୟନ୍ତୀ ଅବସରରେ ଦେବା ପରେ ସେହି ଆଧାରରେ ହାଥସର୍ ଜିଲ୍ଲା ଏସପି, ଜିଲ୍ଲାପାଳ ପ୍ରମୁଖଙ୍କ ବଦଳି ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ପାଇଁ ଶନିବାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ଡ୍ୟାମେଜ୍ କଂଟ୍ରୋଲ୍ ଉଦ୍ୟମ କରିଥିଲେ ମଧ୍ୟ ଏହି ଘଟଣାକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ବିଜେପି ବିରୋଧୀ ଅସନ୍ତୋଷରେ ଯେ ପୂର୍ଣ୍ଣଛେଦ ପଡି ଗଲା ବୋଲି କହି ହେବ ନାହିଁ ।
ଏବେ ଆମେ ଯିବା ମୂଳ ଘଟଣାକୁ । ଜାତିବାଦ ରାଜନୀତିରେ ୟୁପି ସର୍ବଦା ଚର୍ଚ୍ଚିତ ରହି ଆସିଛି । ଠାକୁର ଓ, ଯାଦବ ଓ ଦଳିତ ରାଜନୀତିର କେନ୍ଦ୍ରବିନ୍ଦୁ ରହି ଆସିଛନ୍ତି । ଦଳିତମାନେ ନିଜକୁ ଶୋଷିତ ଓ ଅତ୍ୟାଚାରିତ ଭାବେ ସର୍ବଦା ଦାବି କରି ଆସୁଥିବା ବେଳେ ଉଚ୍ଚବର୍ଣ୍ଣର ପ୍ରାଧାନ୍ୟ ପ୍ରତି କଥାରେ ଅନୁଭବ କରିହୁଏ । ବର୍ତମାନ ରାଜ୍ୟରେ ଚାଲି ଥିବା ଯୋଗୀଙ୍କ ଶାସନ ମଧ୍ୟ ଉଚ୍ଚ ବର୍ଣ୍ଣର ପ୍ରତିନିଧିତ୍ୱ କରୁଛି । ଗତ ସେପ୍ଟେମ୍ବର ୧୪ ତାରିଖରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ହାଥରସ୍ ଜିଲ୍ଲାରେ ଯାହା ସବୁ ଘଟି ଗଲା ସେସବୁ ଏହି ଜାତିଆଣ ରାଜନୀତିର ଅଂଶ କୁହାଯାଇପାରେ । ଗଣଦୁଷ୍କର୍ମ ଓ ବର୍ବରତାର ସାମନା କରି ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ଦଳିତ ହୋଇଥିବା ବେଳେ ଏହି ଅଘଟଣ ଘଟାଇଥିବା ଦୁର୍ବୁତ୍ତମାନେ ଏବଂ ନାବାଳିକାର ମୃତ୍ୟୁ ପରେ ତାହାକୁ ଚାପିବାକୁ ଉଦ୍ୟମ କରିଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପ୍ରଭାବଶାଳୀ ଉଚ୍ଚବର୍ଣ୍ଣ ଦ୍ୱାରା ପ୍ରଭାବିତ ବା ସରକାରୀ ଆଦେଶର ପ୍ରତିପାଳକ । ତେଣୁ, ସଂପୂର୍ଣ୍ଣ କାହାଣୀ କୌଣସି ଏକ ଆକ୍ସନ୍ ହିନ୍ଦୀ ଭଳି ହୋଇଛି ।
ୟୁପି ପୁଲିସର ବିବରଣୀ ଅନୁଯାୟୀ, ସେପ୍ଟେମ୍ବର ୧୪ ତାରିଖ ପୂର୍ବାହ୍ନ ସାଢେ ୧୦ଟା ସମୟରେ ନାବାଳିକା (୧୯) ଜଣକ ଚାରା ସଂଗ୍ରହ ପାଇଁ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ନିଛାଟିଆ ସ୍ଥାନରେ ପଛ ଆଡୁ ଆକ୍ରମଣ କରିବା ସହ ବେକରେ ଦୁପଟ୍ଟା ଗୁଡାଇ କିଛି ଦୂର ଘୋଷାଡି ନେଇ ଥିଲେ । ସେଠି ତାଙ୍କ ପ୍ରତି ଦୁଷ୍କର୍ମ ଓ ବର୍ବରତା ଘଟି ଥିବା କୁହାଯାଉଛି । ଆକ୍ରମଣକାରୀ ଯୁବତୀଙ୍କ ବେକରେ ଦୁପଟ୍ଟାଗୁଡାଇ ଘୋଷାଡି ନେବାରୁ ତାଙ୍କ ମେରୁଦଣ୍ଡରେ ଏକାଧିକ ଫ୍ୟାକ୍ଚର ହୋଇଥିବା ଏବଂ ସେ ଜିଭ କାମୁଡି ପକାଇବାରୁ ତାହା କ୍ଷତିଗ୍ରସ୍ତ ହୋଇଥିବା ପୁଲିସ ସନ୍ଦେହ କରୁଛି । ହାଥରସ୍ ଜିଲ୍ଲା ଚାନ୍ଦପା ଥାନା ଅଂଚଳରେ ଏହି ବର୍ବର କାଣ୍ଡ ଘଟି ଥିବାରୁ ଝିଅର ଭାଇ ଚାନ୍ଦପା ଥାନରେ ଘଟଣା ସଂପର୍କରେ ଲିଖିତ ଭାବେ ଜଣାଇ ଥିଲେ । ପୁଲିସ ନାବାଳିକାର ଭାଇ ସତ୍ୟେନ୍ଦ୍ରଙ୍କ ଲିଖିତ ଅଭିଯୋଗ ଉପରେ ଭିତ୍ତି କରି ଏଫଆଇଆର କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ଘଟିବାର ଘଂଟାଏ ପରେ ସତ୍ୟେନ୍ଦ୍ର ଥାନାରେ ଯେଉଁ ଏତଲା ଦେଇଥିଲେ ସେଥିରେ ସନ୍ଦୀପ ନାମକ ଜଣେ ଯୁବକ ତାଙ୍କ ଭଉଣୀଙ୍କୁ ତଂଟି ଚିପି ମାରି ଦେବାକୁ ଉଦ୍ୟମ କରିଥିବା ଦର୍ଶା ଯାଇଥିଲା । ପୁଲିସ ଆଇପିସିର ୩୦୭ ଦଫା ଏବଂ ଏସସି/ଏସଟି ଆଇନରେ ମାମଲା ରୁଜୁ କରିଥିଲେ ।
ନାବାଳିକାର ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ପାଇଁ ଆଲିଗଡ଼ସ୍ଥିତ ଜବାହାର ଲାଲ ନେହେରୁ ମେଡ଼ିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା । ପୁଲିସ ତଦନ୍ତ ଆରମ୍ଭ କରି ସେପ୍ଟେମ୍ବର ୧୯ରେ ଅଭିଯୁକ୍ତ ସନ୍ଦୀପକୁ ଗିରଫ କରିବା ପରେ ନାବାଳିକା ବୟାନ ଦେବା ସ୍ଥିତିକୁ ଆସିବା ଯାଏଁ ଅପେକ୍ଷା କରିଥିଲେ । ସେପ୍ଟେମ୍ବର ୨୨ରେ ନାବାଳିକା ବୟାନ ଦେବା ସ୍ଥିତିକୁ ଆସି ଥିଲେ ଏବଂ ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିଥିଲେ । ନାବାଳିକା ଜଣକ ବୟାନ ଦେବା ବେଳେ ତାଙ୍କ ପ୍ରତି ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ । ପୁଲିସ ପୀଡ଼ିତାଙ୍କ ବୟାନ ଭିତ୍ତିରେ ପ୍ରାଥମିକ ଏତଲାରେ ଆଇପିସିର ୩୭୬ ‘ଗ’ ଧାରା ଯୋଡି ଦ୍ୱିତୀୟ ଅଭିଯୁକ୍ତ ଲବ କୁଶକୁ ସେପ୍ଟେମ୍ବର ୨୩ରେ ଗିରଫ କରିଥିଲେ । ପରେ, ଅନ୍ୟତମ ଅଭିଯୁକ୍ତ ରବିକୁ ସେପ୍ଟେମ୍ବର ୨୫ରେ ଏବଂ ଚତୁର୍ଥ ଓ ଶେଷ ଅଭିଯୁକ୍ତ ରାମୁକୁ ସେପ୍ଟେମ୍ବର ୨୬ରେ ଗିରଫ କରି ଜେଲ୍ ପଠାଇଛନ୍ତି । ସେପ୍ଟେମ୍ବର ୨୮ ତାରିଖରେ ନାବାଳିକାର ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ଆଲିଗଡ ହସ୍ପିଟାଲରୁ ଦିଲ୍ଲୀର ସଫଦରଜଂଗ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ସେପ୍ଟେମ୍ବର ୨୯ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟି ଥିଲା । ନାବାଳିକାର ମୃତ୍ୟୁ ପରେ ପୁଲିସ ଆଇପିସିର ୩୦୨ ଦଫା ଏବଂ ଏସସି/ଏସଟି ଆଇନରେ ମାମଲା ରୁଜୁ କରି ଘଟାଣାର ତଦନ୍ତ କରୁଛନ୍ତି । ଇତିମଧ୍ୟେ ଯୋଗୀ ସରକାର ମୃତ ନାବାଳିକାର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପରିବାରର ଜଣକୁ କର୍ମ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
କାହାଣୀର ଏପର୍ଯ୍ୟନ୍ତ ସ୍ୱାଭାବିକ ଥିବା ବେଳେ ୟୁପି ପୁଲିସ, ପ୍ରଶାସନ ଓ ସରକାର ହଠାତ୍ ପ୍ରତିରକ୍ଷାତ୍ମକ ହେବାର କାରଣ ଜଣାପଡୁ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପର୍ଯ୍ୟନ୍ତ କାହାଣୀର ନାୟକ ଥିବା ବେଳେ ହଠାତ ଖଳ ନାୟକ ହେବାକୁ କାହିଁକି ପସନ୍ଦ କଲେ (?), ତାହା ମଧ୍ୟ ନିୟୁତ ଡ଼ଲାର ପ୍ରଶ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଏହି ମାମଲାରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶନିବାର ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ନିଜକୁ ଓ ଦଳକୁ ସନ୍ଦେହ ମୁକ୍ତ ରଖିବାକୁ ବୋଧହୁଏ ଉଦ୍ୟମ କରିଛନ୍ତି । ତେବେ, ସିବିଆଇ ସର୍ବଦା କେନ୍ଦ୍ର ସରକାରଙ୍କ ‘ପୋଷା ଶୂଆ’ ଥିବା ଜଣାଶୁଣା କଥା । ଅତୀତରେ ଓଡ଼ିଶାର ବବିନା ମାମଲା ହେଉ ବା ଇତିଶ୍ରୀ ମାମଲା ହେଉ ବା କନ୍ଧମାଳର ନାବାଳିକା ଗଣ ଦୁଷ୍କର୍ମ ମାମଲା ହେଉ – ସିବିଆଇ ତଦନ୍ତ ଖାଲି ହାତରେ ସରିଛି । ଓଡ଼ିଶାର ହଜାର ହଜାର କୋର୍ଟ ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିର ତଦନ୍ତ ଛଅ ବର୍ଷରୁ ଅଧିକ ସମୟ ହେଲା ଆଗେଇ ପାରୁ ନାହିଁ । ଏଭଳି ପରିସ୍ଥିତିରେ ୟୁପିରେ ବିଜେପିର ଶାସନ ଥାଇ ହାଥରସ୍ ଗଣ ଦୁଷ୍କର୍ମ ଅଭିଯୋଗର ତଦନ୍ତ କେତେ ସଫଳତାର ସହ ସାରିବ, ତାହା ସମୟ ହିଁ କହିବ ।
ତେବେ, ପୀଡ଼ିତାଙ୍କ ପରିବାର ପାଇଁ ଆଶ୍ୱସ୍ତିର ବିଷୟ ହେଉଛି, ଆଲହାବାଦ୍ ହାଇକୋର୍ଟ ହାଥରସ୍ ମାମଲାକୁ ଗମ୍ଭୀରତାର ସହ ନେଇଛି । ଏହି ଘଟଣାରେ ଯେଭଳି ବର୍ବରତା ଦେଖିବାକୁ ମିଳିଛି ଏବଂ ମାନବାଧିକାର ଉଲଂଘନ ହୋଇଛି ସେଥିରେ କୋର୍ଟ ବିଚଳିତ । ତେଣୁ, ନିଜ ପକ୍ଷରୁ (ସୋ ମୋଟୋ) ଏକ ମାମଲା ରେଜିଷ୍ଟ୍ରୀ କରାଇ କୋର୍ଟ ୟୁପି ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ ମୁଖ୍ୟ ଏବଂ ପୁଲିସ ଅତିରିକ୍ତ ମହାନିର୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି । ଅକ୍ଟୋବର ୧୨ ତାରିଖ ସେମାନେ କୋର୍ଟରେ ହାଜର ହୋଇ ବିଚାରପତି ରଂଜନ ରାୟ ଓ ବିଚାରପତି ଜଶପ୍ରିତ ସିଂହଙ୍କୁ ନେଇ ଗଠିତ ଡ଼ିଭିଜନ ବେଂଚ୍ ନିକଟରେ ଘଟଣା ସଂପର୍କରେ ବିସ୍ତୁତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି । ସେହିଭଳି, ହାଥସର୍ ଜିଲ୍ଲାପାଳ ଓ ଏସପି ମଧ୍ୟ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ଓ ତଦନ୍ତର ଅଗ୍ରଗତି ସଂପର୍କରେ ବିସ୍ତୃତ ବିବରଣୀ ଦେବାକୁ କୁହାଯାଇଛି । ପୀଡ଼ିତାଙ୍କ ପରିବାର ମଧ୍ୟ ସେଦିନ କୋର୍ଟରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାକୁ କୁହାଯାଇଛି । ସେମାନେ କୋଟରେ ପହଂଚିବାରେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ଦେଖିବାକୁ ଏବଂ ସେମାନଙ୍କ ଯାତାୟତ, ରହଣୀ, ଖାଦ୍ୟପେୟର ସୁବିଧା କରିବା ସହ କୋର୍ଟରେ ହାଜର କରାଇବାକୁ ଡ଼ିଭିଜନ ବେଂଚ୍ ହାଥସର୍ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଆଲହାବାଦ୍ ହାଇକୋର୍ଟଙ୍କ ଏହି ପଦକ୍ଷେପ ଦେଶରେ ନ୍ୟାୟିକ ବ୍ୟବସ୍ଥା ଏପର୍ଯ୍ୟନ୍ତ ଅକ୍ଷତ ଥିବାର ଅଭାସ ଦେଉଛି ।
ହାଥରସ୍ କାହାଣୀରେ ସବୁଠାରୁ ରୋଚକ ଦିଗ ହେଉଛି, ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗକୁ ପୁଲିସ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ୟୁପି ପୁଲିସର ଜଣେ ବରିଷ୍ଠ ଅଧିକାରୀ (ଆଇଜି) ପିୟୂଷ ମୋରଡିଆ ଗଣମାଧ୍ୟମକୁ ଦେଇଥିବା ସଫେଇରୁ ତାହା ସ୍ପଷ୍ଟ ହେଉଛି । ସେପ୍ଟେମ୍ବର ୨୯ରେ ନାବାଳିକାଙ୍କ ମୃତ୍ୟୁ ପରେ ଯେଉଁ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ସେଥିରେ ଗଣ ଦୁଷ୍କର୍ମର ସମାନ୍ୟତମ ସୁରାକ ନାହିଁ ବୋଲି ସେ କହିଛନ୍ତି । ତେବେ, ଡାକ୍ତରଙ୍କ ପରାମର୍ଶକ୍ରମେ ମୃତ ନାବାଳିକାର ସମସ୍ତ ସାମଗ୍ରୀ ଫେରେନସିକ୍ ଟେଷ୍ଟ୍ ପାଇଁ ଆଗ୍ରାର ଫୋରେନ୍ସିକ୍ ସାଇନ୍ସ୍ ଲାବରୋଟୋରୀକୁ ପଠାଯାଇଛି, ସପ୍ତାହକ ମଧ୍ୟରେ ରିପୋର୍ଟ ଆସିଲେ ଅଧିକ ସ୍ପଷ୍ଟ ହେବ ବୋଲି ମୋରଡିଆ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଶବ ହାଥରସ୍ ଗ୍ରାମରେ ପହଂଚିଲା ବେଳକୁ ମୃତ୍ୟୁର ୨୪ ଘଂଟା ବିତି ଯାଇଥିଲା । ଶବ ପଚିବାକୁ ଯାଉଥିବା ଦେଖି ପୁଲିସ ବୁଧବାର ଭୋର ସମୟରେ ନାବାଳିକାଙ୍କ ପିତାଙ୍କ ଉପସ୍ଥିତ ଶବ ସତ୍କାର କରାଇ ଥିଲେ ବୋଲି ମଧ୍ୟ ମୋରଡିଆ କହିଛନ୍ତି । ବାସ୍ତବତା କଣ ତାହା ସିବିଆଇ ତଦନ୍ତରୁ ହିଁ ଆଶା କରିହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS