ପେଟ୍ରୋଲ ପମ୍ପ ବିସ୍ଫୋରଣ, ପ୍ରାଥମିକ ତଦନ୍ତ ସରିଲା, ଜଣକର ମୃତ୍ୟୁ, ଜଣେ ନିଖୋଜ
ଭୁବନେଶ୍ୱର
ଅକ୍ଟୋବର, ୦୮
ମୋଅନୁଭବ.କମ୍
ବୁଧବାର (୭ତାରିଖ) ଅପରାହ୍ନରେ ଭୁବନେଶ୍ୱର ଆଠ ନମ୍ବର ରାଜଭବନ ଛକ ନିକଟସ୍ଥ ପେଟ୍ରୋଲ ପମ୍ପରେ ଘଟିଥିବା ଭୟଙ୍କର ବିସ୍ଫୋରଣର ପ୍ରାଥମିକ ତଦନ୍ତ ସରିଛି । ପେଟ୍ରୋଲିୟମ ଏଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ (ପେସୋ) ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯାଇଛି । ଦୁର୍ଘଟଣା ସମୟରେ ସେଠାରେ ୪ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ପୋଡି ଯାଇ କଟକ ଏସସିବି ମେଡ଼ିକାଲ କଲେଜ ହସପିଟାଲରେ ଚିକିତ୍ସାଧୀନ ଥିବା ଗଂଜାମ ଜିଲ୍ଲାର ସଦାନନ୍ଦ ନାୟକଙ୍କ ଆଜି ସକାଳ ୭ଟାରେ ମୃତ୍ୟୁ ଘଟିଛି । କାଲି ତାଙ୍କ ଅବସ୍ଥା ଅତି ସଂଗୀନ ଥିବାରୁ ଏବଂ ବିସ୍ଫୋରଣ ଯୋଗୁ ମସ୍ତିଷ୍କରେ ଶକ୍ତ ଆଘାତ ଲାଗି ଥିବାରୁ ତାଙ୍କ ଚିକିତ୍ସା କରାଯିବା ପରେ ଭେଂଟିଲେଟରରେ ରଖା ଯାଇଥିଲା । ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କୁ ବଂଚାଇ ହେଲା ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ସୂଚନା ମିଳିଛି ।
ସଦାନନ୍ଦଙ୍କ ସହ ଅନ୍ୟ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ମଧ୍ୟ ଗତକାଲି କଟକ ଏସସିବି ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ୪୦ ପ୍ରତିଶତ ଶରୀର ପୋଡି ଯାଇଛି । ବିସ୍ଫୋରଣ ଯୋଗୁଁ ତାଙ୍କର ମଧ୍ୟ ମଲ୍ଟିପୁଲ୍ ଇନଜ୍ୟୁରି ରହିଛି । ଅପରାହ୍ନ ସୁଦ୍ଧା ଏସସିବିରେ ତାଙ୍କ ଚିକିତ୍ସା ଚାଲି ଥିବା ଏବଂ ଅବସ୍ଥା ସଂଗୀନ ଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି । ତୃତୀୟ ବ୍ୟକ୍ତ ଠିକଠାକ୍ ଥିବା ଓ ପୁଲିସ ତାଙ୍କ ସହ କଥା ହୋଇଥିବା ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଥିବା ବେଳେ ଚତୁର୍ଥ ବ୍ୟକ୍ତିଙ୍କ ଚିହ୍ନବର୍ଣ୍ଣ ମିଳୁ ନାହିଁ । ନିଖୋଜ ଥିବା ବ୍ୟକ୍ତି ଜଣକ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ, ରକ୍ତ ଛିଟା, ଶରୀରର ବିଭିନ୍ନ କ୍ଷତବିକ୍ଷତ ଅଂଗକୁ ଫୋରେନ୍ସିକ ଟେଷ୍ଟ୍ ପାଇଁ ପଠା ଯାଇଛି । ଫୋରେନ୍ସିକ ଯାଂଚ ପରେ ଆବଶ୍ୟକତା ମନେ କରାଗଲେ ବିସ୍ଫୋରଣ ସ୍ଥଳରୁ ମିଳି ଥିବା ମାଂସ ଖଣ୍ଡର ଡ଼ିଏନଏ ଟେଷ୍ଟ ହେବ ବୋଲି ଡ.ଷଡଙ୍ଗୀ କହିଛନ୍ତି ।
ଗତକାଲିର ଦୁର୍ଘଟଣା ପରେ ପୁଲିସ ସଂପୃକ୍ତ ଅଂଚଳରୁ ଖଣ୍ଡବିଖଣ୍ଡ ଅବସ୍ଥାରେ ବିଛାଇ ହୋଇ ରହି ଥିବା ଛିଣ୍ଡା ଅଂଗୁଠି ଓ ମାଂସ ଖଣ୍ଡ ସବୁ ସଂଗ୍ରହ କରି ଫୋରେନ୍ସିକ ଯାଂଚ ପାଇଁ ପଠାଇଛନ୍ତି । ତାହା ନିଖୋଜ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ପୁଲିସ କହିଛି । ତେବେ, ଯାଂଚ ଚାଲି ଥିବାରୁ ତୁରନ୍ତ କିଛି କହି ହେବ ନାହିଁ ବୋଲି ପୁଲିସ କମିସନର ଡ. ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି । ତେବେ, ନିଖୋଜ ବ୍ୟକ୍ତି ଜଣକ ଗଂଜାମ ଜିଲ୍ଲା ଆସିକା ଥାନା ଗହଂଗୁ ଗ୍ରାମର ସୀମାଂଚଳ ପରିଡା (କଲିକତାରେ ରହୁଥିଲେ) ହୋଇ ପାରନ୍ତି ବୋଲି ଏବେ ସନ୍ଦେହ ଦୃଢ ହେଲାଣି । କଲିକତାରେ ଅବସ୍ଥାପିତ ରହି ଏଲପିଜି ସଂପର୍କିତ କାର୍ଯ୍ୟରେ ନିୟୋଜିତ ଥିବା ସୀମାଂଚଳ ଗତକାଲି କାମରେ ଭୁବନେଶ୍ୱର ଆସି ଥିବା ତାଙ୍କ ଭଉଣୀଙ୍କୁ ଡେଫାନରେ ଜଣାଇ ଥିଲେ । କାମ ସରିବା ପରେ ଯୋଗାଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତେବେ, ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା ପରେ ସୀମାଂଚଳଙ୍କ କୌଣସି ଖୋଜ ଖବର ମିଳୁନି ।
ପରିଡାଙ୍କ ଭଉଣୀ ଓ ସଂପର୍କିୟ ଭାଇ ଏଠାରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଖବର ଭାଇରାଲ୍ ହେବା ପରେ ସେମାନେ ପରିଡାଙ୍କ ମୋବାଇଲକୁ ଯୋଗାଯୋଗ କରିବାରୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ । ମନକୁ ପାପ ଛୁଇଁବାରୁ ସେମାନେ ସନ୍ଧ୍ୟାରେ ଭୁବନେଶ୍ୱର ଧାଇଁ ଆସି ସବୁ ହସପିଟାଲ୍ ବୁଲି ସାରିଲେଣି । ବିସ୍ଫୋରଣ ପରେ ସୀମାଂଚଳ ପରିଡା ନାମକ କୌଣସି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଅଣା ଯାଇ ନ ଥିବା ହସପିଟାଲରୁ ଜାଣିବା ପରେ ସେମାନେ କ୍ୟାପିଟାଲ ଥାନାକୁ ଯାଇ ବୁଝାବୁଝି କରିଥିଲେ । ବିସ୍ଫୋରଣ ସ୍ଥଳରୁ ପରିଡାଙ୍କ ଏଟିଏମ୍ କାର୍ଡ ଓ ମନିପର୍ସ ମିଳି ଥିବା ପୁଲିସ ସେମାନଙ୍କୁ କହିଛନ୍ତି ବୋଲି ପରିଡାଙ୍କ ଭଉଣୀ ଗଣମାଧ୍ୟମକୁ କହିଛନ୍ତି । ତେଣୁ, ଚତୁର୍ଥ ବ୍ୟକ୍ତି ଜଣକ ନିକୋଜ ସୀମାଂଚଳ ହୋଇ ପାରନ୍ତି ବୋଲି ଆଶଙ୍କା ଦୃଢ ହେବାରେ ଲାଗିଛି ।
ଗତକାଲିର ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା ଦେଶରେ ପ୍ରଥମ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ସମଗ୍ର ରାଜ୍ୟକୁ ଏହି ଘଟଣା ସ୍ତବ୍ଧ କରି ଦେଇଛି । ପେଟ୍ରୋଲ ପମ୍ପର ତିନିଟି ଅଲଗା ଅଲଗା ଟାଂକିରେ ପେଟ୍ରୋଲ, ଡ଼ିଜେଲ୍ ଓ ଏଲପିଜି ମହଜୁଦ ଥିଲା । ଗତକାଲି ଏଲପିଜି ଟାଂକିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତ ପରେ ‘ପେସୋ’ର ଉପମୁଖ୍ୟ ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲପିଜି ଭର୍ତ୍ତି କଲା ବେଳେ ଲିକେଜ୍ ହୋଇଥିଲା । ଲିକେଜ୍ ହେବା ପରେ ନିଆଁ ଲାଗି ବିସ୍ଫୋରଣ ଘଟି ଥିଲା । ବିସ୍ଫୋରଣ ସମୟରେ ଏଲପିଜି ଟାଂକିରେ ସାଢେ ୪ ଟନ୍ ଏଲପିଜି ରହିଥିଲା । ପ୍ରାଥମିକ ତଦନ୍ତ ସରିଛି । ବିସ୍ତୃତ ତଦନ୍ତ ପରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ବିସ୍ଫୋରଣ ସ୍ଥଳରେ ଗତକାଲି ହୋଇଥିବା ବିରାଟ ଗତ୍ ର୍ତକୁ କାଲି ପୁଲିସ କୁକୁର ସହାୟତାରେ ତନ୍ନ ତନ୍ନ କରି ପରିକ୍ଷା କରାଯାଇଥିଲା । ଆଜି ମଧ୍ୟ ସେଠାରେ ଯାଂଚ ଚାଲିଛି । କାଳେ କେହି ସେହି ଗର୍ତ୍ତ ଭିତରେ ଫସି ରହିଥିବେ ବୋଲି ପୁଲିସ ସନ୍ଦେହ କରୁଛି ।
ଗତକାଲିର ବିସ୍ଫୋରଣ ପରେ ପୁଲିସ ନିଜ ଆଡୁ ଏକ ଆପରାଧିକ ମାମଲା ରୁଜୁ କରିଛି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଆଇପିସି ବିଭିନ୍ନ ଦଫାରେ ମାମଲା ହୋଇଛି । ତେବେ, ବିସ୍ଫୋରଣକୁ ନେଇ ମାମଲା ହୋଇଛି, କୌଣସି ବ୍ୟକ୍ତବିଶେଷଙ୍କ ବିରୋଧରେ ନୁହେଁ । ତଦନ୍ତ ସଂପୂର୍ଣ୍ଣ ହେବ ପରେ ବିସ୍ଫୋରଣ କାରଣ ଜଣାପଡିବ ଏବଂ ସେହି ଆଧାରରେ କାହା ଭୁଲରୁ ଏହା ଘଟିଲା ଓ କାହା ବିରୋଧରେ ମାମଲା ହେବ, ସେହି ନିର୍ଣ୍ଣୟ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି । କାଲିର ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିସ୍ଫୋରଣରେ ଆହତ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷରା କରିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ନ୍ୟାଚୁରାଲ୍ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟାଣର ବିଶେଷଜ୍ଞ ତଦନ୍ତ ପାଇଁ ବିଭାଗୀୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ ।
ଆଜି ଅନ୍ୟ ଦୁଇ ଟାଂକିରେ ମହଜୁଦ ଥିବା ପେଟ୍ରୋଲ ଓ ଡ଼ିଜେଲ୍ ଖାଲି କରାଯାଇଛି । ପରିସ୍ଥିତି ଏବେ ଠିକ୍ ରହିଛି, କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ପୁଲିସ କହିଛନ୍ତି । ଗତକାଲିର ବିସ୍ଫୋରଣ ପରେ ସମଗ୍ର ଅଂଚଳକୁ ସିଲ୍ କରାଯାଇ ପ୍ରବେଶ ନିଷିଦ୍ଧ କରାଯାଇଥିଲା । ଆଖପାଖ ଲୋକମାନେ ନିଜ ଘରେ ଗ୍ୟାସ ଚୁଲା ନ ଜାଳିବାକୁ ମଧ୍ୟ ତାଗିଦ କରାଯାଇଥିଲା । କାଲିର ବିସ୍ଫୋରଣରେ ମୋଟ ୯ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୫୦୦ ମିଟର ବ୍ୟାସାର୍ଦ୍ଧ ଅଂଚଳରେ ତାହାର ପ୍ରଭାବ ଦେଖିବାକୁ ମିଳି ଥିଲା । ଆଖାପାଖ ସରକାରୀ କ୍ୱାଟର ଓ ଫ୍ଲାଟ୍ ର କାଚ ଝରକା ଭାଂଗି ଯାଇଥିଲା । ରାଜଭବନ ଭିତରେ ମଧ୍ୟ ତାହାର ପ୍ରଭାବ ଅନୁଭୁତ ହୋଇଥିଲା ବୋଲି ସୂଚନା ମିଳିଛି ।
ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା
ଗତକାଲି ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଆଇଓସିଏଲ୍ ୮ ଳକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛି । ସେହିଭଳି, ଗୁରୁତର ଆହତଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କ ପରିବାରକୁ ୧ ଳକ୍ଷ ଟଙ୍କା କ୍ଷତିପୂରଣ ମିଳିବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ପ୍ରଧାନଙ୍କ ନିର୍ଦେଶକ୍ରମେ ଆଇଓସିଏଲ୍ ଏହି କ୍ଷତିପୂରଣ ଦେବାକୁ ଘୋଷଣା କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS