ଟିଆରପି ଜାଲିଆତି: ଦୁଇ ମାସରେ ଥରେ ମାଷ୍ଟର ମାଇଣ୍ଡ୍ ଖାତାକୁ ଆସୁଥିଲା ୨୦ରୁ ୨୫ ଲକ୍ଷ ଟଙ୍କା !
ପ୍ରସାଦ ରାଓ
ମୁମ୍ବାଇ
ଅକ୍ଟୋବର, ୧୧
ଅର୍ଣ୍ଣବ ଡାଳେ ଡାଳେ ଗଲେ ମୁମ୍ବାଇ ପୁଲିସ ପତ୍ରେ ପତ୍ରେ ଯାଉଛି । ଟିଆରପି ଜାଲିଆତି ଅଭିଯୋଗରେ କିଛି ସତ୍ୟତା ନାହିଁ, ମୁମ୍ବାଇ ପୁଲିସ ତାଙ୍କୁ ଆକ୍ରୋଶ ରଖି ଫସାଉଛି ବୋଲି ରିପବ୍ଲିକ୍ ଭାରତ ଚ୍ୟାନେଲର ମୁଖ୍ୟ ସଂପାଦକ ତଥା ଆଂକର ଅର୍ଣ୍ଣବ ଗୋସ୍ୱାମୀ ସଫେଇ ଦେଉଥିବା ବେଳେ ମୁମ୍ବାଇର ପୁଲିସ କମିସନର୍ ପରମ ବୀର ସିଂହ ତାଙ୍କୁ ତଥ୍ୟ ପ୍ରମାଣ ସହ ଜାଲରେ ଏମିତି ଭାବେ ଚନ୍ଦିଲେଣି ଯେ ଅର୍ଣ୍ଣବ ସେଥିରୁ ମୁକୁଳିବା ସହଜ ହେବ ନାହିଁ ବୋଲି ଏହି ତଦନ୍ତ ଉପରେ ନଜର ରଖିଥିବା ସମସ୍ତେ କହୁଛନ୍ତି । ମୁମ୍ବାଇ ପୁଲିସ କ୍ରାଇମ ବ୍ରାଂଚ୍ ଟିଆରପି ଜାଲିଆତି ମାମଲାରେ ଆଜି ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ‘ବକ୍ସ୍ ସିନେମା’ର ମାଲିକ ଶିରିଶ ସେଟ୍ଟୀ ଓ ମରାଠି ଚ୍ୟାନେଲ୍ ‘ଫାକ୍ଟ୍ ମରାଠୀ’ର ମାଲିକ ନାରାୟଣ ଶର୍ମା । ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବା ପରେ ମୁମ୍ବାଇ ପୁଲିସ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି । ସେମାନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୋମାପାଲ୍ଲୀରାଓ ମିସ୍ତ୍ରୀ, ଯାହାଙ୍କୁ କି ଟିଆରପି ଜାଲିଆତିର ମାଷ୍ଟର ମାଇଣ୍ଡ୍ ବୋଲି ସନ୍ଦେହ କରାଯାଉଛି ।
ଇତିମଧ୍ୟରେ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଂଚ୍ ଦୀର୍ଘ ୧ ବର୍ଷ ୫ ମାସ ହେଲା ବେକାର ବସିଥିବା ଏବଂ କୌଣସି ନିର୍ଦ୍ଧିଷ୍ଟ ସ୍ଥାୟୀ ଆୟସୂତ୍ର ନଥିବା ବୋମାପାଲ୍ଲୀରାଓ ମିସ୍ତ୍ରୀଙ୍କ ବ୍ୟାଙ୍କ୍ ଆକାଉଂଟ ଯାଂଚ କରି ଗଲା ବର୍ଷକ ମଧ୍ୟରେ ସେଥିରେ ଏକ କୋଟି ଟଙ୍କା ଜମା ହୋଇଥିବା ଧରିଛି । ଚାରିରୁ ପାଂଚ ଜଣଙ୍କ ଠାରୁ ଏହି ଅର୍ଥ ବୋମାପାଲ୍ଲୀରାଓ ମିସ୍ତ୍ରୀଙ୍କ ବ୍ୟାଙ୍କ୍ ଖାତାକୁ ଟ୍ରାନ୍ସଫର ହୋଇଥିବା ମୁମ୍ବାଇ ପୁଲିସ କହିଛି । କୌଣସି ସ୍ଥାୟୀ ଆୟସୂତ୍ର ନଥାଇ ବୋମାପାଲ୍ଲୀରାଓ ମିସ୍ତ୍ରୀଙ୍କ ଖାତାରେ ଏତେ ପରିମାଣର ଅର୍ଥ ଜମା ହେବା ଯାହାକୁ ହେଲେ ଚକିତ କରିବ । ମୁମ୍ବାଇ ପୁଲିସ ମଧ୍ୟ ବୋମାପାଲ୍ଲୀରାଓ ମିସ୍ତ୍ରୀର ପାରିବା ପଣକୁ ନେଇ ଚକିତ । ଟିଆରପି ଜାଲିଆତି ପାଇଁ ଏହି ଟିଭି ଚ୍ୟାନେଲଗୁଡିକ ମିସ୍ତ୍ରୀଙ୍କୁ ବ୍ୟବହାର କରୁଥିଲେ ଏବଂ ମିସ୍ତ୍ରୀ ତାଙ୍କ ନିଜ ଲୋକଙ୍କ ମାର୍ଫତରେ ଟିଆରପି ମାପିବା ପାଇଁ ବାରୋମିଟର ଲାଗି ଥିବା ଉପଭୋକ୍ତାଙ୍କ ଘରେ ମାସିଆରି ପହଂଚାଉ ଥିଲେ । ପ୍ରତିଦିନ ଏହି ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲ ସବୁକୁ ଘଂଟାଏରୁ ଦୁଇ ଘଂଟା ଲେଖାଏଁ ଦେଖିବା ସକାଶେ ମାସକୁ ମାସ ଏହି ଲାଂଚ ଦିଆଯାଉଥିଲା ।
ପୁଲିସ ମିସ୍ତ୍ରୀର ବ୍ୟାଙ୍କ ଲକରରୁ ୮.୫ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କ ବ୍ୟାଙ୍କ ଆକାଉଂଟ୍ ଫ୍ରିଜ୍ କରିଛନ୍ତି । ମିସ୍ତ୍ରୀଙ୍କ ବ୍ୟାଙ୍କ ଖାତାରେ ୨୦ ଲକ୍ଷ ଟଙ୍କା ରହି ଥିବା ପୁଲିସ କହିଛି । ଟିଆରପି ଜାଲିଆତିର ତଦନ୍ତ କରୁଥିବା ପୁଲିସ ଅଧିକାରୀ କହିଛନ୍ତି, ୨୦୧୯ ନଭେମ୍ବରରୁ ମିସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଂଟକୁ ଦୁଇ ମାସକୁ ଥରେ ୨୦ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଟ୍ରାନ୍ସଫର୍ ହୋଇଥିବା ଛଅଟି ଟ୍ରାନ୍ଜେକ୍ସନ୍ ହୋଇଥିବା ପୁଲିସ ନଜରକୁ ଆସିଛି । ବର୍ଷକ ମଧ୍ୟରେ ଏହି ଆକାଉଂଟକୁ ୧ କୋଟି ଟଙ୍କା ଆସିଛି । ଏହି ଟଙ୍କା ବାରୋମିଟର ଲାଗି ଥିବା ଟିଭି ଉପଭୋକ୍ତାଙ୍କ ଘରେ ଲାଂଚ ଆକାରରେ ପହଂଚା ଯାଇଥିବା ଏବଂ ନିର୍ଦ୍ଧିଷ୍ଟ ତିନିଟି ଟିଭି ଚ୍ୟାନେଲ ପକ୍ଷରୁ ଏହି ଲାଂଚ କାରବାର ହୋଇଥିବା ପୁଲିସ ଅନୁମାନ କରୁଛି । ତେଣୁ, ମୁମ୍ବାଇ ପୁଲିସ ପକ୍ଷରୁ ଏହି ତିନିଟି ଟିଭି ଚ୍ୟାନେଲର ଅର୍ଥ କାରବାରର ଫୋରେନ୍ସିକ ଅଡିଟ ପାଇଁ ଇଓଡବ୍ଲୁ ଟିମ୍ ଗଠନ କରାଯାଇଥିବା କ୍ରାଇମ୍ ବ୍ରାଂଚ ସୂଚନା ଦେଇଛି ।
ମୁମ୍ବାଇ ପୁଲିସ ଟିଆରପି ଜାଲିଆତି ମାମଲାର ତଦନ୍ତକୁ ଯୋରଦାର କରିଥିବା ବେଳେ ରିପବ୍ଲିକ ମିଡ଼ିଆ ଓ ରିପବ୍ଲିକ ଭାରତ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ମୁମ୍ବାଇ ପୁଲିସର କାର୍ଯ୍ୟାନୁଷ୍ଠାନ ଆକ୍ରୋଶମୂଳକ ଦର୍ଶାଇ ଏହା ଉପରେ ରୋକ୍ ଲଗା ଯିବାକୁ ଏବଂ ତାଙ୍କ ବିରୋଧରେ ହୋଇଥିବା ଏତଲା ଖାରଜ କରାଯିବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଇଛନ୍ତି । ତାଙ୍କ ଟିଭି ଚ୍ୟାନେଲରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସଂପର୍କରେ ଯେଉଁ ଖବରମାନ ପ୍ରସାରିତ ହୋଇଥିଲା ସେଥିରେ ମୁମ୍ବାଇ ପୁଲିସ, କଂଗ୍ରେସ, ଶ୍ରୀମତୀ ସୋନିଆ ଗାନ୍ଧୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ଷୁବ୍ଧ । ତେଣୁ, ତାଙ୍କୁ ଫସାଇବା ଉଦ୍ୟମ ହେଉଛି ବୋଲି ଅର୍ଣ୍ଣବ ଅଭିଯୋଗ କରିଛନ୍ତି ।
ମୁମ୍ବାଇ ପୁଲିସର କ୍ରାଇମ ବ୍ରାଂଚ୍ ରିପବ୍ଲିକ ଟିଭିର ସିଇଓ ବିକାଶ କାନଚନ୍ଦାନିଙ୍କୁ ପଚରାଉଚୁରା ପାଇଁ ଶନିବାର ଦିନ ପୁଲିସହେଡକ୍ୱାଟରରେ ହାଜର ହେବାକୁ ସମନ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ । ଆଜି ସେ ପୁଲିସ ହେଡକ୍ୱାଟରରେ ହାଜର ହୋଇ ନିଜ ବୟାନ ରଖିଛନ୍ତି । କାନଚନ୍ଦାନିଙ୍କ ସହ ରିପବ୍ଲ୍ିକ ଭାରତ ଟିଭି ଚ୍ୟାନେଲର ସିଓଓ ହର୍ଷ ଭଣ୍ଡାରୀ, ପ୍ରିୟା ମୁଖାର୍ଜୀ, ଡ଼ିଷ୍ଟ୍ରିବ୍ୟୁସନ ହେଡ୍ ଘନଶ୍ୟାମ ସିଂ, ଟିଆରପି ମାପିବା ସକାଶେ ନିର୍ଦ୍ଧିଷ୍ଟ ଟିଭି ଉପଭୋକ୍ତାଙ୍କ ଘରେ ଗୋପନୀୟ ଭାବେ ବାରୋମିଟର ଖଂଜୁ ଥିବା ଘରୋଇ ଏଜେନ୍ସି ‘ହଂସା ରିସର୍ଚ୍ଚ ଗୃପ’ର ସିଇଓ ପ୍ରବୀଣ ନିଜହାରା ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ପୁଲିସ ପଚରାଉଚୁରା ପାଇଁ ସମନ କରିଛି । ସିଂହଙ୍କୁ ଶନିବାର ହାଜର ହେବାକୁ ସମନ ହୋଇଥିଲେ ମଧ୍ୟ ସେ କାର୍ଯ୍ୟବ୍ୟସ୍ତତା ଦେଖାଇ ରି-ସିଡ୍ୟୁଲିଂ ପାଇଁ ଅନୁରୋଧ କରିଥିଲେ । ସେହିପରି, ରିପବ୍ଲିକ ଟିଭିର ସିଏଫଓ (ମୁଖ୍ୟ ବିତ୍ତ ଅଧିକାରୀ) ଶିବ ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ମୁମ୍ବାଇ ପୁଲିସ ସମନ କରିଥିଲେ ମଧ୍ୟ ସେ ଶନିବାର ହାଜର ହୋଇ ନାହାନ୍ତି ।
ସେମାନଙ୍କ ବ୍ୟତୀତ ମୁମ୍ବାଇ ପୁଲିସ ଦୁଇଟି ଜାତୀୟ ବିଜ୍ଞାପନ ଏଜେନ୍ସି ‘ମାଡ଼ିସନ୍’ ଓ ‘ଆଇପିଜି ମିଡ଼ିଆ ବ୍ରାଣ୍ଡ୍ସ’ର କାର୍ଯ୍ୟକର୍ତାଙ୍କୁ ଶନିବାର ସମନ କରିଥିଲା । ‘ମାଡ଼ିସନ୍’ର ମୁଖ୍ୟ ଶ୍ୟାମ ବାଲସାରା ଓ ‘ଆଇପିଜି ମିଡ଼ିଆ ବ୍ରାଣ୍ଡ୍ସ’ ସିଇଓ ଶଶି ସିହ୍ନା ଶନିବାର ପୁଲିସ ହେଡକ୍ୱାଟରରେ ହାଜର ହୋଇ ଆଠ ଘଂଟାରୁ ଅଧିକ ସମୟ ଜେରାର ସାମନା କରିଛନ୍ତି । ଟେଲିଭିଜନ୍ ରେଟିଂ ଏଜେନ୍ସି ‘ବ୍ରଡକାଷ୍ଟ୍ ଅଡ଼ିଏନ୍ସ ରିର୍ସ୍ଚ କାଉନସିଲ୍’ (ବିଏଆରସି) ଦେଶରେ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲର ଲୋକପ୍ରିୟତାକୁ ମାପିବା ପାଇଁ ତାହାର ଭେଣ୍ଡର ‘ହଂସା ରିସର୍ଚ୍ଚ ଗୃପ୍’ ମାଧ୍ୟମରେ ନିର୍ଦ୍ଧିଷ୍ଟ କଛି ଘରେ ବାରୋମିଟର ବସାଇ ସାପ୍ତାହିକ ରିଡିଂ ନେଇଥାଏ । କିଛି ଟିଭି ଚ୍ୟାନେଲ୍ ଅସାଧୁ ଉପାୟରେ ନିଜର ଟିଆରପି ବଢାଇବା ପାଇଁ ଜାଲିଆତିର ଆଶ୍ରୟ ନେଇଥିବା ‘ବାର୍କ’ର ହୃଦବୋଧ ହେବା ପରେ ସଂସ୍ଥା ବାରୋମିଟର ଖଂଜିବା ଏବଂ କାହା ଘରେଏହି ମିଟର ଲାଗିଲା ତାହାର ତାଲିକା ତାହାର ଗୋପନୀୟ ରଖିବା କାର୍ଯ୍ୟରେ ନିୟୋଜିତ ଘରୋଇ ସଂସ୍ଥା ‘ହଂସା ରିସର୍ଚ୍ଚ କାଉନସିଲ୍’ ନିକଟରେ ଅଭିଯୋଗ କରିଥିଲା । ହଂସା ରିସର୍ଚ୍ଚ କାଉନସିଲ୍ ଏସଂପର୍କରେ ମୁମ୍ବାଇ ପୁଲିସରେ ଏତଲା ଦେବାରୁ ପୁଲିସ ତଦନ୍ତ ଚାଲିଛି।
‘ହଂସା’ହେଉଛି ଟେଲିଭିଜନ ଭ୍ୟୁଅରସିପ୍ ମାପିବା ପାଇଁ ‘ବାର୍କ’ର ‘ପିପୁଲ୍ସ ମିଟର୍’ ଲଗାଉ ଥିବା ଏକ ଘରୋଇ ସଂସ୍ଥା । ଦେଶରେ ୪୪,୦୦୦ ଘରେ ଗୋପନୀୟ ଭାବେ ଏହି ବାରୋମିଟର ଲାଗିଛି । ରିପବ୍ଲିକ ଟିଭି, ବକ୍ସ ସିନେମା ଓ ମରାଠୀ ଚ୍ୟାନଲ ‘ଫାକ୍ଟ ମରାଠି’ ଟିଆରପି ଜାଲିଆତି ମାମଲାରେ ଅଭିଯୁକ୍ତ ଅଛନ୍ତି । ଟିଆରପି ଜାଲିଆତି ଅଭିଯୋଗକୁ ରିପବ୍ଲିକ୍ ଟିଭି ଅସ୍ୱୀକାର କରି ମୁମ୍ବାଇ ପୁଲିସର ଏହା ଏକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଥିବା ବେଳେ ମୁମ୍ବାଇ ପୁଲିସ କମିସନର ପରମ ବୀର ସିଂହ କହିଛନ୍ତି, ‘ହଂସା ରିସର୍ଚ୍ଚ କାଉନସିଲ୍’ ଏକ ଘରୋଇ ସଂସ୍ଥା । ଏହି ସଂସ୍ଥାର ଏତଲା ଭିତ୍ତିରେ ଟିଆରପି ଜାଲିଆତିର ତଦନ୍ତ ଚାଲିଛି । ଏଥିରେ କୌଣସି ପ୍ରକାର ଆକ୍ରୋଶ ନାହିଁ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS