ଟିଆରପି ଜାଲିଆତି, ଫସିଲା ରିପବ୍ଲିକ ଭାରତ ଟିଭି, ଫସିଲେ ଅର୍ଣ୍ଣବ ଗୋସ୍ୱାମୀ
ପ୍ରସାଦ ରାଓ
ଅକ୍ଟୋବର, ୦୯
ମୋଅନୁଭବ.କମ୍
‘ଟିଆରପି ଜାଲିଆତି’ ଅଭିଯୋଗ ନୂଆ ନୁହେଁ । ଜାତୀୟ ଓ ଆଂଚଳିକ ସ୍ଥରରେ ପ୍ରସାରଣ ହେଉଥିବା ବିଭିନ୍ନ ଟିଭି ଚ୍ୟାନେଲଙ୍କ ପତିଆରା ‘ଟିଆରପି’ରୁ ଜଣାପଡୁ ଥିବାରୁ ଏବଂ ତାହା ଉପରେ ସେମାନଙ୍କ ବିଜ୍ଞାପନ ଆୟ ନିର୍ଭର କରୁଥିବାରୁ କିଛି ଚ୍ୟାନେଲ୍ ‘ଟିଆରପି’ରେ ଜାଲିଆତି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି । ତେବେ, ଟିଆରପି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ କିଛି ଟିଭି ଚ୍ୟାନେଲ ମାଲିକଙ୍କୁ ଗିରଫ କରିବା ଏବଂ ନିଜକୁ ଦେଶର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ ଭାବେ ଦାବି କରୁଥିବା ‘ରିପବ୍ଲିକ ଟିଭି’ ଏହି ତାଲିକାରେ ଥିବା ନିଶ୍ଚିତ ଭାବେ ରୋଚକ ବିଷୟ ହୋଇଛି । ଟିଆପି ଜାଲିଆତିରେ ସଂପୃକ୍ତ ଥିବା ‘ରିପବ୍ଲିକ ଟିଭି’ର ପ୍ରମୋଟର୍ ତଥା ଆଂକର ଅର୍ଣ୍ଣବ ଗୋସ୍ୱୀମୀଙ୍କୁ ମୁମ୍ବାଇ ପୁଲିସ ଖୁବ ଶୀଘ୍ର ଜେରା କରିବାକୁ ଯାଉଛି ବୋଲି ମୁମ୍ବାଇ ପୁଲିସ କମିସନର ପରମ ବୀର ସିଂହ ଗଣମାଧ୍ୟମକୁ ସୂଚନା ଦେବା ଫଳରେ ନିଜକୁ ‘ହିରୋ’ ଭାବେ ଦେଖି ଆସୁଥିବା ଅର୍ଣ୍ଣବ ‘ଜିରୋ’ ପାଲଟିଛନ୍ତି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ହତ୍ୟାକାରୀ ଭାବେ ପ୍ରୋଜେକ୍ଟ୍ କରିବା ଏବଂ ତାଙ୍କ ବିରୋଧରେ ପ୍ରତିଦିନ ନିଜ ଟିଭିରେ ନ୍ୟାଜ୍ ଓ ବିତର୍କ ଚଳାଇ ଥିବା ଅର୍ଣ୍ଣବ ଏବେ ନିଜ ଜାଲରେ ନିଜେ ଫସିଛନ୍ତି ।
ରିପବ୍ଲିକ୍ ମିଡ଼ିଆର ‘ରିପବ୍ଲିକ ଭାରତ’ ଟିଭି ଚ୍ୟାନେଲରେ ପ୍ରସାରିତ ରାଜନୈତିକ ବିତର୍କ ଏବଂ ଅନ୍ୟାନ୍ୟ ନ୍ୟୁଜ୍ ସଂପର୍କିତ କାର୍ଯ୍ୟକ୍ରମ ଦେଶରେ ସର୍ବାଧିକ ଲୋକପ୍ରିୟ ଏବଂ ଟିଭି ଦର୍ଶକଙ୍କ ଦ୍ୱାରା ଆଦୃତ ବୋଲି ଏହାର ମୁଖ୍ୟ ଅର୍ଣ୍ଣବ ଦୀର୍ଘ ଦିନ ହେଲା ହେଣ୍ଡି ମାରୁ ଥିଲେ । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ପ୍ରତି ଏହି ଟିଭି ଚ୍ୟାନେଲର ଅନୁରକ୍ତି ଜଣାଶୁଣା କଥା । ଅର୍ଣ୍ଣବ ଯେତେବେଳେ ଅଡୁଆରେ ପଡନ୍ତି ତୁରନ୍ତ କେନ୍ଦ୍ର ମନ୍ତ୍ରୀମାନେ ତାଙ୍କ ପଛରେ ଠିଆ ହୁଅନ୍ତି । ଏଭଳି ଏକ ପରିସ୍ଥିତିରେ ଅର୍ଣ୍ଣବ ଟିଆରପି ଜାଲିଆତିରେ ଫସି ମୁମ୍ବାଇ ପୁଲିସର ଟାର୍ଗେଟକୁ ଆସି ଯିବା ନିଶ୍ଚିତ ଭାବେ ଅନେକ କଥା କହୁଛି । ବିଶେଷକରି, ମହାରାଷ୍ଟ୍ରରେ କ୍ଷମତାରେ ଥିବା ‘ଶିବସେନା’ ସହ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ସଂପର୍କରେ ଥିବା ତୀକ୍ତତାକୁ କେହି କେହି ଦାୟି କରି ପାରନ୍ତି । କିନ୍ତୁ, ବାସ୍ତବିକତା ହେଉଛି, ଦେଶରେ ଟିଆପି ଜାଲିଆତି ହେଉଛି ଏବଂ ମୁମ୍ବାଇ ପୁଲିସ ଏକ ବଡ଼ ର୍ୟାକେଟ୍ ର ଖୁଲାସା କରିଛନ୍ତି । ‘ଟିଆରପି’ (ଟେଲିଭିଜନ ରେଟିଂ ପଏଂଟ) ବଢାଇବା ସକାଶେ ରିପବ୍ଲିକ୍ ମିଡ଼ିଆ ପକ୍ଷରୁ ହୋଇଥିବା ଟିଆରପି ଜାଲିଆତିର ପ୍ରମାଣ ମଧ୍ୟ ପୁଲିସ ନିକଟରେ ଥିବା ମୁମ୍ବାଇ ପୁଲିସ କମିସନର ସିଂହ ଦୃଢ ଭାବରେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରସାରିତ ହେଉଥିବା ବିଭିନ୍ନ ଟିଭି ଚ୍ୟାନେଲର ଗ୍ରହଣୀୟତା ସଂପର୍କରେ ତଥ୍ୟ ସଂଗ୍ରହ କରିଥାଏ ‘ବାର୍କ’ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍) ନାମକ ଏକ ପରିମାପକ ସଂସ୍ଥା । କେଉଁ ଟିଭି ଚ୍ୟାନେଲ ଓ କେଉଁ କେଉଁ ପ୍ରସାରିତ କାର୍ଯ୍ୟକ୍ରମକୁ ଅଧିକ ସଂଖ୍ୟାରେ ଓ ଅଧିକ ସମୟ ଟିଭି ଦର୍ଶକମାନେ ଦେଖୁଛନ୍ତି ତାହା ମାପିବା ସକାଶେ ‘ବାର୍କ’ ଗୋପନୀୟ ଭାବେ ଦେଶର ବିଭିନ୍ନ ଅଂଚଳରେ ଟିଆରପି ମାପକ ବାକ୍ସ ‘ବାରୋମିଟର’ମାନ ଖଂଜିଛି । ଏହି ‘ବାରୋମିଟର’ରେ ରେକର୍ଡ ହେଉଥିବା ଡାଟା ଭିତ୍ତିରେ ‘ବାର୍କ’ କେଉଁ ଚ୍ୟାନେଲର ଟିଆରପି କେତେ ପ୍ରତି ସପ୍ତାହରେ ପ୍ରକାଶ କରିଥାଏ । କେଉଁ ସମୟରେ କେତେ ଜଣ କେଉଁ କାର୍ଯ୍ୟକ୍ରମ ଦେଖିଲେ ତାହାର ମଧ୍ୟ ବିସ୍ତୃତ ରିପୋର୍ଟ ‘ବାର୍କ’ରୁ ମିଳିଥାଏ । ‘ବାରୋମିଟର’ ମାଧ୍ୟରେ ସଂଗୃହୀତ ‘ଡାଟା’ ସର୍ବମାନ୍ୟ ବୋଲି ଧରାଯାଏ । ତାହାରି ଆଧାରରେ ଦେଶର କେଉଁ ଜାତୀୟ ବା ଆଂଚଳିକ ଟିଭି ଚ୍ୟାନେଲ କେତେ ଲୋକପ୍ରିୟ ଜଣାପଡେ ।
ପ୍ରତି ସପ୍ତାହରେ ମିଳୁଥିବା ‘ବାର୍କ’ ରିପୋର୍ଟ ଭିତ୍ତିରେ ବିଜ୍ଞାପନଦାତାମାନେ କେଉଁ ଜାତୀୟ ବା ଆଂଚଳିକ ଚ୍ୟାନେଲର ଲୋକପ୍ରିୟତା କେତେ ତାହା ଅନୁଧ୍ୟାନ କରି କାହାକୁ କେଉଁ ଓ କେତେ ମୂଲ୍ୟର ବିଜ୍ଞାପନ ଦେବେ ନିର୍ଦ୍ଧାରଣ କରିଥା’ନ୍ତି । କେବଳ ଘରୋଇ ବିଜ୍ଞାପନଦାତା ନୁହନ୍ତି, କେନ୍ଦ୍ର ସରକାରଙ୍କ ଡ଼ିଏଭିପି ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗମାନେ ମଧ୍ୟ ଟେଲିଭିଜନ ରିଟିଂ ପଏଂଟ ଭିତ୍ତିରେ ସେମାନଙ୍କ ବିଜ୍ଞାପନ ରିଲିଜ୍ କରିବାକୁ ଗୁରୁତ୍ୱ ଦିଅନ୍ତି । ତେଣୁ, ‘ବାର୍କ’ର ବାରୋମିଟର କେଉଁଠି ଲାଗିଛି, ତାହା ଅତ୍ୟନ୍ତ ଗୋପନୀୟ ହୋଇଥାଏ । ଏହି ଗୋପନୀୟତା ଭଂଗ କରି ଚୋରାରେ ତଥ୍ୟ ସଂଗ୍ରହ କରିବା ସହ ବ୍ୟାରୋମିଟର ଲାଗି ଥିବା ଘରକୁ ଚିହ୍ନଟ କରି ସଂପୃକ୍ତ ପରିବାରକୁ ନିର୍ଦ୍ଧିଷ୍ଟ ଚ୍ୟାନେଲକୁ ଅଧିକ ସମୟ ଦେଖିବା ପାଇଁ ପ୍ରଲୋଭିତ କରିବା ଓ ଚ୍ୟାନେଲର ଟିଆପି ବଢାଇବା ହେଉଛି ‘ଟିଆରପି ଜାଲିଆତି’ ।
ଇତିମଧ୍ୟରେ, ଅର୍ଣ୍ଣବ ଗୋସ୍ୱାମୀଙ୍କ ଦ୍ୱାରା ପରିଚାଳିତ ‘ରିପବ୍ଲିକ ମିଡ଼ିଆ’ପ୍ରୟୋଜିତ ‘ରିପବ୍ଲିକ ଭାରତ’ ଟିଭିର ‘ଟିଆରପି’ ସନ୍ଦେହଜନକ ଭାବେ ବଢିି ଯିବା ଥିଲା ‘ବାର୍କ’ ପାଇଁ ବିସ୍ମୟର କାରଣ । ସେଥିରେ ଜାଲିଆତି ହୋଇଥିବା ଗନ୍ଧ ବାରିବା ପରେ ‘ବାର୍କ’ ଦେଶର ବିଭିନ୍ନ ଅଂଚଳରେ ଟିଆରପି ମାପକ ବାରୋମିଟର ବସାଉ ଥିବା ସଂସ୍ଥା ହଂସା ରିସର୍ଚ୍ଚକୁ ପୁଲିସରେ ଏତଲା ଦେବାକୁ ନିର୍ଦେଶ ଦେଇଥିଲା । ‘ବାର୍କ’ର ନିର୍ଦେଶକ୍ରମେ ହଂସା ରିସର୍ଚ୍ଚ କଂପାନୀ ମୁମ୍ବାଇ ପୁଲିସରେ ‘ଟିଆରପି ଜାଲିଆତି’କୁ ନେଇ ଏତଲା ଦେଇଥିଲା । ସଂସ୍ଥାର କିଛି ପୂର୍ବତନ କର୍ମଚାରୀ ‘ବାର୍କ’ର ବାରୋମିଟର କାହା କାହା ଘରେ ଲାଗିଛି ତାହାର ତାଲିକା ଲିକ୍ କରି ଥିବା ବା ସଂପୃକ୍ତ ତଥ୍ୟ ବିକ୍ରି କରି ଦେଇଥିବା ହଂସା ରିସର୍ଚ୍ଚ ସନ୍ଦେହ କରିଥିବାରୁ ମୁମ୍ବାଇ ପୁଲିସ ସଂସ୍ଥାର ଏତଲା ଭିତ୍ତିରେ ତଦନ୍ତ ଆରମ୍ଭ କରିଥିଲେ । ବିଶାଳ ବେଦ୍ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତି ଗିରଫ ହେବା ପରେ ପୁଲିସ ଜାଲିଆତିର ଜଡରେ ପହଂଚିଛନ୍ତି ।
ମୁମ୍ବାଇ ପୁଲିସ ବିଶାଳଙ୍କ ଯେଉଁ ଡାଏରୀ ଜବତ କରିଛନ୍ତି ସେଥିରୁ ପୁଲିସକୁ ବହୁ ତଥ୍ୟ ମିଳିଛି । ଡାଏରୀରେ ‘ବାରୋମିଟର’ ଲାଗି ଥିବା ବହୁ ଘରର ଠିକଣା ରହିଛି । ଅଭିଯୁକ୍ତ ‘ବାରୋମିଟର’ ଲାଗି ଥିବା ଟିଭି ଉପଭୋକ୍ତାଙ୍କ ଘରକୁ ଯାଇ ସେମାନଙ୍କୁ ନିର୍ଦ୍ଧିଷ୍ଟ ସମୟ ପାଇଁ ପ୍ରତି ଦିନ ରିପବ୍ଲିକ ଟିଭି ଦେଖିବାକୁ ପ୍ରବର୍ତ୍ତାଉ ଥିଲେ ଏବଂ ସେଥି ସକାଶେ ମାସିଆରୀ ଦେୟ ମଧ୍ୟ ଦେଉଥିଲା । ସଂପୃକ୍ତ ଟିଭି ଉପଭୋକ୍ତାଙ୍କ ସହ ମାସିଆରୀ ପାଉଣାକୁ ନେଇ ବିଶାଳଙ୍କ ହୋଇଥିବା ବାର୍ତା ବିନିମୟ ମଧ୍ୟ ପୁଲିସ ହାତରେ ଲାଗିଛି । ମୁମ୍ବାଇ ପୁଲିସ ନିକଟରେ ଜଣେ ଟିଭି ଉପଭୋକ୍ତା ସ୍ୱୀକାର କରିଛନ୍ତି, ୨୦୧୯ ଜାନୁୟାରୀରେ ଜଣେ ବ୍ୟକ୍ତି ତାଙ୍କ ଘରେ ପହଂଚି ସେଠି ଟିଆରପି ମାପକ ଯନ୍ତ୍ର ‘ବାରୋମିଟର’ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ । ଏଥିସକାଶେ ତାଙ୍କୁ ମାସିକ ୪୮୩ ଟଙ୍କା ପାଉଣା ମିଳିବ ବୋଲି କହିଥିଲେ । ‘ବାରୋମିଟର’ ଲାଗିବା ପରେ ୨୦୨୦ ଜାନୁୟାରୀରେ ପୁଣି ଥରେ ବିଶାଳ ଭଣ୍ଡାରୀ ଓ ଦିନେଶ ବିଶ୍ୱକର୍ମା ନାମକ ଦୁଇ ଜଣ ବ୍ୟକ୍ତି ତାଙ୍କ ଘରେ ପହଂଚି ଲାଗି ଥିବା ‘ବାରୋମିଟର’ର ମେଂଟେନାନ୍ସ କରିବେ ଓ ଟିଆରପି ରିଡ଼ିଂ ନେବେ ବୋଲି ଜଣାଇ ଥିଲେ । ଏହି କାର୍ଯ୍ୟ ବେଳେ ମହିଳା ଜଣକ ରିପବ୍ଲିକ ଟିଭି ଦେଖୁଛନ୍ତି କି (?) ବୋଲି ସେମାନେ ପ୍ରଶ୍ନ କରିଥିଲେ । ଉପଭୋକ୍ତା ଜଣକ ଚ୍ୟାନେଲଟିକୁ ପସନ୍ଦ କରୁ ନଥିବା ଏବଂ ଦେଖୁ ନଥିବା କହିବାରୁ ସେମାନେ ଦିନକୁ ଦୁଇ ଘଂଟା ରିପବ୍ଲିକ ଟିଭି ଦେଖିଲେ ତାଙ୍କୁ ମାସିକ ଅତିରିକ୍ତ ୪୦୦ ଟଙ୍କା ପାଉଣା ମିଳିବ ବୋଲି ପ୍ରବର୍ତ୍ତାଇ ଥିଲେ । ସେଥିରେ ସେ ରାଜି ହୋଇଥିଲେ ବୋଲି ଉପଭୋକ୍ତା ଜଣକ ପୁଲିସକୁ କହିଛନ୍ତି ।
ଟିଆରପି ମାପିବା ପାଇଁ ‘ବାର୍କ’ଯେଉଁମାନଙ୍କ ଘରେ ବାରୋମିଟର ଲଗାଇ ଥାଏ ସେ ସଂପର୍କିତ ତଥ୍ୟକୁ ସଂପୂର୍ଣର୍ ଗୋପନ ରଖିଥାଏ । ସେସବୁ ଘର ଉପରେ ମଧ୍ୟ ‘ବାର୍କ’ର ସତର୍କ ନଜର ଥାଏ । ତେଣୁ, ‘ରିପବ୍ଲକ ଭାରତ’ ଟିଭିର ଟିଆରପି ଜାଲିଆତି ପଛରେ ବାରୋମିଟର ଲଗାଇଥିବା ସଂସ୍ଥାର କିଛି ପୂର୍ବତନ କର୍ମଚାରଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା । ମୁମ୍ବାଇ ପୁଲିସ୍ ର କ୍ରାମଇମ ବ୍ରାଂଚ ଏହି ଅଭିଯୋଗର ତଦନ୍ତ କରି ବଡ ଜାଲିଆତି ର୍ୟାକେଟ୍ ର ପର୍ଦ୍ଦାଫାସ କରିଥିବା ଗୁରୁବାର ଦିନ ମୁମ୍ବାଇ ପୁଲିସ ଦାବି କରିଛି । ରିପବ୍ଲିକ ଟିଭି ସମେତ ତିନିଟି ଟିଭି ଚ୍ୟାନେଲ ଏହି ଜାଲିଆତିରେ ସଂପୃକ୍ତ ଥିବା ପୁଲିସ କହିଛି । ମୁମ୍ବାଇ ପୁଲିସ ଦୁଇଟି ଟିଭି ଚ୍ୟାନେଲ ମାଲିକଙ୍କୁ ଗିରଫ କରିଛି । ଜାଲିଆତି ମାମଲାରେ ଅଭିଯୁକ୍ତ ଥିବା ରିପବ୍ଲିକ ଟିଭିର ଆଙ୍କର୍ ତଥା ପ୍ରମୋଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଖୁବ ଶୀଘ୍ର ଜେରା କରାଯିବ ବୋଲି ମୁମ୍ବାଇ ପୁଲିସ କମିସନର ପରମ ବୀର ସିଂହ କହିଛନ୍ତି । ଅପରପକ୍ଷରେ, ହଂସା ରିସର୍ଚ୍ଚ ପକ୍ଷରୁ ଦିଆଯାଇଥିବା ଏତଲାରେ ‘ଇଣ୍ଡିଆ ଟୁଡେ ଟିଭି’ର ନାମ ଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଅର୍ଣ୍ଣବ ଗୋସ୍ୱାମୀ ଅଭିଯୋଗ କରିଛନ୍ତି । ଅର୍ଣ୍ଣବଙ୍କ ଅଭିଯୋଗ ଉପରେ ମୁମ୍ବାଇ ପୁଲିସର ପ୍ରତିକ୍ରିୟା ହେଉଛି, ହିଂସା ରିସର୍ଚ୍ଚ ଦେଇଥିବା ଏତଲାରେ ‘ଇଣ୍ଡିଆ ଟୁଡେ ଟିଭି’ ଟିଆରପି ସ୍କାମରେ ସଂପୃକ୍ତ ଥିବା ଦର୍ଶାଯାଇଥିଲା । କିନ୍ତୁ, ତଦନ୍ତ ସମୟରେ କୌଣସି ଅଭିଯୁକ୍ତ ବା ସାକ୍ଷୀ ‘ଇଣ୍ଡିଆ ଟୁଡେ ଟିଭି’ ନାଁ ଧରି ନାହାନ୍ତି । ଅପରପକ୍ଷରେ, ସେମାନେ ରିପବ୍ଲିକ ଟିଭି, ଫ୍ୟାକ୍ଟ୍ ମରାଠି ଓ ବକ୍ସ ଟିଭି ନାଁ ନେଇଛନ୍ତି ବୋଲି ମୁମ୍ବାଇ ପୁଲିସର ଯୁଗ୍ମ କମିସନର୍ ମିଳିନ୍ଦ ଭ୍ରମରୱେ କହିଛନ୍ତି । ବର୍ତମାନ ଏହି ଟିଆରପି ଜାଲିଆତି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାରେ ରହିଛି । ଓଡ଼ିଶାରେ ମଧ୍ୟ ଟିଆରପି ଜାଲିଆତି ହେଉଛି କି ନାହିଁ – ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS