ଭାରତର ଜନସଂଖ୍ୟା ୧୩୦ କୋଟିରୁ ଅଧିକ, ପ୍ରଥମ ଦଫାରେ ୩୦ କୋଟିଙ୍କୁ ମିଳିବ କରୋନା ଟିକା ?


ପ୍ରସାଦ ରାଓ
ଅକ୍ଟୋବର, ୧୭
ଭାରତରେ କରୋନା ମହାମାରୀ ବ୍ୟାପିବା ପରେ ୮ ମାସ ହେଲା ଜନସାଧାରଣ ସଂକ୍ରମଣ ଭୟରେ ଆତଂକିତ ଅବସ୍ଥାରେ ଅଛନ୍ତି । କୋଭିଡ଼-୧୯ ସଂକ୍ରମଣକୁ ରୋକିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘରୁ ବାହାରିଲେ ମାସ୍କ୍ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର୍ ବ୍ୟବହାର କରିବା, ଭିଡ଼ ଠାରୁ ଦୂରେଇ ରହିବା ଏବଂ ନିଜ ନିଜ ଭିତରେ ଛଅ ଫୁଟ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ଆସୁଥିଲେ ସୁଦ୍ଧା ଏହା ସ୍ଥାୟୀ ପ୍ରତିକାର ନୁହେଁ, ତାହା ସମସ୍ତେ ଜାଣନ୍ତି । ତେଣୁ, ଏହି ଭୟଂକର ମହାମାରୀକୁ ନିୟନ୍ତ୍ରଣ କରିବା ସକାଶେ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ବିକଶିତ କରୁଥିବା ପ୍ରତିଷେଧକ ଟିକା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । କେତେଶୀଘ୍ର କରୋନା ପ୍ରତିଷେଧକ ଟିକା ଆସିବ ଏବଂ ମହାମାରୀ ଆତଂକରୁ ସାଧାରଣ ଜନତାଙ୍କୁ ମୁକ୍ତି ମିଳିବ, ସେହି ଚିନ୍ତା ସମସ୍ତଙ୍କୁ ଘାରିଛି । ବିଶ୍ୱରେ କରୋନା ଟିକା ବିକଶିତ ହେବା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛିି ଏବଂ ତାହା ଉତ୍ସାହଜନକ ରହିଛି ବୋଲି ନିକଟରେ ନିତି ଆୟୋଗ ସଦସ୍ୟ ତଥା ଜାତୀୟ ବିଶେଷଜ୍ଞ ଦଳ (ଭାକ୍ସନ୍ ଆଡମିନିଷ୍ଟ୍ରେସନ୍) ମୁଖ୍ୟ ଡକ୍ଟର ଭି.କେ.ପଲ୍ ମତବ୍ୟକ୍ତ କରିଛନ୍ତି । ୨୦୨୧ ମଧ୍ୟଭାଗ ସୁଦ୍ଧା କରୋନା ଟିକା ବିକଶିତ ହୋଇ ସାଧାରଣ ଜନତାର ଉପଯୋଗ ସ୍ତରକୁ ଆସି ଯିବ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଆଶା ବ୍ୟକ୍ତ କରିଛି । ତେବେ, ସବୁ କିଛି ନିର୍ଭର କରୁଛି ଚୂଡାନ୍ତ ପର୍ଯ୍ୟାୟ ମାନବିକ ପରୀକ୍ଷଣର ସଫଳତା ଉପରେ ।
ନିକଟରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ହୋଇ ୨୦୨୧ରେ ଦେଶରେ ଉପଲବ୍ଧ ହେବାକୁ ଥିବା ୪୦୦ରୁ ୫୦୦ ନିୟୁତ ଡୋଜ୍ କରୋନା ଭ୍ୟାକ୍ସିନ୍ କେଉଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବିତରଣ ହେବ ତାହା ଉପରେ ବିଚାର ବିମର୍ଷ ହୋଇଥିଲା । ୧୩ ତାରିଖ ବୈଠକରେ ପ୍ରାଥମିକତା ଭିତ୍ତିରେ କେଉଁମାନଙ୍କୁ ଦେଶରେ ଉପଲବ୍ଧ ହେବାକୁ ଥିବା ଭାକ୍ସିନ୍ ବିତରଣ କରାଯିବ, ତାହାର ସୁଚିନ୍ତିତ ଖସଡା ପ୍ରସ୍ତୁତି ଦାୟିତ୍ୱ ନିତି ଆୟୋଗ ସଦସ୍ୟ ଡକ୍ଟର ପଲ୍ଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ହେବାକୁ ଥିବା ଭ୍ୟାକ୍ସିନ୍ ର ହିତାଧିକାରୀ କେଉଁମାନେ ହେବେ ତାହା ଧାର୍ଯ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାନେଲ୍ ମଧ୍ୟ ଗଠନ ହୋଇଛି । ଡକ୍ଟର ପଲ୍ ଏହାର ଅଧ୍ୟକ୍ଷ ଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସହ-ଅଧ୍ୟକ୍ଷ ରହିଛନ୍ତି । ଏଆଇଆଇଏମଏସ୍ (ଏମ୍ସ)ର ନିର୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, କେନ୍ଦ୍ର ସରକାରଙ୍କ ବହିର୍ବ୍ୟାପାର, ବାୟୋଟେକ୍ନୋଲୋଜି, ଇନଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ସେବା ମହା ନିଦେ୍ର୍ଦଶାଳୟ, ଭାରତୀୟ ଏଡସ୍ ରିସର୍ଚ୍ଚ ସେଂଟର, ଆଇସିଏମଆର୍ ପ୍ରତିନିଧି ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ଏହି ପ୍ୟାନେଲରେ ଅଛନ୍ତି । ସିଡ଼ିସି, ୟୁଏସଏ ଓ ଡବ୍ଲୁଏଚଓ (ହୁ)ର ସୁପାରିଶକୁ ନଜରରେ ରଖି ଦେଶରେ ଉପଲବ୍ଧ ହେବାକୁ ଥିବା ଭ୍ୟାକ୍ସିନ୍ ପ୍ରାଥମିକତା ଭିତ୍ତିରେ ବଂଟନ କରାଯିବାକୁ ନିଷ୍ପତ୍ତି ହୋଇଥିବା ଡକ୍ଟର ପଲ୍ କହିଛନ୍ତି ।
ଭାରତର ଜନସଂଖ୍ୟା ୧୩୦ କୋଟିରୁ ଅଧିକ ହୋଇଥିବା ବେଳେ ୩୦ କୋଟି ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ବିତରଣ କରିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ପ୍ୟାନେଲ୍ ଧାର୍ଯ୍ୟ କରିିଛି । ପ୍ରଥମ ପର୍ଯ୍ୟାୟରେ ଦେଶର ମୋଟ ଜନସଂଖ୍ୟାର ୨୩ ପ୍ରତିଶତଙ୍କୁ ଏହି ଟିକା ମିଳିବ । ଏହି ୨୩ ପ୍ରତିଶତରେ ଅଛନ୍ତି ‘ହାଇରିସ୍କ୍’ ଗୃପ୍ । କରୋନା ମୁକାବିଲାରେ ନିୟୋଜିତ ଏମବିବିଏସ୍ ଡାକ୍ତର, ଆୟୁଷ ଡାକ୍ତର, ନର୍ସିଂ ଷ୍ଟାଫ୍, ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ପୌର ପ୍ରଶାସନର ସଫେଇ କର୍ମଚାରୀ, ୫୦ ବର୍ଷରୁ ଉଦ୍ଧ୍ୱର୍ ବୟସର ଲୋକ ଏବଂ ଏକାଧିକ ରୋଗରେ ପିଡ଼ିତ ୫୦ ବର୍ଷରୁ କମ୍ ବୟସ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଭ୍ୟାକ୍ସିନ୍ ବିତରଣ ତାଲିକାରେ ରଖିବା ଯୋଜନା ହୋଇଛି । ମନୁଷ୍ୟ ବ୍ୟବହାର ଉପଯୋଗୀ ଭ୍ୟାକ୍ସନ୍ ସଂପୂର୍ଣ୍ଣ ବିକଶିତ ହୋଇ ବାହାରକୁ ଆସିଲେ ଚିହ୍ନଟ ୩୦ କୋଟି ହିତାଧିକାରୀ ବୁଷ୍ଟର୍ ଡୋଜ୍ ମିଶାଇ ୬୦ କୋଟି ଭ୍ୟାକ୍ିସିନ ଡୋଜ୍ ପାଇବେ ।
ଟିକା ପାଇବାକୁ ଥିବା ହିତାଧିକାରୀଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରାୟ ୨୦ ଲକ୍ଷ ଏମବିବିଏସ୍ ଓ ଆୟୁଷ ଡାକ୍ତର, ୧୫ ଲକ୍ଷ ନର୍ସ, ୭ ଲକ୍ଷ ଏଏନଏମ୍, ୧୦ ଲକ୍ଷ ‘ଆଶା’ କର୍ମୀ, ୭ରୁ ୮ ଲକ୍ଷ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏଭଳି ପାଖାପାଖି ୭୦ ଲକ୍ଷ ସ୍ୱାସ୍ଥ୍ୟ ସେବକ ପ୍ରାଥମିକତା ତାଲିକାରେ ଅଛନ୍ତି । ସେହିଭଳି, ଦୁଇ କୋଟିରୁ ଅଧିକ ପୁଲିସ କର୍ମଚାରୀ, ମୁନିସପାଲ୍ କର୍ମଚାରୀ ଓ ସଶସ୍ତ୍ର ବାହିନୀ ଯବାନ ଏବଂ ପ୍ରାୟ ୨୬ କୋଟି ୫୦ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିବିଶେଷଙ୍କୁ ପ୍ରଥମ ପର୍ଯ୍ୟାୟରେ ଉପକୃତ କରାଯିବ । ଏହାଛଡା, ୫୦ ବର୍ଷରୁ କମ୍, କିନ୍ତୁ ଏକାଧିକ ରୋଗରେ ପିଡ଼ିତଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଭ୍ୟାକ୍ସିନ୍ ବିତରଣ ତାଲିକାରେ ରଖା ଯାଇଛି ।
ବର୍ତମାନ ଦେଶରେ ବିକଶିତ ହେଉଥିବା ୩ଟି ଭ୍ୟାକ୍ସିନ୍ ର ମାନବିକ ପରୀକ୍ଷଣ ଚାଲିଛି । ଏଥିରୁ ଅକ୍ସଫୋର୍ଡ-ଆଷ୍ଟ୍ରୋଜେନିକା ଆଗୁଆ ଥିବା ଏବଂ ତାହାର ତୃତୀୟ ପର୍ଯ୍ୟାୟ ମାନବିକ ପରୀକ୍ଷଣ ଚାଲି ଥିବା ଜଣାପଡିଛି । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ କରୋନା ଭ୍ୟାକ୍ସିନ୍ ର ମାନବିକ ପରୀକ୍ଷଣ ଭାରତରେ ଜାରି ରଖିଛି । ନଭେମ୍ବର ଶେଷ ବା ଡ଼ିସେମ୍ବର ପ୍ରଥମ ଭାଗରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ମିଳିବ ବୋଲି ସରକାର ଆଶାବାଦୀ । ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଓ ରାଜ୍ୟମାନଙ୍କ ତଥ୍ୟ ଭିତ୍ତିରେ ‘ନ୍ୟାସନାଲ ଏକ୍ସପର୍ଟ ଗୃପ୍ ଅନ୍ ଭ୍ୟାକ୍ସିନ ଆଡମିନିଷ୍ଟ୍ରେସନ୍ ଫର୍ କୋଭିଡ଼-୧୯’ ପକ୍ଷରୁ ଭ୍ୟାକ୍ସିନ୍ ବିତରଣର ଖସଡା ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।
ନିକଟରେ ନିତି ଆୟୋଗ ସଦସ୍ୟ ଡକ୍ଟର ପଲ୍ ଦେଇଥିବା ସୂଚନା ଅନୁଯାୟୀ, ଭାରତରେ ବିକଶିତ ହେଉଥିବା ଦୁଇଟି ଟିକା ବା ଭ୍ୟାକ୍ସିନ୍ – ‘କୋଭାକ୍ସିନ୍’ ଓ ‘କାଡିଲା’ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲୁ ରହିଛି । ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସାମନାକୁ ଆସିଯିବ । ପରେ, ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ । ଅକ୍ସଫୋର୍ଡ-ଆଷ୍ଟ୍ରୋଜେନିକା ଦ୍ୱାରା ବିକଶିତ ହେଉଥିବା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ସମଗ୍ର ବିଶ୍ୱରେ ଚାଲିଛି । ଭାରତ ମଧ୍ୟ ଏଥିରେ ସାମିଲ ରହିଛି । ଡ଼ିସେମ୍ବେର ସୁଦ୍ଧା ମାନବିକ ପରୀକ୍ଷଣ ଫଳାଫଳ ଆସି ଯିବା ଆଶା କରାଯାଉଛି । ଭାରତ ବାୟୋଟେକ୍ ଇଂଟରନ୍ୟାସନାଲ ଲିମିଟେଡ୍ ପକ୍ଷରୁ ଆଇସିଏମଆର୍ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ସହାୟତାରେ ପ୍ରଥମ ସ୍ୱଦେଶୀ ଭ୍ୟାକ୍ସନ୍ ‘କୋଭାକ୍ସିନ୍’ର ଦ୍ୱିତୀୟ ପର୍ଯ୍ୟାୟ ମାନବିକ ପରୀକ୍ଷଣ ଶେଷ ପର୍ଯ୍ୟାୟରେ ରହିଛି । ‘କୋଭାକ୍ସିନ୍’ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁଲାଇରୁ ଆରମ୍ଭ ହୋଇଥିଲା । ଭାରତ ବାୟୋଟେକ୍ ତାହାର ମଧ୍ୟବର୍ତୀକାଳୀନ ପରୀକ୍ଷଣ ତଥ୍ୟ ଉପସ୍ଥାପନ କରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମାଗିଛି। ଏହା ବ୍ୟତୀତ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଓ ‘ଜିଡସ୍ କାଡ଼ିଲା’ ପକ୍ଷରୁ ମଧ୍ୟ ସେମାନଙ୍କ ଦ୍ୱାରା ବିକଶିତ ଭ୍ୟାକ୍ସିନ୍ ର କ୍ଲିନିକାଲ ପରୀକ୍ଷଣ ଚାଲୁ ରହିଛି ।
ତେବେ, ବିଶ୍ୱରେ ବିକଶିତ ହେଉଥିବା କରୋନା ଟିକାର ସାଂପ୍ରତିକ ସ୍ଥିତିକୁ ନେଇ ମାଇକ୍ରୋସଫ୍ଟ୍ କୋ-ଫାଉଣ୍ଡର ବିଲ୍ ଗେଟସ୍ ଯାହା ମତ ରଖିଛନ୍ତି ତାହା ନିରାଶା ସୂଚକ । ସେ କହିଛନ୍ତି, ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଯେଭଳି ଭାବରେ ବ୍ୟାପିଛି ତାହା ପ୍ରଥମ ଜେନେରେସନ୍ ଭ୍ୟାକ୍ସନ୍ ଦ୍ୱାରା ସଂପୂର୍ଣ୍ଣ ମୂଳୋତ୍ପାଟନ ହେବା ସମ୍ଭବ ନୁହେଁ । ସେକେଣ୍ଡ ଜେନେରେସନ୍ ଭ୍ୟାକ୍ସନ୍ ବିକଶିତ ହେଲେ ହିଁ ବିଶ୍ୱ କରୋନା ସଂକ୍ରମଣରୁ ମୁକ୍ତି ପାଇବ । ବିଲ୍ ଗେଟସ୍ ଙ୍କ ମନ୍ତବ୍ୟ ପରେ ସେକେଣ୍ଡ୍ ଜେନେରେସନ୍ ଭ୍ୟାକ୍ସିନ୍ ଆଡକୁ ସମସ୍ତଙ୍କ ଦୃଷ୍ଟି ଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପରୀକ୍ଷିତ କୋଭିଡ଼-୧୯ ଭ୍ୟାକ୍ସିନ୍ ସର୍ବୋଚ୍ଚ ମାନର ବଶେଳି କୁହାଯାୁଥିବାରୁ ତାହାର ସୁଫଳ ପାଇବା ସକାଶେ ସମସ୍ତେ ଅପକ୍ଷାରେ ଅଛନ୍ତି ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS