ବିଚରା ବୈଜୟନ୍ତ ବାବୁ, ‘ପାକିସ୍ତାନୀ’ ନ କହି ‘ତାଲିବାନୀ’ ହେଲେ କହିଥା’ନ୍ତେ !
ପ୍ରସାଦ ରାଓ
ଅକ୍ଟୋବର, ୧୯
ଓଡ଼ିଶାର ପୂର୍ବତନ ସାଂସଦ ତଥା ବିଜେପି ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ବିଦା ହେବା ଦିନଠାରୁ ହଟ୍ ସିଟ୍ ରେ ଅଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡ଼ି ସୁପ୍ରିମୋଙ୍କ ଆକ୍ରାଶର ଶିକାର ହୋଇ ଦଳରୁ ବିଦା ହେଲେ । ପରେ, ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ । ଦଳ ଛାଡିବା ପୂର୍ବରୁ ବୈଜୟନ୍ତ ଥିଲେ ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ । ସେ ଅଣ-ବିଜେଡ଼ି ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ବିଜେଡ଼ି ହାତରୁ ଏହି ଆସନ ଝାଂପି ନେବା ଅସହନୀୟ । ତେଣୁ, ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରପଡ଼ା ସଂସଦୀୟ କ୍ଷେତ୍ରରେ ତାଙ୍କୁ ପରାଜିତ କରିବା ପାଇଁ ଶାସକ ଦଳର ବ୍ୟୁହ ରଚନା ହେଲା । ମୁଖ୍ୟମନ୍ତ୍ରୀଙ୍କ ଇଂଗିତରେ ବିଜେଡ଼ି ଓ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ମେସିନାରୀ ଲାଗି ଗଲା ପଣ୍ଡାଙ୍କୁ ପରାଜିତ କରିବା ଅଭିଯାନରେ । ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭାରୁ ହଟାଇ କେନ୍ଦ୍ରାପଡ଼ା ସଂସଦୀୟ ଆସନରୁ ଶାସକ ଦଳ ପ୍ରାର୍ଥୀ କରାଗଲା । ନିର୍ବାଚନ ସମୟରେ ନିଜ ନିଜ ବିଧାନସଭା କ୍ଷେତ୍ର ଛାଡି ମନ୍ତ୍ରୀ, ବିଧାୟକ ଓ ଶାସକ ଦଳ ନେତାମାନେ ଯାଇ ଡ଼େରା ପକାଇଲେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ । ମୁଖ୍ୟମନ୍ତ୍ରୀ ତାଙ୍କ ରୋଡ ସୋ’ର ଶେଷ ପର୍ଯ୍ୟାୟରେ ଏହି ସଂସଦୀୟ କ୍ଷେତ୍ରକୁ ଟାର୍ଗେଟ୍ କଲେ । କେନ୍ଦ୍ରପଡ଼ାବାସୀଙ୍କୁ ଶାସକ ଦଳ ଦେଖାଇଲେ ବିକାଶର ସ୍ୱପ୍ନ । ୩୦ରୁ ଅଧିକ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ସ୍ଥିତି ନିର୍ଭର କରୁଥିଲା ଏହି ଆସନରୁ ଦଳର ବିଜୟ ଉପରେ । ତେଣୁ, ଷଣ୍ଡୁଆସୀ ଆକ୍ରମଣ ହେଲା ବୈଜୟନ୍ତଙ୍କୁ । ସେଥିରେ ସେ ଧରାଶାୟୀ ହେଲେ ଏବଂ ସମ୍ମାନଜନକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଅନୁଭବ ନିଜକୁ ବାସ୍ତବ ଜୀବନ ହୀରେ ମନେ କଲେ । କିନ୍ତୁ, ଏହି ବିଜୟ ନ ଥିଲା ଅନୁଭବଙ୍କ ‘ଷ୍ଟାର-ଇମେଜ୍’ର । ବିଜୟ ଥିଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀର ଏବଂ ନିଜ ଚୌକି ବଂଚାଇବାକୁ ଚାହୁଁ ଥିବା ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ଆକ୍ଲାନ୍ତ ପରିଶ୍ରମର । କେନ୍ଦ୍ରାପଡ଼ାରେ ବିଜେଡ଼ିର ସ୍ଥିତାବସ୍ଥା ବଜାୟ ରହିଲା ।
ଭୋଟ ପରବର୍ତୀ ସମୟରେ ଜାତୀୟ ସ୍ତରରେ ବିଜେଡ଼ି-ବିଜେପି ସଂପର୍କ ମଧୁର ହୋଇଛି ସିନା ଓଡ଼ିଶାରେ ବୈଜୟନ୍ତଙ୍କ ପ୍ରତି ଶାସକ ବିଜେଡ଼ିର ଆକ୍ରୋଶରେ କିଛି ପରିବର୍ତନ ଘଟି ନାହିଁ । ଓଲଟା, ସୁଯୋଗ ପାଇଲେ ବୈଜୟନ୍ତଙ୍କୁ ପାନେ ଚଖାଇବାକୁ ସରକାର ଓ ସରକାରୀ କଳ ଟାକି ବସିଛି । ବୈଜୟନ୍ତ ମଧ୍ୟ ତାହାର ଜବାବ ଦେବାକୁ ନିଜ କତ୍ତୃତ୍ୱରେ ଥିବା ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମର ଭରପୁର ବ୍ୟବହାର କରୁଛନ୍ତି । ସରକାରଙ୍କ ଗୋହି ଖୋଳିବାରେ ଏହି ବୈଦ୍ୟୁତିକ ଗଣମାଧ୍ୟମ ଦିନରାତି ଏକ କରିଛି । ବାହାରକୁ ‘ନିରପେକ୍ଷତା’ କଥା କହୁଥିଲେ ମଧ୍ୟ ବାସ୍ତବରେ ନବୀନ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇବାରେ ବୈଜୟନ୍ତଙ୍କ ଗଣମାଧ୍ୟମ ସଂସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି । ସରକାର-ବିରୋଧୀ ଆଂଚଳିକ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଏହି ଗଣମାଧ୍ୟମ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ପଣ୍ଡାଙ୍କ ଗଣମାଧ୍ୟମକୁ ଚୋଟେ ଦେବା ସକାଶେ ନିଜର ଏକ ବଡ ଗଣମାଧ୍ୟମ ଫୌଜ (ବୈଦ୍ୟୁତିକ, ପ୍ରିଂଟ୍ ଓ ସାମାଜିକ ଗଣମାଧ୍ୟମକୁ ନେଇ) ତିଆରି କଲେଣି । ପଣ୍ଡା ଶିଳ୍ପପତି ଥିବା ସମୟରୁ ବ୍ୟବସାୟିକ ଶତୃତା ରହି ଆସି ଥିବା ଗୋଟେ ଅଧେ ଗଣମାଧ୍ୟମ ପୁର୍ବରୁ ଯୋଡି ହୋଇ ସାରିଛନ୍ତି ସରକାରଙ୍କ ସହ । ଏବେ କିଛି ଛୋଟ ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମକୁ ସରକାର ବିଭିନ୍ନ ଉପାୟରେ ନିଜ ଅଂଟିରେ ପୁରାଇ ପଣ୍ଡାଙ୍କ ଗଣମାଧ୍ୟମ ସହ ଲଢେଇ ଆରମ୍ଭ କରିଛନ୍ତି । ଶାସକ ଦଳର କିଛି ନେତା ବାହାରକୁ ଦିଶୁ ଥିବା ବେଳେ ଆଉ କିଛି ବଡ ନେତା ଅଦୃଶ୍ୟରେ ରହି ଗଣମାଧ୍ୟମରେ ପୁଂଜି ବିନିଯୋଗ କରୁଛନ୍ତି । ପ୍ରଶାସକମାନଙ୍କ ଦ୍ୱାରା ସେସମୁ ପରିଚାଳିତ ହେଉଛି । ସରକାରଙ୍କ ବିଜ୍ଞାପନ ନୀତି ନିଜ ସମର୍ଥକ ଗୋଷ୍ଠୀଙ୍କୁ ସୁହାଇଲା ଭଳି ପ୍ରସ୍ତୁତ କରାଯାଉଛି । ମୋଟା ଅଂକରେ ବିଜ୍ଞାପନ ପାଉଥିବା ଏସବୁ ଗଣମାଧ୍ୟମ ୨୦୨୪ ନିର୍ବାଚନ ପୁର୍ବରୁ ସରକାରଙ୍କ ପ୍ରଚାରକୁ ଯୋରଦାର କରିବାରେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ନିକଟରେ ଆଲୋଚନାକୁ ଆସିଥିବା ରିପବ୍ଲିକ୍ ଟିଭି ‘ଟିଆରପି’ ଜାଲିଆତି ଠାରୁ କୌଣସି ଗୁଣରେ କମ୍ ନୁହେଁ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ମନ୍ତ୍ରଣାଳୟ ଏବଂ ତାହାର ପରିଚାଳକମାନେ ଏହି ଫୌଜର ପୃଷ୍ଠପୋଷକ ସାଜିଛନ୍ତି ।
ରାଜ୍ୟରେ ସକ୍ରୀୟ ଥିବା ବୈଦ୍ୟୁତିକ, ପ୍ରିଂଟ୍ ଓ ସାମାଜିକ ଗଣମାଧ୍ୟମରୁ ସିଂହଭାଗ ଏବେ ବିଜେଡ଼ି ଖାତାରେ ଥିବା ବେଳେ ବୈଜୟନ୍ତ ଗଣମାଧ୍ୟମ ଭଳି ଅଳ୍ପ କିଛି ବିଜେପି ଅକ୍ତିଆରରେ ଥିବା ଦେଖିବାକୁ ମିଳୁଛି । ତେବେ, ଏହି ସଂସ୍ଥାମାନେ ରାଜ୍ୟ ସରକାରଙ୍କ ବିଜ୍ଞାପନ ପ୍ରତି ମଧ୍ୟ ଲୋଭ ରଖି ଥିବାରୁ ବିଜେପିକୁ ସେମାନଙ୍କ ସମର୍ଥନର ପୂର୍ଣ୍ଣ ଫାଇଦା ମିଳୁ ନାହିଁ । ଆଉ କଂଗ୍ରେସ କଥା ଛାଡନ୍ତୁ । ଏବେ କଂଗ୍ରେସ ସଂଗଠନ ସହ କୌଣସି ଆଂଚଳିକ ଗଣମାଧ୍ୟମ ନାହିଁ । ଦଳର କିଛି ପ୍ରବକ୍ତା ୟୁ-ଟ୍ୟୁବ୍ କୁ ଆଶ୍ରୟ କରି ରାଜ୍ୟ କଂଗ୍ରେସ ସଂଗଠନକୁ ସୁହାଇଲଶ ଭଳି ଭିଡ଼ିଓ ପୋଷ୍ଟ୍ କରିବାରେ ସନ୍ତୁଷ୍ଟ । ସରକାରୀ ଗଣମାଧ୍ୟମ ଫୈାଜ ନିକଟରେ ସେମାନଙ୍କ ସ୍ୱର ମଳିନ ପଡି ଯାଉଛି । ବିରୋଧୀଙ୍କ ସ୍ୱର କେତେ ଦୁର୍ବଳ, ତାହାର ଉଦାହରଣ ହେଉଛି ନିକଟରେ ବୈଜୟନ୍ତଙ୍କ ଟ୍ୱିଟର୍ ପୃଷ୍ଠାରେ ପ୍ରକାଶିତ ଟ୍ୱିଟ୍ କୁ ନେଇ ସରକାରୀ ପ୍ରୟୋଜିତ ମିଡ଼ିଆ ସବୁ ତୀବ୍ର ଆକ୍ରମଣ ଚଳାଇ ଥିବା ବେଳେ ବୈଜୟନ୍ତଙ୍କ ନିଃସଂଗତା । ତାଙ୍କୁ ସୁରକ୍ଷା ଦେବାକୁ କେହି ଆଗକୁ ଆସୁ ନାହାନ୍ତି । ଫଳରେ, ପଣ୍ଡା ସମ୍ମିଳୀତ ଆକ୍ରମଣର ସାମନା କରି ନ ପାରି ପଛଘୁଂଚା ଦେବା ସହ ତାଙ୍କ ଟ୍ୱିଟ୍ କୁ କଦର୍ଥ କରାଯାଉଛି ବୋଲି ସଫେଇ ଦେବାକୁ ବାଧ୍ୟ ହୋଇଛନ୍ତି । ପଣ୍ଡାଙ୍କ ଟ୍ୱିଟ୍ ରେ ଓଡ଼ିଶା ଓ ମହାରାଷ୍ଟ୍ରରେ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ପୁଲିସ ମାତ୍ରାଧିକ୍ୟକୁ ପାକିସ୍ତାନୀ ଶାସନ ସହ ତୁଳନା କରାଯାଇଥିବା ଦୃଷ୍ଟିରୁ ଶାସକ ଦଳ ନେତୃବର୍ଗ ଓ ତାହାର ପୃଷ୍ଠପୋଷକ ସାଜି ଥିବା ଗଣମାଧ୍ୟମମାନେ କ୍ଷୁବ୍ଧ । ପଣ୍ଡା ଟ୍ୱିଟ୍ ପବିତ୍ର ଓଡ଼ିଶା ମାଟି, ଜଗନ୍ନାଥ କ୍ଷେତ୍ର ଏବଂ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାକୁ ନିନ୍ଦିତ କରିଛି ବୋଲି ସେମାନେ ଅଭିଯୋଗ କରିଥିବା ବେଳେ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଭଳି କିଛି କୁହାଳିଆ ନେତା ।
ତେବେ, ପଣ୍ଡା ଯାହା ପାଇଁ ଏଭଳି କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି ସେମାନଙ୍କ କାର୍ଯ୍ୟକଳାପ ମଧ୍ୟ କୌଣସି ଗୁଣରେ ପ୍ରଶଂସନୀୟ ନୁହେଁ । ଜଣେ ୧୩ ବର୍ଷର ନାବାଳିକାଙ୍କୁ ପଣ୍ଡାଙ୍କ ଗଣମାଧ୍ୟମ ସଂସ୍ଥାର କିଛି କର୍ମଚାରୀ ଓ ପୁଲିସ କର୍ମଚାରୀ ମିଶି ଲକ୍ ଡାଉନ୍ ଚାଲିଥିବା ବେଳେ ଗଣଦୁଷ୍କର୍ମ କରିଥିବା ଭଳି ଲଜ୍ୟାଜନକ ଅଭିଯୋଗ ଏବେ ରାଜ୍ୟ କ୍ରାଇମ୍ ବ୍ରାଂଚ୍ ର ତଦନ୍ତାଧୀନ ରହିଛି । କଥିତ ଗଣଦୁଷ୍କର୍ମ ଅଭିଯୋଗକୁ ଚପାଇ ଦେବାକୁ ସଂସ୍ଥା ପକ୍ଷରୁ ଉଦ୍ୟମ ହୋଇଥିଲା ବୋଲି ନାବାଳିକାର ମା’ ପୁଲିସ ଓ ମହିଳା କମିସନ୍ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନାବାଳିକା ମା’ଙ୍କ ଅଭିଯୋଗ ଭିତ୍ତିରେ ଯେଉଁ ତଦନ୍ତ ଚାଲିିଛି ସେଥିରେ ସଂସ୍ଥାର ଏମଡ଼ି ଥିବା ପଣ୍ଡାଙ୍କ ପତ୍ନୀଙ୍କୁ ହାଜିରା ଦେବାକୁ ଡକାଯାଉଛି । ଏହି ଘଟଣା ସହ ଆଉ କିଛି ଗୁରୁତର ଅଭିଯୋଗ ସାମନାକୁ ଆସି ଥିବାରୁ ପୁଲିସ ସଂପୃକ୍ତ ଗଣମାଧ୍ୟମର ବରିଷ୍ଠ କର୍ମକର୍ତା ଓ ବିଭିନ୍ନ ସ୍ତରର କର୍ମଚାରୀଙ୍କୁ ପଚରା ଉଚୁରା ପାଇଁ ଥାନାକୁ ଡକାଉଛି । ଜଣେ ମହିଳା ସାଂସଦଙ୍କ ଅଶ୍ଳୀଳ (!) ଭିଡ଼ିଓ ଭାଇରାଲ୍ କରି ଚରିତ୍ର ସଂହାର ଉଦ୍ୟମ କରାଯାଇଥିବା ଅଭିଯୋଗରେ ସଂସ୍ଥାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ହୋଇଛି । ଏସବୁ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ଭାବେ ସାମ୍ବାଦିକମାନଙ୍କ ବିରୋଧରେ ପୁଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କୁହାଯାଇ ନପାରେ । ଏହାଛଡା, ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସର କାର୍ଯ୍ୟାନୁଷ୍ଠାନକୁ ସେ ପାକିସ୍ତନୀ ଶାସନ ସହ ତୁଳନା କରିବା ହେଉଛି ଏକ ରାଜନୈତିକ ମନ୍ତବ୍ୟ । ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦେଶରେ ଯେତେସବୁ ନିର୍ବାଚନ ହୋଇଛି ସେଥିରେ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ନିନ୍ଦିତ କରିବା ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପାକିସ୍ତାନ’ର ନାଁ ବାରମ୍ବାର ବ୍ୟବହାର କରିଛନ୍ତି । ସେତେବେଳେ ଭାରତ ମାଟିର ଅସ୍ମିତାର ପ୍ରଶ୍ନ କେହି ଉଠାଇ ନ ଥିବା ବେଳେ ପଣ୍ଡାଙ୍କ ଟ୍ୱିଟ୍ ରେ ପାକିସ୍ତାନୀ ଶାସନ କଥା ରହିଥିବାରୁ ଏତେ ପ୍ରତିକ୍ରିୟା କାହାଁକି ? ତାହା ଆମେ ବୁଝି ପାରୁ ନାହୁଁ । ସାଧାରଣତଃ ଆମେ ସରକାର ବା ସରକାରୀ କଳର ମାତ୍ରାଧିକ୍ୟ ବିଷୟରେ ଚର୍ଚ୍ଚା କଲା ବେଳେ ସ୍ୱତଃ ଆମ ପାଟିରେ ଆସିଥାଏ ‘ତାଲିବାନୀ ଶାସନ’ କଥା । ବୈଜୟନ୍ତ ବାବୁ ‘ପାକିସ୍ତାନୀ’ ନ କହି ‘ତାଲାବାନୀ’ କହିଥିଲେ ବୋଧହୁଏ କାହାରି କିଛି ଆପତ୍ତି ନ ଥାନ୍ତା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS