କରୋନା ଡ଼ାଏରୀ (୨୨)…ଟ୍ୱିନ୍ ସିଟି ପାଇଁ ଜାରି ହେଲା ହେଲ୍ଫ୍ ଲାଇନ୍
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର, ୨୦
ପାର୍ବଣ ଋତୁରେ ‘ଦାଦା ବଟିକୁ ନା’… ! ଏହା ଅସମ୍ଭବ କଥା । ତଥାପି ଏହାକୁ ସମ୍ଭବ କରିବାକୁ ଅଂଟା ଭିଡିଛି କଟକ, ଭୁବନେଶ୍ୱର ଟ୍ୱିନ୍ ସିଟି ବା ଦ୍ୱୈତ ନଗରୀ କମିସନରେଟ୍ ପୁଲିସ୍ । ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । କେବଳ କଟକ, ଭୁବନେଶ୍ୱର ଦ୍ୱୈତ ନଗରୀ ନୁହେଁ, ସମଗ୍ର ରାଜ୍ୟରେ ପୁଲିସ ପକ୍ଷରୁ ଏହି ଅଭିଯାନ ଚାଲିବ ବୋଲି ରାଜ୍ୟ ପୁଲିସ ଡ଼ିଜିପି ଅଭୟ ସୂଚନା ଦେଇଛନ୍ତି ଗଣମାଧ୍ୟମକୁ । କେବଳ ପାର୍ବଣ ସମୟ ନୁହେଁ, ଅନ୍ୟ ସମୟରେ ମଧ୍ୟ ‘ଦାଦା ବଟି’ ସାଧାରଣ ନାଗରିକ ଓ ପୁଲିସକୁ ନାକେଦମ୍ କରୁଥିବାରୁ କଟକ-ଭୁବନେଶ୍ୱର କମିସନରେଟ୍ ପୁଲିସ ଦୁର୍ଗା ପୂଜା ପ୍ରାରମ୍ଭରୁ ଏହି ଅଭିଯାନ ଆରମ୍ଭ କରି ସାରିଛି । ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟକୁ ପୁଲିସ ‘ଦାଦା ବଟି’ ଆଦାୟ ଅଭିଯୋଗରେ ଉଠାଇ ନେଇ ତା’ ବିରୋଧରେ ୧୧୦ଦଫା ଲାଗୁ କରିଛି । ଏହାଛଡା, ରାଜାକୁ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ବଳରେ ଦୀର୍ଘ ସମୟ ପାଇଁ ଜେଲରେ ଅଟକ ରଖା ଯିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ରାଜା ବିରୋଧରେ ଅତୀତରେ ହତ୍ୟା, ହତ୍ୟା ଉଦ୍ୟମ, ଧମକ ଚମକ ଦେବା, ଦାଦା ବଟି ଆଦାୟ କରିବା ଭଳି ବହୁ ସଂଗୀନ ଅପରାଧ ଅଭିଯୋଗ ରହିଛି । ନିକଟରେ ସେ ଜେଲରୁ ଜମାନତରେ ଆସିବା ପରେ ପୁନର୍ବାର ତାହାର ଆପରାଧିକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲା । ପୁଲିସ ତାହାର ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିବା ସହ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ବୋଲି ଭୁବନେଶ୍ୱର-କଟକ ପୁଲିସ କମିସନର୍ ଡ. ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି । ‘ଦାଦା ବଟି’ ଆଦାୟ ବିରୋଧରେ ଅଭିଯାନକୁ ଅଧିକ ଶାଣିତ କରିବା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ଆଜି ଟ୍ୱିନ୍ ସିଟି ଅଧିବାସୀଙ୍କ ପାଇଁ ଏକ ‘ହେଲ୍ଫ୍ ଲାଇନ୍’ ମଧ୍ୟ ଜାରି କରାଯାଇଛି । ଏହି ‘ହେଲ୍ଫ୍ ଲାଇନ୍’ ନମ୍ବର ରହିଛି – ୯୯୩୮୯୧୦୦୦୦ । ଆଜି ରାଜ୍ୟ ପୁଲିସ ଡ଼ିଜି ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ‘ହେଲ୍ଫ୍ ଲାଇନ୍’ ସଂପର୍କିତ ସୂଚନା ଦେବା ସହ ପିଡିତ ଜନସାଧାରଣ ଏସଏମଏସ୍, ଟେଲିଗ୍ରାମ ଓ ମେସେଜ୍ ମାଧ୍ୟମରେ ସେମାନଙ୍କ ଅଭିଯୋଗ କରି ପାରିବେ, ଅଭିଯୋଗକାରୀ ଚାହିଁଲେ ତାଙ୍କ ପରିଚୟ ଗୋପନ ରଖାଯିବ ବୋଲି କହିଛନ୍ତି । ଟ୍ୱିନ୍ ସିଟି ପାଇଁ ପ୍ରାଥମିକ ଭାବେ ଏହି ହେଲ୍ଫ୍ ଲାଇନ୍ ଜାରି ହୋଇଛି । ପରବର୍ତୀ ସମୟରେ ମଧ୍ୟ ସମଗ୍ର ରାଜ୍ୟ ପାଇଁ ଏଭଳି ‘ହେଲ୍ଫ୍ ଲାଇନ୍’ ଜାରି କରାଯିବ ବୋଲି ଡ଼ିଜିପିଙ୍କ ଠାରୁ ପ୍ରତିଶ୍ରୁତି ମିଳିଛି ।
ଅଧିକ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ପାର୍ବଣ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଛନ୍ତି । କରୋନା ସହ ଗତ ସାତ ମାସର ସଂଘର୍ଷ ଏବଂ ସଂକ୍ରମିତ ଲୋକଙ୍କୁ ଚିକିତ୍ସା କରିବାରେ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ମନେ ପକାଇ ଦେଇ ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ଭୟଂକର ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇ ଥିବାରୁ ରାଜ୍ୟବାସୀ ଅଧିକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ୫ ମିନିଟ ପାଇଁ ସମ୍ବୋଧିତ କରିଥିଲେ । ଦୁର୍ଗା ପୂଜାରୁ ଦୀପାବଳୀ ପର୍ଯ୍ୟନ୍ତ ପାର୍ବଣ ଋତୁ ଅଧିକ ସଂବେଦନଶୀଳ ଥିବାରୁ ଅଧିକ ସତର୍କତାର ଆବଶ୍ୟକତା ରହିଛି । ଆମେରିକା ଓ ୟୁରୋପୀୟ ରାଷ୍ଟ୍ରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇ ପରିସ୍ଥିତି ଭୟଂକର ଥିବା ଏବଂ ଦେଶରେ ବିଭିନ୍ନ ପର୍ବପର୍ବାଣୀ ସମୟରେ ଲୋକମାନେ ସାମାନ୍ୟ ଉତ୍ସୃଂଖଳ ହେବା ଦ୍ୱାରା କରୋନା ସଂକ୍ରମଣ ନୂଆ ରୂପରେ ସାମନାକୁ ଆସୁଥିବା ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଚଳିତ ପାର୍ବଣ ଋତୁରେ ରାଜ୍ୟବାସୀ ଅଧିକ ସତର୍କ ହେବାକୁ ନିବେଦନ କରିଥିଲେ । କରୋନା କଟକଣାରେ ସାମାନ୍ୟତମ ଉଲଂଘନ ହେଲେ ପରିସ୍ଥିତି ଭୟଂକର ହୋଇ ପାରେ ବୋଲି ସେ ଚେତାବନୀ ଦେଇଥିଲେ । କରୋନା ସଂକ୍ରମଣକୁ ସଫଳତାର ସହ ନିୟନ୍ତ୍ରଣରେ ରଖି ପାରିଥିବା କେରଳରେ ‘ଓନାମ୍’ ପର୍ବ ପାଳନ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ , ସେଠାକାର ଜନତା ସାମାନ୍ୟ ପାର୍ବଣ ସମୟରେ ସାମନ୍ୟ ଉତ୍ସୃଂଖଳ ହେବାରୁ ରାଜ୍ୟରେ କରୋନା ସଂକ୍ରମଣ ବଢି ଯାଇଛି । ଓଡ଼ିଶାରେ ଗଲା କିଛି ସମୟ ଧରି ଦୈନିକ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଗତ ୧୫ ଦିନ ହେଲା ତାହା ନିମ୍ନଗାମୀ ହୋଇଛି । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୨ ହଜାରକୁ କମିଛି । ଏଥି ସକାଶେ ସରକାର ଓ ଜନସାଧାରଣ ବହୁ କଷ୍ଟ ସ୍ୱୀକାର କରିଛନ୍ତି । ପାର୍ବଣ ସମୟରେ ସାମାନ୍ୟ ଅସାବଧାନ ହେଲେ ସାତ ମାସର ତ୍ୟାଗ ଓ ପରିଶ୍ରମ ନିଷ୍ଫଳ ହୋଇଯିବ । ତେଣୁ, ଓଡ଼ିଶାବାସୀ ଦୁର୍ଗା ପୂଜାରୁ ଦୀପାବଳୀ ପର୍ଯ୍ୟନ୍ତ ପାର୍ବଣ ସମୟରେ ଖାମଖିଆଲ ନ ହୋଇ କରୋନା କଟକଣାକୁ ଠିକ୍ ଭାବେ ପାଳନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଶୀତ ଋତୁ ଅଧିକ ଘାତକ ହେବା ଆଶଙ୍କା ଥିବାରୁ ରାଜ୍ୟବାସୀ ଅଧିକ ଦାୟିତ୍ୱ ସଂପନ୍ନ ହେବା, କରୋନା କଟକଣାକୁ ଉଚିତ ଢଂଗରେ ପାଳନ କରିବା, ଘରୁ ବାହାରିଲେ ମୁହଁରେ ମାସ୍କ୍ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା, ବୟସ୍କ ଲୋକ ଓ ପିଲାମାନେ ଜରୁରୀ ନ ଥିଲେ ଘରୁ ନ ବାହାରିବା ଏବଂ ପ୍ରତ୍ୟେକ ବାହାରକୁ ଆସିଲେ ପରସ୍ପର ମଧ୍ୟରେ ଉଚିତ ଦୂରତା ବଜାୟ ରଖିବା, ପୂଜା ସ୍ଥଳରେ ଭିଡ଼ ନ ଜମାଇବା ଏବଂ ସମସ୍ତେ ଘରେ ରହି ପୂଜା ଉତ୍ସବର ଆନନ୍ଦ ନେବା ପାଇଁ ସେ ନବେଦନ କରିଛନ୍ତି । ମେ’ ମାସ ପରେ ଓଡ଼ିଶାରେ କରୋନା ହଟସ୍ପଟ୍ ହୋଇଥିବା ଗଂଜାମ ଓ ଗଜପତି ଜିଲ୍ଲା ଏବେ ନିୟନ୍ତ୍ରଣକୁ ଆସି ଯାଇଥିବା ଦର୍ଶାଇ କରୋନା ଭ୍ୟାକ୍ସିନ୍ ଆସିବା ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପୁରୀ ସ୍ୱର୍ଗଦ୍ୱାର ଖୋଲିଲା, ଏଥର ମହାପ୍ରସାଦ ମଧ୍ୟ ମିଳିବ
ଗତ କିଛି ମାସ ହେଲା ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ମନା ଥିଲା । ମହୋଦଧୀରେ ଶେଷକୃତ୍ୟ ସଂପନ୍ନ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ କଟକଣା ଲଗାଇ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାତ ମାସ ପରେ ‘ନବୀନ ନୀବାସ’ରୁ ବାହାରି ପୁରୀ ବୁଲି ଆସିବା ପରେ ଏହି କଟକଣା ଉଠି ଥିବାରୁ ପୁରୀ ଜିଲ୍ଲା ବାହାର ଲୋକମାନେ ଖୁସି । ଏସବୁ ମୁଖ୍ୟମନ୍ତ୍ରୀଙ୍କ କିମିଆ ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରବିବାର ଦିନ ପୁରୀ ଯାଇ ଶ୍ରୀମନ୍ଦିର ଚାରି ପାଖ ୭୫ ମିଟର ବ୍ୟାସାର୍ଦ୍ଧରେ ଚାଲିଥିବା ‘ଶ୍ରୀମନ୍ଦିର କରିଡ଼ର’ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ପୁରୀ ପୌରାଂଚଳ ଓ ଜିଲ୍ଲାର କୋଭିଡ଼-୧୯ ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ରାଜଧାନୀକୁ ଫେରିବାର ୨୪ ଘଂଟା ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲା ବାହାର ଲୋକ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଏବଂ ମହୋଦଧୀରେ ଅସ୍ତି ବିସର୍ଜନ କରି ପାରିବେ ନାହିଁ ବୋଲି ଯେଉଁ କଟକଣା ଲଗାଇ ଥିଲେ ତାହା ପ୍ରତ୍ୟାହାର କରିଛନ୍ତି । ପୁରୀ ଜିଲ୍ଲାପାଳ ୧୯ ତାରିଖ ଦିନ ଏକ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରି ପୁରୀ ଜିଲ୍ଲା ଓ ପୁରୀ ପୌରାଂଚଳରେ କରୋନା ପଜେଟିଭ୍ କେସ୍ ସଂଖ୍ୟା କମିବାରେ ଲାଗି ଥିବାରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଏବଂ ମହୋଦଧୀର ବ୍ୟବହାରକୁ ନେଇ ଯେଉଁ ନିଷେଧାଦଶ ଜାରି ହୋଇଥିଲା ତାହା ସର୍ତମୂଳକ ଭାବେ ପ୍ରତ୍ୟାହାର କରି ନିଆଗଲା ବୋଲି ସୂଚନା ଦେଇଛନ୍ତି । ଯେଉଁ କଟକଣା ଲାଗୁ ଥିଲା ତାହା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଶାସନ ସଚିବ ତଥା ନ୍ୟାସନାଲ ଏକ୍ଜିକ୍ୟୁଟିଭ କମିଟି (ଏନଇସି) ଅଧ୍ୟକ୍ଷଙ୍କ ସେପ୍ଟେମ୍ବର ୩୦ରେ ଦେଇଥିବା ନିର୍ଦେଶନାମା ପ୍ରକାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଏହି ନିର୍ଦେଶନାମାରେ ଆବଶ୍ୟକ ସଂଶୋଧନ କରାଯାଇ ପୁରୀ ଜିଲା ବାହାର ଜନସାଧାରଣଙ୍କୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରିବା ଓ ମହୋଦଧୀରେ ଅସ୍ତି ବିସର୍ଜନ କରିବା ପାଇଁ ପୁନଃ ଅନୁମତି ଦିଆଗଲା ବୋଲି ପୁରୀ ଜିଲ୍ଲାପାଳ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ତେବେ, ଶବଦାହ ପାଇଁ ଆସୁଥିବା ଜିଲ୍ଲାର ଓ ଜିଲ୍ଲା ବାହାରର ସମସ୍ତେ କୋଭିଡ଼-୧୯ ଗାଇଡ୍ ଲାଇନ୍ ପାଳନ କରିବାକୁ ବାଧ୍ୟ ବୋଲି ଚିଠିରେ କୁହାଯାଇଛି । ତେବେ, କରୋନା ଆକ୍ରାନ୍ତଙ୍କ ଶବ ସ୍ୱର୍ଗଦ୍ୱାରରେ ଦାହ ହୋଇପାରିବ ନାହିଁ ବା ସେମାନଙ୍କ ଅସ୍ତି ମହୋଦଧୀରେ ବିସର୍ଜନ ହୋଇପାରିବ ନାହିଁ । ଶବଦାହ କରାଇବାକୁ ଆସୁଥିବା ମୃତକଙ୍କ ସଂପର୍କିୟମାନେ କୋଭିଡ଼-୧୯ ରେଗୁଲେସନ୍ -୨୦୨୦ ମାନିବାକୁ ବାଧ୍ୟ । ଶବ ସହ ସର୍ବାଧିକ ୨୦ ଜଣ ସ୍ୱର୍ଗଦ୍ୱାରକୁ ଆସି ପାରିବେ । ସେମାନେ ସମସ୍ତେ ପୂର୍ବ ପାଂଚ ଦିନ ଧରି କୋଭିଡ଼ ନେଗେଟିଭ୍ ଥିବାର ପ୍ରମାଣପତ୍ର ଆଣିବେ । ସମସ୍ତେ କୋଭିଡ଼ ନିୟମ ପାଳନ କରି ମୁହଁରେ ଠିକ୍ ଭାବେ ମାସ୍କ୍ ପିନ୍ଧିବାକୁ, ହ୍ୟାଣ୍ଡ୍ ସାନିଟାଇଜର୍ ବ୍ୟବହାର କରିବାକୁ ଏବଂ ନିଜ ନିଜ ଭିତରେ ଅନ୍ତତଃ ୨ ମିଟର ଦୂରତ୍ୱ ବଜାୟ ରଖିବାକୁ ବାଧ୍ୟ ବୋଲି ଜିଲ୍ଲାପାଳ ତାଙ୍କ ଚିଠିରେ ଦର୍ଶାଇ ତୁରନ୍ତ ଏହି ଆଦେଶ ସୂଚନା ଦେଇଛନ୍ତି । ସବୁ ନିୟମ ଯେମିତି ଠିକ୍ ଭାବେ ପାଳନ ହେବ ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ଦାୟିତ୍ୱ ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିବା ପରେ ଜିଲ୍ଲା ବାହାର ଲୋକମାନେ କେବଳ ପୁରୀ ସ୍ୱର୍ଗଦ୍ୱାରରେ ଶବ ସକ୍ରାର ଓ ମହୋଦଧୀରେ ଶେଷକୃତ୍ୟ ସଂପନ୍ନ ଅଧିକାର ଫେରି ପାଇ ନାହାନ୍ତି, ଆଜିଠାରୁ ଜିଲ୍ଲା ବାହାର ଲୋକଙ୍କୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ମିଳିବ ବୋଲି ପ୍ରଶାସନର ଘୋଷଣା ନବୀନଙ୍କ ପାର୍ବତ ଋତୁ ଉପହାର ବୋଲି ଆଲୋଚନା ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS